ନୂତନ କୃଷି ବ୍ୟବସ୍ଥା

ରାଜ୍ୟ ସଭାରେ ୨୦ ସେପ୍ଟେମ୍ବରରେ କୃଷି ଓ କୃଷକ ସଂକ୍ରାନ୍ତ ୨ଟି ବିଲ୍‌ ଗୃହୀତ ହୋଇଯାଇଛି। ସେଗୁଡିକ ହେଲା-ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ ଆଣ୍ଡ କମର୍ସ(ପ୍ରମୋଶନ ଆଣ୍ଡ ଫେସିଲିଟେଶନ) ବିଲ୍‌ ୨୦୨୦ ଏବଂ ଦି ଫାର୍ମର୍ସ (ଏମ୍‌ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ ବିଲ୍‌ ୨୦୨୦। ଓଡ଼ିଆରେ ଅନୁବାଦ କରାଗଲେ ବିଲ୍‌ ୨ଟିର ନାମ ହେବ କୃଷି ଉତ୍ପାଦନର ବ୍ୟବସାୟ ଓ ବାଣିଜ୍ୟ(ପ୍ରୋତ୍ସାହନ ଓ ସୁଗମୀକରଣ) ବିଧେୟକ ୨୦୨୦ ଏବଂ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟଧାର୍ଯ୍ୟ ଲାଗି ରାଜିନାମା ଓ କୃଷିସେବା ବିଧେୟକ ୨୦୨୦। ଏହି ବିଲ୍‌ ଦୁଇଟି ଗତ ସପ୍ତାହରେ ଲୋକ ସଭାରେ ଗୃହୀତ ହୋଇସାରିଛି। ଏଥିସହିତ ଲୋକ ସଭାରେ ଅନ୍ୟ ଏକ ବିଧେୟକ ଏସେନ୍‌ସିଆଲ କମୋଡିଟିଜ୍‌ ଆକ୍ଟ ଆମେଣ୍ଡମେଣ୍ଟ (ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ) ଗୃହୀତ ହୋଇସାରିଛି, ଯାହାକି ରାଜ୍ୟ ସଭାରେ ଖୁବ୍‌ଶୀଘ୍ର ପାରିତ ହେବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏସବୁ ଆଇନରେ ପରିଣତ ହେବ। ପ୍ରଥମ ୨ଟି ବିଲ୍‌କୁ ଏବେ ପଞ୍ଜାବ ଓ ହରିୟାଣା ସମେତ ଅନେକ ରାଜ୍ୟରେ ତୀବ୍ର ବିରୋଧ କରାଯାଉଛି। ହେଲେ ସରକାର ସଫେଇ ଦେଉଛନ୍ତି ଯେ, ପୂର୍ବାପେକ୍ଷା ଚାଷୀ ଅଧିକ ସଶକ୍ତ ହୋଇପାରିବ ଓ ସିଧାସଳଖ ବଜାର ସହ ଯୋଡ଼ି ହୋଇ ଅଧିକ ଲାଭ ଉଠାଇ ପାରିବେ। ଆଉ ସ୍ଥାନୀୟ ମଣ୍ଡି ଭିତରେ ସୀମିତ ନ ରହି କୃଷକ ତା’ର ଉତ୍ପାଦକୁ ରାଜ୍ୟର ଯେ କୌଣସି ସ୍ଥାନ ବା ରାଜ୍ୟ ବାହାରକୁ ନେଇ ବିକ୍ରି କରିପାରିବ। କୃଷକ ସଶକ୍ତୀକରଣ ବିଲ୍‌ରେ କଣ୍ଟ୍ରାକ୍ଟ ଫାର୍ମିଂ ବା ଚୁକ୍ତିଭିତ୍ତିକ ଚାଷ ସଂକ୍ରାନ୍ତ ବ୍ୟବସ୍ଥାରେ ବିନା ମଧ୍ୟସ୍ଥରେ ବଡ଼ ଗ୍ରାହକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରାଯାଇପାରିବ ବୋଲି କୁହାଯାଇଛି।
କୃଷକ ସଙ୍ଗଠନଗୁଡିକ ଅଭିଯୋଗ କରିଛନ୍ତି ଯେ, ଆଲୋଚିତ ବିଲ୍‌ ଆଇନରେ ପରିଣତ ହୋଇଗଲେ ନାମମାତ୍ର ଓ କ୍ଷୁଦ୍ରଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେ। କାରଣ ମଣ୍ଡି ବ୍ୟବସ୍ଥାକୁ ଏଥିରେ ଦୁର୍ବଳ କରିଦିଆଯାଇଛି। ଏଥିସହିତ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବାରୁ ବଞ୍ଚିତ ହେବ। ଏମିତି ଦେଖିଲେ ଭାରତୀୟ ଚାଷୀ ସର୍ବଦା ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥାଏ। ମଧ୍ୟସ୍ଥମାନେ ଲାଭ ଉଠାଇ ମାଲାମାଲ ହୋଇଥାନ୍ତି। ବିଲଗୁଡିକରେ ଯେଉଁବ୍ୟବସ୍ଥା କରାଯାଇଛି, ଚାଷୀ ଚାହିଁଲେ ତା’ର ଉତ୍ପାଦକୁ ରାଜ୍ୟର ଯେକୌଣସି ସ୍ଥାନ ବା ରାଜ୍ୟ ବାହାରେ ଅଧିକ ଅର୍ଥ ପାଇଁ ବିକ୍ରି କରିପାରିବ, ତାହା ଅବାସ୍ତବ ଲାଗୁଛି। କାରଣ ଚାଷୀର ଦୁର୍ବଳ ଆର୍ଥିକ ସ୍ଥିତି ଯେଭଳି ଥାଏ, ସେ ସ୍ଥାନୀୟ ମଣ୍ଡିକୁ ତା’ର ଉତ୍ପାଦକୁ ବୋହିନେବା ପାଇଁ ଅତିକଷ୍ଟରେ ଅର୍ଥ ଯୋଗାଡ଼ କରେ। ସେଭଳି ସ୍ଥଳେ ବ୍ୟବସାୟୀଙ୍କ ଭଳି ତାହାକୁ ଦୂରସ୍ଥାନକୁ ନେଇ ବିକ୍ରି କରିବା ଆଦୌ ସମ୍ଭବ ପର ନୁହେଁ। ଏଥିରୁ ବୁଝିବାକୁ ହେବ ଯେ, ବଡ଼ ବେପାରୀଙ୍କୁ ସୁହାଇଲା ଭଳି ସବୁ ବ୍ୟବସ୍ଥା କରାଯାଉଛି। ଏମ୍‌ଏସ୍‌ପି ଉଠାଇ ଦେବା ନେଇ ମସୁଧା ହେଉ ବା ମଣ୍ଡିକୁ ଦୁର୍ବଳ କରିବା ଲାଗି ଚିନ୍ତା କରାଯିବା ପଛରେ କୃଷି କ୍ଷେତ୍ର ଉପରେ ସରକାରଙ୍କ ନିୟନ୍ତ୍ରଣକୁ ହ୍ରାସ କରାଯାଉଛି। ଅର୍ଥାତ ଆଗାମୀ ଦିନରେ କର୍ପୋରେଟ ସଂସ୍ଥା କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ପରିଚାଳନା କରିବେ। ଅନ୍ୟପଟେ ଯେଉଁ ତଥାକଥିତ ସ୍ବାଗତଯୋଗ୍ୟ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି, ସେଥିରେ ମୁଖ୍ୟତଃ ମଧ୍ୟସ୍ଥର ଉପସ୍ଥିତି ରହିବ ନାହିଁ। କିନ୍ତୁ ସେହି ସ୍ଥାନକୁ କିଏ ପୂରଣ କରିବ ତାହାର କୌଣସି ବ୍ୟବସ୍ଥା କରାଯାଇଥିବା ଭଳି ମନେହେଉ ନାହିଁ। ଏହି ମଧ୍ୟସ୍ଥମାନେ କ୍ଷୁଦ୍ର ଚାଷୀକୁ ଫସଲ ପୂର୍ବରୁ ଆର୍ଥିକ ସାହାଯ୍ୟ ଯୋଗାଇ ଉତ୍ପାଦ ଉପରେ ନିଜର ନିୟନ୍ତ୍ରଣ ରଖନ୍ତି। ଯେତେବେଳେ ସେହି ଅର୍ଥ ମିଳିବ ନାହିଁ, ଏହି କ୍ଷୁଦ୍ରଚାଷୀର ଆର୍ଥିକ ସ୍ଥିତି ଆକଳନ କରିବା କଷ୍ଟକର ହୋଇଯିବ। ନିଜର ପରିବାର ଚଳାଇବା ପାଇଁ ସେ ସକ୍ଷମ ହେବ ନାହିଁ। ଏହାବ୍ୟତୀତ କେଉଁ କର୍ପୋରେଟ ଏହି ବ୍ୟବସାୟରେ ପ୍ରବେଶ କରିବ ତାହାକୁ ସେହିପରିମାଣର ଭଣ୍ଡାରଣ ସୁବିଧା ଯୋଗାଡ଼ କରିବାକୁ ପଡିବ। ଏହାମଧ୍ୟ ହୋଇପାରେ ଯେ, ଏଫସିଆଇ ବା ଭାରତୀୟ ଖାଦ୍ୟ ନିଗମ ଖୁବଶୀଘ୍ର ବିକ୍ରି ହୋଇଯିବ। ନଚେତ୍‌ ଏହି ବ୍ୟବସାୟରେ ପ୍ରବେଶ ପାଇଁ ଇଚ୍ଛୁକ ବଡ଼ କର୍ପୋରେଟ ସକାଶେ ଫୁଡ୍‌ ପ୍ରୋକ୍ୟୁରମେଣ୍ଟ ବା ଶସ୍ୟ ସଂଗ୍ରହ କରିବା ସମ୍ଭବପର ହେବ ନାହିଁ। ସେହି କର୍ପୋରେଟ ପୁନର୍ବାର ଆଜିର ମଧ୍ୟସ୍ଥକୁ ଧରିବା ପାଇଁ ବାଧ୍ୟ ହେବ, ଯାହାଫଳରେ ଚାଷୀର ଜୀବନରେ କୌଣସି ପରିବର୍ତ୍ତନ ଆସିବ ନାହିଁ।
ସମାଲୋଚକମାନେ ଆଶଙ୍କାବ୍ୟକ୍ତ କଲେଣି ଯେ, ୨ ବୃହତ କର୍ପୋରେଟ ସଂସ୍ଥା- ଆଦାନି ଓ ରିଲାଏନ୍ସ ଖାଦ୍ୟ ଓ କୃଷିଜାତ ସାମଗ୍ରୀର ଖୁଚୁରା ବ୍ୟବସାୟରେ ଯେଭଳି ପ୍ରବେଶ କଲେଣି ସେଥିରୁ ଏହା ଉଦବୋଧ ହେଉଛି ଯେ, କେନ୍ଦ୍ର ସରକାର ସବୁ କିଛି ସେମାନଙ୍କ ହାତରେ ସଅମ୍ପି ଦେବାକୁ ଯୋଜନା କରିଛନ୍ତି। ସମାଲୋଚକଙ୍କ କଥାକୁ ଅଣଦେଖା କରାଯାଇ ନ ପାରେ। କାରଣ ଦେଶ କୋଭିଡ-୧୯ ଭଳି ମହାମାରୀ ଦେଇ ଗତି କରୁଛି। ୨୦୧୬ ମସିହାର ବିମୁଦ୍ରୀକରଣ ଓ ୨୦୧୭ରେ ଲାଗୁ ହୋଇଥିବା ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଯୋଗୁ ଦୁର୍ବଳ ହୋଇ ଆସିଥିବା ଅର୍ଥନୀତି କରୋନାଜନିତ ମହାମାରୀ ଯୋଗୁ ଅଧିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଦେଶର ପ୍ରାୟ ୭ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। କହିବାକୁ ଗଲେ ଭାରତୀୟ ଅର୍ଥନୀତି ଆଇସିୟୁ ଭିତରେ ଥିବାବେଳେ ଯେଉଁ ସମୟରେ କୃଷି ଅଧ୍ୟାଦେଶ ଅଣାଗଲା ଓ ଏବେ ତରବରିଆ ଭାବେ ସଂସଦରେ ଗୃହୀତ କରାଯାଉଛି, ସେଥିରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ବୁଝା ପଡିଯାଉଛି।
ଗତ କିଛି ବର୍ଷର କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଦେଖିଲେ ସବୁକିଛି କର୍ପୋରେଟ ପ୍ରୀତିମୂଳକ ହୋଇଯାଇଛି। ବଡବଡ ରାଷ୍ଟ୍ରାୟତ ଉଦ୍ୟୋଦର ଅଂଶଧନକୁ ଘରୋଇ ସଂସ୍ଥାକୁ ବିକ୍ରି କରି ଦିଆଗଲାଣି। ପ୍ରତିକଥାରେ ସଫେଇ ଦିଆଯାଉଛି ଯେ, ଅର୍ଥନୀତିକୁ ଉନ୍ମୁକ୍ତ କରିଦେଲେ ଓ ବଜାରକୁ ମୁକ୍ତ କରିଦିଆଗଲେ ଆର୍ଥିକ ବ୍ୟବସ୍ଥା ସୁଦୃଢ ହୋଇଯିବ। ଏଇ କିଛିବର୍ଷ ମଧ୍ୟରେ ଦେଶବାସୀ ଏହାର କି ସୁଫଳ ପାଇଛନ୍ତି, ସେ ବିଷୟରେ ଚିନ୍ତା କରିବା ଦରକାର। ଏବେ କୃଷିଭଳି ବଡ କ୍ଷେତ୍ର ଉପରେ ଘରୋଇ ସଂସ୍ଥାର ଲୋଲୁପ ଦୃଷ୍ଟି ପଡିଥିବାରୁ ଏହା ଖୁବଶୀଘ୍ର ଧ୍ୱଂସ ପାଇଯିବାର ଆଭାସ ଦେଲାଣି। କଣ୍ଟ୍ରାକ୍ଟ ଫାର୍ମିଂ ବା ଚୁକ୍ତି ଭିତ୍ତିକ ଚାଷରେ ବଡ କର୍ପୋରେଟ ହାଉସ ଗୁଡିକ ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ସହ ଜମିରେ ମନମୁତାବକ ଉତ୍ପାଦକ ଫଳାଇବା ପାଇଁ ଲେଖାପଢା କରିବେ। ଫଳରେ କ୍ୟାଶକ୍ରପ ବା ଅର୍ଥକରୀ ଫସଲକୁ ଅଗ୍ରାଧିକାର ଦିଆଯିବ। ତାହାହେଲେ ଚାଉଳ, ଗହମ ଓ ତୈଳ ବୀଜ ଜାତୀୟ ଶସ୍ୟ ଉତ୍ପାଦନ କମିଯିବ। କେବେଳ ସେତିକି ନୁହେଁ, ସମୟ ଆସିବ ସେହି କର୍ପୋରେଟ ହାଉସଗୁଡିକ କାରସାଦି କରି କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ଜମିକୁ ହାତେଇ ନେଇପାରନ୍ତି। ସେତବେଳକୁ ଦେଶର ଅଧିକାଂଶ ଜମି ସେମାନଙ୍କ ହାତ ମୁଠାକୁ ଚାଲିଯାଇଥିବ।
ଏବେ ଆଲୋଚନା ଅପେକ୍ଷାରେ ଥିବା ଅନ୍ୟତମ ଅଧ୍ୟାଦେଶ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଅଣାଯିବାକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଛି। ଏଥିରେ କୁହାଯାଇଛି ଯେ, ଯୁଦ୍ଧ ବା ଦୁର୍ଭିକ୍ଷ କିମ୍ବା ଅତ୍ୟନ୍ତ ଦରବୃଦ୍ଧି ଭଳି ସ୍ଥିତି ନ ଉପୁଜିଲେ ଅତ୍ୟାବଶ୍ୟକ ବିବେଚିତ ହେଉଥିବା ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସୀମା ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହାଦ୍ୱାରା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ନେବାର ଯୋଜନା କରିଛନ୍ତି। ସାଧାରଣତଃ ରାଜ୍ୟସ୍ତରରେ ସାମଗ୍ରୀ ଗୁଡିକର ଦର ଅସ୍ବାଭାବିକ ସ୍ତରକୁ ଚାଲିଯାଉଥିବାବେଳେ ରାଜ୍ୟ ସରକାର କ୍ଷମତା ବଳରେ ତାହାକୁ ନିୟନ୍ତ୍ରଣ କରିପାରୁଛନ୍ତି। ଏବେ କେନ୍ଦ୍ରସରକାର ଯେଉଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି ତାହା ଦ୍ୱାରା ସଂଘୀୟ ବ୍ୟବସ୍ଥାକୁ ସମ୍‌ୂର୍ଣ୍ଣ ଅଣଦେଖା କରିଦିଆଯାଇଛି। କେବଳ ଯୁଦ୍ଧ ଓ ଦୁର୍ଭିକ୍ଷର ଦ୍ୱାହି ଦେଇ ସବୁକିଛି ନିଜ ନିୟନ୍ତ୍ରଣକୁ ନେଇଯିବାର ଏଯେଉଁ ଚିନ୍ତା ଜନ୍ମିଛି ତାହାଦ୍ୱାରା ସମଗ୍ର ଅତ୍ୟାବଶ୍ୟକ ସାମଗ୍ରୀକୁ କେନ୍ଦ୍ର ଇଚ୍ଛାମୁତାବକ ପରିଚାଳନା କରିବ। ଏହାର ପଛରେ ରହିଥିବା ଉଦ୍ଦେଶ୍ୟ ସ୍ବଷ୍ଟ ହେଲାଣି। ସପ୍ଲାଏଚେନ ବା ଯୋଗାଣ ଶୃଙ୍ଖଳରେ ଘରୋଇ ପୁଞ୍ଜି ଲଗାଣର ରାସ୍ତା ଫିଟାଇ ଦିଆଯାଇଛି ବୋଲି କୁହାଯାଉଛି। କିନ୍ତୁ ନିଜର ଲାଭ ନ ଦେଖିଲେ କୌଣସି କର୍ପୋରେଟ ଏଥିରେ ଅର୍ଥ ଲଗାଇବେ ନାହିଁ। ଫଳରେ ଖାଦ୍ୟସାମଗ୍ରୀ ଏକ ବ୍ୟବସାୟିକ ବ୍ୟବସ୍ଥାରେ ଅଳ୍ପକେତଜଣଙ୍କ ହାତରେ ନିର୍ଦ୍ଧାରିତ ହେବ। ଜିଏସଟିର କୁଫଳ ଦେଖିବା ପାଇଁ ୩ ବର୍ଷ ଲାଗିଲା। ଖାଦ୍ୟସାମଗ୍ରୀର କର୍ପୋରେଟାଇଜେଶନର କୁଫଳ ଦେଖିବାକୁ ଅଧିକ ସମୟ ଲାଗି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri