ଆଣବିକ ଅସ୍ତ୍ର ପ୍ରସ୍ତୁତ

ମସ୍କୋ,୨୮ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୋଟିଏପଟେ ୟୁକ୍ରେନ୍‌ ସହ ଆଲୋଚନା ପାଇଁ ଆଗ୍ରହ ଦେଖାଉଥିବାବେଳେ ଅନ୍ୟପକ୍ଷେ ଯୁଦ୍ଧକୁ ଆଉ ପାଦେ ଆଗେଇବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ସେ ନିଜ ଆଣବିକ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ହାଇଆଲର୍ଟରେ ରଖିବା ପାଇଁ ପ୍ରତିରକ୍ଷା ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ପୁଟିନ୍‌ଙ୍କ ଖୋଲା ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି।
ରୁଷିଆ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ୍‌ ରଖିଥିବା ରାଷ୍ଟ୍ର। ପୁଟିନ୍‌ଙ୍କ ସେନା ନିକଟରେ ବିପୁଳ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ରହିଛି। ୟୁକ୍ରେନ୍‌ ଆକ୍ରମଣର ଚତୁର୍ଥ ଦିନରେ ପୁଟିନ୍‌ଙ୍କ ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଗ୍ରହଣ କରିଛନ୍ତି। ବେଲାରୁଷ ସୀମାରେ ଦୁଇପକ୍ଷ ଆଲୋଚନା କରିବେ ବୋଲି ଜେଲେନ୍‌ସ୍କିଙ୍କ ଅଫିସ ପକ୍ଷରୁ କୁହାଯାଇଛି। ହେଲେ ସମାନ୍ତରାଳ ଭାବେ ଏହି ଯୁଦ୍ଧକୁ ଆଗକୁ ବଢ଼ାଇବା ଲାଗି ପୁଟିନ୍‌ ନିଷ୍ପତ୍ତି ନେଇଛନ୍ତି। ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଶତ୍ରୁତାପୂର୍ଣ୍ଣ ପଦକ୍ଷେପକୁ ସେ ନାପସନ୍ଦ କରିଛନ୍ତି। ଏକ ଟେଲିଭିଜନ୍‌ ବାର୍ତ୍ତାରେ ପୁଟିନ୍‌ କହିଛନ୍ତି, ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଓ ସଶସ୍ତ୍ର ବଳର ଚିଫ୍‌ ଅଫ୍‌ ଜେନେରାଲ ଷ୍ଟାଫ୍‌ମାନଙ୍କୁ ସେ ଯୁଦ୍ଧର ସ୍ବତନ୍ତ୍ର ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆର ଅର୍ଥନୀତି ଭୁଶୁଡ଼ାଇବା ପାଇଁ କେବଳ ଶତ୍ରୁତାପୂର୍ଣ୍ଣ ବ୍ୟବହାର କରୁଛନ୍ତି ତାହାନୁହେଁ, ବରଂ ବେଆଇନ କଟକଣା ଜାରି କରିବାରେ ଲାଗିଛନ୍ତି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଦେଶଗୁଡ଼ିକର ନେତୃତ୍ୱ ନେଉଥିବା ଅଧିକାରୀମାନେ ମଧ୍ୟ ରୁଷିଆ ବିରୋଧରେ ଆକ୍ରମଣାମତ୍କ ମନ୍ତବ୍ୟ ଦେଉଛନ୍ତି। ଏନେଇ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରିନ୍‌ଫିଲ୍ଡ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍‌ ଯେପରି ଭାବେ ଯୁଦ୍ଧ ଆଗକୁ ବଢ଼ାଇଉଛନ୍ତି ତାହା ଗ୍ରହଣୀୟ ନୁହେଁ। ତାଙ୍କ ପଦକ୍ଷେପରେ ଅଙ୍କୁଶ ଲଗାଇବା ପାଇଁ ଆମକୁ ଯଥାସମ୍ଭବ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ।

ରୁଷିଆ ଉପରେ ପ୍ରଭାବ

ରୁଷିଆନ୍‌ ନ୍ୟାଶନାଲ ସ୍ବିଫ୍ଟ ଆସୋସିଏଶନ ଅନୁସାରେ, ଆମେରିକା ପରେ ରୁଷିଆ ଦ୍ୱିତୀୟ ସର୍ବାଧିକ ସ୍ବିଫ୍ଟ ବ୍ୟବହାରକାରୀ। ରୁଷିଆର ପ୍ରାୟ ୩୦୦ ରୁ ଊର୍ଦ୍ଧ୍ୱ ଆର୍ଥତ୍କ ଅନୁଷ୍ଠାନ ଏହାସହ ଜଡ଼ିତ। ସ୍ବିଫ୍ଟରୁ ବାଦ ପଡ଼ିଲେ ମସ୍କୋକୁ ଏଥିଜନିତ ବିପୁଳ କ୍ଷତି ସହିବାକୁ ପଡ଼ିବ। ଏହାହେଲେ ରୁଷିଆ ବିଦେଶୀ ମୁଦ୍ରା ସଂଗ୍ରହ କରିବା କଷ୍ଟକର ହୋଇପଡ଼ିବ। ରୁଷିଆ ତେଲ, ଗ୍ୟାସ ସମେତ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ କଲେ କିମ୍ବା କୌଣସି ଜିନିଷ ଆମଦାନୀ କଲେ ବଦଳରେ ଅର୍ଥ କାରବାର ମଧ୍ୟ ସହଜ ହେବ ନାହିଁ। ରୁଷିଆ ନିକଟରେ ଥିବା ପ୍ରାୟ ୬୩୦ ବିଲିୟନ ଡଲାରର ବିଦେଶୀ ମୁଦ୍ରା ଏକପ୍ରକାର ଅଚଳ ହୋଇଯିବ। ୨୦୧୨ରେ ନ୍ୟୁକ୍ଲିୟର ପ୍ରୋଗ୍ରାମ ପାଇଁ ଇରାନ ଉପରେ କଟକଣା ଲଗାଯିବା ସହ ସ୍ବିଫ୍ଟରୁ ବାଦ ଦିଆଯାଇଥିଲା। ୨୦୧୬ରେ ଇରାନକୁ ଏହି ସିଷ୍ଟମରେ ପୁନଃ ଯୋଡ଼ାଯାଇଥିଲା। ଏବେ ରୁଷିଆକୁ ସ୍ବିଫ୍ଟରୁ ସମ୍ପୂର୍ଣ୍ଣ ବାଦ ଦିଆଗଲେ ଏହା ଉପରେ ନିର୍ଭରଶୀଳ ୟୁରୋପୀୟ ଦେଶ ମଧ୍ୟ କ୍ଷତି ସହିବେ। ରୁଷିଆ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଗ୍ୟାସ୍‌, ପ୍ରାକୃତିକ ତୈଳ ଆଦି ରପ୍ତାନୀ କରୁଥିବାରୁ ସେହି ରାଷ୍ଟ୍ରଗୁଡ଼ିକରେ ଏହି ସାମଗ୍ରୀର ଅଭାବ ଦେଖାଦେଇପାରେ।

ଆଇସିଜେକୁ ଗଲା ୟୁକ୍ରେନ୍‌

ୟୁକ୍ରେନ୍‌ର ସାର୍ବଭୌମତା ଏବଂ ଅଖଣ୍ଡତା ଉପରେ ଆକ୍ରମଣ କରିଥିବା ନେଇ ରୁଷିଆକୁ ଇଣ୍ଟରନ୍ୟାଶନାଲ ଲ’ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)କୁ ଟାଣିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି। ନେଦରଲାଣ୍ଡ୍‌ସ୍‌ ରାଜଧାନୀ ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ ଆଇସିଜେରେ ରୁଷିଆ ବିରୋଧରେ ଅଭିଯୋଗ କରାଯାଇଥିବା ଜେଲେନ୍‌ସ୍କି ଟୁଇଟ୍‌ କରିଛନ୍ତି। ଯୁଦ୍ଧ ଅପରାଧ, ଗଣହତ୍ୟା ଭଳି ସଙ୍ଗିନ ଅଭିଯୋଗ ରୁଷିଆ ବିରୋଧରେ ଦାଖଲ ହୋଇଛି। ଏଥିପାଇଁ ମସ୍କୋକୁ ଉତ୍ତରଦାୟୀ କରାଯିବା ସହ ତୁରନ୍ତ ଯୁଦ୍ଧ ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ୟୁକ୍ରେନ୍‌ ଆବଦେନ କରିଛି। ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଭଳି କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରିବାର ଅଧିକାର ଆଇସିଜେ ନିକଟରେ ନ ଥିଲେ ହେଁ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କ୍ଷେତ୍ରରେ ଏହା ନିର୍ଣ୍ଣୟ ନେଇପାରିବ। ଆଇସିଜେ ଜାତିସଂଘର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା।

୫୪ ମିଲିୟନ ଡଲାର ଦେବ ଆମେରିକା

ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪,୦୫,୪୦,୭୭,୦୦୦ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ଅର୍ଥରେ ୟୁକ୍ରେନ୍‌ବାସୀଙ୍କ ପାଇଁ ଖାଦ୍ୟ, ପାନୀୟ, ଆଶ୍ରୟସ୍ଥଳ, ଜରୁରୀ ସ୍ବାସ୍ଥ୍ୟସେବା, ଶୀତବସ୍ତ୍ର ଓ ପୋଷାକ ଆଦି ଯୋଗାଇ ଦିଆଯିବ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ଏହା ପୂର୍ବରୁ ଶନିବାର ୟୁକ୍ରେନ୍‌କୁ ୩୫୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଣ ନିମନ୍ତେ ବ୍ଲିଙ୍କେନ୍‌ ଘୋଷଣା କରିଥିଲେ।

ଯୋଦ୍ଧା ସାଜିଲେ ବ୍ୟୁଟି କୁଇନ୍‌

ବର୍ତ୍ତମାନର ସଙ୍କଟଜନକ ସ୍ଥିତିର ମୁକାବିଲା ପାଇଁ ୟୁକ୍ରେନବାସୀ ହାତରେ ଅସ୍ତ୍ର ଉଠାଇବା ଆରମ୍ଭ କରିଦେଲେଣି। ଏମ୍‌ପିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ରୁଷିଆ ବିରୋଧୀ ଅଭିଯାନରେ ସାମିଲ ହେବାରେ ଲାଗିଛନ୍ତି। ୟୁକ୍ରେନର ବ୍ୟୁଟି କୁଇନ୍‌ କୁହାଯାଉଥିବା ଅନାଟୋସିଆ ଲେନା ରବିବାର ସେନାବାହିନୀରେ ଯୋଗ ଦେଇଛନ୍ତି। ଲେନା ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବାର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଦେଶ ସୁରକ୍ଷା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଥିବା ୟୁକ୍ରେନର ପୂର୍ବତନ ମିସ୍‌ ଗ୍ରାଣ୍ଡ୍‌ ଲେନା କହିଛନ୍ତି।

ବନ୍ଧୁକକୁ ନୀରବ କର

କ୍ରମାଗତ ୪ ଦିନ ହେଲା ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଜାରି ରଖିଥିବାବେଳେ କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ବନ୍ଧୁକକୁ ନୀରବ କରି ହିଂସାକାଣ୍ଡ ରୋକିବାକୁ ଆହ୍ବାନ ଦେଇଛନ୍ତି। ଏଥିସହ ତୁରନ୍ତ ସେଠାରେ ମାନବୀୟ ସହାୟତା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦେଇଛନ୍ତି। ୟୁକ୍ରେନରୁ ଅନ୍ୟ ଦେଶକୁ ଯାଉଥିବା ଶରଣାର୍ଥୀମାନେ ଆମ ପରିବାର। ସେମାନଙ୍କୁ ସମସ୍ତ ଦେଶ ସହଯୋଗ କରିବାକୁ ପୋପ୍‌ କହିଛନ୍ତି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ୟୁଏନ୍‌ଏଚ୍‌ସିଆର୍‌ ସୂଚନା ଅନୁସାରେ, ଗୁରୁବାରଠାରୁ ପ୍ରାୟ ୩,୬୮,୦୦୦ ୟୁକ୍ରେନ୍‌ବାସୀ ଦେଶ ଛାଡ଼ିଛନ୍ତି।

ପାଶ୍ଚାତ୍ୟର ଅସ୍ତ୍ର ‘ସ୍ବିଫ୍ଟ’

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆର କେତେକ ଆର୍ଥିକ ଅନୁଷ୍ଠାନକୁ ସ୍ବିଫ୍ଟ ସିଷ୍ଟମରୁ ବାଦ୍‌ ଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ନିଷ୍ପତ୍ତି ନେଇଛନ୍ତି। ଏସ୍‌ଡବ୍ଲ୍ୟୁଆଇଏଫ୍‌ଟି ବା ସ୍ବିଫ୍ଟ (ସୋସାଇଟି ଫର୍‌ ଓ୍ବାଲର୍‌ଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ୍‌ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ) ଏକ ଗ୍ଲୋବାଲ ପେମେଣ୍ଟ ସିଷ୍ଟମ। ସ୍ବିଫ୍ଟ ମେସେଜିଂ ନେଟୱାର୍କ ମାଧ୍ୟମରେ ବ୍ୟାଙ୍କ ଏବଂ ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ଶୀଘ୍ର ଓ ସୁବିଧାରେ ବିଭିନ୍ନ ଦେଶ ମଧ୍ୟରେ କାରବାର ସମ୍ବନ୍ଧୀୟ ସୂଚନା ଆଦାନ ପ୍ରଦାନ ହୋଇଥାଏ। ଏହା ଭାରତ ସମେତ ୨୦୦ରୁ ଅଧିକ ଦେଶରେ ପ୍ରାୟ ୧୧ ହଜାର ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନକୁ ପରସ୍ପର ସହ ଯୋଡ଼ିଥାଏ। ଯଦି ଦୁଇଟି ସଂସ୍ଥା ପରସ୍ପରର ପାର୍ଟନର ନୁହନ୍ତି, ତେବେ ସ୍ବିଫ୍ଟ ସେଗୁଡ଼ିକୁ ଏକ ଇଣ୍ଟରମିଡିଏଟାରୀ ଅର୍ଗାନାଇଜେଶନ ମାଧ୍ୟମରେ ଯୋଡ଼ିଥାଏ। ୧୯୭୩ରେ ଗଠିତ ସ୍ବିଫ୍ଟର ମୁଖ୍ୟାଳୟ ବେଲ୍‌ଜିୟମରେ ରହିଛି। ସ୍ବିଫ୍ଟ ଇଣ୍ଟରନ୍ୟାଶନାଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର (ଆଇବିଏଏନ୍‌) ଏବଂ ବିଜ୍‌ନେସ୍‌ ଆଇଡେଣ୍ଟିଫାୟର କୋଡ୍‌ (ବିଆଇସି) ରେକର୍ଡ କରିଥାଏ। ସ୍ବିଫ୍ଟ ବିଶ୍ୱର ପ୍ରାୟ ୩,୫୦୦ ଆର୍ଥିକ ପ୍ରତିଷ୍ଠାନ (ଅଂଶୀଦାର) ଦ୍ୱାରା ଏହା ନିୟନ୍ତ୍ରିତ। ଏହି ସିଷ୍ଟମକୁ ଜି-୧୦ ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ସମେତ ବେଲ୍‌ଜିୟମର ନ୍ୟାଶନାଲ ବ୍ୟାଙ୍କ ମଧ୍ୟ ତଦାରଖ କରିଥାଏ। କୌଣସି ବ୍ୟକ୍ତି ଭାରତର ଏକ ବ୍ୟାଙ୍କରୁ ଆମେରିକାକୁ ଟଙ୍କା ପଠାଇବାକୁ ଚାହୁଁଥିଲେ ସେ ଟଙ୍କା ପାଇବାକୁ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆମେରିକାର ସମ୍ପୃକ୍ତ ବ୍ୟାଙ୍କର ବିଆଇସି ବା ସ୍ବିଫ୍ଟ କୋଡ୍‌ ଭାରତୀୟ ବ୍ୟାଙ୍କରେ ଦାଖଲ କରିବାକୁ ପଡ଼ିବ।

ପୋଲାଣ୍ଡ ସୀମାରେ ଶତାଧିକ ଭାରତୀୟ

ୟୁକ୍ରେନରୁ ବାହାରି ଆସିଥିବା ଶତାଧିକ ଭାରତୀୟ ଛାତ୍ରୀଛାତ୍ର ଏବେ ପୋଲାଣ୍ଡ ସୀମାରେ ଅପେକ୍ଷା କରିଛନ୍ତି। ଭୀଷଣ ଥଣ୍ଡାରେ ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ ହେଲାଣି ସେମାନଙ୍କ ସାମଗ୍ରୀ ଧରି ପଡ଼ି ରହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ରୁଷିଆ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବରେ ଭୋଟ ଦେବାରୁ ବିରତ ରହିବା ପରେ ୟୁକ୍ରେନ୍‌ବାସୀ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା କେତେଜଣ ଭାରତୀୟ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ସେପଟେ ଯୁଦ୍ଧ ଜୋନ୍‌ରୁ ବାହାରି ଭାରତୀୟମାନେ ୟୁକ୍ରେନ୍‌ର ପଶ୍ଚିମ ସୀମା ଅଭିମୁଖେ ଯିବାକୁ ଭାରତୀୟ ଦୁତାବାସ ପକ୍ଷରୁ ଟୁଇଟ୍‌ କରାଯାଇଛି। ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର ଓ ରବିବାର ୩ଟି ବିମାନରେ ୭୦୯ ଛାତ୍ରୀଛାତ୍ରଙ୍କୁ ଭାରତ ଅଣାଯାଇଛି। ଅନ୍ୟ ଛାତ୍ରୀଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ଆମ ନେତା ମୂର୍ଖ: ଟ୍ରମ୍ପ୍‌

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ସରକାରଙ୍କୁ ସମାଲୋଚନା କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସମସ୍ୟା ନୁହଁନ୍ତି କିନ୍ତୁ ଆମ ନେତା ମୁର୍ଖ ବୋଲି ଟ୍ରମ୍ପ୍‌ କହିଛନ୍ତି। କଞ୍ଜରଭେଟିଭ୍‌ ପଲିଟିକାଲ ଆକ୍ସନ୍‌ କନ୍‌ଫରେନ୍ସରେ ଟ୍ରମ୍ପ୍‌ କହିଛନ୍ତି, ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦୁର୍ବଳତା ଯୋଗୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି। ଯଦି ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିରପେକ୍ଷ ହୋଇଥାନ୍ତା ତେବେ ଏପରି ଭୟଙ୍କର ସ୍ଥିତି ଉପୁଜି ନ ଥାନ୍ତା। ନାଟୋ ମଧ୍ୟ ରୁଷିଆର ମନୋବଳ ଭାଙ୍ଗିବା ବଦଳରେ କେବଳ କଟକଣା ଲଗାଇ ଚତୁରତାର ପରିଚୟ ଦେଇନି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ସୁପ୍ରିମକୋର୍ଟ ନକଲି ଉଦାହରଣ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ସୃଷ୍ଟି ହୋଇଥିବା ମାମଲା ଉପରେ ଆଧାରିତ ଏକ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT)…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri