ଅନ୍‌ଲାଇନ ଶିକ୍ଷା: ସମସ୍ୟା ଓ ସମାଧାନ

ଡ. ଜ୍ୟୋତି ପ୍ରକାଶ ମହାପାତ୍ର

କରୋନା ମହାମାରୀ ଆରମ୍ଭ ହେବା ପରେ ପରେ ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ମାର୍ଚ୍ଚ ମାସ ଅଧାରୁ ବନ୍ଦ ରହିଛି। ତାହା କେବେ ଖୋଲିବ, ସେ ସମ୍ପର୍କରେ କେହି ସ୍ପଷ୍ଟ ଭାବେ କହୁ ନାହାନ୍ତି। ଫଳରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଦଶମ ଶ୍ରେଣୀ ପରୀକ୍ଷା ସରିଯାଇଥିବା ବେଳେ ବାକି କୌଣସି ଶ୍ରେଣୀର ପରୀକ୍ଷା ସରି ନ ଥିଲା। ସରକାରୀ ଭାବେ ସେହି ଛାତ୍ରୀଛାତ୍ରମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରି ଦିଆଗଲା। ଫଳରେ ସେମାନେ ନୂଆ କ୍ଲାସ ଓ ନୂଆ ଶିକ୍ଷାବର୍ଷକୁ ଆସିଗଲେ। କିନ୍ତୁ ପଢିବେ କ’ଣ ଓ ପଢାଯିବ କେମିତି? ତାହା ହିଁ ବଡ଼ ପ୍ରଶ୍ନ ହୋଇ ଆଜିଯାକେ ସଭିଙ୍କ ସାମ୍ନାରେ ଛିଡ଼ା ହୋଇଛି।
ସରକାରୀ ଭାବେ ଏପ୍ରିଲ ମାସ ମଝି ସମୟରୁ ହ୍ବାଟ୍‌ସଆପ୍‌ କ୍ଲାସ୍‌ କରିବା ପାଇଁ କୁହାଗଲା, ଯାହାକୁ ସରକାରୀ ଅଧିକାରୀମାନେ ବୁଲେଇ ବଙ୍କେଇ ଅନ୍‌ଲାଇନ କ୍ଲାସ ବୋଲି କହିଲେ। ହ୍ବାଟ୍‌ସଆପ୍‌ କ୍ଲାସ୍‌ ତ ଆଉ ଅନ୍‌ଲାଇନ କ୍ଲାସ ନୁହେଁ। ସେଥିରେ ସ୍କୁଲଗୁଡ଼ିକରେ ସମୟ ଦେଇ ଦିଆଗଲା ଓ ପିଲାଙ୍କୁ କୁହାଗଲା, ସେହି ସମୟରେ ମୋବାଇଲରେ ଉପସ୍ଥିତ ରୁହ। କିନ୍ତୁ ହ୍ବାଟ୍‌ସଆପ୍‌ କ୍ଲାସରେ ଶିକ୍ଷକମାନେ ଯାହା ଜାଣିଛନ୍ତି ଛୁଟିରେ ରହି କେବଳ ନୋଟ୍‌ ପଠେଇବାକୁ ଲାଗିଲେ। ପିଲା ତାହା ପଢିଲେ କି ନ ପଢିଲେ, ତାହାର କୌଣସି ପ୍ରମାଣ କାହା ପାଖରେ ରହିଲା ନାହିଁ। ପୁଣି ଶିକ୍ଷକମାନେ ଯଦି କୌଣସି ପ୍ରଶ୍ନ ଦେଲେ, ଛାତ୍ରୀଛାତ୍ର ଏହାର ଉତ୍ତର ଲେଖିଲେ କି ନ ଲେଖିଲେ, ତାହାର ଖବର ମଧ୍ୟ ରହିଲା ନାହିଁ। ଫଳରେ ଏହା ଏକପାଖିଆ ହୋଇ ଚାଲିଲା, ଯେଉଁଥିରେ ଛାତ୍ରୀଛାତ୍ରଙ୍କ ଭାଗୀଦାରି ବହୁତ କମ୍‌ ରହିଲା। ଭାଗୀଦାରି ନ ରହିଲେ, ଶିକ୍ଷା ଗ୍ରହଣ ପ୍ରକ୍ରିୟା ସମ୍ପୂଣ୍ଣର୍ର୍ ହେବନାହିଁ। ଗାଁ ଗହଳି, ଦୂରନ୍ତ, ଆଦିବାସୀ ଇଲାକାର ପିଲାଟିଏ କିପରି ମୋବାଇଲ୍‌ ପାଇବ, ସେଠି ନେଟୱର୍କ ଅଛି କି ନାହିଁ- ତାହା ପ୍ରାରମ୍ଭିକ ପର୍ଯ୍ୟାୟରେ କେହି ଦେଖିଲେ ନାହିଁ। ଫଳରେ ଏହା ଏମିତି ଜୁନ ମାସ ପର୍ଯ୍ୟନ୍ତ ଚାଲିଲା।
ପରେ ଜୁନ ମାସ ମଝିରେ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଗଲା ୩୨ ଲକ୍ଷ ପିଲା ଅନ୍‌ଲାଇନ ଶିକ୍ଷାରେ ସାମିଲ ହୋଇପାରୁ ନାହାନ୍ତି। ସମୁଦାୟ ପିଲାଙ୍କ ସଂଖ୍ୟା ୬୦ ଲକ୍ଷ ବୋଲି କୁହାଯାଇଥିବା ବେଳେ ମାତ୍ର ୨୮ ଲକ୍ଷ ଅନ୍‌ଲାଇନ ଶିକ୍ଷାରେ ସାମିଲ ହୋଇଛନ୍ତି ବୋଲି ସରକାରୀ ହିସାବ କହିଲା। ଫଳରେ ଆଦିବାସୀ, ଅନୁନ୍ନତ ଇଲାକାର କୌଣସି ପିଲା ପ୍ରାୟତଃ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିଲେ ନାହିଁ କି ପଢିପାରିଲେ ନାହିଁ। ଏକଥା ସାମ୍ନାକୁ ଆସିବା ବେଳକୁ ସରକାରୀ ଭାବେ ଖରାଛୁଟି ସରିଗଲାଣି। ଯଦିଓ ବିଦ୍ୟାଳୟଗୁଡ଼ିକ ଆଜିଯାକେ ଖୋଲି ନାହିଁ, ତେବେ ପୂରା ଖରାଛୁଟିରେ ୩୨ ଲକ୍ଷ ପିଲା ସରକାରୀ ଭାବେ ଚାରି ମାସ ପାଠପଢାରୁ ବଞ୍ଚିତ ରହିଲେ।
ରାଜ୍ୟର କେତେକ ସ୍କୁଲ, ଯେମିତି କି ଆଦର୍ଶ ବିଦ୍ୟାଳୟଗୁଡ଼ିକ, ଯେଉଁଠି ସରକାର ଖୁବ ଭଲ ଭିିତ୍ତିଭୂମି ଓ ଦରମା ଯୋଗାଇ ଦେଇଛନ୍ତି, ସେମାନେ ବି ଅନ୍‌ଲାଇନ ଶିକ୍ଷାଦାନକୁ ଆପଣାଇଲେ ନାହିଁ। ଏଥିପ୍ରତି କେହି ଦୃଷ୍ଟି ଦେଲେ ନାହିଁ ଓ ଶିକ୍ଷାବର୍ଷ ଆରମ୍ଭରୁ ଚାରି ମାସ ବେକାର ହୋଇଗଲା। ସେମାନେ ଗୁଗଲ ମିଟ୍‌ କି ଜୁମ୍‌ ପ୍ଲାଟଫର୍ମରେ ଶିକ୍ଷା ଦେଲେ ନାହିଁ। ଏମିତି ଶିକ୍ଷା ଦେବାକୁ ହେଲେ ଶିକ୍ଷକଙ୍କୁ ତାଲିମ ଦେବା ଆବଶ୍ୟକ। ମାତ୍ର ଶିକ୍ଷକଙ୍କୁ ତାଲିମ ଦେବା ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଅନ୍‌ଲାଇନରେ ଶିକ୍ଷକଙ୍କୁ ଏ ସମ୍ପର୍କିତ ତାଲିମ ଦିଆଯାଇ ପାରି ଥାଆନ୍ତା। ମାତ୍ର ତାହା ହେଲା ନାହିଁ।
ଦ୍ୱିତୀୟ ହେଉ କି ପଞ୍ଚମ କି ଅଷ୍ଟମ ପିଲାଙ୍କୁ ଅନ୍‌ଲାଇନରେ ପଢାଇବା କଷ୍ଟ। ସଭିଙ୍କ ଘରେ ଆଣ୍ଡ୍ରଏଡ଼ ଫୋନ ନାହିଁ। ପୁଣି ଯଦି ଘରେ ଏକାଧିକ ପିଲା ହେଲେ ତେବେ କିଏ ମୋବାଇଲ ଧରି ପଢିବ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।
ଏମିତିରେ ଆମ ରାଜ୍ୟ ପାଇଁ ସବୁଠାରୁ ସରଳ ଉପାୟଟି ହେଉଛି ଗାଁ ଗାଁରେ ଶିକ୍ଷା ପ୍ରଦାନ। ଖରାଛୁଟି ସମୟ ବିତି ସାରିଛି। ଏଣିକି ଶିକ୍ଷକମାନେ ନିଜ ନିଜ ସ୍କୁଲକୁ ଯାଆନ୍ତୁ। ମନେକରନ୍ତୁ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ଓ ଏହା ଅଧୀନରେ ୧୦ଟି ଗାଁ ଅଛି। ୧୦ଟି ଗାଁକୁ ୫ଟି କ୍ଲଷ୍ଟରରେ ବିଭକ୍ତ କରାଯାଉ। ପ୍ରତି କ୍ଲଷ୍ଟରରେ ଦୁଇଟି ଗାଁ ରହୁ। ପ୍ରାୟ ପ୍ରତି ଗାଁରେ ପ୍ରାଥମିକ ସ୍କୁଲ, କୋଠଘର, ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଠାକୁ ଯାଇ ଗୋଟିଏ ଶ୍ରେଣୀର ପିଲାଙ୍କୁ ଶିକ୍ଷକ ଶିକ୍ଷାଦାନ କରନ୍ତୁ। ଦୁଇ ଦିନ ଗୋଟିଏ ଗାଁରେ ଜଣେ ଶିକ୍ଷକ ରହି ଗଣିତ ପଢାଇଲା ପରେ ସେ ଆର ଗାଁକୁ ଚାଲିଯିବେ। ପୁଣି ସେହି ଗାଁକୁ ଇଂଲିଶ ଶିକ୍ଷକ ଯାଇ ଇଂଲିଶ ପଢାଇବେ। ଅଦଳବଦଳ କରି ଏକାଥରେ ଅନେକ କ୍ଲାସ କରି ହେବ। ୨୦୦ ପିଲାଙ୍କୁ ଏକାଥରେ ଗୋଟିଏ ଜାଗାରେ ବସାଇବାର ଆଉ ଆବଶ୍ୟକତା ପଡ଼ିବ ନାହିଁ। ଆଦିବାସୀବହୁଳ ଜିଲାଠାରୁ ଆରମ୍ଭ କରି ଉପକୂଳ ଜିଲାରେ ଏହା ଆରମ୍ଭ ହେଉ। ଶିକ୍ଷକ ଗାଁକୁ ଗାଁ ଯାଆନ୍ତୁ। ସେଠାରେ ରୁହନ୍ତୁ ଓ ପଢାନ୍ତୁ। ଗୋଟିଏ ଗାଁରେ ପଢା ସରିଲେ ଅନ୍ୟ ଗାଁକୁ ଯାଆନ୍ତୁ। ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ଓ କୋଠଘରକୁ ଏକାଥରେ ଏହି କାମରେ ବ୍ୟବହାର କରାଯାଉ।
ସେହିପରି ଶିକ୍ଷକମାନେ ଯେଉଁ ନୋଟ୍‌ ଖରାଛୁଟିରେ ରହି ହ୍ବାଟ୍‌ସଆପରେ ପଠାଇଛନ୍ତି, ସେମାନେ ଏବେ ତାହା ଜେରକ୍ସ କରି ପିଲାମାନଙ୍କୁ ଦିଅନ୍ତୁ। ପିଲାମାନଙ୍କ ଘରେ ନେଇ ଏହା ଦେଇହେବ। ଏଠାରେ ପ୍ରଶ୍ନ ଉଠିବ, ଜଣେ ଶିକ୍ଷକ କେତେବାଟ ବୁଲିବ କି? ମନେ କରନ୍ତୁ ବିଦ୍ୟାଳୟରେ ୬ଟି କ୍ଲାସ ଅଛି। ସେହି ବିଦ୍ୟାଳୟ ଅତି ବେଶିରେ ଦୁଇରୁ ଚାରିଟି ଗାଁକୁ ନେଇ ହୋଇଥିବ କିମ୍ବା ତା’ଠାରୁ କମ୍‌। ତେଣୁ ୬ ଜଣ ଯାକ ଶ୍ରେଣୀ ଶିକ୍ଷକ ପାଖ ଗାଁରେ ନେଇ ନୋଟ୍‌ ଦିଅନ୍ତୁ ଓ ପିଲାଙ୍କ ଅସୁବିଧା ବୁଝନ୍ତୁ। ସେଠାରେ ପଢାନ୍ତୁ। ପରଦିନ ଅନ୍ୟ ଶିକ୍ଷକ ଅଲଗା ବିଷୟର ନୋଟ୍‌ ନେଇ ଦିଅନ୍ତୁ ଓ ପଢାନ୍ତୁ। ଏଠି ପ୍ରଶ୍ନ ଉଠିବ- ଶିକ୍ଷକ କେତେ କାମ କରିବ କି? ଉତ୍ତରରେ କହିହେବ- ପିଲାଙ୍କୁ ପଢାଇବା ତ ଶିକ୍ଷକର କାମ। ଚାରି ମାସରୁ ଅଧିକ ସମୟ ଛୁଟିରେ ଗଲାଣି। ପୁଣି ବିଦ୍ୟାଳୟ କେବେ ଖୋଲିବ ତାହା ଜଣାନାହିଁ। ପୁଣି ଏଥର ମହାମାରୀ ଯୋଗୁ ସବୁଆଡ଼େ ସେମିତି ସ୍ଥିତି। ତେଣୁ ବିଦ୍ୟାଳୟ ଖୋଲିବା ପର୍ଯ୍ୟନ୍ତ ଓ ନିୟମିତ କ୍ଲାସ ଆରମ୍ଭ ହେବା ପର୍ଯ୍ୟନ୍ତ ଏହା ଚାଲୁ।
ଆଉ ଗୋଟେ କଥା। ଅନ୍‌ଲାଇନ କ୍ଲାସ ସମ୍ପର୍କରେ କଲେଜ ଶିକ୍ଷକମାନଙ୍କର ବି ଅଭିଜ୍ଞତା ନାହିଁ। ତେଣୁ ସ୍କୁଲ ଶିକ୍ଷକଙ୍କର ଆଦୌ ନ ଥିବ ବା ବହୁତ କମ୍‌ ଥିବ। ତେଣୁ ସରକାର ତାଙ୍କୁ ତାଲିମରେ ପଠାନ୍ତୁ। ଜୁମ କି ୱେବେକ୍ସ କି ଗୁଗଲ ମିଟରେ କେମିତି ପଢାଯିବ, ସେଥିନେଇ ତାଲିମ ଦିଅନ୍ତୁ। ଫଳରେ ଏ ଶିକ୍ଷାବର୍ଷରେ ୬୦ ଲକ୍ଷ ଛାତ୍ରୀଛାତ୍ର ଯେମିତି ଆଉ ସମସ୍ୟାର ସାମ୍ନା କରିବେ ନାହିଁ। ହେଲେ ଅଫ୍‌ଲାଇନ କ୍ଲାସ ଉପରେ ଗୁରୁତ୍ୱ ଦେବା ହିଁ ସମୟର ଆବଶ୍ୟକତା। ନ ହେଲେ ଅନ୍‌ଲାଇନ ବିଜ୍ଞାପନ ଓ ସରକାରୀ କମିଟି ଗଠନ ଭିତରେ ପିଲାଏ ପାଠ ପଢ଼ିପାରିବେ ନାହିଁ।
ସହକାରୀ ପ୍ରଫେସର
ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ
ମୋ-୯୪୩୭୦୮୦୦୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri