ଛୁଇଁବା ନାହିଁ ତ କି ଶୁଶ୍ରୂଷା

ସହଦେବ ସାହୁ

 

କରୋନା ଭାଇରସ ମଣିଷଠୁ ମଣିଷକୁ ସଂକ୍ରମଣ କରୁଥିବାରୁ ଏହାକୁ ରୋକିବାର ମୁଖ୍ୟ ଉପାୟ ଭିତରେ ଅନ୍ୟତମ ହେଉଛି ସଙ୍ଗରୋଧ ବା ସୋସିଆଲ୍‌ ଡିଷ୍ଟାନ୍ସିଂ। ଏ ଉପାୟ ସମ୍ବନ୍ଧରେ ସଚେତନ ନ ଥିବା ଲୋକଙ୍କ ପାଇଁ ଯିବାଆସିବା ବନ୍ଦ ବା ଲକ୍‌ଡାଉନ୍‌ କରାଯାଏ। ପାଖରେ କାଳେ କେହି ଆସିଯିବ ବା ତୁମ ବାଟେ କେହି ଯାଇଥିବ ଓ ତାହାର ଶ୍ୱାସକ୍ରିୟାରୁ ନିର୍ଗତ ବାୟୁବାହିତ ଭୂତାଣୁ ଭାସୁଥିବ ସେଥିଲାଗି ମାସ୍କ ଦରକାର। ହସ୍ପିଟାଲରେ ନିଯୁକ୍ତ କର୍ମଚାରୀମାନଙ୍କୁ ପୂରାପୂରି ସୁରକ୍ଷା ଯୋଗାଇବା ପାଇଁ ବ୍ୟକ୍ତିଗତ ପୋଷାକ, ପର୍ସନାଲ୍‌ ପ୍ରୋଟେକ୍ସନ୍‌ ଇକ୍ୱିପ୍‌ମେଣ୍ଟ (ପିପିଇ), ଦିଆଯାଇଥିବା ଯୋଗୁ ରୋଗୀଠାରୁ ଦୂରେଇ ରହିବାର ଆବଶ୍ୟକତା ନ ଥାଏ। ହାତରେ ଦସ୍ତାନା ଥିବାରୁ କୋଭିଡ୍‌-୧୯ ରୋଗୀକୁ ଛୁଇଁବା ମନାନାହିଁ । ସାଧାରଣ ରୋଗୀକୁ ବା ସର୍ଜରି ଅପେକ୍ଷାରେ ଥିବା ରୋଗୀକୁ ଯେପରି ସାଦା ପୋଷାକଧାରୀ ଡାକ୍ତର ଓ ନର୍ସମାନେ ଦେଖଶୁଣା କରନ୍ତି କୋଭିଡ୍‌-୧୯ ରୋଗୀକୁ ପିପିଇ ପିନ୍ଧିଥିବା କର୍ମଚାରୀମାନେ ସେହିପରି ଦେଖାଶୁଣା କରିପାରିବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖାଯାଉଛି କରୋନା ସଂକ୍ରମିତ ରୋଗୀ ପୂରାପୂରି ନିଃସଙ୍ଗ, ଅସ୍ପୃଶ୍ୟ । ରୋଗୀର ଆଟେଣ୍ଡାଣ୍ଟ ଯେତେ ସୁରକ୍ଷିତ ହୋଇଗଲେ ବି ତାକୁ ଛଡ଼ାଯାଉନାହିଁ, ଏପରି କି ରୋଗୀଠାରୁ ଫୋନ୍‌ ବି ଛଡ଼ାଇ ନିଆଯାଏ। ତା’ ସହିତ ଡିଜିଟାଲ୍‌ ସମ୍ପର୍କ ବି ରହୁନାହିଁ। ତାହାର କଷ୍ଟ ଶୁଣିବାକୁ ପ୍ରାୟ କେହି ନ ଥାଏ।
ସାହି, ବସ୍ତି ବା ଗାଁଗଣ୍ଡାରେ ସୋସିଆଲ୍‌ ଡିଷ୍ଟାନ୍ସିଂ ମାନିବା ବୋଲି କ’ଣ ହସ୍ପିଟାଲ୍‌ ବେଡ୍‌ରେ ରୋଗୀକୁ ଛୁଇଁବା ନାହିଁ? ଏ ପ୍ରକାରର ଧାରଣା ସଂକ୍ରମିତକୁ ସେବା, ଶୁଶ୍ରୂଷା ଓ ଡାକ୍ତରୀ ପରାମର୍ଶରୁ ବଞ୍ଚିତ କରେ। ତାହା ଯେ ମୃତ୍ୟୁହାର ବଢ଼ାଇ ଦେଇପାରେ କେହି ଭାବୁନାହାନ୍ତି। କରୋନାଭୂତାଣୁ ସଂକ୍ରମଣ ହୋଇଛି (ପଜିଟିଭ୍‌) ଶୁଣିଲେ ଲୋକ ଅଧା ମୃତ ହୋଇଯାଉଛି, ଏହି କାରଣରୁ। ମଣିଷ ଦେହରେ ରୋଗପ୍ରତିରୋଧକାରୀ (ଇମ୍ୟୁନ୍‌) ଶକ୍ତି ଅଛି, ତାହା ଭଲ ଭାବରେ କାମ କରିବା ପାଇଁ ମାନସିକ ଖୁସି ଦରକାର, ଚାପ ନୁହେଁ। ତା’ ସାଙ୍ଗରେ ଉପଯୁକ୍ତ ଚିକିତ୍ସା ମିଳିଗଲେ, ସୁସ୍ଥ ହେବା ସହଜ ହୋଇଯାଏ। ଔଷଧ ହେଉଛି ସ୍ବାସ୍ଥ୍ୟସେବାର ଏକ ଅଙ୍ଗ ମାତ୍ର। ରୋଗୀର ବଞ୍ଚିବାର ଇଚ୍ଛା ବଢ଼ିଲେ ଚିକିତ୍ସା ସଫଳ ହେବାରେ ଔଷଧ ଅନୁପୂରକ ହୁଏ। ରୋଗୀର ବଞ୍ଚିବାର ଇଚ୍ଛା ବଢ଼ିବାରେ ଉଲ୍ଲେଖନୀୟ ଭୂମିକା ରହିଛି ସେବା ଓ ଶ୍ରୁଶ୍ରୂଷାର, ଅର୍ଥାତ୍‌ ନର୍ସିଂର। ତା’ ସହିତ ନିଜର ଲୋକେ ମିଶାମିଶି କଲେ, ଆଉଁସା ଆଉଁସି କଲେ ରୋଗୀର ମନରେ ଭଲ ଭାବନା (ଫିଲିଂ ଅଫ୍‌ ୱେଲବିଂ) ଆସିଯାଏ। କୋଭିଡ୍‌-୧୯ ସଂକ୍ରମଣ ଶୁଣିଲା କ୍ଷଣି ସମସ୍ତେ ଛାଡ଼ ଛାଡ଼ ହେଉଛନ୍ତି । ସଂକ୍ରମଣ-ବିରୋଧରେ ପୋଷାକ (ପିପିଇ) ପାଇ ଡାକ୍ତର ଓ ସେବିକା ସେବକମାନେ କୋଭିଡ୍‌ ହସ୍‌ପିଟାଲ୍‌ରେ ଅଛନ୍ତି, ଅଥଚ ସେମାନେ ଅଛନ୍ତି ବୋଲି ରୋଗୀ ଅନୁଭବ କରିପାରୁ ନାହିଁ। ଆଡ୍‌ମିଶନ ହୋଇଗଲା ପରେ ରୋଗୀ ହିସାବରେ ତୁମ ପାଖକୁ କେହି ଯିବେ ନାହିଁ। ଔଷଧ ବା ଇଂଜେକ୍ସନ୍‌ ଦେଇଦେଲେ ଆଉ ସାଲାଇନ୍‌ ବୋତଲଟିଏ ଟଙ୍ଗାଇଦେଲେ ସବୁ ସରିଗଲା। ରୋଗୀ ଏକବାର ଏକଲା, ତା’ ଫୋନ୍‌ ବି ତା’ଠାରୁ ଛଡ଼ାଇ ନିଆଯାଉଛି। ସତେ ଯେମିତି କେହି ତାକୁ ଚାହୁଁନାହାନ୍ତି। ସେ ପୁଣି ଶୁଣିଛି ଯେ ମଲେ ତାକୁ ଛଣବିଡ଼ା ସାଙ୍ଗରେ ଫୋପାଡ଼ି ଦିଆଯିବ, ସତେ ଯେପରି ସେ ଏକ ଘୃଣ୍ୟ ପ୍ରାଣୀ ହୋଇଗଲା! ହସ୍ପିଟାଲ ଗଲେ ଏଭଳି ସଙ୍ଗହୀନତା ଓ ଅବହେଳା ଆଶଙ୍କା ବଢ଼ୁଛି ବୋଲି ଘରେ ରହିବା ଉଦ୍ଦେଶ୍ୟରେ ରୋଗ ଲୁଚାଇବାକୁ ପଡୁଛି, ଅଥଚ ଲୁଚାଇଲେ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ଜଣା ପଡ଼ିଗଲେ ଏକୁଟିଆ ହୋଇଯିବାର ଭୟ ଅଛି। ଏ ଏକ ଚକ୍ର, ଯାହା ମଣିଷର ମାନସିକ ସ୍ବାସ୍ଥ୍ୟକୁ ଓଲଟାଇ ଦେଉଛି। ମଣିଷ ଆଉ କେୟାରଫ୍ରିି ବା ବେପରୁଆ ହୋଇପାରୁନାହିଁ ।
ଲକ୍ଷ ଲକ୍ଷ ବର୍ଷର ଚାଲିଚଳଣ ମଣିଷକୁ ଏକ ଭ୍ରମଣଶୀଳ ପ୍ରାଣୀ କରିଦେଇଛି। ବସି ରହିଲେ ମେଦବୃଦ୍ଧି, ମଧୁମେହ, କର୍କଟ ଭଳି ଅଣସଂକ୍ରମଣମାରୀ ରୋଗ ଧରୁଛି। କାମ ଦାମ, ବୁଲାଚଲା ନାହିଁ ତ ଏ ରୋଗସବୁ ବଢି଼ବ । କର୍ମକ୍ଷମ ଲୋକଟିଏ ଏହି ମହାମାରୀର ପ୍ରଭାବରେ ଯେତେବେଳେ ଅକ୍ଷମ ହୋଇପଡ଼ିଛି ତାହାର ସ୍ବାସ୍ଥ୍ୟ ସେପରି ପ୍ରଭାବିତ ହୋଇଛି। କରୋନା ଭାଇରସ ବ୍ୟାପିବା ପରଠାରୁ ମଣିଷ ମଣିଷକୁ ଛୁଇଁବା ମନା ହୋଇଯାଇଛି। ସଙ୍ଗରୋଧ ଆଉ ସାମାଜିକ ଦୂରତା ରକ୍ଷା କରିବାକୁ ଯାଇ, ନିଜେ ଏକଲା ରହିବା ଓ କାହା ସାଙ୍ଗେ ନ ମିଶିବା ଆଦି ଯୋଗୁ ଲୋକେ ଭାବିବାକୁ ଲାଗିଲେଣି ଯେ କୋଭିଡ୍‌-୧୯ ସଂକ୍ରମିତ ବୋଲି ପ୍ରଚାର ହୋଇଗଲେ ତାକୁ କେହି ଭଲ ପାଇବେ ନାହିଁ। ସାଙ୍ଗ ସହ ହାତ ନ ମିଳାଇବା, କାହାରିକୁ କୋଳେଇ ନ ନେବା, ଦେଖିଲା କ୍ଷଣି କୁଣ୍ଢେଇ ନ ପକେଇବା, ଭଳି ବ୍ୟବହାର ମାନସିକ ଚାପ ସୃଷ୍ଟି କରୁଛି। ଦୈନନ୍ଦିନ କାରବାରରେ କେହି କାହାକୁ ଛୁଉଁନାହିଁ। ଆଦର, ପ୍ରେମ ଓ ସ୍ନେହର ଚିହ୍ନ ତ ଦେହକୁ ଛୁଇଁବା! ତାହା ହେଉନାହିଁ ମାନେ ଅସୁଖ ଲାଗୁଛି, ଅସୁସ୍ଥ ଲାଗୁଛି।
ଶତକଡ଼ା ୭୫ ଭାଗ ବେଡ୍‌ ଖାଲି, ଆଇସିୟୁ ରୁମ୍‌ ଶତକଡ଼ା ୯୦ ଖାଲି, ପୁଣି ଭେଣ୍ଟିଲେଟର ଶତକଡ଼ା ୫୦ ଅବ୍ୟବହୃତ, ତା’ ଉପରେ ପୁଣି ସଂକ୍ରମଣ କମୁଛି ବୋଲି ଖବର। ଏ ସବୁର ଅର୍ଥ ସେବିକା ସେବକ ଓ ଡାକ୍ତରମାନଙ୍କ ସଂଖ୍ୟା ତୁଳନାରେ ରୋଗୀ ସଂଖ୍ୟା କମିଗଲା, ତେଣୁ ପ୍ରତି ରୋଗୀର ବେଶି ଯତ୍ନ ନେଇ ହେବ! କିନ୍ତୁ ଆମେ ଶୁଣୁଛୁ ସଂକ୍ରମିତ ରୋଗୀଙ୍କ ମୃତ୍ୟୁହାର କମୁନାହିଁ।
ବିଛଣାରେ ପଡ଼ିଥିବା ଲୋକକୁ ସାଲାଇନ୍‌ ଦେବା, ଦେହ ହାତ ଆଉଁସି ଦେବା, ପଦେ ଦି’ପଦ ଉତ୍ସାହଭରା କଥା ହେବା ହେଉଛି ଶୁଶ୍ରୂଷାର ଅଙ୍ଗ। ମଝିରେ ମଝିରେ ଡାକ୍ତର ଆସି ଦେଖିଗଲେ ଆଉ ତା’ ସାଙ୍ଗରେ ଦି’ ପଦ ଆଶା ଭର୍ତ୍ତି କଲା ଭଳି କଥା ହେଲେ, ଏପରି କି ଦସ୍ତାନାଲଗା ପାପୁଲିରେ ଟିକେ ଆଉଁସି ଦେଲେ ରୋଗୀ ଖୁସି ହୋଇଯାଏ। ବୈଜ୍ଞାନିକମାନେ କହନ୍ତି ଲୋକ ଖୁସି ହେଲେ ତା’ ମସ୍ତିଷ୍କରେ ଅକ୍ସିଟୋସିନ୍‌ ନାମକ ହର୍ମୋନ୍‌ କ୍ଷରଣ ହୋଇଥାଏ। ଯେଉଁ ଟଚ୍‌ ବା ହସ୍ତସ୍ପର୍ଶ ସୌହାର୍ଦ୍ଦ୍ୟର ସନ୍ତକ ତାହା କଷ୍ଟକୁ ସହ୍ୟ କରିଦିଏ। ଯଦି କେହି ବେଡ୍‌ ପାଖକୁ ନ ଆସନ୍ତି ରୋଗୀ ଚିତ୍କାର କଲେ ବି କେହି ଶୁଣିବେ ନାହିଁ, ରୋଗୀ ତ ଅଧେ ମରିଯିବ। ପ୍ରଥମ ଲହରରେ ଏହି ଲେଖକର ପୁତୁରା କଳିଙ୍ଗନଗରର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ତା’ର ମୃତ୍ୟୁ ପର୍ଯ୍ୟନ୍ତ ତା’ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇପାରିଲା ନାହିଁ। ଜିଲାପାଳ ସହ ସମ୍ପର୍କ କରି ତାକୁ ଏସ୍‌ସିବିକୁ କିମ୍ବା କୌଣସି ଆଇସିୟୁ ରୁମ୍‌ ଥିବା ହସ୍ପିଟାଲ୍‌କୁ ଟ୍ରାନ୍ସଫର୍‌ କରିହେଲା ନାହିଁ, କାରଣ ଏହି ଲେଖକକୁ ଉତ୍ତର ମିଳିଲା ଆଇସିୟୁ କେଉଁଠି ଫାଙ୍କା ନାହିଁ। ଅଥଚ ଏବେ ଆପଣମାନେ ଶୁଣୁଛନ୍ତି ଆଇସିୟୁ ରୁମ୍‌ ଶତକଡ଼ା ୯୫ ଖାଲି ପଡ଼ିଛି। ତା’ଠୁ ଫୋନ୍‌ କାଢ଼ିନିଆଯାଇଥିଲା ମାନେ ସେ ତ ସମ୍ପର୍କୀୟମାନଙ୍କୁ ବି ଅନ୍ତଃକାଳରେ ପଦିଏ କଥା କହିପାରିଲା ନାହିଁ।
କାଗଜ ପତ୍ରରେ ବହୁତ ସୁବିଧା କଥା କୁହାଯାଉଛି। ମଲା ପରେ ଆଶୀର୍ବାଦ ମିଳିବ ବୋଲି ସରକାର କହୁଛନ୍ତି । ଡିଜିଟାଲ୍‌ ସମ୍ପର୍କ ବି ଛିଡ଼ାଇ ନେଉଥିବା ଚିକିତ୍ସା ବ୍ୟବସ୍ଥାରେ ମାନବୀୟ ସ୍ପର୍ଶ – ହ୍ୟୁମାନ୍‌ ଟଚ୍‌ ହଜିଯାଉଛି। ଅଧିକାରୀମାନେ ବୁଝୁନାହାନ୍ତି ଯେ ସାମାଜିକ ପ୍ରାଣୀର ବଞ୍ଚିରହିବା ମୂଳରେ ଅଛି ସ୍ପର୍ଶ ଓ ସଂସ୍ପର୍ଶ। ଆମ ମୁଣ୍ଡର ଏକ ବଡ଼ ଅଂଶ ସ୍ପର୍ଶ ସହିତ ସମ୍ପୃକ୍ତ, ଏକ ସ୍ବତନ୍ତ୍ର ଇନ୍ଦ୍ରିୟସତ୍ତା, ଅନୁଭୂତି ଯୋଗାଇବାର ମାଧ୍ୟମ । ଆମ ଚର୍ମ ଭିତରେ ଶହ ଶହ କୋଟି କୋଷ ରହିଛି, ଯାହା କେବଳ ସ୍ପର୍ଶ ପାଇଁ ଉଦ୍ଦିଷ୍ଟ । ବନ୍ଧୁଭାବାପନ୍ନ ସ୍ପର୍ଶ ଯଥା ଆଉଁସି ଦେବା, କୁଣ୍ଢେଇ ପକାଇବା, ଆଲିଙ୍ଗନ ଆଦି ଆମର ମନସ୍ତାପକୁ ଓ ମନଃଚାପକୁ ହ୍ରାସ କରିଥାଏ। ସ୍ପର୍ଶ ସ୍ନେହ ଓ ପ୍ରେମର ଚିହ୍ନ ରୂପେ ଆମ ଦେହରେ ଥିବା ବୋଝା ବୋଝା ସ୍ନାୟୁକୁ ସକ୍ରିୟ କରିଥାଏ, ଆମର ଇମ୍ୟୁନ୍‌ ସିଷ୍ଟମ୍‌କୁ ଉଜ୍ଜୀବିତ କରିଥାଏ, ହଜମ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ, ସୁନିଦ୍ରା ଆଣିଥାଏ। ଅନ୍ୟକୁ ସହାନୁଭୂତି ଦେଖାଇବାର ଯେଉଁ ଅଂଶ ଆମ ମସ୍ତିଷ୍କରେ ଅଛି ତାକୁ ସକ୍ରିୟ କରିଥାଏ। ସୁତରାଂ ପ୍ରଶ୍ନ ଉଠୁଛି – ମାନବୀୟ ସ୍ପର୍ଶର ଅଭାବ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ବଢୁନାହିଁ ତ! (କରୁଣା ଅଭାବରୁ କରୋନା ମାଡ଼ି ବସୁନାହିଁ ତ!) ମନେହୁଏ ମୃତ୍ୟୁକୁ ତ୍ୱରାନ୍ବିତ କରୁଛି ହସ୍ପିଟାଲ୍‌ ବେଡ୍‌ରେ ହସ୍ପିଟାଲ୍‌ କର୍ମଚାରୀଙ୍କ ସାମାଜିକ ଦୂରତା।
ଯେଉଁ ରୋଗୀର ମନରେ ଖୁସି ଆସିବାର ଅବସର ଡାକ୍ତର ଆଉ ସେବିକାମାନେ ଦିଅନ୍ତି ନାହିଁ ତାହା ମସ୍ତିଷ୍କରେ ଅକ୍ସିଟୋସିନ୍‌ କ୍ଷରଣ (ତେଣୁ ଖୁସିର ଲହର) ଆସିବ ନାହିଁ, ଦୁନିଆଟା ତାକୁ ଖାତିର୍‌ କରୁନାହିଁ ବୋଲି ସେ ଭାବିବ, ଏପରି ଦୁନିଆରେ ବଞ୍ଚତ୍ ରହି ଲାଭ କ’ଣ?
ସାମାଜିକ ପ୍ରାଣୀ ହେବାର ବହୁତ ସୁବିଧା ଅଛି। ଯଦି ଆମେ ଜଣେ ଭଲପାଉଥିବା ଲୋକର ବହୁତ ନିକଟରେ ରହୁ, ସହାନୁଭୂତି ଯୋଗାଉଥିବା ଲୋକର ସମ୍ପର୍କରେ ରହୁ, ତେବେ ଆମେ ବେଶିଦିନ ବଞ୍ଚିଥାଉ। ତୁମେ ଓ ତୁମର ଜୀବନ ସାଥୀ ଯେତେବେଳେ ପରସ୍ପର ସମ୍ପର୍କକୁ ନିବିଡ଼ କରିଥାନ୍ତି ବା ସେଭଳି ଯତ୍ନ ନିଅନ୍ତି, ସେତେବେଳେ ତୁମ ଜୀବନଟା ଉପଭୋଗ୍ୟ ହୋଇଯାଏ। ତେଣୁ ତୁମେ ଦୁହେଁ ଅସୁସ୍ଥ ହେବାର ସମ୍ଭାବନା କମିଯାଏ। ବିବାହିତ ଲୋକଙ୍କ ଉପରେ ହୋଇଥିବା ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଏକଲା ରହୁଥିବା ଲୋକ ତୁଳନାରେ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ଲୋକ କ୍ୟାନ୍‌ସର ବା ହୃଦ୍‌ରୋଗ ଭଳି ଗୁରୁତର ରୋଗରୁ ଭଲ ହୋଇଯିବାର ସମ୍ଭାବନା ବେଶି, ପୋଷା ଜୀବ ରଖିଥିବା ଲୋକର ଭଲ ହେବାର ସମ୍ଭାବନା ବେଶି। ଯେତେବେଳେ ଆମେ ରୋଗଗ୍ରସ୍ତ ହେଉ ମଣିଷର ସେବା, ସାହଚର୍ଯ୍ୟ ଓ ସୌହାର୍ଦ୍ଦ୍ୟ ଉପଶମ ଆଣିଥାଏ। ନର୍ସିଂସେବାର ଜନନୀ ନାଇଟିଙ୍ଗେଲ୍‌ଙ୍କ ଜୀବନୀ ଆମକୁ ଏହି ଶିକ୍ଷା ଦିଏ।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri