‘ବେଟା’ ନୁହେଁ

ସେପ୍ଟେମ୍ବର ୧୩ରେ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ତାମିଲ୍‌କୁ ଈଶ୍ୱରଙ୍କ ଭାଷା ବୋଲି କହିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ବିଭିନ୍ନ ଦେଶ ଓ ଧର୍ମରେ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି ଏବଂ ଆଞ୍ଚଳିକ ତଥା ସାଂସ୍କୃତିକ ପରିବର୍ତ୍ତନ ଯୋଗୁ ଏହା ବଦଳୁଛି। ସ୍ଥାନୀୟ ଭାଷାରେ ଦେବ ସେବା ଓ ପୂଜା କରାଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ହେଲେ ଆମ ଦେଶରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇ ସଂସ୍କୃତକୁ ଏକ ଦେବ ଭାଷା ଭାବେ ଦୀର୍ଘକାଳ ଧରି ପ୍ରଚାର କରାଯାଇଆସୁଛି। କେବଳ ସଂସ୍କୃତରେ ବେଦ ଆବୃତ୍ତି କଲେ ଭଗବାନ ଶୁଣନ୍ତି ଏବଂ ଭାରତରେ ଅନ୍ୟ କୌଣସି ଭାଷା ଠାକୁର ଜାଣିନାହାନ୍ତି ବୋଲି ପରୋକ୍ଷରେ ଲୋକଙ୍କ ମନ ଭିତରେ ପୂରେଇ ଦିଆଯାଇଛି।
ଭାରତରେ ବିଭିନ୍ନ ଭାଷାଭାଷୀ ଓ ଧର୍ମର ଲୋକ ଏକତା ସୂତ୍ରରେ ବାନ୍ଧିହୋଇ ରହିଛନ୍ତି। ଧାର୍ମିକ ସ୍ବାଧୀନତା ମଧ୍ୟ ଏହାର ଅନ୍ୟ ଏକ ପ୍ରତୀକ। ବିଭିନ୍ନ ଧର୍ମର ଲୋକ ସେମାନଙ୍କ ଭାଷାରେ ଈଶ୍ୱରଙ୍କୁ ଉପାସନା କରନ୍ତି। ହିନ୍ଦୁମାନେ ମଧ୍ୟ ଅନେକ ଦେବଦେବୀଙ୍କୁ ବିଶ୍ୱାସ କରନ୍ତି। କୁହାଯାଏ ୩୩ କୋଟି ଦେବଦେବୀ ଆମର ଉପାସ୍ୟ। ମନ୍ଦିର ଓ ପୂଜାପୀଠଗୁଡ଼ିକରେ ପୂଜକ ମନ୍ତ୍ର ଉଚ୍ଚାରଣ କରି ଭଗବାନଙ୍କୁ ଆମ କଥା ଜଣାନ୍ତି। ଭକ୍ତ ଓ ଭଗବାନ୍‌ଙ୍କ ମଧ୍ୟରେ ଭାଷା ଲାଗି ଏକ ମଧ୍ୟସ୍ଥର ଆବଶ୍ୟକତା ସବୁବେଳେ ରହି ଆସିଛି। ଏହା ପଛରେ ଏକ ବିରାଟ ସାମାଜିକ ଓ ଅର୍ଥନୈତିକ ମନ୍ଦ ଉଦ୍ଦେଶ୍ୟ ଲୁକ୍କାୟିତ ରହିଛି। ସମସ୍ତେ ଜାଣନ୍ତି ମା’ ଯେଉଁ ଭାଷା କୁହନ୍ତି, ତାହା ସନ୍ତାନକୁ ଶିଖିବା ସକାଶେ କେବେହେଲେ କଷ୍ଟକର ହୁଏ ନାହିଁ। ଏହି ଚିନ୍ତାଧାରାକୁ ବିରୋଧ କରୁଥିବା କେତେକ ଲେଖକ ଓ କବି ଭାରତର ବିଭିନ୍ନ ଭାଷାକୁ ପ୍ରବଳ କ୍ଷତି ମଧ୍ୟ ପହଞ୍ଚାଇଛନ୍ତି। ଉଦାହରଣ ସ୍ବରୂପ, ଓଡ଼ିଶାର ଜଣେ ପ୍ରସିଦ୍ଧ କବି ଅତ୍ୟନ୍ତ କ୍ଳିଷ୍ଟ ଶବ୍ଦ ବ୍ୟବହାର କରି ତାଙ୍କର ଜ୍ଞାନ ସମ୍ପର୍କରେ ପ୍ରମାଣ ଦେବାକୁ ଯାଇ ଓଡ଼ିଆ ଭାଷାକୁ ଦୁର୍ବୋଧ୍ୟ କରିଦେଇଛନ୍ତି। ଅବଶ୍ୟ ଆଜି ତାଙ୍କର ଅନେକ ଚେଲାଚାମୁଣ୍ଡା ତାଙ୍କୁ ଉଚ୍ଚ ସ୍ଥାନରେ ବସାଇ ସମ୍ମାନ ଦେଉଛନ୍ତି। ସେହି କବିଙ୍କ ଭଳି ଆହୁରି କେତେକ ଉଚ୍ଚଜାତିର ଲୋକ ଭାରତୀୟ ଉପମହାଦେଶର ବିଭିନ୍ନ ପୁରାତନ ଭାଷାକୁ ବୁଝିଶୁଝି ଧ୍ୱଂସ କରିଦେଇଛନ୍ତି। ଏହାର ଉଦାହରଣ ପାଲି ଓ ପ୍ରାକୃତ ଭାଷାରେ ଦେଖାଯାଇପାରେ। ସଂସ୍କୃତକୁ ଶକ୍ତିଶାଳୀ କରିବା ପାଇଁ ଏହି ଉଚ୍ଚଜାତିର ପୁରୋଧାମାନେ ପାଲି ଓ ପ୍ରାକୃତକୁ କବର ଦେବା ଉଦ୍ଦେଶ୍ୟରେ ଦୀର୍ଘ ପିଢ଼ି ଧରି କାର୍ଯ୍ୟ କରିଛନ୍ତି। ଆଜି ଧଉଳି ପାଖରେ ଥିବା ଅଶୋକଙ୍କ ସମୟର ପଥର ଖୋଦନ ଲିପିକୁ ଭାରତରେ କେହି ପଢ଼ିବା ପାଇଁ ଯୋଗ୍ୟ ନୁହନ୍ତି। ଏହିଭଳି ଉଦାହରଣ ସମଗ୍ର ପୃଥିବୀରେ କ୍ୱଚିତ ଦେଖିବାକୁ ମିଳେ। ସଂସ୍କୃତ ଭାଷାକୁ ଯେଉଁମାନେ ପ୍ରୋତ୍ସାହିତ କରିଆସୁଛନ୍ତି, ସେମାନେ ସାଧାରଣ ନାଗରିକଠାରୁ ଅନେକ ମୌଳିକ ଅଧିକାର ଛଡ଼ାଇ ନେବା ପାଇଁ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଛନ୍ତି। ଏଠାରେ ମନେପଡ଼େ, ସ୍ବାଧୀନତା ପରେ ଯେତେବେଳେ ସମଗ୍ର ଭାରତ ପାଇଁ ଇଂଲିଶ ପରିବର୍ତ୍ତେ କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି (ସାମ୍ବିଧାନିକ ସଭା)ରେ ଗୋଟିଏ ଭାଷା ପାଇଁ ଆଲୋଚନା ହେଲା ସେତେବେଳେ ନରହର ବିଷ୍ଣୁ ଗାଡଗିଲ ସଂସ୍କୃତ ସପକ୍ଷରେ ମତ ବାଢ଼ିଲେ ଏବଂ ତାହାକୁ ଅନ୍ୟ କେତେକ ସଦସ୍ୟ ସମର୍ଥନ କଲେ। ଯଦି ଗାଡଗିଲଙ୍କ କଥା କାର୍ଯ୍ୟକାରୀ ହୋଇପାରିଥାଆନ୍ତା, ତେବେ ଆଜି ଭାରତରେ ଅନେକ ଆଞ୍ଚଳିକ ଭାଷା ମରିସାରନ୍ତାଣି। ଯେକୌଣସି ଭାଷାକୁ ମାରିବାର ସହଜ ଉପାୟ ଅଛି। ଅନ୍ୟ ଏକ ଭାଷା ଶିଖିଲେ ଅର୍ଥନୈତିକ ଉନ୍ନତି ହେବ ବୋଲି ଲାଳସା ଦେଖାଇପାରିଲେ କାର୍ଯ୍ୟ ସହଜ ହୋଇଥାଏ। କିନ୍ତୁ ସେହି ନୂଆ ଭାଷା ଶିଖାଇବା ପାଇଁ ଶିକ୍ଷକ ସୃଷ୍ଟି କରାଇବା ପ୍ରଥମେ ଗୁରୁତ୍ୱ ଧାରଣ କରେ। ସେହି ପଦବୀ ପାଇଁ ଅନେକ ଲୋକ ଲାଗି ପଡ଼ିବେ। ପ୍ରଥମ କିମ୍ବା ଦ୍ୱିତୀୟ ପିଢ଼ିରେ ଶିକ୍ଷକ ସୃଷ୍ଟି ହେଉଥିବା ସମୟରେ ସେମାନଙ୍କର ମାତୃଭାଷା ଗୌଣ ହୋଇଯାଏ। ସମୟ ଅତିକ୍ରାନ୍ତେ କେତୋଟି ପିଢ଼ି ପରେ ନୂତନ ଭାଷା ମୁଖ୍ୟ ସ୍ଥାନରେ ପହଞ୍ଚତ୍ଲା ବେଳକୁ ଗୌଣ ହୋଇ ମରିଯିବ। ଯେହେତୁ ସ୍ବାଧୀନତା ପରେ ସଂସ୍କୃତ ପରିବର୍ତ୍ତେ ହିନ୍ଦୀକୁ ଜାତୀୟ ଭାଷା ଭାବେ ପ୍ରଚାର କରିବାର ମନ୍ଦ ଉଦ୍ଦେଶ୍ୟକୁ ପ୍ରବଳ ବିରୋଧ କରାଗଲା ଏବଂ ବିଶେଷକରି ତାମିଲଭାଷୀ ଲୋକ ଏହି ବିରୋଧର ଅଗ୍ରଣୀ ଭୂମିକା ଗ୍ରହଣ କଲେ, ସେଥିପାଇଁ ତାମିଲ ଆଜି ଏକ ଶକ୍ତିଶାଳୀ ଭାଷା ଭାବେ ବଞ୍ଚତ୍ରହିଛି। ଅନ୍ୟପଟେ ଓଡ଼ିଆ ଭାଷାକୁ ଘୃଣା ଚକ୍ଷୁରେ ଖୋଦ୍‌ ଓଡ଼ିଆ ଦେଖିବାକୁ ପସନ୍ଦ କଲେ, ସେଥିପାଇଁ ଆମ ଭାଷାର ଗୁରୁତ୍ୱ ଜାତୀୟ ସ୍ତରରେ ଦୁର୍ବଳ ହୋଇଗଲା। ଯେତେବେଳେ ଭାଷା ଦୁର୍ବଳ ହୋଇଯାଏ, ସେତେବେଳେ ସେହି ଜାତିର ପରିଚୟ ମଧ୍ୟ କ୍ଷୀଣ ହୋଇଯାଏ। ସବୁ ସ୍ଥିତିରୁ ବଞ୍ଚତ୍ବାର ମଧ୍ୟ ପନ୍ଥା ରହିଛି। ଅନେକ ଓଡ଼ିଆଙ୍କ ପ୍ରଚେଷ୍ଟା ଯୋଗୁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ କ୍ଲାସିକ୍‌ ଲାଙ୍ଗୁଏଜ୍‌ ବା ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିପାରିଛି। କିନ୍ତୁ ସେହି ମାନ୍ୟତା ଆମ ଭାଷାକୁ ବଞ୍ଚାଇ ରଖିପାରିବ ନାହିଁ। ଯେପର୍ଯ୍ୟନ୍ତ ଗୋଟିଏ ବି ଓଡ଼ିଆ ମା’ ତାଙ୍କର ସନ୍ତାନକୁ ‘ବେଟା’ କହି ଡାକୁଥିବେ ସେପର୍ଯ୍ୟନ୍ତ ଓଡ଼ିଆ ଭାଷା ପ୍ରତି ବିପଦ ଟଳିନାହିଁ ବୋଲି ଚିନ୍ତା କରିବାକୁ ହେବ।
ଏକବିଂଶ ଶତାବ୍ଦୀରେ ଭାରତର ଯୁବପିଢ଼ି ପାଇଁ ଅନେକ ଆହ୍ବାନ ରହିଛି। କେବଳ ଚାକିରି ନୁହେଁ, ନିଜର ଚିନ୍ତାଧାରାକୁ ପ୍ରକାଶ କରିବା ସକାଶେ ସୋସିଆଲ ମିଡିଆ ସହିତ ଆହୁରି ଅନେକ କାର୍ଯ୍ୟ କରିପାରିଲେ ନିଜ ଗୋଡ଼ରେ ଛିଡ଼ା ହେବା ସମ୍ଭବପର ହୋଇପାରିବ। ଭାଷାର ସହଯୋଗ ମିଳିଲେ ଜଣେ ଭାରତୀୟ ନିଜକୁ ଶକ୍ତିଶାଳୀ କରିପାରିବ। ମାଡ୍ରାସ ହାଇକୋର୍ଟଙ୍କ ମନ୍ତବ୍ୟକୁ ସମ୍ମାନ ଦେବା ସହ ଏହା ମଧ୍ୟ କୁହାଯିବ ଯେ, କେବଳ ପ୍ରାର୍ଥନା ବା ଠାକୁରଙ୍କ ପାଖରେ ଗୁହାରି ପାଇଁ ଭାଷାର ଗୁରୁତ୍ୱ ସୀମିତ ରହୁ ନାହିଁ। ନିଜ ମାତୃଭାଷା ଶିଖିବା ସହିତ ଆଜିର ଯୁଗରେ ଅନେକ ବୈଷୟିକଭିତ୍ତିକ ଭାଷା ସୃଷ୍ଟି ହେଲାଣି, ଯାହା ଶିଖିବା ପାଇଁ ଇଂଲିଶ ଅପରିହାର୍ଯ୍ୟ। ଇଂଲିଶକୁ ବିରୋଧ କଲେ ଆସନ୍ତାକାଲିର ପିଢ଼ିକୁ ଅନ୍ତର୍ଜାତୀୟ ସ୍ତର ପ୍ରତିଯୋଗିତାରେ ଆମେ ପଙ୍ଗୁ କରି ଛାଡ଼ିଦେବୁ। ସେଥିପାଇଁ କରଦାତାଙ୍କ ଅର୍ଥରେ ପାଳନ କରାଯାଉଥିବା ‘ହିନ୍ଦୀ ଦିବସ’ ପରିବର୍ତ୍ତେ ପ୍ରତ୍ୟେକ ରାଜ୍ୟରେ ପ୍ରଚଳିତ ଭାଷା ଓ ଉପଭାଷାକୁ ସମ୍ମାନ ଦେବା ପାଇଁ ‘ଜାତୀୟ ମାତୃଭାଷା ଦିବସ’ ପାଳନ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri