ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ ନିଆରା ଢଙ୍ଗରେ ପାଳିତ ହୁଏ ନୂଆଁଖାଇ। ସବୁଠି ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଖାଇ ।
ତେବେ କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନୂଆ ଖାଇବା ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ଶୁକ୍ଲପକ୍ଷ ଦଶମୀ ଅର୍ଥାତ ସେପ୍ଟେମ୍ବର ୨୧ ତାରିଖ ସୋମବାର ସକାଳ ୮. ଘଣ୍ଟା ୨୦ ମିନିଟରୁ ୯ ଘଣ୍ଟା ୩୦ ମିନିଟ ମଧ୍ୟରେ ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ। ଏହାପରେ ୧୦ଟାରୁ ୧୨ଟା ମଧ୍ୟରେ ଗଡ଼ଜାତ ଅଞ୍ଚଳର ଜନସାଧାରଣ ନୂଆ ଖାଇବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି । ମା’ଙ୍କ ନିକଟରେ ନବାନ୍ନ ଲାଗି ପରେ ଭବାନୀପାଟଣା ସହର ସମେତ ଗଡଜାତ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ମଦନପୁର, ରାମପୁର, ମାଣିକେଶ୍ବରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ପାଳିତ ହେବ ନୂଆଁଖାଇ ପର୍ବ । ଏନେଇ ରବିବାର କଳାହାଣ୍ଡି ରାଜ ପରିବାର ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି।
ଏ ସମ୍ପର୍କରେ ସଂସ୍କୃତି ଗବେଷକ ସତ୍ୟନାରାୟଣ ମହାପାତ୍ର କହିଛନ୍ତି, “କଳାହାଣ୍ଡିରେ ନୂଆଁଖାଇର ଏକ ଭିନ୍ନ ପରମ୍ପରା ରହିଛି। କୌଣସି ନିର୍ଦ୍ଦିଷ୍ଟ ତିଥିରେ ସମଗ୍ର ଜିଲାରେ ନୂଆଖାଇ ପାଳିତ ହୁଏ ନାହିଁ। ପର୍ଯ୍ୟାୟ ଭିତ୍ତିରେ ଅର୍ଥାତ୍ ଛଅଟି ପର୍ଯ୍ୟାୟରେ ଦୀର୍ଘ ୫୫ ଦିନ ଧରି କଳାହାଣ୍ଡିରେ ଏହା ପାଳିତ ହେଉଥାଏ । ସବୁଠାରୁ ମୁଖ୍ୟ ହେଉଛି କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ନୂଆଁଖାଇ । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମା’ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯାଇଥାଏ ।”
ମା’ ମାଣିକେଶ୍ୱରୀଙ୍କ ସହିତ ଭବାନୀପାଟଣା ସହର ଏବଂ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ କର୍ଲାପାଟ, ଥୁଆମୂଳ ରାମପୁର, ଜୟପାଟଣା, ଲାଞ୍ଜିଗଡ଼ ଏବଂ ମଦନପୁର ରାମପୁରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ନୂଆଁଖାଇ ପାଳନ ହୋଇ ଥାଏ ବୋଲି କହିଛନ୍ତି ।

