ମୁମ୍ବାଇ,୨୪ ।୪: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ରର କୋହ୍ଲାପୁରରେ ଆୟୋଜିତ ଏକ ସଂକଳ୍ପ ଯାତ୍ରାରେ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ଶରଦ ପାୱାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତକୁ ନେଇ କହିଥିଲେ ପୂର୍ବରୁ ବିଦେଶରୁ ଆସୁଥିବା ନେତାମାନେ ପ୍ରଥମେ ରାଜଧାନୀ ଦିଲ୍ଲୀରେ ପହଞ୍ଚୁଥିଲେ । ଏହାପରେ ହାଇଦ୍ରାବାଦ, କୋଲକାତା ଯାଉଥିଲେ । ହେଲେ ଏବେ ବିଦେଶି ନେତାମାନେ କେବଳ ଗୁଜରାଟ ଯାଉଛନ୍ତି ।
ପାୱାର କହିଛନ୍ତି, ମୁଁ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିଂହା ରାଓ, ମନମୋହନ ସମସ୍ତଙ୍କ କାର୍ଯ୍ୟକାଳ ଦେଖିଛି । ଏମାନଙ୍କ ସମୟରେ ଯେତେବେଳେ ବିଦେଶି ନେତା ଭାରତ ଆସୁଥିଲେ ସେତେବେଳେ ସେମାନେ ପ୍ରଥମେ ଦିଲ୍ଲୀ ଯାଉଥିଲେ । ନଚେତ୍ ହାଇଦ୍ରାବାଦ ଅବା କୋଲକାତା ଯାଉଥିଲେ । ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଏବେ ଯଦି କେହି ବିଦେଶି ନେତା ଆସୁଛନ୍ତି ତେବେ ସେ କେବଳ ଗୁଜରାଟ ଯାଉଛନ୍ତି ।