ନୂଆପଡ଼ା ଉପନିର୍ବାଚନ: ସବୁ ଚର୍ଚ୍ଚାରେ ପ୍ରାର୍ଥୀ

ନୂଆପଡ଼ା,୨୫ା୧୦(ପୀତାମ୍ବର ସାହୁ):ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କହିବାକୁ ଗଲେ ସବୁ ଦଳର ଶତାଧିକ ରାଜ୍ୟସ୍ତରର ନେତା ନୂଆପଡ଼ାରେ ଡେରା ପକାଇ ରହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ଏଥିରେ ବିଜୟ ହାସଲ କରିବା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି। ଉକ୍ତ ଉପନିର୍ବାଚନରେ ଉପରୋକ୍ତ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ହିଁ ସେଠାକାର ରାଜନୈତିକ ବାତାବରଣକୁ ନୂଆ ପ୍ରକାର କରିଦେଇଛି। ୨୦୨୪ରେ ଏହି ଆସନ ବିଜେଡି ଦଖଲରେ ରହିଥିଲା। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ବିଜେଡି ଟିକେଟରେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। ହେଲେ ତାଙ୍କ ଅବର୍ତ୍ତମାନରେ ତାଙ୍କ ପୁଅ ଜୟ ଢୋଲକିଆ ଶାସକ ଭାଜପାରେ ଯୋଗଦେଇ ସେହି ଦଳର ପ୍ରାର୍ଥୀ ହୋଇଗଲେ। ଫଳରେ ବିଜେଡି ଆଉ ସ୍ଥାନୀୟ ନେତାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ସାହସ ଜୁଟାଇ ନ ପାରି ବରଗଡ଼ ଜିଲା ଅନ୍ତର୍ଗତ ଅତାବିରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବାକୁ ବାଧ୍ୟହେଲା। ଏବେ ସେଠାରେ ସ୍ନେହାଙ୍ଗିନୀ ବାହାରର ନେତ୍ରୀ ବୋଲି ଚର୍ଚ୍ଚା ହେଉଛି। ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ୨୦୨୪ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ। ନୂଆପଡ଼ା ଜିଲାରେ ବସନ୍ତ ଭାଜପାର ଆଗଧାଡ଼ିର କ୍ୟାଡର ନେତା। ସେ ଗତ ନିର୍ବାଚନରେ ପୁଅର ରାଜନୈତିକ ଭବିଷ୍ୟତ ତିଆରି କରିବାକୁ ନିଜେ ନିର୍ବାଚନ ଲଢ଼ି ନ ଥିଲେ। ହେଲେ ଏଥର ଉପନିର୍ବାଚନରେ ଦଳର କ୍ୟାଡରକୁ ଗୁରୁତ୍ୱ ନ ଦେଇ ବିଜୟ ସମ୍ଭାବନା ଉପରେ ବିଶେଷ ଧ୍ୟାନ ଦିଆଗଲା ବୋଲି କୁହାଯାଇଛି। ବସନ୍ତ ଏବଂ ତାଙ୍କ ପୁଅଙ୍କୁ ଉପନିର୍ବାଚନ ପ୍ରାର୍ଥୀ ଭାଜପା କଲା ନାହିଁ। ଆହୁରି ରୋଚକ ହେଉଛି କଂଗ୍ରେସର ପ୍ରାର୍ଥୀ ଚୟନ। ଗତ ନିର୍ବାଚନରେ ଏହି ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଏବେ ଟିକେଟ ଦେଇଛି। ଘାସିରାମ ଗତ ନିର୍ବାଚନରେ ସ୍ବାଧୀନ ଭାବେ ଲଢ଼ିଥିଲେ ମଧ୍ୟ ଦୁଇ ନମ୍ବର ସ୍ଥାନରେ ରହିଥିଲେ। ଗତ ନିର୍ବାଚନରେ ତତ୍କାଳୀନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ନିଜେ ପ୍ରାର୍ଥୀ ହୋଇ ୪ର୍ଥ ସ୍ଥାନରେ ରହିଥିଲେ। ହେଲେ ଘାସିରାମ କଂଗ୍ରେସରେ ମିଶି ଦଳୀୟ ନେତୃତ୍ୱଙ୍କ ଭରସା ଜିତିବା ସହିତ ପ୍ରାର୍ଥୀ ହୋଇଛନ୍ତି। ଏଭଳି ରାଜନୈତିକ ସ୍ଥିତି ଭିତରେ ନୂଆପଡ଼ା ନିର୍ବାଚନମଣ୍ଡଳୀର ତୃଣମୂଳସ୍ତରରେ ଲୋକଙ୍କ ଭିତରେ ଉପନିର୍ବାଚନର ୧୭ ଦିନ ପୂର୍ବରୁ କିଭଳି ଆଲୋଚନା ଚାଲିଛି ତାକୁ ନେଇ ଧରିତ୍ରୀ ପକ୍ଷରୁ ଏକ ରିପୋର୍ଟ ସଂଗ୍ରହ କରିବାକୁ ଚେଷ୍ଟା କରାଯାଇଛି।
ନୂଆପଡ଼ା ନିର୍ବାଚନମଣ୍ଡଳୀର ସାଇପଲା ପଞ୍ଚାୟତରୁ ଆରମ୍ଭକରି ନୂଆପଡ଼ାର ନେତାଜୀ ଛକ ମଧ୍ୟରେ ୮ଟି ସ୍ଥାନରେ ନିଜ ପରିଚୟ ଗୋପନ ରଖି ଜଣେ ସାଧାରଣ ଲୋକ ଭାବେ ଲୋକଙ୍କ ଭିତରେ ଚାଲିଥିବା ଆଲୋଚନାକୁ ଅନୁଶୀଳନ କରିଥିଲୁ। ସାଇପଲା ସମେତ ସୁନସୁନିଆ, ଦର୍ଲ୍ଲିମୁଣ୍ଡା, ମଧୁପୁର, ଗୋଡ଼ଫୁଲା, ନୂଆପଡ଼ା ବସଷ୍ଟାଣ୍ଡ, ଏକତା ଛକ, ନେତାଜୀ ଛକ ଆଦି ସ୍ଥାନରେ ଉପନିର୍ବାଚନକୁ ନେଇ ଲୋକଙ୍କ ଭିତରେ ଚାଲିଥିବା ଆଲୋଚନାକୁ ଭଲ ଭାବେ ଶୁଣିଥିଲୁ। ହେଲେ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତା ଅତିକ୍ରମ କରିବା ଭିତରେ କୌଣସି ସ୍ଥାନରେ ରାଜନୈତିକ ଦଳଗୁଡିକର ବ୍ୟାନର, ପୋଷ୍ଟର, ଦଳୀୟ ପତାକା ଦେଖିବାକୁ ମିଳି ନ ଥିଲା। ସାଇପଲା ଛକରେ ପ୍ରାୟ ୨୦ ମିନିଟ୍‌ ସମୟ ବିତାଇବା ଭିତରେ ସେଠାରେ ଉପସ୍ଥିତ କେତେଜଣ ବ୍ୟବସାୟୀ ଏବଂ ସାଧାରଣ ଲୋକ ଏକ ଖଟିରେ ବସି ଆଲୋଚନା କରୁଥାଆନ୍ତି। ସେମାନଙ୍କ କହିବା କଥା, ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା ଯୋଗୁ ତାଙ୍କ ସମର୍ଥକମାନେ ଜୟଙ୍କ ସହିତ ରହିପାରନ୍ତି। ଯେହେତୁ ଭାଜପା ସରକାରରେ ଅଛି, ତେଣୁ ମତଦାନ ତାଙ୍କ ସପକ୍ଷରେ ଯିବା ସମ୍ଭାବନା ରହିଛି। ଏହାପରେ ଆମେ ଦର୍ଲ୍ଲୀମୁଣ୍ଡା ଓ ମଧୁପୁରର ରାସ୍ତାକଡ଼ରେ ଅଟକି ଥିବା କେତେଜଣ ବ୍ୟକ୍ତିଙ୍କ ଆଲୋଚନା ଶୁଣିଥିଲୁ। ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇ ବେଶ୍‌ ଆଲୋଚନା ଚାଲୁଥାଏ। ଯେହେତୁ ଘାସିରାମ ମାଝୀ ଆଦିବାସୀ ସମ୍ପ୍ରଦାୟର ତେଣୁ ଆଦିବାସୀମାନଙ୍କ ଅଧିକାଂଶ ଭୋଟ ତାଙ୍କ ସପକ୍ଷରେ ଯାଇପାରେ। ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ବାହାରୁ ପ୍ରାର୍ଥୀ ହୋଇଥିବା ସେମାନେ ଆଲୋଚନା କରୁଥାଆନ୍ତି। ଏବେ ବିଜେଡିର ଦଳୀୟ ନେତା ଓ ସ୍ଥାନୀୟ ନେତୃତ୍ୱଙ୍କ ପ୍ରଚେଷ୍ଟାରେ ହେଉଥିବା ସଭା ସମିତି, ମିଶ୍ରଣ ପର୍ବ ଯୋଗୁ ବିଜେଡି ଧୀରେ ଧୀରେ ବଳ ଗୋଟାଉଥିବା ଆଲୋଚନା ହେଉଛି। ଏହାସହ ଗୋଡ଼ଫୁଲା, ନୂଆପଡ଼ା ବସ୍‌ଷ୍ଟାଣ୍ଡ, ଏକତା ଛକ, ନେତାଜୀ ଛକ ଆଦି ସ୍ଥାନର ଖଟିରେ ଆଦିବାସୀ ଭୋଟ ଭାଗ ଭାଗ ହେଉଥିବା ଚର୍ଚ୍ଚା ହେଉଥିଲା। ଆଦିବାସୀ ନେତାମାନେ ଭାଜପା, କଂଗ୍ରେସ ଓ ବିଜେଡି ପକ୍ଷରୁ ଆଦିବାସୀମାନଙ୍କ ଭୋଟ୍‌ ହାତେଇବା ଲାଗି ଜୋର୍‌ଦାର କସରତ କରୁଛନ୍ତି। ଏସବୁ ଭିତରେ ୩ ପ୍ରମୁଖ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ମତଦାତାଙ୍କୁ ନିଜ ନିଜ ସପକ୍ଷରେ ମତଦାନ ପାଇଁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଛନ୍ତି। ଏସବୁ ଭିତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୂଆପଡ଼ାରେ ନିର୍ବାଚନ ପ୍ରଚାରକୁ ତାଙ୍କ ଦଳର ନେତାମାନେ ଅପେକ୍ଷାକରି ରହିଛନ୍ତି। ତାଙ୍କ ପ୍ରଚାର ପରେ ବିଜେଡି ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?