ନୂଆଦିଲ୍ଲୀ, ୧୮।୧୧: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ନିଜ ଦଳର ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ। ୱେଲିଂଟନରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ତାଙ୍କ ଦଳ ୩ ଜଣ ଦ୍ରୁତ ବୋଲର ଓ ଜଣେ ଅଲରାଉଣ୍ଡରଙ୍କ ସହ ମଇଦାନକୁ ଓହ୍ଲାଇବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବେସିନ ରିଜର୍ଭ ପିଚରେ ଦ୍ରୁତ ବୋଲରଙ୍କୁ ଭଲ ସହାୟତା ମିଳିବାର ସମ୍ଭାବନା ରହିଛି। ଏହି କାରଣରୁ ଭାରତୀୟ ଦଳ ମଧ୍ୟ ୪ ଜଣ ଦ୍ରୁତ ବୋଲରଙ୍କ ସହ ଖେଳିପାରେ।
ବୁଧବାର ଏକ ଖବରଦାତା ସମ୍ମିଳନୀରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ କହିଛନ୍ତି, ଆମେ ୩ ଜଣ ଦ୍ରୁତ ବୋଲର ଏବଂ ଜଣେ ବୋଲିଂ ଅଲରାଉଣ୍ଡରଙ୍କ ସହ ଖେଳିବୁ। କାଇଲ ଜେମିସନ ଓ ମ୍ୟାଟ ହେନ୍ରୀଙ୍କ ଖେଳିବା ପ୍ରାୟ ନିଶ୍ଚିତ। ତେବେ ତୃତୀୟ ଦ୍ରୁତ ବୋଲର କିଏ ହେବେ, ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।
ୱେଲିଂଟନ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ପାଇଁ ଏକ ଭଲ ଖବର ହେଉଛି ଯେ ମ୍ୟାଟ ହେନ୍ରୀ ମୁଣ୍ଡରେ ଆଘାତ ସମସ୍ୟାରୁ ସୁସ୍ଥ ହୋଇଛନ୍ତି। ଦିନିକିଆ ସିରିଜ ସମୟରେ ସେ ଆହତ ହୋଇଥିଲେ। ହେନ୍ରୀଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟମ ଲାଥମ କହିଛନ୍ତି, ମ୍ୟାଟ ଏବେ ଫିଟ ଅଛନ୍ତି। ଟେଷ୍ଟ କ୍ରିକେଟକୁ ଫେରିବା ପାଇଁ ସେ ଉତ୍ସାହିତ ଥିବେ ବୋଲି ମୋର ଆଶା।
ସେହିପରି କାଇଲ ଜେମିସନଙ୍କୁ ନେଇ ସେ କହିଛନ୍ତି, ସୀମିତ ଓଭର କ୍ରିକେଟରେ ସେ ଭଲ ବୋଲିଂ କରିଛନ୍ତି। ଗତ କିଛି ସପ୍ତାହ ଧରି ସେ କଠିନ ପରିଶ୍ରମ କରିଛନ୍ତି।
ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟ ଟେବୁଲକୁ ନେଇ ଟମ ଲାଥମ କହିଛନ୍ତି, ମୋର ଧ୍ୟାନ WTC ପଏଣ୍ଟ ଟେବୁଲ ଉପରେ ନାହିଁ। ଆମେ କେବଳ ସେହି ଜିନିଷ ଉପରେ ଧ୍ୟାନ ଦେବୁ, ଯାହା ଆମ ନିୟନ୍ତ୍ରଣରେ ରହିଛି। ଆମର ଖେଳିବାର ଶୈଳୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ସୂଚନାଯୋଗ୍ୟ, WTC ପଏଣ୍ଟ ଟେବୁଲ୍ରେ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରେ ଥିବା ବେଳେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିଛି।

