Posted inରାଜ୍ୟ

ସାର ମିଳୁନି, ଗଜା ହେଉନି ବିହନ

ଭୁବନେଶ୍ୱର,୧୪ା୭(ବ୍ୟୁରୋ): ଚାଷୀମାନଙ୍କୁ ସାର ମିଳୁନି। ସାର ଯୋଗାଣ କଳାବଜାରକାରୀଙ୍କ କବ୍‌ଜାରେ ରହିଛି। ଚାଷୀଙ୍କୁ ସରକାରୀ ମୂଲ୍ୟଠାରୁ ବହୁ ଅଧିକ ଦାମ୍‌ ଦେବାକୁ ପଡୁଛି। ସାର ସହିତ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ବାଧ୍ୟ କରାଯାଉଛି। ବର୍ଷା ହେଉଥିବାରୁ ଚାଷୀ ତଳି ପକାଇବାକୁ ବିହନ ପାଉନାହାନ୍ତି। ଯେଉଁ ବିହନ ଯୋଗାଇ ଦିଆଯାଉଛି ସେଥିରୁ ୫୦ ପ୍ରତିଶତ ଗଜା ହେଉନି। ରାଜ୍ୟର ବିଭିନ୍ନ ଜିଲାରେ ସାର ଓ ବିହନ ଯୋଗାଣକୁ ନେଇ ବିଧାନସଭାରେ ଅସନ୍ତୋଷ ଦେଖାଦେଇଛି। ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ସାର ଯୋଗାଣରେ ହେଉଥିବା ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କୃଷିମନ୍ତ୍ରୀଙ୍କଠାରୁ ଜବାବ ତଲବ କରିଛନ୍ତି।

ବିଧାନସଭା ମାୈସୁମୀ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବାଚସ୍ପତି ଗୃହକୁ ପ୍ରବେଶ କଲେ। ସଦସ୍ୟମାନେ ଛିଡ଼ା ହୋଇ ବାଚସ୍ପତିଙ୍କୁ ନମସ୍କାର ଜଣାଇଲେ । କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ମୂଳ ପ୍ରଶ୍ନ ନମ୍ବର ୧୨୧ରୁ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ। ସେ ପଚାରିଥିଲେ, ରାଜ୍ୟ ସରକାର ଚଳିତ ଖରିଫ ଋତୁରେ କେଉଁ ଜିଲାକୁ କେତେ ପରିମାଣର ୟୁରିଆ, ପଟାସ, ଡିଏପି, ଗ୍ରୋମୋର ଆଦି ସାର ଯୋଗାଇ ଦେଇଛନ୍ତି। ସାର ଚାଷୀଙ୍କୁ ନ ମିଳି କଳାବଜାର ହେଉଥିବା ସରକାର ଜାଣନ୍ତି କି।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ଚଳିତ ଖରିଫ ଋତୁରେ ରାଜ୍ୟର ବିଭିନ୍ନ ଜିଲାକୁ ୨ ଲକ୍ଷ ୫ ହଜାର ୯୯୨ ମେଟ୍ରିକ ଟନ୍‌ ୟୁରିଆ, ୭୭ ହଜାର ୬୭୧ ମେଟ୍ରିକ ଟନ୍‌ ଡିଏପି, ୨୬ ହଜାର ୬୯୮ ମେଟ୍ରିକ ଟନ୍‌ ପଟାସ(ଏମ୍‌ଓପି) ଏବଂ ୯୫ ହଜାର ୬୩୮ ମେଟ୍ରିକ ଟନ ଏନ୍‌ପିକେ (ଗ୍ରୋମୋର) ଯୋଗାଇ ଦିଆଯାଇଛି। ରାଜ୍ୟରେ ଚାଷୀମାନେ ଲାଇସେନ୍ସପ୍ରାପ୍ତ ଖୁଚୁରା ବିକ୍ରେତାଙ୍କଠାରୁ ସର୍ବାଧିକ ଖୁଚୁରା ମୂଲ୍ୟରେ ସାର କିଣିଥାଆନ୍ତି। ସାରଗୁଡ଼ିକର କଳାବଜାର ହେଉଥିବା ତଥ୍ୟ ବିଭାଗର ହସ୍ତଗତ ହୋଇ ନାହିଁ।

ବିଜେଡି ସଭ୍ୟ ଭୂପିନ୍ଦର ସିଂ ଅତିରିକ୍ତ ପ୍ରଶ୍ନରେ କହିଲେ, ଚାଷୀଙ୍କୁ ସାର ସୋସାଇଟି ଜରିଆରେ ଦିଆଯାଉ। ଭାଜପା ସଭ୍ୟ ଭାସ୍କର ମଢ଼େଇ କହିଲେ, କର୍ମଚାରୀ ଅଭାବରୁ ସାର ଚାଷୀଙ୍କୁ ଠିକ୍‌ ସମୟରେ ବଣ୍ଟାଯାଇ ପାରୁନାହିଁ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, ଚାଷୀଙ୍କୁ ୟୁରିଆ ଓ ଗ୍ରୋମୋର ପ୍ରଚୁର ମିଳୁଛି। ମାତ୍ର ଅନ୍ୟାନ୍ୟ ସାର, ବିହନ, କୀଟନାଶକ, ଜୈବିକ ସାର ମିଳୁ ନାହିଁ। ସରକାର ତୁରନ୍ତ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ।

ବିଜେଡି ସଭ୍ୟ ପ୍ରଦୀପ ଦିଶାରୀ କହିଲେ, ଚାଷୀଙ୍କୁ ସାର ସହିତ ଅନ୍ୟାନ୍ୟ ଜିନିଷ କିଣିବାକୁ ବାଧ୍ୟ କରାଯାଉଛି। ସେହି ଡିଲରମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡି ସଭ୍ୟ ରୁଦ୍ର ମହାରଥୀ କହିଲେ, ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଏ ପର୍ଯ୍ୟନ୍ତ ୨୫% ସାର ଚାଷୀଙ୍କୁ ମିଳି ନାହିଁ। ଯେଉଁ ବିହନ ଯୋଗାଇ ଦିଆଯାଇଛି ସେଥିରୁ ୫୦ ପ୍ରତିଶତ ଗଜା ହେଉନି। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ କହିଲେ, ନୂଆପଡ଼ା ଜିଲାରେ କେତେ ସାର ଆବଶ୍ୟକ ରହିଛି, କେତେ ଯୋଗାଇ ଦିଆଯାଉଛି। ନାନୋ ୟୁରିଆ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କୋରାପୁଟ ଜିଲାରେ କେତେ ସାର ଆବଶ୍ୟକ ଥିଲା। କେତେ ଯୋଗାଇ ଦିଆଯାଇଛି। ପଞ୍ଚାୟତ ଗୋଦାମରେ ସାର ରଖି ପ୍ୟାକ୍ସ ଓ ଲାମ୍ପ୍ସ ଜାରିଆରେ ଚାଷୀଙ୍କୁ ସାର ଯୋଗାଇ ଦେବା ବ୍ୟବସ୍ଥା କରିବେ କି? ବିଜେଡି ସଭ୍ୟ ରମେଶ ଚନ୍ଦ୍ର ସାଏ କହିଲେ, ଅନୁଗୋଳ ଜିଲାରେ କେତେ ସାର ଆବଶ୍ୟକ। କେତେ ଯୋଗାଇ ଦିଆଯାଇଛି। ଉତ୍ତରରେ ମନ୍ତ୍ରୀ କହିଲେ, ୨୦୨୨ ଏପ୍ରିିଲରୁ ଜୁଲାଇ ୧୧ ତାରିଖ ମଧ୍ୟରେ ରାଜ୍ୟକୁ ୧୦୩% ୟୁରିଆ ମିଳିଥିବା ବେଳେ ଡିଏପି ୬୭, ଏମ୍‌ଓପି ୬୬, ଏନ୍‌ପିକେ ୮୦ ପ୍ରତିଶତ ମିଳିଛି । ସେଥିରୁ ୮୫% ସାର ଯୋଗାଇ ଦିଆଯାଇଛି। ସାର ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ସଚିବଙ୍କ ସହ ପ୍ରତି ସପ୍ତାହର ମଙ୍ଗଳବାର, ଜିଲା ଅଧିକାରୀଙ୍କ ସହ ବୁଧବାର ଏବଂ ସାର ଯୋଗାଉଥିବା କମ୍ପାନୀଗୁଡ଼ିକ ସହ ଶୁକ୍ରବାର କଥାବାର୍ତ୍ତା କରାଯାଉଛି। ଚାଷୀମାନେ ସାର ଯେପରି ଠିକ୍‌ ସମୟରେ ପାଇବେ ସେ ନେଇ ଉଦ୍ୟମ କରାଯାଉଛି। ଏପ୍ରିିଲ ପହିଲାରୁ ଜୁନ୍‌ ୩୦ ତାରିଖ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟରୁ ୩ ଲକ୍ଷ ୬୪ ହଜାର ୨୩୨ ମେଟ୍ରିକ ଟନ ସାର ପାଇଛୁ। ଆହୁରି ୨ଲକ୍ଷ ୩୫ ହଜାର ୭୫୦ ମେଟ୍ରିକ ଟନ ସାର କେନ୍ଦ୍ର ସରକାର ଦେଇନାହାନ୍ତି । ସାର ଆମାଜନ କି ଫ୍ଲିପକାର୍ଟ ଜରିଆରେ କିଣାଯାଇ ପାରିବ ନାହିଁ। କେନ୍ଦ୍ର ସରକାର ଯୋଗାଇଲେ ଚାଷୀଙ୍କୁ ଦିଆଯିବ। ସାର ପାଇଁ କଞ୍ଚାମାଲ ରୁଷିଆ ଓ ବେଲାରୁଷରୁ ଆସେ । ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସମସ୍ୟା ଦେଖା ଦେଇଛି। ସାର ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ଏଭଳି ସମସ୍ୟା ଦେଖାଦେଇଛି। ରାଜ୍ୟର ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉନାହାନ୍ତି । ଫଳରେ ଓଡ଼ିଶାରେ ଚାଷୀମାନେ ପ୍ରତି ହେକ୍ଟର ପିଛା ୬୦ରୁ ୭୦ କେଜି ସାର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଡିଲରମାନେ ଚାଷୀଙ୍କୁ ଅନ୍ୟ ଜିନିଷ ନେବାକୁ ବାଧ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଡେଲାଙ୍ଗକୁ ୬,୨୧୮ ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇଛି। ଖୋର୍ଦ୍ଧା ଜିଲାକୁ ମୋଟ ୭ ହଜାର ୮୮ ମେଟ୍ରିକ ଟନ ସାର ଯୋଗାଣ ହୋଇଛି। ଆମଦାନୀ ଶୁଳ୍କ ବଢ଼ି ଯାଇଥିବାରୁ ସାର ଦାମ ମଧ୍ୟ ବଢ଼ିଛି। ନୂଆପଡ଼ା ଜିଲାକୁ ୧୬,୫୩୩ ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇଛି। ଯେଉଁଠି ସାର ଛଡ଼ା ଅନ୍ୟ ଜିନିଷ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପଠାଇ ତାହାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri