ଆୟରେ ଓଡ଼ିଶା ଚାଷୀ ପଛୁଆ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରେ ଚାଷର ବିକାଶ ହେଉଛି। ଚାଷୀଙ୍କ ଆୟ ବଢୁଛି। କୃଷି ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଛି। ସରକାର ଅନେକ ସମୟରେ ଏଭଳି ଚିତ୍ର ଥୋଉଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ଚାଷ ପାଇଁ ଆବଶ୍ୟକ ବିହନ, ସାର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଉଛି। ଏହାଛଡ଼ା ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପତ୍ତି ଚାଷୀଙ୍କୁ ତଳିତଳାନ୍ତ କରିଦେଉଛି। ଚାଷ ଉପରେ ନିର୍ଭର କରୁଥିବା ପରିବାର ଆୟ ତଳମୁହଁା ହେଉଛି। ଚାଷୀ ପରିବାରର ଆୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ପଡ଼ିଯାଇଛି। ନ୍ୟାଶନାଲ ବ୍ୟାଙ୍କ ଅଫ୍‌ ଏଗ୍ରିକଲଚର ଆଣ୍ଡ୍‌ ରୁରାଲ ଡେଭେଲପମେଣ୍ଟ (ନାବାର୍ଡ) ଏବଂ ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌(ଏନ୍‌ଏସ୍‌ଓ) ରିପୋର୍ଟରୁ ଏହା ଜଣାପଡ଼ିଛି।
‘ଫାର୍ମର୍ସ ଓ୍ବେଲଫେର: ଆନ୍‌ ଆନାଲିସିସ୍‌ ଆକ୍ରସ୍‌ ଷ୍ଟେଟସ୍‌ ଅଫ୍‌ ଇଣ୍ଡିଆ’ ଶୀର୍ଷକ ନାବାର୍ଡ ରିପୋର୍ଟରେ ଥିବା ଦୁଇଟି ପ୍ରସଙ୍ଗକୁ ତର୍ଜମା କଲେ ଓଡ଼ିଶା କୃଷି କ୍ଷେତ୍ରର ବାସ୍ତବ ଚିତ୍ର ସାମ୍ନାକୁ ଆସିଯାଉଛି। ପ୍ରଥମତଃ ଓଡ଼ିଶାର କୃଷି କ୍ଷେତ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ପରିବାରଗୁଡ଼ିକର ମାସିକ ଆୟ। ନାବାର୍ଡର ଅଲ୍‌ ଇଣ୍ଡିଆ ରୁରାଲ ଫାଇନାନ୍ସସିଆଲ ଇନ୍‌କ୍ଲ୍ୟୁଜନ ସର୍ଭେ-୨୦୧୬-୧୭ ରିପୋର୍ଟ କହୁଛି, ଓଡ଼ିଶାର ଗୋଟିଏ ପରିବାର କୃଷି କ୍ଷେତ୍ରରୁ ହାରାହାରି ମାସିକ ୭,୭୩୧ ଟଙ୍କା ଆୟ କରିପାରୁଛି। ଏ କ୍ଷେତ୍ରରେ ଓଡ଼ିଶା ୨୩ ନମ୍ବର ସ୍ଥାନରେ ରହିଛି। ଓଡ଼ିଶା ପଛକୁ ୫ ରାଜ୍ୟ ରହିଛି। ସେଗୁଡ଼ିକ ହେଲା, ତ୍ରିପୁରା (୭,୫୯୨), ବିହାର (୭୧୭୫), ଝାଡ଼ଖଣ୍ଡ (୬,୯୯୧), ଆନ୍ଧ୍ରପ୍ରଦେଶ (୬,୯୨୦) ଏବଂ ଉତ୍ତରପ୍ରଦେଶ (୬,୬୬୮)। ପଞ୍ଜାବରେ କୃଷି କ୍ଷେତ୍ରରୁ ପରିବାର ପିଛା ହାରାହାରି ମାସିକ ଆୟ ସର୍ବାଧିକ ୨୩,୧୩୩ ଟଙ୍କା। ଏହା ପଛକୁ ହରିୟାଣା (୧୮,୪୯୬) ଏବଂ କେରଳ (୧୬,୯୨୭) ରହିଛି। ଅନ୍ୟପକ୍ଷରେ ଏନ୍‌ଏସ୍‌ଓ ପକ୍ଷରୁ କରାଯାଇଥିବା ସିଚ୍ୟୁଏଶନ ଆସେସ୍‌ମେଣ୍ଟ ସର୍ଭେ (ଏସ୍‌ଏଏସ୍‌) ଅନୁଯାୟୀ ୨୦୦୨-୦୩ରେ ଓଡ଼ିଶାରେ ପ୍ରତି ଚାଷୀ ପରିବାର ମାସିକ ହାରାହାରି ୧,୦୬୨ ଟଙ୍କା ରୋଜଗାର କରିଥିଲେ। ଏହି ପରିମାଣ ବୃଦ୍ଧି ପାଇ ୨୦୧୨-୧୩ରେ ୪,୯୭୬ ଟଙ୍କା ଏବଂ ୨୦୧୫-୧୬ରେ ୭୭୩୧ ଟଙ୍କା ରହିଥିଲା। କିନ୍ତୁ ୨୦୧୮-୧୯ରେ ଚାଷୀ ପରିବାରର ମାସିକ ଆୟ ଉଦ୍‌ବେଗଜନକ ଭାବେ ହ୍ରାସ ପାଇ ୫,୧୧୨ ଟଙ୍କାକୁ ଖସିଥିଲା। ଅର୍ଥାତ୍‌ ୪ ବର୍ଷରେ ଏହା ୨,୬୧୯ ଟଙ୍କା କମିଯାଇଥିଲା। ପଞ୍ଜାବ କଥା ଦେଖିଲେ ଚାଷୀ ପରିବାରର ହାରାହାରି ମାସିକ ଆୟ ୨୦୧୨-୧୩ରେ ୧୮,୦୫୯ ଟଙ୍କା ଏବଂ ୨୦୧୮-୧୯ରେ ୨୬,୭୦୧ ଟଙ୍କା ରହିଥିଲା। ପଞ୍ଜାବ ସହିତ ତୁଳନା କଲେ ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ପ୍ରାୟ ୫ ଭାଗରୁ ଭାଗେ।
ନାବାର୍ଡ ରିପୋର୍ଟର ଅନ୍ୟ ଏକ ପ୍ରସଙ୍ଗ ହେଲା ରାଜ୍ୟର ପ୍ରତି ହେକ୍ଟର ଚାଷଜମି ଉପରେ ମଞ୍ଜୁର କୃଷିଋଣ ପରିମାଣ। ଏକ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୧୭ ସ୍ଥାନରେ ରହିଛି। ଓଡ଼ିଶାର ପ୍ରତି ହେକ୍ଟର ଚାଷଜମି ଉପରେ ମଞ୍ଜୁର କୃଷିଋଣ ହେଉଛି ୫୨ ହଜାର ଟଙ୍କା। ଏହି ଋଣ ପରିମାଣ ତାମିଲନାଡୁରେ ସର୍ବାଧିକ ୩ ଲକ୍ଷ ୭୧ ହଜାର ଟଙ୍କା ଏବଂ କେରଳରେ ୩ ଲକ୍ଷ ୬୮ ହଜାର ଟଙ୍କା।
ଅର୍ଥନୀତିଜ୍ଞ ଏବଂ କୃଷି ବିଶେଷଜ୍ଞଙ୍କ ମତରେ ଜୀବନଧାରଣ ପାଇଁ କୃଷି ଉପରେ ଅତ୍ୟଧିକ ନିର୍ଭରଶୀଳତା ହ୍ରାସ ଦିଗରେ ପ୍ରଶାସନିକ ପଦକ୍ଷେପର ଅଭାବ ରହିଛି। ନାଇଜର ଅର୍ଥନୀତି ପ୍ରାଧ୍ୟାପକ ଅମରେନ୍ଦ୍ର ଦାସ କହିଛନ୍ତି, ଆମ ରାଜ୍ୟର ଚାଷୀମାନେ କେବଳ ଧାନ ଚାଷ କରୁଛନ୍ତି। ଫସଲର ବିବିଧକରଣ କରାଯାଇନାହିଁ। ଚାଷୀମାନେ ଅର୍ଥକରୀ ଫସଲ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି, ଯାହାକି ସେମାନଙ୍କ ଆୟ ବୃଦ୍ଧିରେ ବାଧକ ହୋଇଛି। ଅନ୍ୟପକ୍ଷରେ ଚାଷୀଙ୍କ ପାଖରେ ଉତ୍ପାଦିତ ଶସ୍ୟ ମହଜୁଦ ରଖିବା ପାଇଁ କୌଣସି ସାଧନ ବା ଭିତ୍ତିଭୂମି ନାହିଁ। ସରକାରଙ୍କ ଏଗ୍ରିକଲ୍ଚର ଏକ୍ସଟେନଶନ ଓ୍ବିଙ୍ଗ୍‌ ଥିଲା ଭଳି ଲାଗୁ ନାହିଁ। ସରକାର ଚାଷ ପାଇଁ ଗଢ଼ୁଥିବା ଯୋଜନା ଓ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଚାଷୀମାନେ ଅଜ୍ଞ। ଓଡ଼ିଶା ଭଳି ରାଜ୍ୟରେ ବହୁ କ୍ଷୁଦ୍ରଚାଷୀ ରହିଛନ୍ତି। ସେମାନଙ୍କ ଚାଷଜମିର ପରିମାଣ ମଧ୍ୟ କମ୍‌। ଅଳ୍ପ ଚାଷଜମି ଉପରେ ବହୁ ଲୋକ ନିର୍ଭର କରୁଛନ୍ତି। ଚାଷ ବାବଦ ଖର୍ଚ୍ଚ ବଢ଼ୁଥିବାରୁ ଚାଷୀଙ୍କ ଆୟ ହ୍ରାସ ହେବା ସ୍ବାଭାବିକ। କିନ୍ତୁ ଯେଉଁ ରାଜ୍ୟଗୁଡ଼ିକରେ କୃଷିକ୍ଷେତ୍ରରୁ ଅଧିକ ଆୟ ହେଉଛି, ସେଠାରେ ଅଣକୃଷିକ୍ଷେତ୍ରରୁ ଆୟ ପନ୍ଥା ମଧ୍ୟ ଅଧିକ ରହିଥିବ। ତେଣୁ ରାଜ୍ୟ ସରକାର ଅଣକୃଷି ଆୟପନ୍ଥା ବୃଦ୍ଧି ନିମନ୍ତେ ପ୍ରୋତ୍ସାହନ ଦେବା ଉଚିତ। ଏଥିପାଇଁ ଉଭୟ ସେବା କ୍ଷେତ୍ର ଏବଂ ଉତ୍ପାଦନଭିତ୍ତିକ ଶିଳ୍ପ ବିକାଶ ନିମନ୍ତେ ଉପଯୁକ୍ତ ବାତାବରଣ ଓ ଭିତ୍ତିଭୂମି ସୃଷ୍ଟି କରାଯିବା ଜରୁରୀ ବୋଲି ପ୍ରାଧ୍ୟାପକ ଦାସ କହିଛନ୍ତି।
ନାବାର୍ଡ ତଥ୍ୟ ଅନୁଯାୟୀ କୃଷିକ୍ଷେତ୍ରରୁ ହାରାହାରି ମାସିକ ଆୟରେ କେରଳ ଦେଶରେ ତୃତୀୟ ସ୍ଥାନ (୧୬,୯୨୭ଟଙ୍କା)ରେ ଥିବାବେଳେ ଅଣକୃଷି କ୍ଷେତ୍ରରୁ ପ୍ରତି ପରିବାରର ହାରାହାରି ମାସିକ ଆୟ ୧୪,୮୬୩ ଟଙ୍କା ସହ ଏହି ରାଜ୍ୟ ଶୀର୍ଷରେ ରହିଛି। ପଞ୍ଜାବରେ ତାହା ଯଥାକ୍ରମେ ୨୩,୧୩୩ ଟଙ୍କା ଏବଂ ୧୦,୯୩୫ ଟଙ୍କା ରହିଛି। ଏ କ୍ଷେତ୍ରରେ ଓଡ଼ିଶାରେ ହାରାହାରି ମାସିକ ଆୟ କୃଷିକ୍ଷେତ୍ରରୁ ୭,୭୩୧ ଟଙ୍କା ଏବଂ ଅଣକୃଷି କ୍ଷେତ୍ରରୁ ଆୟ ୬୫୬୩ ରହିଛି।
ପୂର୍ବତନ କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ରାଜ୍ୟରେ ୩୬% ଜମି ପଡ଼ିଆ ପଡୁଛି। ଓଡ଼ିଶାର ସମୁଦାୟ ୬୧ ଲକ୍ଷ ହେକ୍ଟର ଜମିରୁ ପ୍ରାୟ ୧୬ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇପାରୁନାହିଁ। ଶିଳ୍ପକୁ ଅଗ୍ରାଧିକାର ଦେବା ନାଁରେ କୃଷିକ୍ଷେତ୍ରକୁ ଅବହେଳା କରାଯାଉଛି। ଏଥିଯୋଗୁ କୃଷି ଉତ୍ପାଦନ କମୁଛି। କଳାହାଣ୍ଡି ଭଳି ଜିଲାରେ ୭୧% ଜମି ୧୩% ପରିବାର ହାତରେ ରହିଛି। ୮୭ ପ୍ରତିଶତ ପରିବାରଙ୍କ ପାଖରେ ମାତ୍ର ୨୯% ଜମି ରହିଛି। ପ୍ରକୃତ ଚାଷୀ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି। ଓଡ଼ିଶାରେ ଯେତେ ଲୋକ ଚାଷ କରୁଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୮୫ ଭାଗ ନାମମାତ୍ର ବା କ୍ଷୁଦ୍ରଚାଷୀ। ସେମାନଙ୍କର ଜମି ନ ଥାଏ। ଭାଗ ଆଣି ଚାଷ କରିଥାଆନ୍ତି। ଫଳରେ ଭାଗଚାଷୀ ସରକାରଙ୍କ ପାଖରୁ କୌଣସି ଋଣ କିମ୍ବା ରିହାତି ପାଆନ୍ତି ନାହିଁ। ଉତ୍ପାଦନ କମିଲେ ଚାଷୀଙ୍କର ଆୟ ବଢ଼ିବ କେମିତି ବୋଲି ରାଉତ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶାରେ ହେକ୍ଟର ପିଛା ମଞ୍ଜୁର କୃଷିଋଣ ଅତ୍ୟନ୍ତ ନୈରାଶ୍ୟଜନକ। ଏ ନେଇ ଏସ୍‌ବିଆଇର ଜଣେ ଅଧିକାରୀଙ୍କ କହିବା କଥା ହେଲା, କିଷାନ କ୍ରେଡିଟ୍‌ କାର୍ଡର ସୀମା ୧୦ ହଜାରରୁ ୫୦ ହଜାର ଟଙ୍କା ରହିଛି। ଜମି ପରିମାଣ ଏବଂ ଉତ୍ପାଦନକୁ ଭିତ୍ତିକରି କିଷାନ କ୍ରେଡିଟ୍‌ କାର୍ଡର ସୀମା ନିର୍ଦ୍ଧାରଣ ହୋଇଥାଏ। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସରକାରୀ ପ୍ରତିନିଧିମାନେ ଏହି କାର୍ଡର ସୀମା ବୃଦ୍ଧି ନିମନ୍ତେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟକାରୀ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?