
ଢାକା,୨୬।୧: ବାଂଲାଦେଶର ଏକମାତ୍ର ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍ ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ)ର ଚଳିତ ସଂସ୍କରଣ ବିନା ଡିସିଶନ ରେଭ୍ୟୁ ସିଷ୍ଟମ (ଡିଆର୍ଏସ୍)ରେ ଖେଳାଯାଉଛି। ଲିଗ୍ରେ ଡିଆର୍ଏସ୍ ସିଷ୍ଟମ ଉପଲବ୍ଧ କରାଇବାରେ ବିଫଳ ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)।
ପୂରା ବିଶ୍ୱରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଡିଆର୍ଏସ୍ ସୁବିଧା ଯୋଗାଉଥିବା ହକ୍-ଆଇ କମ୍ପାନୀ ତା’ର ବିଶେଷଜ୍ଞ ବାଂଲାଦେଶକୁ ପଠାଇବାରେ ବିଫଳ ହୋଇଛନ୍ତି। ତେବେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏହାର ଆଯୋଜନ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଏଣୁ ସର୍ଭିସ ଯୋଗାଉଥିବା କମ୍ପାନୀର ବିଶେଷଜ୍ଞ ଅନ୍ୟ ଫ୍ରାଞ୍ଚାଇଜ ଲିଗ୍ରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ।
“ଆମକୁ ବିପିଏଲ ପାଇଁ ଏକ ନିର୍ଦ୍ଧାରିତ ଟାଇମ୍ ସ୍ଲଟ୍ ମିଳୁନାହିଁ। ପରବର୍ତ୍ତୀ ଏଫ୍ଟିପି (ଫ୍ୟୁଚର ଟୁର ପ୍ରୋଗ୍ରାମ) ସାଇକେଲ ପୂର୍ବରୁ ଆମେ ଆଇସିସି ସହ ଆଲୋଚନା କରିବୁ ଏବଂ ବିପିଏଲ ପାଇଁ ଏକ ଧାର୍ଯ୍ୟ ଟାଇମ୍ ସ୍ଲଟ ଦେବାକୁ ଅନୁରୋଧ କରିବୁ। ବର୍ତ୍ତମାନ ବିପିଏଲ୍ ଆୟୋଜନ ସମୟରେ କୌଣସି ଅନ୍ତର୍ଜାତୀୟ ସିରିଜ୍ ଅନୁଷ୍ଠିତ ହେବ କି ନାହିଁ ଆମକୁ ଜଣାନାହିଁ। ଏହାବାଦ୍ କୋଭିଡ୍-୧୯ କାରଣରୁ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ବାଧାପ୍ରାପ୍ତ ହୋଇଛି। ଅନେକ ଅନ୍ତର୍ଜାତୀୟ ସିରିଜ୍ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପରବର୍ତ୍ତୀ ଆଇସିସି ଏଫ୍ଟିପି ସାଇକେଲ ପୂର୍ବରୁ ଏହାର ସମାଧାନ କରିବୁ ବୋଲି ଆଶା ରଖିଛୁ” ବୋଲି ଜଣେ ବିସିବି ଅଧିକାରୀ କହିଛନ୍ତି।
ଡିଆର୍ଏସ୍ ଉପଲବ୍ଧ ନ ଥିବାରୁ ମିନିଷ୍ଟର ଢ଼ାକା ଓ ସିଲହେଟ ସନରାଇଜର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ମ୍ୟାଚ୍ରେ ଫିଲ୍ଡ ଅମ୍ପାୟରଙ୍କ ୩ ନିଷ୍ପତ୍ତିକୁ ନେଇ ଖେଳାଳି ଅସନ୍ତୋଶ ପ୍ରକଟ କରିଥିଲେ। ତାମିମ ଇକବାଲ ଏଲ୍ବିଡବ୍ଲ୍ୟୁ ଦିଆଯିବା ପରେ ସେ ସନ୍ତୁଷ୍ଟ ନ ଥିଲେ। ମହମ୍ମଦ ନଇମ ରିଭର୍ସ ସୁଇପ ମାରିବାକୁ ଉଦ୍ୟମ କଲା ବେଳେ ତାଙ୍କ ଗ୍ଲୋଭରେ ବଲ ବାଜିଥିଲା। ଏହା ସତ୍ତ୍ୱେ ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ ଦିଆଯାଇଥିଲା। ସମାନ ଘଟଣା ଘଟିଥିଲା ଆନ୍ଧ୍ରେ ରସେଲଙ୍କ ସହ।