ଓଃ: ବେରୋଜଗାରୀ ତଥ୍ୟ

ବିମଳ ପାଣ୍ଡିଆ

 

ଦେଶରେ ବେରୋଜଗାର ହାର ଯାହା ଓ ତାହା ଯେଉଁ ହାରରେ କମୁଛି ବୋଲି ଆମ ସରକାର କହୁଛନ୍ତି ତାହା ଯଦି ସତ, ତେବେ ଆଉ ବର୍ଷ କେଇଟାରେ ଭାରତରେ ବେରୋଜଗାର ହାର ଆମେରିକାଠାରୁ ମଧ୍ୟ କମ୍‌ ହୋଇଯିବ। ୧୦ ଫେବୃୟାରୀ ୨୦୨୨ ତାରିଖରେ ରାଜ୍ୟ ସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଲେ ଯେ, ବିଗତ ତିନିବର୍ଷରେ ଦେଶରେ ବେରୋଜଗାରୀ ହାର କ୍ରମାଗତ ଭାବରେ କମି ଚାଲିଛି। ମନ୍ତ୍ରୀ ଯାହାକୁ ବିଗତ ତିନି ବର୍ଷ ବୋଲି କହିଥିଲେ, ତାହା ପ୍ରକୃତରେ ୨୦୧୭-୧୮ରୁ ୨୦୧୯-୨୦ ବର୍ଷର ତଥ୍ୟ ଥିଲା। ୨୦୧୭-୧୮ ବର୍ଷରେ କୁଆଡ଼େ ଦେଶର ୬% ଲୋକ ବେରୋଜଗାର ଥିଲେ, ୨୦୧୮-୧୯ରେ ତାହା କମି ୫.୮% ଓ ୨୦୧୯-୨୦ରେ ଆହୁରି କମି କୁଆଡ଼େ ମୋଟ ୪.୮% ହିଁ ବେରୋଜଗାର ଥିଲେ। ଆମେରିକା ସରକାର ଫେବୃୟାରୀ ୨୦୨୨ରେ ଜାରି କରିଥିବା ସଦ୍ୟତମ ତଥ୍ୟ ଅନୁସାରେ ସେହି ଦେଶରେ ୩.୮% ଲୋକ ବେରୋଜଗାର ଥିଲେ। ସେହି ତାରିଖରେ ଆଉ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟରେ ବେରୋଜଗାରୀର ତଥ୍ୟ ରଖିଥିଲେ। ତଥ୍ୟ ଅନୁସାରେ ଓଡ଼ିଶାରେ କୁଆଡ଼େ କେରଳ ତୁଳନାରେ କମ୍‌ ବେରୋଜଗାର ଅଛନ୍ତି। ତାଜୁବ ହେବାର କଥା! କେରଳ ରାଜ୍ୟ ଓଡ଼ିଶାଠାରୁ କାହିଁ କେତେ ଅଧିକ ଶିକ୍ଷିତ ଓ ଉନ୍ନତ। ସରକାର ରଖିଥିବା ତଥ୍ୟ ଅନୁସାରେ କେରଳରେ ୧୦% ଲୋକ ବେରୋଜଗାର ଥିବା ବେଳେ ଓଡ଼ିଶାରେ ୬.୨% ବେରୋଜଗାର ଅଛନ୍ତି। ମଜା କଥା ହେଲା ବିହାର ରାଜ୍ୟରେ ବେରୋଜଗାର ହାର କୁଆଡ଼େ ଆହୁରି କମ୍‌, ମାତ୍ର ୫.୧%। ଗୋଟିଏ ବହୁ ପ୍ରଚଳିତ ଆପ୍ତବାକ୍ୟ ଅଛି, ‘ମିଛ, ଡାହା ମିଛ ଓ ପରିସଂଖ୍ୟାନ’। ପରିସଂଖ୍ୟାନ ଡାହା ମିଛଠାରୁ ବି ବଡ଼ ମିଛ ହୋଇପାରେ। ବେରୋଜଗାରୀକୁ ନେଇ ଭାରତ ସରକାର ଥୋଉଥିବା ପରିସଂଖ୍ୟାନ ସେହି ଶ୍ରେଣୀରେ ନ ଆସୁ। ସରକାର ଦେଉଥିବା ଏହି ତଥ୍ୟ କୁଆଡ଼େ ୨୦୧୭-୧୮ ବର୍ଷରୁ କରାଯାଉଥିବା ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ଭେରୁ ମିଳିଛି। ମଜା କଥା ହେଲା, ୨୦୧୯ ଜାନୁୟାରୀ ମାସରେ ଯେତେବେଳେ ଏହି ତଥ୍ୟ ଗଣମାଧ୍ୟମରେ ‘ଲିକ୍‌’ ହେଲା, ସେତେବେଳେ ଚାରିଆଡ଼େ ହୁରି ପଡ଼ିଥିଲା ଯେ ଦେଶର ବେରୋଜଗାରୀ ହାର ବିଗତ ଚାରି ଦଶନ୍ଧିରେ ସବୁଠାରୁ ଖରାପ। ଏହି ସରକାରର ତଥ୍ୟ ଡାହା ମିଛଠାରୁ ଅଧିକ ଖରାପ ନା ପୂର୍ବ ସରକାରମାନଙ୍କର ତଥ୍ୟ ଅଧିକ ଖରାପ, ତାହା ଠଉରାଇବା ପାଇଁ ଆମ ପାଖରେ ବିଶେଷ ସାଧନ ନାହିଁ। ବୋଧହୁଏ ସରକାରଙ୍କ ପାଖରେ ବି ନାହିଁ। ଦେଶର ରୋଜଗାର ଓ ବେରୋଜଗାର ସମ୍ବନ୍ଧିତ ସ୍ଥିତିକୁ ସଠିକ ଭାବରେ ସଂଗ୍ରହ କରି ଗ୍ରହଣୀୟ ସ୍ଥିତିକୁ ବୟାନ କରିବାର ଆବଶ୍ୟକତାଟେ ଅଛି ବୋଲି ଏବେ ବି ଭାରତ ସରକାର ବୋଧେ ଭାବୁନାହାନ୍ତି। କିଛି ଗୋଟେ ତଥ୍ୟ ଦେଇଦିଆଯିବା କଥା ନ୍ୟାୟରେ ତଥ୍ୟ ସବୁ ପରଷା ଯାଉଛି କହିଲେ ଅତିଶୟୋକ୍ତି ହେବ ନାହିଁ।
ସରକାର କରୁଥିବା ସର୍ବେକ୍ଷଣର ତଥ୍ୟ ଠିକ୍‌ ଅଛି ନା ନାହିଁ ତାହା ଦେଖିବା ଆଗରୁ ସରକାର କାହାକୁ ‘ବେରୋଜଗାର’ ବୋଲି ବିବେଚନା କରନ୍ତି, ତାହା ଟିକିଏ ବୁଝିନେବା ଦରକାର। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା’ (NSSO) ତିନିଟି ପଦ୍ଧତିରେ ସର୍ବେକ୍ଷଣ କରିଥାଏ। ପ୍ରଥମଟି ହେଲା, ‘ଦୈନିକ ସ୍ଥିତିର ବିଚାର’। ଏହି ପଦ୍ଧତିରେ ଯଦି କାମ କରିପାରୁଥିବା ବା କାମ କରିବାକୁ ଇଚ୍ଛୁକ ଥିବା କେହି ବ୍ୟକ୍ତି ସର୍ବେକ୍ଷଣ ହେଉଥିବା ସପ୍ତାହର ସାତ ଦିନ ମଧ୍ୟରୁ ପ୍ରତ୍ୟେକ ଦିନ ଅତି କମ୍‌ରେ ଘଣ୍ଟାଏର ବି ଆୟକାରୀ ରୋଜଗାର ପାଇ ନ ଥିଲେ ତାଙ୍କୁ ‘ବେରୋଜଗାର’ ଧରାଯିବ। ଦ୍ୱିତୀୟ ପଦ୍ଧତି ହେଲା, ‘ସାପ୍ତାହିକ ସ୍ଥିତିର ବିଚାର’। ଏହି ପଦ୍ଧତିରେ ସପ୍ତାହର ସାତଦିନ ମଧ୍ୟରୁ କୌଣସି ଗୋଟିଏ ଦିନ ବି ଯଦି ସେପରି ବ୍ୟକ୍ତି ଘଣ୍ଟାଏର ଆୟକାରୀ ରୋଜଗାର ପାଇ ନ ଥିବେ, ତାଙ୍କୁ ବେରୋଜଗାର ବୋଲି ଧରାଯିବ। ତୃତୀୟ ପଦ୍ଧତିରେ ‘ସାଧାରଣ ସ୍ଥିତିର ବିଚାର’ ଆଧାରରେ ବେରୋଜଗାରର ଆକଳନ ହୁଏ। ଏହି ପଦ୍ଧତି ଅନୁସାରେ ବର୍ଷର ୩୬୫ ଦିନର ଅଧିକାଂଶ ସମୟରେ ବ୍ୟକ୍ତିକୁ ଆୟକାରୀ ରୋଜଗାର ମିଳି ନ ଥିଲେ ତାଙ୍କୁ ବେରୋଜଗାର ବୋଲି ଧରାଯିବ। ଆମ ଜାଣିବାରେ ‘ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ’ରେ ମଧ୍ୟ ଏହି ମାପଦଣ୍ଡ ଗ୍ରହଣ କରାଯାଇଛି। ଯଦି ମାପଦଣ୍ଡ ଏୟା, ତେବେ କୌଣସି ବି ବ୍ୟକ୍ତି ସରକାର ପରଷୁଥିବା ତଥ୍ୟ ଯେ ଦେଶରେ ମୋଟେ ୪.୮% ହିଁ ବେରୋଜଗାର ଅଛନ୍ତି ତାହାକୁ ଗ୍ରହଣ କରିବାରେ ନିଶ୍ଚୟ କୁଣ୍ଠା ପ୍ରକାଶ କରିବ।
ନେତାମାନେ ଗଳା ଫଟାଇ ଏତିକି କୋଟି, ସେତିକି କୋଟି ରୋଜଗାର ଦେବୁ ବୋଲି ସିନା ଚିତ୍କାର କରନ୍ତି, କିନ୍ତୁ ରୋଜଗାରକୁ ତାଙ୍କର ଟିକିଏ ବି ଭ୍ରୂକ୍ଷେପ ଥାଏ ବୋଲି ମନେ ହୁଏ ନାହିଁ। ପୂର୍ବରୁ ପ୍ରାୟ ଦୁଇବର୍ଷ ଅନ୍ତରାଳରେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ରୋଜଗାର-ବେରୋଜଗାର ରିପୋର୍ଟ ଆସୁଥିଲା। ତାହା ବି ବିଶେଷ ବିଶ୍ୱାସ ଉଦ୍ରେକକାରୀ ପ୍ରକ୍ରିୟା ନଥିଲା। କିନ୍ତୁ ସେହି ପ୍ରକ୍ରିୟାକୁ ସରକାର ବନ୍ଦ କରିଦେଲେ। ଫଳତଃ, ୨୦୧୧ ମସିହାର ୬୮ତମ ସର୍ଭେ ପରଠାରୁ ଅନେକ ବର୍ଷଯାଏ ରୋଜଗାର ସମ୍ପର୍କିତ କିଛି ସର୍ଭେ ହେଲା ନାହିଁ। ପରେ ୨୦୧୭-୧୮ରୁ ‘ପିରିଓଡିକ୍‌ ଲେବର ସର୍ଭେ’ ଆରମ୍ଭ ହେଲା। ତେବେ ତିନିବର୍ଷର ସର୍ବେକ୍ଷଣ ପରେ ଏବେ ଦୁଇ ବର୍ଷ ହେଲାଣି ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ବେକ୍ଷଣକୁ କୋଭିଡ୍‌ ବାହାନାରେ ଶୀତଳ ଭଣ୍ଡାରରେ ଚାପି ଦିଆଯାଇଛି।
ବିକଶିତ ରାଷ୍ଟ୍ରଗୁଡ଼ିକରେ କିନ୍ତୁ ରୋଜଗାର-ବେରୋଜଗାର ସ୍ଥିତିକୁ ଅର୍ଥନୀତିର କେବଳ ଏକ ବଡ଼ ମାପକ ବୋଲି ବିଚାର କରାଯାଏ ନାହିଁ। ତାହାରି ଆଧାରରେ ବେରୋଜଗାରୀଙ୍କୁ ସେହି ସରକାର ଭତ୍ତା ଓ ଅନ୍ୟାନ୍ୟ ସାହାଯ୍ୟ ଦିଅନ୍ତି। ଯେହେତୁ ବେରୋଜଗାର ଥିବା ବ୍ୟକ୍ତିକୁ ସେହି ସରକାର ମାନେ ଭତ୍ତା ଓ ସହାୟତା ଦେବାର ଉତ୍ତର ଦାୟିତ୍ୱ ରଖନ୍ତି, ତେଣୁ ରୋଜଗାର ଓ ବେରୋଜଗାରର ସଠିକ୍‌ ତଥ୍ୟ ରଖିବା ପାଇଁ ସଂଗଠିତ ପ୍ରୟାସ କରନ୍ତି। ଆମେରିକା ସରକାର ପ୍ରତି ମାସରେ ତାହାର ତଥ୍ୟ ଦିଅନ୍ତି। ତାହାକୁ ସେହି ଦେଶର ଅର୍ଥନୈତିକ ସ୍ଥିତି ଓ ପ୍ରଗତି ଏକ ବଡ଼ ମାପକ ଭାବରେ ସମସ୍ତେ ଦେଖନ୍ତି। ଷ୍ଟକ୍‌ ବଜାରକୁ ମଧ୍ୟ ରୋଜଗାର ତଥ୍ୟ ପ୍ରଭାବ ପକାଇଥାଏ। ବିକଶିତ ଦେଶ କଥା ଛାଡ଼ି ବିକାଶଶୀଳ ଦେଶ କଥା ଦେଖାଯାଉ। ଭାରତ ସଦସ୍ୟ ଥିବା BRICS ସମୂହର ଦେଶ ଚାଇନା, ବ୍ରାଜିଲ୍‌ ଓ ରୁଷ ପ୍ରତି ମାସ ରୋଜଗାର ବେରୋଜଗାର ତଥ୍ୟ ସଂଗ୍ରହ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରତି ତିନିମାସରେ ଥରେ ଏହି ତଥ୍ୟ ସଂଗ୍ରହ କରିଥାଏ। ବିଶ୍ବର ଦ୍ରୁତତମ ବିକାଶଶୀଳ ଦେଶ ବୋଲାଉଥିବା ଭାରତ ଏଥିରେ ସମସ୍ତଙ୍କଠାରୁ ପଛରେ। ଏବେ ବର୍ଷରେ ଥରେ ଯେଉଁ ତଥ୍ୟ ଆସୁଛି, ତାହାକୁ ବି ବିଶ୍ୱାସ କରି ହେଉ ନାହିଁ। ଦୁଇ ବର୍ଷ ହେଲାଣି ତାହା ବି ଆସୁନାହିଁ।
ଭାରତ ନିଜକୁ ବିଶ୍ୱର ଦ୍ରୁତତମ ବିକାଶଶୀଳ ରାଷ୍ଟ୍ର ବୋଲି ଦାବି କରୁଛି ଓ ଏହା ଏବେ ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତି। କିନ୍ତୁ ଦେଶରେ କେତେ ଲୋକଙ୍କ ରୋଜଗାର ଅଛି, କେତେ ବେରୋଜଗାର ତାହାର ବି ସଠିକ ତଥ୍ୟ ନାହିଁ। ବିଶ୍ୱର ସମସ୍ତ ବଡ଼ ଅର୍ଥନୀତିରେ ଭତ୍ତା ପ୍ରଦାନ କରିବା ଓ ସାମାଜିକ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ ଓ ତାହା ପାଇବା ବେରୋଜଗାର ବ୍ୟକ୍ତିର ଅଧିକାର ବୋଲି ବିବେଚନା କରାଯାଏ। ଭାରତ କିନ୍ତୁ ବେକାରିର ଆକଳନ ବି ଠିକ୍‌ରେ କରିପାରୁ ନାହିଁ ବା କରିବାକୁ ଚାହୁଁନାହିଁ। ଏହି ସ୍ଥିତିରେ ତୁରନ୍ତ ପରିବର୍ତ୍ତନ ଲୋଡ଼ା। ସରକାର ବେକାରଙ୍କୁ ଚିହ୍ନଟ କରିବା ସହିତ ବେକାରିଙ୍କୁ ଭତ୍ତା ପ୍ରଦାନ କରିବା ତାଙ୍କର କର୍ତ୍ତବ୍ୟ ବୋଲି ଗ୍ରହଣ କରନ୍ତୁ। ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ବେକ୍ଷଣରେ ପ୍ରତି ତିନି ମାସରେ ସହରୀ ରୋଜଗାର-ବେରୋଜଗାର ସ୍ଥିତିର ଆକଳନ ହେବ ବୋଲି କୁହାଯାଇଥିଲା ଓ ବର୍ଷରେ ଅନ୍ୟୁନ ଥରେ ଦେଶର ସାମଗ୍ରିକ ସ୍ଥିତିର ଆକଳନ ହେବାର ଥିଲା। ଅନ୍ୟ ଦେଶ ଯେମିତି ପ୍ରତି ମାସ ରୋଜଗାର-ବେରୋଜଗାର ତଥ୍ୟ ସାଉଁଟାନ୍ତି ତାହା ପଛେ ନ ହେଉ, ଅନ୍ତତଃ ‘ପିରିଓଡିକ୍‌ ଲେବର ଫୋର୍ସ’ ସର୍ଭେ ନିୟମିତ ହେଉ ଓ ସେଥିରୁ ଆସୁଥିବା ତଥ୍ୟ ବିଶ୍ୱାସଯୋଗ୍ୟ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri