ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି। ଅନେକ ସ୍ଥାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିଛି। ଫଳରେ ଏଠାରେ ସଡ଼କ ଦୁର୍ଘଟଣା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ପୂର୍ବରୁ ଏହି ବିପଦସଙ୍କୁଳ ଫୋରଲୋନ୍ ରାଜପଥ ଅନେକ ଲୋକଙ୍କ ଜୀବନ ନେଇ ସାରଛି। ଏହାସତ୍ତ୍ୱେ ଏଥିପ୍ରତି ନ୍ୟାଶନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ) ନୀରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇ ଥିବାବେଳେ ଆନ୍ଦୋଳନ ମୁଣ୍ଡ ଟେକି ବସିଛି।
ସୂଚନା ଅନୁଯାୟୀ, ଏହି ରାଜପଥର ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ଦୀର୍ଘ ୮୮କି.ମି ରାସ୍ତା ଫୋରଲେନ୍ ହୋଇଛି। ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକଠାରୁ ଟୋଲଟ୍ୟାକ୍ସ ଅସୁଲି ପାଇଁ ସହର ଉପକଣ୍ଠ ବରାହଗୋଡ଼ାଠାରେ ଏକ ଟୋଲପ୍ଲାଜା ମଧ୍ୟ ନିର୍ମିତ ହୋଇଛି। ରାଜପଥ ଫୋରଲେନ୍ ହେବା ପରେ ପୂର୍ବଭଳି ଆଉ ଲୋକେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରାଯାଉଥିଲା। କିନ୍ତୁ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନାହିଁ। ରାସ୍ତା ନିର୍ମାଣରେ ବିଭିନ୍ନ ତୃଟି ସାଙ୍ଗକୁ ରକ୍ଷଣାବେକ୍ଷଣ ପ୍ରତି ଅଣଦେଖା କରାଯାଉଥିବା ଯୋଗୁ ଏହି ରାଜପଥରେ ନିୟମିତ ଲୋକେ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ରାଜପଥର ବରଗଡ଼ଠାରୁ ଆରମ୍ଭ କରି ବରାହଗୋଡ଼ା, ଦେବାହାଲ, ରେଙ୍ଗାଲିକ୍ୟାମ୍ପ, ଅଇଁଠାପାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ସେହିପରି ବରଗଡ଼ ହଲଦୀପାଲି ଛକଠାରୁ ଘୁଲିପାଲି ଛକ ପର୍ଯ୍ୟନ୍ତ ବର୍ଷାଧିକକାଳ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ। ଆହୁରି ଅନେକ ସ୍ଥାନରେ ଏଭଳି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଛି। କେବଳ ସେତିକି ନୁହେଁ, ରାଜପଥ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ହୋଇ ନ ଥିବା ଯୋଗୁ ରାଜପଥର ବର୍ଷାଜଳ ବରାହଗୋଡ଼ା ଭଳି ଅନେକ ପାର୍ଶ୍ୱବର୍ତ୍ତୀ ଗ୍ରାମକୁ ପଶୁଛି। ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ମାତ୍ର ତାର ପ୍ରତିକାର ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି।
ତେବେ ଏଠାରେ ଏହି ସମସ୍ୟା ନୂଆଁ ନୁହେଁ। ନିର୍ମାଣ ହେବା ପରଠାରୁ ଏହି ଫୋରଲେନ୍ ରାଜପଥ ନିର୍ମାଣରେ ତ୍ରୁଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଥିଲେ। ବାରମ୍ବାର ଜିଲାପାଳଙ୍କୁ ଫେରାଦ ହେବା ପରେ ଖଡ଼ଗପୁର ଆଇଆଇଟିର ଏକ ବୈଷୟିକ ଦଳ ଏଠାକୁ ପହଞ୍ଚି ନିର୍ମାଣ ହୋଇଥିବା ଫୋରଲେନ୍ ରାଜପଥକୁ ଅନୁଧ୍ୟାନ କରିଥିଲେ। ବିଭିନ୍ନ ତୃଟି ନିରୀକ୍ଷଣ କରି ତାର ପ୍ରତିକାର ପାଇଁ ସେହି ବୈଷୟିକ ଦଳ ରାସ୍ତା ନିର୍ମାଣକାରୀ ସଂସ୍ଥା ଏବଂ ଏନଏଚଏଆଇକୁ ବିଭିନ୍ନ ପରାମର୍ଶ ଦେଇଥିଲେ। ମାତ୍ର ତାହା ଏପର୍ଯ୍ୟନ୍ତ ସେଭଳି ପରାମର୍ଶରେ ହିଁ ସୀମିତ ରହି ଯାଇଛି। ଏହି ରାସ୍ତାରେ ସଡ଼କ ଦୁର୍ଘଟଣା ସହିତ ମୃତାହତଙ୍କ ସଂଖ୍ୟାବଢ଼ି ଚାଲିଛି। ଅପରପକ୍ଷେ ରାଜପଥର ରକ୍ଷଣାବେକ୍ଷଣକୁ ଅଣଦେଖା କରୁଥିବା ଏନ୍ଏଚଏଆଇ ମଧ୍ୟ ବର୍ଷକୁ ବର୍ଷ ଟୋଲଟ୍ୟାକ୍ସ ବୃଦ୍ଧି କରିବାରେ ଲାଗିଛି। ତେବେ ଗୋଟିଏ ପଟେ ଟୋଲଟ୍ୟାକ୍ସ ବୃଦ୍ଧି ସହିତ ଟୋଲପ୍ଲାଜାରେ ତାହା ଆଦାୟ କରିବାରେ ଏନଏଚଏଆଇ ପୂରାଦମ୍ରେ ଲାଗି ପଡ଼ିଥିବାବେଳେ ଅନ୍ୟପଟେ ରାଜପଥର ମରାମତି, ଉନ୍ନତିକରଣ, ଅଚଳ ଷ୍ଟ୍ରଟ୍ ଲାଇଟ୍କୁ କାର୍ଯ୍ୟକ୍ଷମ କରିବା, ବିପଦସଙ୍କୁଳ ସ୍ଥାନରେ ବିହିତ ପଦକ୍ଷେପ ନେବା ଦିଗରେ ନୀରବ ରହିବା ଅଞ୍ଚଳରେ ଅସନ୍ତୋଷର ଦାନା ବାନ୍ଧୁଛି।
Dharitri – Odisha’s No.1 Odia Daily

