ଓଃ: ବେରୋଜଗାରୀ ତଥ୍ୟ

ବିମଳ ପାଣ୍ଡିଆ

 

ଦେଶରେ ବେରୋଜଗାର ହାର ଯାହା ଓ ତାହା ଯେଉଁ ହାରରେ କମୁଛି ବୋଲି ଆମ ସରକାର କହୁଛନ୍ତି ତାହା ଯଦି ସତ, ତେବେ ଆଉ ବର୍ଷ କେଇଟାରେ ଭାରତରେ ବେରୋଜଗାର ହାର ଆମେରିକାଠାରୁ ମଧ୍ୟ କମ୍‌ ହୋଇଯିବ। ୧୦ ଫେବୃୟାରୀ ୨୦୨୨ ତାରିଖରେ ରାଜ୍ୟ ସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଲେ ଯେ, ବିଗତ ତିନିବର୍ଷରେ ଦେଶରେ ବେରୋଜଗାରୀ ହାର କ୍ରମାଗତ ଭାବରେ କମି ଚାଲିଛି। ମନ୍ତ୍ରୀ ଯାହାକୁ ବିଗତ ତିନି ବର୍ଷ ବୋଲି କହିଥିଲେ, ତାହା ପ୍ରକୃତରେ ୨୦୧୭-୧୮ରୁ ୨୦୧୯-୨୦ ବର୍ଷର ତଥ୍ୟ ଥିଲା। ୨୦୧୭-୧୮ ବର୍ଷରେ କୁଆଡ଼େ ଦେଶର ୬% ଲୋକ ବେରୋଜଗାର ଥିଲେ, ୨୦୧୮-୧୯ରେ ତାହା କମି ୫.୮% ଓ ୨୦୧୯-୨୦ରେ ଆହୁରି କମି କୁଆଡ଼େ ମୋଟ ୪.୮% ହିଁ ବେରୋଜଗାର ଥିଲେ। ଆମେରିକା ସରକାର ଫେବୃୟାରୀ ୨୦୨୨ରେ ଜାରି କରିଥିବା ସଦ୍ୟତମ ତଥ୍ୟ ଅନୁସାରେ ସେହି ଦେଶରେ ୩.୮% ଲୋକ ବେରୋଜଗାର ଥିଲେ। ସେହି ତାରିଖରେ ଆଉ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟରେ ବେରୋଜଗାରୀର ତଥ୍ୟ ରଖିଥିଲେ। ତଥ୍ୟ ଅନୁସାରେ ଓଡ଼ିଶାରେ କୁଆଡ଼େ କେରଳ ତୁଳନାରେ କମ୍‌ ବେରୋଜଗାର ଅଛନ୍ତି। ତାଜୁବ ହେବାର କଥା! କେରଳ ରାଜ୍ୟ ଓଡ଼ିଶାଠାରୁ କାହିଁ କେତେ ଅଧିକ ଶିକ୍ଷିତ ଓ ଉନ୍ନତ। ସରକାର ରଖିଥିବା ତଥ୍ୟ ଅନୁସାରେ କେରଳରେ ୧୦% ଲୋକ ବେରୋଜଗାର ଥିବା ବେଳେ ଓଡ଼ିଶାରେ ୬.୨% ବେରୋଜଗାର ଅଛନ୍ତି। ମଜା କଥା ହେଲା ବିହାର ରାଜ୍ୟରେ ବେରୋଜଗାର ହାର କୁଆଡ଼େ ଆହୁରି କମ୍‌, ମାତ୍ର ୫.୧%। ଗୋଟିଏ ବହୁ ପ୍ରଚଳିତ ଆପ୍ତବାକ୍ୟ ଅଛି, ‘ମିଛ, ଡାହା ମିଛ ଓ ପରିସଂଖ୍ୟାନ’। ପରିସଂଖ୍ୟାନ ଡାହା ମିଛଠାରୁ ବି ବଡ଼ ମିଛ ହୋଇପାରେ। ବେରୋଜଗାରୀକୁ ନେଇ ଭାରତ ସରକାର ଥୋଉଥିବା ପରିସଂଖ୍ୟାନ ସେହି ଶ୍ରେଣୀରେ ନ ଆସୁ। ସରକାର ଦେଉଥିବା ଏହି ତଥ୍ୟ କୁଆଡ଼େ ୨୦୧୭-୧୮ ବର୍ଷରୁ କରାଯାଉଥିବା ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ଭେରୁ ମିଳିଛି। ମଜା କଥା ହେଲା, ୨୦୧୯ ଜାନୁୟାରୀ ମାସରେ ଯେତେବେଳେ ଏହି ତଥ୍ୟ ଗଣମାଧ୍ୟମରେ ‘ଲିକ୍‌’ ହେଲା, ସେତେବେଳେ ଚାରିଆଡ଼େ ହୁରି ପଡ଼ିଥିଲା ଯେ ଦେଶର ବେରୋଜଗାରୀ ହାର ବିଗତ ଚାରି ଦଶନ୍ଧିରେ ସବୁଠାରୁ ଖରାପ। ଏହି ସରକାରର ତଥ୍ୟ ଡାହା ମିଛଠାରୁ ଅଧିକ ଖରାପ ନା ପୂର୍ବ ସରକାରମାନଙ୍କର ତଥ୍ୟ ଅଧିକ ଖରାପ, ତାହା ଠଉରାଇବା ପାଇଁ ଆମ ପାଖରେ ବିଶେଷ ସାଧନ ନାହିଁ। ବୋଧହୁଏ ସରକାରଙ୍କ ପାଖରେ ବି ନାହିଁ। ଦେଶର ରୋଜଗାର ଓ ବେରୋଜଗାର ସମ୍ବନ୍ଧିତ ସ୍ଥିତିକୁ ସଠିକ ଭାବରେ ସଂଗ୍ରହ କରି ଗ୍ରହଣୀୟ ସ୍ଥିତିକୁ ବୟାନ କରିବାର ଆବଶ୍ୟକତାଟେ ଅଛି ବୋଲି ଏବେ ବି ଭାରତ ସରକାର ବୋଧେ ଭାବୁନାହାନ୍ତି। କିଛି ଗୋଟେ ତଥ୍ୟ ଦେଇଦିଆଯିବା କଥା ନ୍ୟାୟରେ ତଥ୍ୟ ସବୁ ପରଷା ଯାଉଛି କହିଲେ ଅତିଶୟୋକ୍ତି ହେବ ନାହିଁ।
ସରକାର କରୁଥିବା ସର୍ବେକ୍ଷଣର ତଥ୍ୟ ଠିକ୍‌ ଅଛି ନା ନାହିଁ ତାହା ଦେଖିବା ଆଗରୁ ସରକାର କାହାକୁ ‘ବେରୋଜଗାର’ ବୋଲି ବିବେଚନା କରନ୍ତି, ତାହା ଟିକିଏ ବୁଝିନେବା ଦରକାର। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା’ (NSSO) ତିନିଟି ପଦ୍ଧତିରେ ସର୍ବେକ୍ଷଣ କରିଥାଏ। ପ୍ରଥମଟି ହେଲା, ‘ଦୈନିକ ସ୍ଥିତିର ବିଚାର’। ଏହି ପଦ୍ଧତିରେ ଯଦି କାମ କରିପାରୁଥିବା ବା କାମ କରିବାକୁ ଇଚ୍ଛୁକ ଥିବା କେହି ବ୍ୟକ୍ତି ସର୍ବେକ୍ଷଣ ହେଉଥିବା ସପ୍ତାହର ସାତ ଦିନ ମଧ୍ୟରୁ ପ୍ରତ୍ୟେକ ଦିନ ଅତି କମ୍‌ରେ ଘଣ୍ଟାଏର ବି ଆୟକାରୀ ରୋଜଗାର ପାଇ ନ ଥିଲେ ତାଙ୍କୁ ‘ବେରୋଜଗାର’ ଧରାଯିବ। ଦ୍ୱିତୀୟ ପଦ୍ଧତି ହେଲା, ‘ସାପ୍ତାହିକ ସ୍ଥିତିର ବିଚାର’। ଏହି ପଦ୍ଧତିରେ ସପ୍ତାହର ସାତଦିନ ମଧ୍ୟରୁ କୌଣସି ଗୋଟିଏ ଦିନ ବି ଯଦି ସେପରି ବ୍ୟକ୍ତି ଘଣ୍ଟାଏର ଆୟକାରୀ ରୋଜଗାର ପାଇ ନ ଥିବେ, ତାଙ୍କୁ ବେରୋଜଗାର ବୋଲି ଧରାଯିବ। ତୃତୀୟ ପଦ୍ଧତିରେ ‘ସାଧାରଣ ସ୍ଥିତିର ବିଚାର’ ଆଧାରରେ ବେରୋଜଗାରର ଆକଳନ ହୁଏ। ଏହି ପଦ୍ଧତି ଅନୁସାରେ ବର୍ଷର ୩୬୫ ଦିନର ଅଧିକାଂଶ ସମୟରେ ବ୍ୟକ୍ତିକୁ ଆୟକାରୀ ରୋଜଗାର ମିଳି ନ ଥିଲେ ତାଙ୍କୁ ବେରୋଜଗାର ବୋଲି ଧରାଯିବ। ଆମ ଜାଣିବାରେ ‘ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ’ରେ ମଧ୍ୟ ଏହି ମାପଦଣ୍ଡ ଗ୍ରହଣ କରାଯାଇଛି। ଯଦି ମାପଦଣ୍ଡ ଏୟା, ତେବେ କୌଣସି ବି ବ୍ୟକ୍ତି ସରକାର ପରଷୁଥିବା ତଥ୍ୟ ଯେ ଦେଶରେ ମୋଟେ ୪.୮% ହିଁ ବେରୋଜଗାର ଅଛନ୍ତି ତାହାକୁ ଗ୍ରହଣ କରିବାରେ ନିଶ୍ଚୟ କୁଣ୍ଠା ପ୍ରକାଶ କରିବ।
ନେତାମାନେ ଗଳା ଫଟାଇ ଏତିକି କୋଟି, ସେତିକି କୋଟି ରୋଜଗାର ଦେବୁ ବୋଲି ସିନା ଚିତ୍କାର କରନ୍ତି, କିନ୍ତୁ ରୋଜଗାରକୁ ତାଙ୍କର ଟିକିଏ ବି ଭ୍ରୂକ୍ଷେପ ଥାଏ ବୋଲି ମନେ ହୁଏ ନାହିଁ। ପୂର୍ବରୁ ପ୍ରାୟ ଦୁଇବର୍ଷ ଅନ୍ତରାଳରେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ରୋଜଗାର-ବେରୋଜଗାର ରିପୋର୍ଟ ଆସୁଥିଲା। ତାହା ବି ବିଶେଷ ବିଶ୍ୱାସ ଉଦ୍ରେକକାରୀ ପ୍ରକ୍ରିୟା ନଥିଲା। କିନ୍ତୁ ସେହି ପ୍ରକ୍ରିୟାକୁ ସରକାର ବନ୍ଦ କରିଦେଲେ। ଫଳତଃ, ୨୦୧୧ ମସିହାର ୬୮ତମ ସର୍ଭେ ପରଠାରୁ ଅନେକ ବର୍ଷଯାଏ ରୋଜଗାର ସମ୍ପର୍କିତ କିଛି ସର୍ଭେ ହେଲା ନାହିଁ। ପରେ ୨୦୧୭-୧୮ରୁ ‘ପିରିଓଡିକ୍‌ ଲେବର ସର୍ଭେ’ ଆରମ୍ଭ ହେଲା। ତେବେ ତିନିବର୍ଷର ସର୍ବେକ୍ଷଣ ପରେ ଏବେ ଦୁଇ ବର୍ଷ ହେଲାଣି ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ବେକ୍ଷଣକୁ କୋଭିଡ୍‌ ବାହାନାରେ ଶୀତଳ ଭଣ୍ଡାରରେ ଚାପି ଦିଆଯାଇଛି।
ବିକଶିତ ରାଷ୍ଟ୍ରଗୁଡ଼ିକରେ କିନ୍ତୁ ରୋଜଗାର-ବେରୋଜଗାର ସ୍ଥିତିକୁ ଅର୍ଥନୀତିର କେବଳ ଏକ ବଡ଼ ମାପକ ବୋଲି ବିଚାର କରାଯାଏ ନାହିଁ। ତାହାରି ଆଧାରରେ ବେରୋଜଗାରୀଙ୍କୁ ସେହି ସରକାର ଭତ୍ତା ଓ ଅନ୍ୟାନ୍ୟ ସାହାଯ୍ୟ ଦିଅନ୍ତି। ଯେହେତୁ ବେରୋଜଗାର ଥିବା ବ୍ୟକ୍ତିକୁ ସେହି ସରକାର ମାନେ ଭତ୍ତା ଓ ସହାୟତା ଦେବାର ଉତ୍ତର ଦାୟିତ୍ୱ ରଖନ୍ତି, ତେଣୁ ରୋଜଗାର ଓ ବେରୋଜଗାରର ସଠିକ୍‌ ତଥ୍ୟ ରଖିବା ପାଇଁ ସଂଗଠିତ ପ୍ରୟାସ କରନ୍ତି। ଆମେରିକା ସରକାର ପ୍ରତି ମାସରେ ତାହାର ତଥ୍ୟ ଦିଅନ୍ତି। ତାହାକୁ ସେହି ଦେଶର ଅର୍ଥନୈତିକ ସ୍ଥିତି ଓ ପ୍ରଗତି ଏକ ବଡ଼ ମାପକ ଭାବରେ ସମସ୍ତେ ଦେଖନ୍ତି। ଷ୍ଟକ୍‌ ବଜାରକୁ ମଧ୍ୟ ରୋଜଗାର ତଥ୍ୟ ପ୍ରଭାବ ପକାଇଥାଏ। ବିକଶିତ ଦେଶ କଥା ଛାଡ଼ି ବିକାଶଶୀଳ ଦେଶ କଥା ଦେଖାଯାଉ। ଭାରତ ସଦସ୍ୟ ଥିବା BRICS ସମୂହର ଦେଶ ଚାଇନା, ବ୍ରାଜିଲ୍‌ ଓ ରୁଷ ପ୍ରତି ମାସ ରୋଜଗାର ବେରୋଜଗାର ତଥ୍ୟ ସଂଗ୍ରହ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରତି ତିନିମାସରେ ଥରେ ଏହି ତଥ୍ୟ ସଂଗ୍ରହ କରିଥାଏ। ବିଶ୍ବର ଦ୍ରୁତତମ ବିକାଶଶୀଳ ଦେଶ ବୋଲାଉଥିବା ଭାରତ ଏଥିରେ ସମସ୍ତଙ୍କଠାରୁ ପଛରେ। ଏବେ ବର୍ଷରେ ଥରେ ଯେଉଁ ତଥ୍ୟ ଆସୁଛି, ତାହାକୁ ବି ବିଶ୍ୱାସ କରି ହେଉ ନାହିଁ। ଦୁଇ ବର୍ଷ ହେଲାଣି ତାହା ବି ଆସୁନାହିଁ।
ଭାରତ ନିଜକୁ ବିଶ୍ୱର ଦ୍ରୁତତମ ବିକାଶଶୀଳ ରାଷ୍ଟ୍ର ବୋଲି ଦାବି କରୁଛି ଓ ଏହା ଏବେ ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତି। କିନ୍ତୁ ଦେଶରେ କେତେ ଲୋକଙ୍କ ରୋଜଗାର ଅଛି, କେତେ ବେରୋଜଗାର ତାହାର ବି ସଠିକ ତଥ୍ୟ ନାହିଁ। ବିଶ୍ୱର ସମସ୍ତ ବଡ଼ ଅର୍ଥନୀତିରେ ଭତ୍ତା ପ୍ରଦାନ କରିବା ଓ ସାମାଜିକ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ ଓ ତାହା ପାଇବା ବେରୋଜଗାର ବ୍ୟକ୍ତିର ଅଧିକାର ବୋଲି ବିବେଚନା କରାଯାଏ। ଭାରତ କିନ୍ତୁ ବେକାରିର ଆକଳନ ବି ଠିକ୍‌ରେ କରିପାରୁ ନାହିଁ ବା କରିବାକୁ ଚାହୁଁନାହିଁ। ଏହି ସ୍ଥିତିରେ ତୁରନ୍ତ ପରିବର୍ତ୍ତନ ଲୋଡ଼ା। ସରକାର ବେକାରଙ୍କୁ ଚିହ୍ନଟ କରିବା ସହିତ ବେକାରିଙ୍କୁ ଭତ୍ତା ପ୍ରଦାନ କରିବା ତାଙ୍କର କର୍ତ୍ତବ୍ୟ ବୋଲି ଗ୍ରହଣ କରନ୍ତୁ। ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ବେକ୍ଷଣରେ ପ୍ରତି ତିନି ମାସରେ ସହରୀ ରୋଜଗାର-ବେରୋଜଗାର ସ୍ଥିତିର ଆକଳନ ହେବ ବୋଲି କୁହାଯାଇଥିଲା ଓ ବର୍ଷରେ ଅନ୍ୟୁନ ଥରେ ଦେଶର ସାମଗ୍ରିକ ସ୍ଥିତିର ଆକଳନ ହେବାର ଥିଲା। ଅନ୍ୟ ଦେଶ ଯେମିତି ପ୍ରତି ମାସ ରୋଜଗାର-ବେରୋଜଗାର ତଥ୍ୟ ସାଉଁଟାନ୍ତି ତାହା ପଛେ ନ ହେଉ, ଅନ୍ତତଃ ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ଭେ ନିୟମିତ ହେଉ ଓ ସେଥିରୁ ଆସୁଥିବା ତଥ୍ୟ ବିଶ୍ୱାସଯୋଗ୍ୟ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri