ନୂତନ କୃଷି ବ୍ୟବସ୍ଥା

ରାଜ୍ୟ ସଭାରେ ୨୦ ସେପ୍ଟେମ୍ବରରେ କୃଷି ଓ କୃଷକ ସଂକ୍ରାନ୍ତ ୨ଟି ବିଲ୍‌ ଗୃହୀତ ହୋଇଯାଇଛି। ସେଗୁଡିକ ହେଲା-ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ ଆଣ୍ଡ କମର୍ସ(ପ୍ରମୋଶନ ଆଣ୍ଡ ଫେସିଲିଟେଶନ) ବିଲ୍‌ ୨୦୨୦ ଏବଂ ଦି ଫାର୍ମର୍ସ (ଏମ୍‌ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ ବିଲ୍‌ ୨୦୨୦। ଓଡ଼ିଆରେ ଅନୁବାଦ କରାଗଲେ ବିଲ୍‌ ୨ଟିର ନାମ ହେବ କୃଷି ଉତ୍ପାଦନର ବ୍ୟବସାୟ ଓ ବାଣିଜ୍ୟ(ପ୍ରୋତ୍ସାହନ ଓ ସୁଗମୀକରଣ) ବିଧେୟକ ୨୦୨୦ ଏବଂ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟଧାର୍ଯ୍ୟ ଲାଗି ରାଜିନାମା ଓ କୃଷିସେବା ବିଧେୟକ ୨୦୨୦। ଏହି ବିଲ୍‌ ଦୁଇଟି ଗତ ସପ୍ତାହରେ ଲୋକ ସଭାରେ ଗୃହୀତ ହୋଇସାରିଛି। ଏଥିସହିତ ଲୋକ ସଭାରେ ଅନ୍ୟ ଏକ ବିଧେୟକ ଏସେନ୍‌ସିଆଲ କମୋଡିଟିଜ୍‌ ଆକ୍ଟ ଆମେଣ୍ଡମେଣ୍ଟ (ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ) ଗୃହୀତ ହୋଇସାରିଛି, ଯାହାକି ରାଜ୍ୟ ସଭାରେ ଖୁବ୍‌ଶୀଘ୍ର ପାରିତ ହେବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏସବୁ ଆଇନରେ ପରିଣତ ହେବ। ପ୍ରଥମ ୨ଟି ବିଲ୍‌କୁ ଏବେ ପଞ୍ଜାବ ଓ ହରିୟାଣା ସମେତ ଅନେକ ରାଜ୍ୟରେ ତୀବ୍ର ବିରୋଧ କରାଯାଉଛି। ହେଲେ ସରକାର ସଫେଇ ଦେଉଛନ୍ତି ଯେ, ପୂର୍ବାପେକ୍ଷା ଚାଷୀ ଅଧିକ ସଶକ୍ତ ହୋଇପାରିବ ଓ ସିଧାସଳଖ ବଜାର ସହ ଯୋଡ଼ି ହୋଇ ଅଧିକ ଲାଭ ଉଠାଇ ପାରିବେ। ଆଉ ସ୍ଥାନୀୟ ମଣ୍ଡି ଭିତରେ ସୀମିତ ନ ରହି କୃଷକ ତା’ର ଉତ୍ପାଦକୁ ରାଜ୍ୟର ଯେ କୌଣସି ସ୍ଥାନ ବା ରାଜ୍ୟ ବାହାରକୁ ନେଇ ବିକ୍ରି କରିପାରିବ। କୃଷକ ସଶକ୍ତୀକରଣ ବିଲ୍‌ରେ କଣ୍ଟ୍ରାକ୍ଟ ଫାର୍ମିଂ ବା ଚୁକ୍ତିଭିତ୍ତିକ ଚାଷ ସଂକ୍ରାନ୍ତ ବ୍ୟବସ୍ଥାରେ ବିନା ମଧ୍ୟସ୍ଥରେ ବଡ଼ ଗ୍ରାହକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରାଯାଇପାରିବ ବୋଲି କୁହାଯାଇଛି।
କୃଷକ ସଙ୍ଗଠନଗୁଡିକ ଅଭିଯୋଗ କରିଛନ୍ତି ଯେ, ଆଲୋଚିତ ବିଲ୍‌ ଆଇନରେ ପରିଣତ ହୋଇଗଲେ ନାମମାତ୍ର ଓ କ୍ଷୁଦ୍ରଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେ। କାରଣ ମଣ୍ଡି ବ୍ୟବସ୍ଥାକୁ ଏଥିରେ ଦୁର୍ବଳ କରିଦିଆଯାଇଛି। ଏଥିସହିତ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବାରୁ ବଞ୍ଚିତ ହେବ। ଏମିତି ଦେଖିଲେ ଭାରତୀୟ ଚାଷୀ ସର୍ବଦା ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥାଏ। ମଧ୍ୟସ୍ଥମାନେ ଲାଭ ଉଠାଇ ମାଲାମାଲ ହୋଇଥାନ୍ତି। ବିଲଗୁଡିକରେ ଯେଉଁବ୍ୟବସ୍ଥା କରାଯାଇଛି, ଚାଷୀ ଚାହିଁଲେ ତା’ର ଉତ୍ପାଦକୁ ରାଜ୍ୟର ଯେକୌଣସି ସ୍ଥାନ ବା ରାଜ୍ୟ ବାହାରେ ଅଧିକ ଅର୍ଥ ପାଇଁ ବିକ୍ରି କରିପାରିବ, ତାହା ଅବାସ୍ତବ ଲାଗୁଛି। କାରଣ ଚାଷୀର ଦୁର୍ବଳ ଆର୍ଥିକ ସ୍ଥିତି ଯେଭଳି ଥାଏ, ସେ ସ୍ଥାନୀୟ ମଣ୍ଡିକୁ ତା’ର ଉତ୍ପାଦକୁ ବୋହିନେବା ପାଇଁ ଅତିକଷ୍ଟରେ ଅର୍ଥ ଯୋଗାଡ଼ କରେ। ସେଭଳି ସ୍ଥଳେ ବ୍ୟବସାୟୀଙ୍କ ଭଳି ତାହାକୁ ଦୂରସ୍ଥାନକୁ ନେଇ ବିକ୍ରି କରିବା ଆଦୌ ସମ୍ଭବ ପର ନୁହେଁ। ଏଥିରୁ ବୁଝିବାକୁ ହେବ ଯେ, ବଡ଼ ବେପାରୀଙ୍କୁ ସୁହାଇଲା ଭଳି ସବୁ ବ୍ୟବସ୍ଥା କରାଯାଉଛି। ଏମ୍‌ଏସ୍‌ପି ଉଠାଇ ଦେବା ନେଇ ମସୁଧା ହେଉ ବା ମଣ୍ଡିକୁ ଦୁର୍ବଳ କରିବା ଲାଗି ଚିନ୍ତା କରାଯିବା ପଛରେ କୃଷି କ୍ଷେତ୍ର ଉପରେ ସରକାରଙ୍କ ନିୟନ୍ତ୍ରଣକୁ ହ୍ରାସ କରାଯାଉଛି। ଅର୍ଥାତ ଆଗାମୀ ଦିନରେ କର୍ପୋରେଟ ସଂସ୍ଥା କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ପରିଚାଳନା କରିବେ। ଅନ୍ୟପଟେ ଯେଉଁ ତଥାକଥିତ ସ୍ବାଗତଯୋଗ୍ୟ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି, ସେଥିରେ ମୁଖ୍ୟତଃ ମଧ୍ୟସ୍ଥର ଉପସ୍ଥିତି ରହିବ ନାହିଁ। କିନ୍ତୁ ସେହି ସ୍ଥାନକୁ କିଏ ପୂରଣ କରିବ ତାହାର କୌଣସି ବ୍ୟବସ୍ଥା କରାଯାଇଥିବା ଭଳି ମନେହେଉ ନାହିଁ। ଏହି ମଧ୍ୟସ୍ଥମାନେ କ୍ଷୁଦ୍ର ଚାଷୀକୁ ଫସଲ ପୂର୍ବରୁ ଆର୍ଥିକ ସାହାଯ୍ୟ ଯୋଗାଇ ଉତ୍ପାଦ ଉପରେ ନିଜର ନିୟନ୍ତ୍ରଣ ରଖନ୍ତି। ଯେତେବେଳେ ସେହି ଅର୍ଥ ମିଳିବ ନାହିଁ, ଏହି କ୍ଷୁଦ୍ରଚାଷୀର ଆର୍ଥିକ ସ୍ଥିତି ଆକଳନ କରିବା କଷ୍ଟକର ହୋଇଯିବ। ନିଜର ପରିବାର ଚଳାଇବା ପାଇଁ ସେ ସକ୍ଷମ ହେବ ନାହିଁ। ଏହାବ୍ୟତୀତ କେଉଁ କର୍ପୋରେଟ ଏହି ବ୍ୟବସାୟରେ ପ୍ରବେଶ କରିବ ତାହାକୁ ସେହିପରିମାଣର ଭଣ୍ଡାରଣ ସୁବିଧା ଯୋଗାଡ଼ କରିବାକୁ ପଡିବ। ଏହାମଧ୍ୟ ହୋଇପାରେ ଯେ, ଏଫସିଆଇ ବା ଭାରତୀୟ ଖାଦ୍ୟ ନିଗମ ଖୁବଶୀଘ୍ର ବିକ୍ରି ହୋଇଯିବ। ନଚେତ୍‌ ଏହି ବ୍ୟବସାୟରେ ପ୍ରବେଶ ପାଇଁ ଇଚ୍ଛୁକ ବଡ଼ କର୍ପୋରେଟ ସକାଶେ ଫୁଡ୍‌ ପ୍ରୋକ୍ୟୁରମେଣ୍ଟ ବା ଶସ୍ୟ ସଂଗ୍ରହ କରିବା ସମ୍ଭବପର ହେବ ନାହିଁ। ସେହି କର୍ପୋରେଟ ପୁନର୍ବାର ଆଜିର ମଧ୍ୟସ୍ଥକୁ ଧରିବା ପାଇଁ ବାଧ୍ୟ ହେବ, ଯାହାଫଳରେ ଚାଷୀର ଜୀବନରେ କୌଣସି ପରିବର୍ତ୍ତନ ଆସିବ ନାହିଁ।
ସମାଲୋଚକମାନେ ଆଶଙ୍କାବ୍ୟକ୍ତ କଲେଣି ଯେ, ୨ ବୃହତ କର୍ପୋରେଟ ସଂସ୍ଥା- ଆଦାନି ଓ ରିଲାଏନ୍ସ ଖାଦ୍ୟ ଓ କୃଷିଜାତ ସାମଗ୍ରୀର ଖୁଚୁରା ବ୍ୟବସାୟରେ ଯେଭଳି ପ୍ରବେଶ କଲେଣି ସେଥିରୁ ଏହା ଉଦବୋଧ ହେଉଛି ଯେ, କେନ୍ଦ୍ର ସରକାର ସବୁ କିଛି ସେମାନଙ୍କ ହାତରେ ସଅମ୍ପି ଦେବାକୁ ଯୋଜନା କରିଛନ୍ତି। ସମାଲୋଚକଙ୍କ କଥାକୁ ଅଣଦେଖା କରାଯାଇ ନ ପାରେ। କାରଣ ଦେଶ କୋଭିଡ-୧୯ ଭଳି ମହାମାରୀ ଦେଇ ଗତି କରୁଛି। ୨୦୧୬ ମସିହାର ବିମୁଦ୍ରୀକରଣ ଓ ୨୦୧୭ରେ ଲାଗୁ ହୋଇଥିବା ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଯୋଗୁ ଦୁର୍ବଳ ହୋଇ ଆସିଥିବା ଅର୍ଥନୀତି କରୋନାଜନିତ ମହାମାରୀ ଯୋଗୁ ଅଧିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଦେଶର ପ୍ରାୟ ୭ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। କହିବାକୁ ଗଲେ ଭାରତୀୟ ଅର୍ଥନୀତି ଆଇସିୟୁ ଭିତରେ ଥିବାବେଳେ ଯେଉଁ ସମୟରେ କୃଷି ଅଧ୍ୟାଦେଶ ଅଣାଗଲା ଓ ଏବେ ତରବରିଆ ଭାବେ ସଂସଦରେ ଗୃହୀତ କରାଯାଉଛି, ସେଥିରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ବୁଝା ପଡିଯାଉଛି।
ଗତ କିଛି ବର୍ଷର କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଦେଖିଲେ ସବୁକିଛି କର୍ପୋରେଟ ପ୍ରୀତିମୂଳକ ହୋଇଯାଇଛି। ବଡବଡ ରାଷ୍ଟ୍ରାୟତ ଉଦ୍ୟୋଦର ଅଂଶଧନକୁ ଘରୋଇ ସଂସ୍ଥାକୁ ବିକ୍ରି କରି ଦିଆଗଲାଣି। ପ୍ରତିକଥାରେ ସଫେଇ ଦିଆଯାଉଛି ଯେ, ଅର୍ଥନୀତିକୁ ଉନ୍ମୁକ୍ତ କରିଦେଲେ ଓ ବଜାରକୁ ମୁକ୍ତ କରିଦିଆଗଲେ ଆର୍ଥିକ ବ୍ୟବସ୍ଥା ସୁଦୃଢ ହୋଇଯିବ। ଏଇ କିଛିବର୍ଷ ମଧ୍ୟରେ ଦେଶବାସୀ ଏହାର କି ସୁଫଳ ପାଇଛନ୍ତି, ସେ ବିଷୟରେ ଚିନ୍ତା କରିବା ଦରକାର। ଏବେ କୃଷିଭଳି ବଡ କ୍ଷେତ୍ର ଉପରେ ଘରୋଇ ସଂସ୍ଥାର ଲୋଲୁପ ଦୃଷ୍ଟି ପଡିଥିବାରୁ ଏହା ଖୁବଶୀଘ୍ର ଧ୍ୱଂସ ପାଇଯିବାର ଆଭାସ ଦେଲାଣି। କଣ୍ଟ୍ରାକ୍ଟ ଫାର୍ମିଂ ବା ଚୁକ୍ତି ଭିତ୍ତିକ ଚାଷରେ ବଡ କର୍ପୋରେଟ ହାଉସ ଗୁଡିକ ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ସହ ଜମିରେ ମନମୁତାବକ ଉତ୍ପାଦକ ଫଳାଇବା ପାଇଁ ଲେଖାପଢା କରିବେ। ଫଳରେ କ୍ୟାଶକ୍ରପ ବା ଅର୍ଥକରୀ ଫସଲକୁ ଅଗ୍ରାଧିକାର ଦିଆଯିବ। ତାହାହେଲେ ଚାଉଳ, ଗହମ ଓ ତୈଳ ବୀଜ ଜାତୀୟ ଶସ୍ୟ ଉତ୍ପାଦନ କମିଯିବ। କେବେଳ ସେତିକି ନୁହେଁ, ସମୟ ଆସିବ ସେହି କର୍ପୋରେଟ ହାଉସଗୁଡିକ କାରସାଦି କରି କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ଜମିକୁ ହାତେଇ ନେଇପାରନ୍ତି। ସେତବେଳକୁ ଦେଶର ଅଧିକାଂଶ ଜମି ସେମାନଙ୍କ ହାତ ମୁଠାକୁ ଚାଲିଯାଇଥିବ।
ଏବେ ଆଲୋଚନା ଅପେକ୍ଷାରେ ଥିବା ଅନ୍ୟତମ ଅଧ୍ୟାଦେଶ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଅଣାଯିବାକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଛି। ଏଥିରେ କୁହାଯାଇଛି ଯେ, ଯୁଦ୍ଧ ବା ଦୁର୍ଭିକ୍ଷ କିମ୍ବା ଅତ୍ୟନ୍ତ ଦରବୃଦ୍ଧି ଭଳି ସ୍ଥିତି ନ ଉପୁଜିଲେ ଅତ୍ୟାବଶ୍ୟକ ବିବେଚିତ ହେଉଥିବା ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସୀମା ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହାଦ୍ୱାରା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ନେବାର ଯୋଜନା କରିଛନ୍ତି। ସାଧାରଣତଃ ରାଜ୍ୟସ୍ତରରେ ସାମଗ୍ରୀ ଗୁଡିକର ଦର ଅସ୍ବାଭାବିକ ସ୍ତରକୁ ଚାଲିଯାଉଥିବାବେଳେ ରାଜ୍ୟ ସରକାର କ୍ଷମତା ବଳରେ ତାହାକୁ ନିୟନ୍ତ୍ରଣ କରିପାରୁଛନ୍ତି। ଏବେ କେନ୍ଦ୍ରସରକାର ଯେଉଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି ତାହା ଦ୍ୱାରା ସଂଘୀୟ ବ୍ୟବସ୍ଥାକୁ ସମ୍‌ୂର୍ଣ୍ଣ ଅଣଦେଖା କରିଦିଆଯାଇଛି। କେବଳ ଯୁଦ୍ଧ ଓ ଦୁର୍ଭିକ୍ଷର ଦ୍ୱାହି ଦେଇ ସବୁକିଛି ନିଜ ନିୟନ୍ତ୍ରଣକୁ ନେଇଯିବାର ଏଯେଉଁ ଚିନ୍ତା ଜନ୍ମିଛି ତାହାଦ୍ୱାରା ସମଗ୍ର ଅତ୍ୟାବଶ୍ୟକ ସାମଗ୍ରୀକୁ କେନ୍ଦ୍ର ଇଚ୍ଛାମୁତାବକ ପରିଚାଳନା କରିବ। ଏହାର ପଛରେ ରହିଥିବା ଉଦ୍ଦେଶ୍ୟ ସ୍ବଷ୍ଟ ହେଲାଣି। ସପ୍ଲାଏଚେନ ବା ଯୋଗାଣ ଶୃଙ୍ଖଳରେ ଘରୋଇ ପୁଞ୍ଜି ଲଗାଣର ରାସ୍ତା ଫିଟାଇ ଦିଆଯାଇଛି ବୋଲି କୁହାଯାଉଛି। କିନ୍ତୁ ନିଜର ଲାଭ ନ ଦେଖିଲେ କୌଣସି କର୍ପୋରେଟ ଏଥିରେ ଅର୍ଥ ଲଗାଇବେ ନାହିଁ। ଫଳରେ ଖାଦ୍ୟସାମଗ୍ରୀ ଏକ ବ୍ୟବସାୟିକ ବ୍ୟବସ୍ଥାରେ ଅଳ୍ପକେତଜଣଙ୍କ ହାତରେ ନିର୍ଦ୍ଧାରିତ ହେବ। ଜିଏସଟିର କୁଫଳ ଦେଖିବା ପାଇଁ ୩ ବର୍ଷ ଲାଗିଲା। ଖାଦ୍ୟସାମଗ୍ରୀର କର୍ପୋରେଟାଇଜେଶନର କୁଫଳ ଦେଖିବାକୁ ଅଧିକ ସମୟ ଲାଗି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri