ବୃତ୍ତି ଓ ବ୍ୟକ୍ତିତ୍ୱ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ବୃତ୍ତିକୁ ଲକ୍ଷ୍ୟ କରି ବୃତ୍ତିଧାରୀ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ନିରୂପଣ କରିବା ସବୁବେଳେ ନିରାପଦ ନୁହେଁ। ବୃତ୍ତିଧାରୀଙ୍କ ସଂସ୍ପର୍ଶରେ ନ ଆସି ଦୂରରୁ କେବଳ ତାଙ୍କ ପଦବୀର ପରିଧାନକୁ ଚାହିଁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଅନୁମାନ କଲେ ବହୁ ସମୟରେ ବିଭ୍ରାନ୍ତିର ଶିକାର ହେବାକୁ ପଡ଼ିଥାଏ। ଅଙ୍ଗେନିଭା ଅନୁଭୂତିଠାରୁ ଅନୁମାନର ବେଗ ସବୁବେଳେ ତୀବ୍ରତର। ବନ୍ୟାର ସ୍ରୋତ ପରି ଏହା ଅଚିରେ ବିସ୍ତୀର୍ଣ୍ଣ ଅଞ୍ଚଳକୁ ବ୍ୟାପିଯାଏ। ବୃତ୍ତିକୁ ନେଇ ବ୍ୟକ୍ତିତ୍ୱ ଅନୁମାନ କଲେ ପ୍ରକୃତ ମୂଲ୍ୟାଙ୍କନ ଅଭାବରୁ ଅବାଞ୍ଛିତ ଲୋକଟି ଉପରେ ଯେମିତି ଶ୍ରଦ୍ଧା ଓ ସମ୍ମାନ ଅଜାଡ଼ି ପଡ଼େ, ସେମିତି ସମ୍ମାନାସ୍ପଦ ବ୍ୟକ୍ତିଙ୍କ ଚରିତ୍ରରେ ଅପଯଶ ଓ ଅପନିନ୍ଦାର ମଇଳା ଲେସି ହୋଇଯାଏ।
”ଅମୁକ ବିଭାଗରେ କାମ କରୁଥିବା ସମୁକ ଲୋକ କେବେ ଭଲଲୋକ ହୋଇ ନ ଥିବେ। କାରଣ ତାଙ୍କର ଚାରିକି ଯାହା, ସେଥିରେ କେହି ଭଲଲୋକ ହୋଇ ରହିବା ସହଜ ନୁହେଁ। ତମୁକ ବିଭାଗରେ କାମ କରୁଥିବା ସେ ଲୋକଟି କେବେ ସାଧୁ ସଚ୍ଚୋଟ ହୋଇ ନ ଥିବେ, କାରଣ ସେଇ ବିଭାଗଟା ଏମିତି ଯେ ସେଠାରେ ଚୋରି ନ କରି କେହି ରହିପାରିବନି। ଅମୁକ ଶିକ୍ଷକ କେବେ ଏମିତି ଅବିବେକୀ ହୋଇ ନ ଥିବେ, କାରଣ ଶିକ୍ଷାଦାନ ଭଳି ପବିତ୍ର କର୍ମରେ ନିୟୋଜିତ ଲୋକ କେବେ ବିବେକହୀନ ହୋଇ ନ ପାରନ୍ତି। ସେଇ ଅଫିସ୍‌ରେ କିରାଣି ଥିବା ସେ ଲୋକଟି ଏତେ ଜ୍ଞାନୀ କେମିତି ହେବ ଯେ!“ ବୃତ୍ତିକୁ ବ୍ୟକ୍ତିତ୍ୱର ବ୍ୟବସ୍ଥାପକ ଭାବେ ଗ୍ରହଣ କରୁଥିବା ଲୋକମାନଙ୍କର ଏ ସବୁ ହେଉଛି ଲୋକ ଚିହ୍ନିବାର ଅନୁମାନକୁ ନେଇ ଗୋଟିଏ ଗୋଟିଏ ସାଙ୍କେତିକ ସାର୍ଟିଫିକେଟ।
ବେଶ୍‌ ମୋଟା ଦରମାରେ ଏକ ପ୍ରସିଦ୍ଧ କମ୍ପାନୀରେ ନିଯୁକ୍ତ ଥିବା ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କ ବିବାହ ପାଇଁ ଝିଅ ଖୋଜା ଚାଲୁଥିଲା ବେଳେ ଦୁଇଟି ପ୍ରସ୍ତାବ ହାତକୁ ଆସିଲା। ଜଣେ ପୋଲିସ ଅଫିସରଙ୍କ କନ୍ୟା ତ ଅନ୍ୟ ଜଣେ କଲେଜ ଅଧ୍ୟାପକଙ୍କ ଝିଅ। ସୌନ୍ଦର୍ଯ୍ୟ, ଶିକ୍ଷା ଓ ସଂସ୍କାର ଆଦି ବହୁ ଗୁଣରେ ଉଭୟ କନ୍ୟା ସମାନ ଥିବାରୁ କେଉଁ ପ୍ରସ୍ତାବକୁ ହାତେଇ କେଉଁଟିକୁ ଆଡ଼େଇଯିବେ, ଏ ନେଇ ଇଞ୍ଜିନିୟର ଓ ତାଙ୍କ ପରିବାରବର୍ଗ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ। ଦ୍ୱନ୍ଦ୍ୱର ସମାଧାନ ପାଇଁ ବର ଅଜାଙ୍କ ରାୟ ଲୋଡ଼ାଗଲା। କେଇବର୍ଷ ପୂର୍ବରୁ ପ୍ରଧାନଶିକ୍ଷକ ପଦରୁ ଅବସର ନେଇଥିବା ଅଜା କହିଲେ, ”ପୋଲିସ ପରିବାରର ଝିଅ ଅପେକ୍ଷା ଅଧ୍ୟାପକଙ୍କ ଝିଅ ସବୁ ଦୃଷ୍ଟିରୁ ଅଧିକ ଗ୍ରହଣୀୟ।“ ଅଜା ମହୋଦୟ ପୋଲିସ ଓ ଅଧ୍ୟାପକଙ୍କ ଚରିତ୍ରର ସକଳ ପାପପୁଣ୍ୟର ହିସାବ ଏମିତି ଭାବେ ଉପସ୍ଥାପିତ କଲେ ଯେ, ତାଙ୍କ ଇଞ୍ଜିନିୟର ନାତି ଅଧ୍ୟାପକଙ୍କ କନ୍ୟାର ପାଣି ଗ୍ରହଣ କରିବାକୁ ସିଦ୍ଧାନ୍ତ ନେଲେ। ବିବାହ ସରିବାର ମାସ କେଇଟା ଯାଇନି, ନିଜ କନ୍ୟା ଓ ଜ୍ୱାଇଁଙ୍କଠୁ ସେମାନଙ୍କ ବୋହୂର ଗୁଣଗ୍ରାମ ସମ୍ପର୍କରେ ଖବର ପାଇ ଅଜା ଅତ୍ୟନ୍ତ ସନ୍ତପ୍ତ ଚିତ୍ତରେ ସ୍ବଗତୋକ୍ତି କରୁଥିଲେ, ”ବଡ଼ ଭୁଲ୍‌ ହୋଇଗଲା। ସବୁ ଚିକ୍‌ଚିକ୍‌ କରୁଥିବା ଚିଜ ଯେ ସୁନା ନୁହନ୍ତି, ଏପରି ଏକ ସତ୍ୟକୁ ମୁଁ ସେତେବେଳେ କାହିଁକି ବୁଝି ନ ପାରିଲି!“
ପୋଲିସର ନଁା ଧରୁ ଧରୁ ଯେଉଁମାନଙ୍କ ମନରେ ଏକ ବିଗର୍ହିତ ବ୍ୟକ୍ତିତ୍ୱର ଚିତ୍ରଟିଏ ଉତ୍ତୋଳିତ ହୋଇଉଠେ, ସେମାନଙ୍କ ଉଦ୍ଦେଶ୍ୟରେ ଉପସ୍ଥାପିତ ଛୋଟ ଘଟଣାଟିଏ। ମାଟ୍ରିକ୍‌ ପରୀକ୍ଷାରେ କ୍ରମାଗତ ଦୁଇଥର ଫେଲ୍‌ ହେଲା ପରେ ୨ ଜଣ ହତାଶ ଗ୍ରାମ୍ୟ କିଶୋର ନିଜ ଘରୁ ପୁଳାଏ ଟଙ୍କା ଓ ସୁନା ଗହଣା ଚୋରାଇ ଏକ ଅଜଣା ଲକ୍ଷ୍ୟରେ ଘର ଛାଡ଼ିଲେ। ରାଜଧାନୀ ନଗରୀରେ ପହଞ୍ଚତ୍ ଏକ ଅଳଙ୍କାର ଦୋକାନରେ ଗହଣାତକ ବିକିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଜଣେ ନିଶାଗ୍ରସ୍ତ ଯୁବକ ହାବୁଡ଼ରେ ପଡ଼ିଗଲେ। ସେମାନଙ୍କ ପାଇଁ ରାଜଧାନୀରେ ଏକ ସହଜ ଜୀବନର ବ୍ୟବସ୍ଥା କରିବେ ବୋଲି ପିଲା ଦୁହିଁଙ୍କ ମନରେ ବିଶ୍ୱାସ ଜନ୍ମାଇ ମୂଲ୍ୟବାନ୍‌ ଗହଣାତକ ହାତେଇ ନେଉଥିବା ସମୟରେ ଅଚାନକ ଦୃଶ୍ୟପଟରେ ଆବିର୍ଭୂତ ହେଲେ ସ୍ଥାନୀୟ ଥାନାର ଜଣେ ପୋଲିସ। ଅସାମାଜିକ ଯୁବକଟିକୁ ନିଜର ଶୁଭେଚ୍ଛୁ ମନେକରୁଥିବା ପିଲା ଦୁହେଁ ପୋଲିସବାବୁଙ୍କ ଉପସ୍ଥିତିରେ ଖୁସି ହେଲେ ନାହିଁ। ଅତ୍ୟନ୍ତ ଶଙ୍କିତ ଭାବେ ସେମାନେ ପୋଲିସବାବୁଙ୍କୁ ସବୁକଥା ଫିଟାଇ କହିଲେ।
ପୋଲିସବାବୁ ଚାହିଁଥିଲେ ପଳାତକ ପିଲାଦୁହିଁଙ୍କ ବିରୋଧରେ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସୁଧାର ଗୃହକୁ ପଠାଇ ପାରିଥା’ନ୍ତେ ବା ସୁରକ୍ଷା ବାହାନାରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ନିଜ ଆୟତ୍ତକୁ ନେଇ ଅସହାୟ ପିଲାଯୋଡ଼ିଙ୍କୁ ରାଜଧାନୀର ରାଜରାସ୍ତାରେ ଫିଙ୍ଗି ଦେଇପାରିଥା’ନ୍ତେ। ମାତ୍ର ସେ ଏମିତି କିଛି କଲେ ନାହିଁ। ସେ ବାଟହୁଡ଼ା ପିଲାଦୁହିଁଙ୍କୁ ନିଜ ଘରକୁ ନେଇଗଲେ ଓ ତାଙ୍କ ଗାଁକୁ ଫେରିବା ପାଇଁ ବହୁଭାବେ ପ୍ରବର୍ତ୍ତାଇଥିଲେ। ମାତ୍ର ଘରକୁ ଫେରିବା ପାଇଁ ଅମଙ୍ଗ ପିଲାଦୁହେଁ ସେମାନଙ୍କ ଗଁା ଠିକଣା ବତାଇଲେ ନାହିଁ। ଖାକି ପୋଷାକ ସହ ସର୍ବଦା ଔଦ୍ଧତ୍ୟର ଅପନିନ୍ଦା ବହନ କରୁଥିବା ପୋଲିସ ବିଭାଗର ସେହି ହୃଦୟବାନ୍‌ କର୍ମଚାରୀ ଆଦୌ ଧୈର୍ଯ୍ୟ ହରାଇଲେ ନାହିଁ କି ପୋଲିସ କାଇଦା ପ୍ରୟୋଗ କଲେ ନାହିଁ। ଦୀର୍ଘ ସାତ ଦିନ ସେମାନଙ୍କୁ ନିଜ ପରିବାର ସହ ରଖିଲା ମଧ୍ୟରେ ସେ ଓ ତାଙ୍କ ପନତ୍ୀ ପିଲାଦୁହିଁଙ୍କ ଉପରେ ସ୍ନେହଶ୍ରଦ୍ଧା ଅଜାଡ଼ି ଦେଇ ତାଙ୍କ ନିଷ୍ପତ୍ତି ବଦଳାଇବାରେ ସଫଳ ହେଲେ ଓ ନିଜେ ଛୁଟି ନେଇ ସେମାନଙ୍କୁ ତାଙ୍କ ଗଁାରେ ଛାଡ଼ି ଦେଇ ଆସିଲେ। ପିଲାଦୁହିଁଙ୍କ ବିଚ୍ଛେଦରେ ଦାରୁଣ ଦୁଃଖ ଭୋଗୁଥିବା ଓ ଅନ୍ୟ ବହୁ ଲୋକଙ୍କ ପରି ପୋଲିସକୁ ଦୁର୍ଭାଗ୍ୟର ଦୂତ ବିଚାରୁଥିବା ସେଇ ମା’ବାପାମାନଙ୍କ ପ୍ରତିକ୍ରିୟା ସେତେବେଳେ ଦେଖିବାର କଥା!
ଯେଉଁ ଶିକ୍ଷକ ବିଦ୍ୟାଦାନର ବୃତ୍ତିକୁ ନେଇ ସମାଜର ସବୁଠାରୁ ସମ୍ମାନାସ୍ପଦ, ନିରୀହ ନିଷ୍କପଟ, ସରଳ ସୁଶୀଳ ଆଦି ବିଶେଷ ବିଶେଷଣରେ ବିଭୂଷିତ, ସେମାନଙ୍କ ମଧ୍ୟରୁ କାହାର କଳା କାଳିମାମୟ ଭୟଙ୍କର ରୂପଟିକୁ ପ୍ରତ୍ୟକ୍ଷ କରିବାର ଅବସର ମିଳିଲେ କେମିତି ହେବ ଆପଣଙ୍କର ଅନୁଭବ। ଶିକ୍ଷକଙ୍କୁ ଦୁଃସ୍ଥ କହି ଯେଉଁମାନେ ସେମାନଙ୍କ ଅର୍ଥନୈତିକ ଦୁଃସ୍ଥିତିକୁ ଦୟା କରନ୍ତି, ସେମାନଙ୍କ ପାଇଁ ସେ ଥିଲେ ଏକ ପ୍ରଚଣ୍ଡ ବ୍ୟତିକ୍ରମ। ବୃତ୍ତିରେ ଶିକ୍ଷକ ହେଲେ ବି ଆଖପାଖ କେଇଖଣ୍ଡ ଗଁାର ସେ ଥିଲେ ସବୁଠାରୁ ଧନୀ ବ୍ୟକ୍ତି। ଅମାପ ଜମିବାଡ଼ି ସାଙ୍ଗକୁ ଦୁଇଟି ବ୍ୟବସାୟ ପ୍ରତିଷ୍ଠାନ, ଗୋଟିଏ ବସ୍‌ ଓ ଦୁଇଟି ଟ୍ରକର ମାଲିକ ସେହି ଶିକ୍ଷକ ଉତ୍ତରାଧିକାର ସୂତ୍ରରେ ଏହି ବିପୁଳ ସମ୍ପତ୍ତିର ମାଲିକାନା ହାସଲ କରି ନ ଥିଲେ। ଧନଶାଳୀ ପିତାଙ୍କର ପୁତ୍ର ହୋଇଥିଲେ ହତଭାଗ୍ୟ ପିତା ଜଣକ ନିଜ ଦରିଦ୍ର ସାନପୁଅ ପାଖରେ ମୁଣ୍ଡ ଗୁଞ୍ଜି ନ ଥା’ନ୍ତେ କି ନିତିଦିନ କାଶି କାଶି ବେଦମ୍‌ ହୋଇଗଲେ ମଧ୍ୟ ବିନା ଚିକିତ୍ସାରେ ମଶାଣିର ଯାତ୍ରାକୁ ଅପେକ୍ଷା କରି ନ ଥା’ନ୍ତେ! କଥା ହେଲା, ମାଷ୍ଟରରୁ ମହାଜନ ହୋଇଥିବା ଏହି ଶିକ୍ଷକ ଗଁାର ଦରିଦ୍ର ଗ୍ରାମବାସୀଙ୍କୁ ବେଳ ଅବେଳରେ ଅର୍ଥ ଯୋଗାଇ କେଉଁଠି ସୁନାଗହଣା ତ ଅନ୍ୟ କେଉଁଠି ଜମିବାଡ଼ି ବନ୍ଧକ ରଖନ୍ତି ଓ ପରବର୍ତ୍ତୀ କାଳରେ ଫକୀରମୋହନଙ୍କ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପରି ସବୁ ନିଜର କରିନିଅନ୍ତି।
ବୃତ୍ତିକୁ ଚାହିଁ ବ୍ୟକ୍ତିତ୍ୱ ନିରୂପଣ କରିବାର ବିଭ୍ରାଟ ପ୍ରସଙ୍ଗରେ ଏଇ ଦୁଇଟି କ୍ଷୁଦ୍ର ଦୃଷ୍ଟାନ୍ତ, ମାତ୍ର ଉଚ୍ଚ ପଦବୀରେ ଅଧିଷ୍ଠିତ ହାକିମଙ୍କ ପାଖରେ କାଙ୍ଗାଳର ଛୋଟପଣ ଦେଖାଯିବା ଯେମିତି ବିଚିତ୍ର ନୁହେଁ, ଦରିଦ୍ର ଝାଡ଼ୁଦାର ଭିତରେ ନବାବର ବଡ଼ପଣ ପ୍ରକାଶ ପାଇବା ସେମିତି ଆଶ୍ଚର୍ଯ୍ୟ ନୁହେଁ। ଅଥଚ ଆମ ଜୀବନଯାତ୍ରାର ପ୍ରତିଟି ସହଯାତ୍ରୀଙ୍କ ସଂସ୍କାର ପ୍ରତି ଆଖି ବୁଜିଦେଇ ଆମେ ତାଙ୍କ ପଦ ପରିଚୟରେ ପ୍ରସାରିତ ବା ସଙ୍କୁଚିତ ବୋଧକରୁ। ଏକଲବ୍ୟର ଏକନିଷ୍ଠତା ପ୍ରତି ନାକ ଟେକୁଥିଲା ବେଳେ ରାଜପୁତ୍ର ଅର୍ଜୁନଙ୍କ ପ୍ରଶଂସାରେ ଶତମୁଖ ହେଉ। ଆମର ଏହି ଭ୍ରାନ୍ତ ମୂଲ୍ୟାୟନର କେବେ ଅନ୍ତ ଘଟିବ କେଜାଣି? ବୃତ୍ତିଧାରୀଙ୍କ ରଙ୍ଗମଞ୍ଚର ରଙ୍ଗବୋଳା ଚେହେରାରେ ବିଭୋର ନ ହୋଇ ଗ୍ରୀନ୍‌ରୁମ୍‌ର ବ୍ୟକ୍ତିତ୍ୱ ପରଖିବାର ବେଳା କେବେ ଆସିବ କେଜାଣି?
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?