ନୂଆବର୍ଷ: ଆହ୍ବାନ ଓ ସମ୍ଭାବନା

ଶୁଭେନ୍ଦୁ ମହାନ୍ତି

ଅତୀତର ଅତଳ ଗର୍ଭରେ ବିଲୀନ ହୋଇଛି ୨୦୨୧ରେ ଘଟିତ ଅସୁମାରୀ ଘଟଣାବଳୀର ତିକ୍ତ, ମଧୁର ସ୍ମୃତି-ଅନୁଭୂତି, ଅପାସୋରା ମୁହୂର୍ତ୍ତ, ସଫଳତା-ବିଫଳତାର ଚିତ୍ର, ସଂଘର୍ଷ ଓ ସଂଗ୍ରାମର ନିଷ୍ଠୁର ବାସ୍ତବତା, ଦିଗ-ଦିଗନ୍ତର ଉତ୍‌ଥାନ-ପତନ, ସାମୂହିକ ମାନବୀୟ ଚେତନାର ବିଲୟ, ପୁଣି ଅଭ୍ୟୁଦୟ ତଥା ପରିବର୍ତ୍ତନ ଓ ପରିବର୍ଦ୍ଧନର ବିବିଧ ରୂପ। ଗତିଶୀଳ ସମୟ ସବୁକିଛିର ମୂକସାକ୍ଷୀ, ମାତ୍ର କାହା ପାଇଁ ସେ ଅପେକ୍ଷମାଣ ନୁହେଁ। ସମୟର ପ୍ରବହମାନ ଧାରା, ଜୀବନଯାତ୍ରାରେ ଆଣିଛି ନିରନ୍ତର ଗତିଶୀଳତା ଯାହା ଅତୀତର ଅମୂଲ୍ୟ ଅନୁଭୂତିକୁ ଆଧାର କରି, ନୂତନତାର ସର୍ଜନାରେ ନିଜକୁ ସମର୍ପି ଦେଇଛି। ଅଫେରା ବର୍ଷ ୨୦୨୧ର ଅନୁଭୂତି-ଲବ୍ଧ ସାରବତ୍ତା ହିଁ ଆମ ପାଇଁ ଆଣିଛି ନୂତନ ବର୍ଷ-୨୦୨୨ର ଆଲୋକବର୍ତ୍ତିକା। ଅନନ୍ତ ସମ୍ଭାବନାର ସୂର୍ଯ୍ୟ ପ୍ରେରଣାର ସୁନେଲି କିରଣରେ ସତେ ଅବା ଆମକୁ ମାର୍ଗଦର୍ଶନ ଦେଉଛି; ସର୍ବବିଧ ସମୃଦ୍ଧି ପାଇଁ ନିଜକୁ ଉଦ୍‌ଯୋଗର ମହାଯଜ୍ଞରେ ସମର୍ପିଦେବା ନିମିତ୍ତ। ସମୁଚିତ ମାର୍ଗରେ, ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ‘ଚରୈବେତି, ଚରୈବେତି’ ମହାମନ୍ତ୍ରରେ, ପ୍ରତିଟି ମୁହୂର୍ତ୍ତରେ ଆଗୁସାର ହେବା ପାଇଁ।
ଇଂଲିଶ ନବବର୍ଷ-୨୦୨୨, ଆମ ସମସ୍ତଙ୍କ ପାଇଁ ଆଣିଛି ନାନାଦି ଆହ୍ବାନ, ପୁଣି ସମାଧାନର ଅସୀମ ସମ୍ଭାବନା। ସମଗ୍ର ମାନବସମାଜ ଅତି ଜଟିଳ, ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ସମୟରେ ଆମକୁ ଅଭୂତପୂର୍ବ ଧୈର୍ଯ୍ୟ, ଦୃଢ଼ତା ତଥା ଉତ୍ସର୍ଗୀକୃତ ଅଧ୍ୟବସାୟ ମାଧ୍ୟମରେ ସେସବୁର ସମ୍ମୁଖୀନ ହେବାକୁ ପଡ଼ିବ। ଅତୀତରୁ ବର୍ତ୍ତମାନ ଓ ବର୍ତ୍ତମାନରୁ ସମ୍ଭାବ୍ୟ ଭବିଷ୍ୟତ ଆଡ଼କୁ, ଆମକୁ ପାଦେ ପାଦେ ଅଗ୍ରସର ହେବା ପାଇଁ, କେବଳ ସଙ୍କଳ୍ପବଦ୍ଧ ନୁହେଁ, ନିରନ୍ତର ବ୍ରତୀ ହେବାକୁ ପଡ଼ିବ। ପ୍ରଖ୍ୟାତ ଇଂଲିଶ ପ୍ରାବନ୍ଧିକ ଫ୍ରାନ୍‌ସିସ୍‌ ବ୍ୟାକ୍‌ନଙ୍କ ସେହି ଆପ୍ତବାକ୍ୟ “Sweetest are the uses of adversity” ପ୍ରତିକୂଳ ପରିସ୍ଥିତିର ସଦୁପଯୋଗ ହିଁ ଦେଇଥାଏ ମଧୁର ଅନୁଭୂତି।
ପ୍ରାୟ ଦୁଇବର୍ଷ ଧରି ସମଗ୍ର ବିଶ୍ୱର, ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଅର୍ଥନୈତିକ, ବୃତ୍ତିଗତ, ସ୍ବାସ୍ଥ୍ୟଭିତ୍ତିକ ସମସ୍ତ ଭିତ୍ତିଭୂମିକୁ କରୋନା ମହାମାରୀ ଧ୍ୱସ୍ତବିଧ୍ୱସ୍ତ କରିଦେବା ପରେ ଏବଂ ଏହାର ପ୍ରକୋପ ଅନେକ ମାତ୍ରାରେ ହ୍ରାସ ପାଇବା ମାତ୍ରେ ଜନସାଧାରଣ, ପ୍ରଶାସନ, ସବୁ ସ୍ତରରେ ପୁଣିଥରେ ନୂଆ ଜୀବନ ପାଇଁ, ଅଭିନବ ଭିତ୍ତିଭୂମି ଲାଗି ପ୍ରୟାସ କରୁଛନ୍ତି। ମାତ୍ର, କ୍ଷିପ୍ରଗତିରେ ମାଡ଼ିଚାଲିଥିବା ‘ଓମିକ୍ରନ୍‌’ ବିଶ୍ୱର ଅନେକ ରାଷ୍ଟ୍ରକୁ ସଂକ୍ରମଣ କରିବାରେ ଲାଗିଛି। ଅବଶ୍ୟ ବିଶେଷଜ୍ଞଙ୍କ ମତରେ କରୋନା ଅପେକ୍ଷା ଏହା ଦେଢ଼ଗୁଣ ଶୀଘ୍ର ବ୍ୟାପୁଥିଲେ ମଧ୍ୟ ଏତେଟା ଘାତକ ନୁହେଁ। ତେବେ ଘନଘନ ଏହି ପ୍ରଜାତିର ରୂପାନ୍ତର, ନାନାଦି ଆଶଙ୍କା ସୃଷ୍ଟି କରିଛି। ତେବେ ପ୍ରାୟ ଦୁଇବର୍ଷ ଧରି ଆମ ଦେଶ, ବିଶେଷଜ୍ଞଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରି, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ, ଜନସାଧାରଣଙ୍କୁ ସଚେତନ ଓ ସଶକ୍ତ କରିପାରିଛି। କେନ୍ଦ୍ର ସରକାରଙ୍କ ସର୍ବବୃହତ୍‌ ଟିକାକରଣ ଅଭିଯାନ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବିହିତ ପଦକ୍ଷେପ ଏବଂ ସାଧାରଣ ଜନତାଙ୍କ ଅକୁଣ୍ଠ ସହଯୋଗ, ଆମକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ମାନ୍ୟତା ଦେଇଛି। ସେଥିପାଇଁ ୮୪ତମ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୂତାଣୁ ବିରୋଧୀ ଲଢ଼େଇରେ ବିଜୟୀ ହେବା ପାଇଁ ଦେଇଛନ୍ତି ଦୁଇଟି ଅମୋଘ ଅସ୍ତ୍ର ବ୍ୟକ୍ତିଗତ ସତର୍କତା ଓ ଶୃଙ୍ଖଳା। ଅମୂଲ୍ୟ ଜୀବନ-ରଥକୁ ସମସ୍ତ ପ୍ରକାର କ୍ଷତିକାରକ କୃତ୍ରିମତାରୁ ଦୂରେଇ ନେଇ ପ୍ରକୃତିର କାଳଜୟୀ ଅମୃତ ମାର୍ଗରେ ପରିଚାଳନା କରିବା ଆଜି ଅପରିହାର୍ଯ୍ୟ ହୋଇଛି। କୌଣସି ଦୃଷ୍ଟିରୁ, ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଥିବା ଗୁଜବରେ ପ୍ରଭାବିତ ନ ହୋଇ, ଉପଯୁକ୍ତ ପ୍ରତିବିଧାନ, ଚିକିତ୍ସା ତଥା ସୁସ୍ଥ ଜୀବନଶୈଳୀ ଦ୍ୱାରା ଓମିକ୍ରନକୁ ନିଶ୍ଚିତ ପରାଭୂତ କରିହେବ।
ଏହାର ନିରାକରଣ ଏବଂ ମୂଳୋତ୍ପାଟନ ଦିଗରେ ‘ସୁସ୍ଥ ପରିବେଶ’-ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପ୍ରଗତି ପାଇଁ, ପରିବେଶକୁ ବିଭିନ୍ନ ଦୃଷ୍ଟିକୋଣରୁ ଧ୍ୱଂସ କରିଚାଲିଥିବା ବିଭିନ୍ନ ରାଷ୍ଟ୍ର ଆମ ଧରିତ୍ରୀ ପାଇଁ ଆଣିଦେଇଛନ୍ତି ନାନାଦି ମନୁଷ୍ୟକୃତ ବିଷାକ୍ତ ସଙ୍କଟ। ବାୟୁ, ଜଳ, ମାଟି ଆଦି ସବୁକିଛି ଆଜି ପ୍ରଦୂଷିତ। କରୋନା ରୋଗୀଙ୍କ ଚିକିତ୍ସା ସମୟରେ ଅମ୍ଳଜାନର ଅଭାବରୁ ସୃଷ୍ଟ ମୃତ୍ୟୁର ବିଭୀଷିକା ଆମକୁ ସଚେତନ କରୁ ଜଙ୍ଗଲ ସମ୍ପଦ, ଜୀବଜନ୍ତୁଙ୍କର ସୁରକ୍ଷା ପାଇଁ। ବିଗତ ନଭେମ୍ବରରେ ସ୍କଟଲାଣ୍ଡର ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ବିଶ୍ୱ ଜଳବାୟୁର ୨୬ତମ ସମ୍ମିଳନୀରେ, ୧୯୭ଟି ଦେଶ ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟରତ ପ୍ରାୟ ୨୫,୦୦୦ ପ୍ରତିନିଧିଙ୍କ ଉପସ୍ଥିତିରେ ଚଳିତ ଶତାବ୍ଦୀର ଶେଷ ବେଳକୁ ବିଶ୍ୱ ତାପମାତ୍ରା- ୧.୫ରୁ ୨ ଡିଗ୍ରୀ ସେଲ୍‌ସିଅସ୍‌ ମଧ୍ୟରେ ହ୍ରାସ ପାଇଁ ସଙ୍କଳ୍ପବଦ୍ଧ ହୋଇଛନ୍ତି। ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ଯୋଗୁ ନାନାପ୍ରକାର ଜଳବାୟୁଜନିତ ବିପର୍ଯ୍ୟୟ ୟୁରୋପରେ ପ୍ରଳୟଙ୍କରୀ ବନ୍ୟା, କାନାଡାରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଆମେରିକାରେ ପ୍ରବଳ ଝଡ଼-ତୋଫାନ, ଆଫ୍ରିକାରେ ମରୁଡି ସାଙ୍ଗକୁ ଏସିଆ ମହାଦେଶରେ ବନ୍ୟାର ତାଣ୍ଡବଲୀଳା, ବାରମ୍ବାର ଜନଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଋତୁଚକ୍ର ଓ ପାଣିପାଗର ଆବର୍ତ୍ତନରେ କୌଣସି ସମୟସୀମା ଅଥବା ସ୍ଥିରତା ନାହିଁ। ବିଭିନ୍ନ ରାଷ୍ଟ୍ର ଅପୂରଣୀୟ ଆର୍ଥିକ କ୍ଷତିର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ କେବଳ ଭାରତର ଜିଡିପି ହାର ୩୦ ପ୍ରତିଶତ ହ୍ରାସ ପାଇଛି। ଆମେ ଓ ଆମର ଜୀବନଶୈଳୀ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ଅହେତୁକ ବୃଦ୍ଧି ପାଇଁ ଦାୟୀ। ଏହାଦ୍ୱାରା ଜୀବଜନ୍ତୁଙ୍କ ବାସସ୍ଥଳୀ, ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହ ପ୍ରାକୃତିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଗୋଟିଏ ପଟେ ଖାଦ୍ୟର ପ୍ରାଚୁର୍ଯ୍ୟ ଥିବା ବେଳେ ଅନ୍ୟପଟେ କ୍ଷୁଧାର ବିକଳ ଚିତ୍ର ସମଗ୍ର ପୃଥିବୀ ପାଇଁ ଚିନ୍ତାର ବିଷୟ ହୋଇଛି। ଗୋଟିଏ ପଟେ ଗରିବ ଲୋକଙ୍କୁ ଦିନକୁ ଥରେ ମାତ୍ର ପେଟପୂରା ଖାଇବାକୁ ମିଳୁ ନ ଥିବା ବେଳେ, ଆଉ କିଛି ଲୋକ ମୋଟାପଣଜନିତ ନାନାଦି ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଏ ଅସମାନତା ଦୂର କରାଯିବା ଲାଗି ସବୁ ସ୍ତରରେ ଉଦ୍ୟମ ହେବା ଦରକାର। ଅବଶ୍ୟ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସଚେତନ ନାଗରିକ ଏଥିପାଇଁ ଯଥାସମ୍ଭବ ଅଭିଯାନ ଆରମ୍ଭ କରିଛନ୍ତି ।
ସମ୍ଭାବନାକୁ ଦେଖିଲେ କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ ନୂଆ ନୂଆ ଟିକା ପ୍ରସ୍ତୁତି ପାଇଁ ଅଭିଯାନ ଜାରି ରହିଛି। ବିଦେଶରେ ନିର୍ମିତ ଅନ୍ୟାନ୍ୟ ପ୍ରତିଷେଧକ ସାମଗ୍ରୀ ଆମ ଦେଶରେ ଉତ୍ପାଦନ କରିବା ପାଇଁ ସରକାର ଆବଶ୍ୟକ ଚୁକ୍ତି କରୁଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଆମ ଦେଶ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେଉଛି ଚାଇନା ଓ ପାକିସ୍ତାନର ଚକ୍ରବୂ୍ୟହ। ସେଥିପାଇଁ ନିକଟରେ ଅନୁଷ୍ଠିତ ୫ଟି ଏସୀୟ ରାଷ୍ଟ୍ରସମୂହଙ୍କ ସହ ଏକଜୁଟ୍‌ ହୋଇ ଭାରତ ଉଚିତ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି।
ଅନ୍ୟ ଏକ ବିଶେଷ ଆହ୍ବାନ ହେଉଛି ‘ନାରୀସୁରକ୍ଷା’। କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ପ୍ରଗତି ପାଇଁ ସରକାର ଅଣ୍ଟା ଭିଡ଼ିଥିବାବେଳେ ସ୍ବାଧୀନତାର ଅନେକ ଦଶନ୍ଧି ପରେ ଅସହାୟା ମା’, ଭଉଣୀମାନେ ମାତୃଗର୍ଭ ଓ ଶ୍ମଶାନକୁ ସୁରକ୍ଷାସ୍ଥଳୀ ଭାବେ ଗ୍ରହଣ କରିନେଇଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ, ବିଭିନ୍ନ ସ୍ଥାନରେ, ନିର୍ଯାତନା, ଶୋଷଣ, ବଳାକତ୍ାର ଆଦିର ଶିକାର ହେଉଛନ୍ତି। ବିଳମ୍ବିତ ବିଚାର ବ୍ୟବସ୍ଥା, ତ୍ରୁଟିପୂର୍ଣ୍ଣ ଭାରତୀୟ ଦଣ୍ଡବିଧି ବ୍ୟବସ୍ଥା, ଅପରାଧୀମାନଙ୍କୁ ରାଜନୈତିକ ପୃଷ୍ଠପୋଷକତା… ନାରୀମାନଙ୍କୁ ସୁରକ୍ଷା ତଥା ଜଘନ୍ୟ ଅପରାଧୀଙ୍କୁ ଯଥାସମୟରେ, ଆତଙ୍କିତ କଲାଭଳି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଇପାରୁ ନାହିଁ। ସେମାନଙ୍କର ଆଖିର ଲୁହ, ପରିବାର, ସମାଜ ଓ ଦେଶର ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ସେଥିପାଇଁ, ଅତ୍ୟନ୍ତ ଜରୁରୀ ବ୍ୟବସ୍ଥାରେ ତୁରନ୍ତ ଆବଶ୍ୟକୀୟ ସଂଶୋଧନ କରାଯିବା ବାଞ୍ଛନୀୟ।
ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଏହିଭଳି ଦେଶବିରୋଧୀ, ଦୁର୍ନୀତିଗ୍ରସ୍ତ ଏବଂ ଅପରାଧୀମାନଙ୍କୁ ଦମନ କରିବା ପାଇଁ ଆଶା କରାଯାଏ। ଏକ ସଶକ୍ତ, ସମୃଦ୍ଧ, ସୁସ୍ଥ ଓ ଗୌରବୋଜ୍ଜ୍ୱଳ ଭାରତ ଗଠନ ପାଇଁ ସରକାରୀ ବ୍ୟବସ୍ଥା ସହ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଲୋଡ଼ା। ସର୍ବଦା ଅଧିକାର ମାଗୁଥିବା ନାଗରିକ ତା’ର ବର୍ତ୍ତବ୍ୟ ଠିକ୍‌ ଭାବେ ପାଳନ କରିପାରିଲେ ଆପେ ଆପେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ।
ସିଡିଏ, ସେକ୍ଟର ୬, ମର୍କତନଗର, କଟକ
ମୋ: ୯୨୩୮୫୨୬୦୩୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri