ଶବ୍ଦ ପ୍ରଦୂଷଣରୁ ମୁକ୍ତି କେବେ

ଈପ୍ସିତା ମହାନ୍ତି

ଆମ ଦେଶରେ ଯାନବାହନର ହର୍ନ ଓ ବିବାହ ଶୋଭାଯାତ୍ରା ବେଳେ ଡିଜେରୁ ବାହାରୁଥିବା କାନଫଟା ସଙ୍ଗୀତ, ପର୍ବପର୍ବାଣି ଓ ଯାନିଯାତ୍ରା ସମୟର ବାଦ୍ୟଯନ୍ତ୍ର ଓ ଡାକବାଜି ଯନ୍ତ୍ରର ଶବ୍ଦ ଲୋକଙ୍କୁ କେବଳ ବିଚଳିତ କରୁନାହିଁ ବରଂ ଜିଇବା ମୁସ୍କିଲ୍‌ କରିଚାଲିଛି। ଏସବୁ ଶବ୍ଦ ବା ଧ୍ବନି ସମସ୍ତ ନୀତିନିୟମକୁ ଗିଳିଦେଇ ସାଧାରଣ ଲୋକଙ୍କ ସୁଖଶାନ୍ତିକୁ ଭଙ୍ଗ କରୁଛି। ଧୀର ବିଷକ୍ରିୟା ଭଳି ଏସବୁ ଶବ୍ଦ ଆମକୁ ପ୍ରତି ମୁହୂର୍ତ୍ତରେ ମାରି ଚାଲିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବିଷୟରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ। ଅଧିକ ଶବ୍ଦ ଯୋଗୁ ଲୋକେ ଆଜି ଆତଙ୍କିତ, ଅବସାଦଗ୍ରସ୍ତ, ଚିନ୍ତାଗ୍ରସ୍ତ ହେବା ସହ ଉଚ୍ଚ ରକ୍ତଚାପ, ଉଦାସୀନତା, ଭୁଲାପଣ ଓ ହୃଦୟ ସମ୍ପର୍କିତ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏକ ତଥ୍ୟ ଅନୁସାରେ ଦିଲ୍ଲୀରେ ପ୍ରତି ୪ଜଣରୁ ଜଣେ ବ୍ୟକ୍ତି ସମୟ ପୂର୍ବରୁ ନିଜ ଶ୍ରବଣ ଶକ୍ତି ହରାଉଛନ୍ତି। ଅର୍ଥାତ ଏଠାରେ ୧୫ବର୍ଷ ବୟସ ହେବା ପୂର୍ବରୁ ଲୋକେ କର୍ଣ୍ଣ ସହ ଜଡ଼ିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିଭଳି ସାରାଦିନ ଟ୍ରାଫିକର କୋଳାହଳ ମଧ୍ୟରେ କାର୍ଯ୍ୟ କରୁଥିବାରୁ ମୁମ୍ବାଇର ପ୍ରତି ୧୦ଜଣରୁ ୪ଜଣ ଟ୍ରାଫିକ ପୋଲିସ ଠିକ୍‌ ଭାବେ ଶୁଣି ପାରନ୍ତି ନାହିଁ। ଆମ ଦେଶର ପ୍ରତ୍ୟେକଟି ଛୋଟବଡ଼ ସହରର ସ୍ଥିତି ଆଜି ଏଭଳି । ସହରଗୁଡ଼ିକରେ ହେଉଥିବା ଶବ୍ଦ ବା ଧ୍ବନି ପ୍ରଦୂଷଣର ୭୦% କାରଣ ହେଉଛି ଯାନବାହନର ପେଁ ପାଁ ଶବ୍ଦ। କେବେ, କିପରି ଓ କେଉଁଠି ହର୍ନ ବଜାଇବାକୁ ହେବ ବା ନ ହେବ, ସେ ବିଷୟରେ ଅଧିକାଂଶ ଭାରତୀୟ ଜାଣନ୍ତି ନାହିଁ। ରାସ୍ତାରେ ଗଲାବେଳେ ବସ୍‌, ଟ୍ରକ ଭଳି ଯାନବାହନର ପଛରେ ବଡ଼ବଡ଼ ଅକ୍ଷରରେ ହର୍ନ ପ୍ଲିଜ୍‌ ଲେଖାଥିବା ଦେଖିଥିବେ। ହର୍ନ ବଜାଇବା ପ୍ରବୃତ୍ତିକୁ ଭାରତୀୟ ଚାଳକ ଯେ କେତେ ଭଲ ପାଆନ୍ତି, ତାହା ଏଥିରୁ ବୁଝିହୁଏ। ଅର୍ଥାତ ଯେଉଁମାନେ ହର୍ନ ବଜାନ୍ତି, ସେମାନଙ୍କୁ ହିଁ ଏଇମାନେ ଆଗକୁ ଯିବା ପାଇଁ ବାଟ ଛାଡନ୍ତି। ତା’ ମାନେ ଏହା ହର୍ନ ବଜାଇବା ପାଇଁ ପ୍ରୋତ୍ସାହିତ କଲାଭଳି କଥା ।
ବିନା କାରଣରେ ଅବିରତ ଭାବେ ହର୍ନ ବଜାଇବା ସବୁଠାରୁ ଖରାପ ଅଭ୍ୟାସ। ହର୍ନ ବଜାଇବା ସାଧାରଣ ଲୋକଙ୍କ ପାଇଁ ଏହା ଅଦୃଶ୍ୟ ଉତ୍ପୀଡ଼ନ। ଆର୍ଥ ସେଭିୟର୍ସ ଫାଉଣ୍ଡେଶନ୍‌ ନାମକ ସଂସ୍ଥାର ତଥ୍ୟ ଅନୁଯାୟୀ ଭାରତୀୟ ସହରଗୁଡ଼ିକରେ ହେଉଥିବା ଧ୍ବନି ପ୍ରଦୂଷଣରେ ହର୍ନର ସହଭାଗିତା ୭୦%। ଅର୍ଥାତ ଲୋକେ ହର୍ନ ବଜାଇବା ପ୍ରବୃତ୍ତିରୁ ନିବୃତ୍ତ ରହିଲେ ଧ୍ବନି ପ୍ରଦୂଷଣ ୭୦% କମିଯିବ। ମନୋବୈଜ୍ଞାନିକଙ୍କ ମତରେ ସୁରକ୍ଷିତ ଗାଡ଼ି ଚାଳନା ନାମରେ ଲଗାତର ଭାବେ ହର୍ନ ବଜାଇବା ପ୍ରବୃତ୍ତି ହେଉଛି ନିଜ କୁଣ୍ଠାବୋଧ ଓ ବିରକ୍ତି ଭାବନାକୁ ଲୁଚାଇବାକୁ ପ୍ରୟାସ କରିବା ଏବଂ ନିଜକୁ ଠିକ୍‌ ବୋଲି ପ୍ରତିପାଦନ କରିବାର ଏକ ଉପାୟ। ଯେଉଁମାନଙ୍କର ଆଦୌ ଧୈର୍ଯ୍ୟ ନ ଥାଏ ଅବା ଯେଉଁମାନେ ଘରୁ ବିଳମ୍ବରେ ବାହାରିବା ଅଭ୍ୟାସକୁ ଛାଡ଼ି ପାରି ନ ଥାନ୍ତି, ସେହି ଚାଳକମାନେ ହିଁ ଏହିଭଳି କାର୍ଯ୍ୟ କରିଥାନ୍ତି। ବିଳମ୍ବରେ ଘରୁ ବାହାରି ହର୍ନ ବଜାଇ ଆଗକୁ ଚାଲିଯିବାର ମାନସିକତା ଏମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏହି ସମୟରେ ଚାଳକମାନେ ହର୍ନକୁ ଏକ ହତିଆର ଭଳି ବ୍ୟବହାର କରିଥାନ୍ତି। ପ୍ରକୃତରେ ଅତି ଜରୁରୀ କ୍ଷେତ୍ରରେ ଆମେ ହର୍ନକୁ ବ୍ୟବହାର କରିବା ଉଚିତ। କିନ୍ତୁ ଆମ ଦେଶର ଚାଳକମାନେ ହର୍ନକୁ ପିଲାଙ୍କ ଖେଳଣା ଭଳି ବ୍ୟବହାର କରିଥାଆନ୍ତି। କୌଣସି ଏକ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କଲାଭଳି ଚାଳକମାନେ ଆଜି ନିଜ ଯାନର ହର୍ନକୁ ବଜାଉଛନ୍ତି। ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଓ ଧାର୍ମିକ ସ୍ଥଳୀ ନିକଟରେ ହର୍ନ ବଜାଇବା ଆଇନତଃ ନିଷେଧ। କିନ୍ତୁ ଭାରତରେ ଖୁବ୍‌ କମ୍‌ ସଂଖ୍ୟକ ଲୋକ ଏହି ନିୟମକୁ ପାଳନ କରନ୍ତି। ଭାରତରେ ଟ୍ରାଫିକ ସଂକେତ ସବୁଜ ହେବା କ୍ଷଣି ଚାଳକଗଣ ଧୈର୍ଯ୍ୟହରା ହୋଇ ଲଗାତର ଭାବେ ହର୍ନ ବଜାଇବା ଆରମ୍ଭ କରିଦିଅନ୍ତି। କେବଳ ଏତିକି ନୁହେଁ କେତେକ ଚାଳକ ତ ସବୁଜବତି ଜଳିବା ପର୍ଯ୍ୟନ୍ତ ବି ଅପେକ୍ଷା କରନ୍ତି ନାହିଁ। ଏମାନେ ଧୀରେଧୀରେ ଆଗକୁ ଯିବା ପ୍ରଚେଷ୍ଟାରେ ହର୍ନ ବଜାଇଥାନ୍ତି। ଉଚ୍ଚ ଧ୍ବନି ବା କୋଳାହଳ ଯେ ଜୀବନ ନେଇପାରେ ଏ କଥାକୁ ହୁଏତ କେହି ବିଶ୍ବାସ କରିବେ ନାହିଁ କିନ୍ତୁ ଏହା ନିରାଟ ସତ୍ୟ।
ସେହିଭଳି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏଶନର ତଥ୍ୟ ଅନୁସାରେ ୮୦ଡେସିବଲ୍‌ ଠାରୁ ଅଧିକ ଶବ୍ଦ କେବଳ କର୍ଣ୍ଣର କ୍ଷତି ଘଟାଇ ନ ଥାଏ ବରଂ ଏହାର କୁପ୍ରଭାବ ଆମ ଶରୀର ଉପରେ ପଡିଥାଏ। ଅତ୍ୟଧିକ ଉଚ୍ଚ ଧ୍ବନି ଯୋଗୁ ହୃଦୟର ଗତି ଓ ରକ୍ତଚାପ ବୃଦ୍ଧି ପାଇଥାଏ। ଶରୀରର ଆଭ୍ୟନ୍ତରରେ ଅସ୍ବାଭାବିକ ରକ୍ତସ୍ରାବ ଘଟି ବିପଦ ସୃଷ୍ଟି କରିଥାଏ। ରାତ୍ରିକାଳୀନ କୋଳାହଳ ଗର୍ଭବତୀ ମହିଳା, ରୋଗୀ, ବୟସ୍କ ଓ ପିଲାଙ୍କ ନିଦ୍ରା ଉପରେ କୁପ୍ରଭାବ ପକାଏ। ଜଣେ ମାତ୍ରାଧିକ ସମୟ କୋଳାହଳ ମଧ୍ୟରେ ବିତାଉଥିଲେ ତା’ର ନିଜସ୍ବ ବ୍ୟବହାରରେ ମଧ୍ୟି ପରିବର୍ତ୍ତନ ଘଟିଥାଏ। ତାକୁ ଚିଡ଼ିଚିଡ଼ାପଣ ଗ୍ରାସ କରିନିଏ, ସେ ବଦରାଗୀ ହୋଇଉଠେ। ଉଚ୍ଚ ଧ୍ବନି ଆମ କାର୍ଯ୍ୟ କରିବାର କ୍ଷମତାକୁ ବି ପ୍ରଭାବିତ କରିଥାଏ। କୋଳାହଳ କାରଣରୁ ଶରୀର ପ୍ରତି କ୍ଷତିକାରକ ଫ୍ରି ରେଡିକାଲ୍‌ ସଂଖ୍ୟାରେ ବୃଦ୍ଧି ଘଟେ।
ଅପ୍ରିୟ ହେଲେ ବି ସତ ଏୟା ଯେ, ରାତି ନ ପାହୁଣୁ ପ୍ରତ୍ୟେକଟି ଧାର୍ମିକ ଅନୁଷ୍ଠାନରୁ ଡାକବାଜି ଯନ୍ତ୍ର ଯୋଗେ ଶବ୍ଦ ବାହାରୁଛି ଓ ଏଥିପାଇଁ ସାଧାରଣ ଲୋକଙ୍କ ସହ ରୋଗୀମାନେ ଯନ୍ତ୍ରଣା ଭୋଗୁଛନ୍ତି। ଉଚ୍ଚ ଧ୍ବନି ବା ଶବ୍ଦକୁ କେହିକେହି ପୌରାଣିକ ତ ଆଉ କେହିକେହି ଧାର୍ମିକ ଦୃଷ୍ଟିରେ ବିବେଚନା କରୁଛନ୍ତି। ନଚେତ୍‌ ଏଠାକାର ବିଭିନ୍ନ ପର୍ବପର୍ବାଣି, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଅନାବଶ୍ୟକ ଭାବେ ଖୁବ୍‌ ଉଚ୍ଚ ଶବ୍ଦରେ ବାଦ୍ୟଯନ୍ତ୍ର ବାଜନ୍ତା ନାହିଁ କିମ୍ବା ଡାକବାଜି ଯନ୍ତ୍ରରୁ ବିକଟାଳ ଶବ୍ଦ ଶୁଭନ୍ତା ନାହିଁ। ଧର୍ମର ମହତ୍ତ୍ବକୁ ବୁଝୁଥିବା ଲୋକେ ଏପରି କରନ୍ତି ନାହିଁ। ଈଶ୍ବରଙ୍କ ଉପାସନା ପାଇଁ ଶାନ୍ତ ପରିବେଶ ସହ ଧ୍ୟାନ ଯେ ଆବଶ୍ୟକ ଏ କଥାକୁ ଆମେ ଭୁଲି ଯାଇଛେ। ବିଭିନ୍ନ ଧର୍ମଗୁରୁ ଓ ପଣ୍ଡିତମାନେ ମଧ୍ୟ ଏ ବିଷୟରେ ମତ ରଖିଛନ୍ତି। ମାତ୍ର ଆପରାଧିକ ଶ୍ରେଣୀଭୁକ୍ତ ହୋଇ ନ ଥିବାରୁ ଶବ୍ଦ ପ୍ରଦୂଷଣ ଜନିତ କୋଳାହଳକୁ କେହି ମାନନ୍ତି ନାହିଁ।
ପ୍ରତ୍ୟେକ ସ୍ଥାନରେ ନିଜ ଆଖପାଖରେ ବାଜୁଥିବା ଡିଜେର ଛାତିଥରା ଶବ୍ଦ, ଲାଉଡ ସ୍ପିକରର କର୍କଶ ଶବ୍ଦ, ଯାନବାହନର ହର୍ନ ଓ ଘର୍‌ଘର୍‌ ଶବ୍ଦ, ବିବାହ ସମୟର କାନଫଟା ସଙ୍ଗୀତ, ପର୍ବପର୍ବାଣି ଓ ଯାନିଯାତ୍ରା ବେଳର ବାଦ୍ୟଯନ୍ତ୍ର ଓ ଡାକବାଜି ଯନ୍ତ୍ରର ଶବ୍ଦ, ରାଜନୈତିକ ଏବଂ ଧାର୍ମିକ ଆୟୋଜନରୁ ଉତ୍ପନ୍ନ ହେଉଥିବା ଗଳାଫଟା ଚିତ୍କାର ଶୁଣିବା ପାଇଁ ଲୋକେ ଏକପ୍ରକାର ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ଏହି ଶବ୍ଦ କେତେକଙ୍କ ଜୀବନ ବି ନେଇ ଗଲାଣି। ଏଭଳି ପ୍ରବୃତ୍ତିଧାରୀ ଭାବି ନେଇଛନ୍ତି ଯେ, ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବାରେ ଏସବୁ ହେଉଛି ଏକ କୌଶଳ। ତେଣୁ ସଡ଼କରୁ ସମାରୋହ ପର୍ଯ୍ୟନ୍ତ ଲୋକେ ହୋହଲ୍ଲା କରି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଜାଣିରଖିବା ଉଚିତ ଯେ ହୋହଲ୍ଲା ବା କୋଳାହଳ ମାନବଙ୍କ ପକ୍ଷେ ଆଦୌ ଶୋଚନୀୟ ନୁହେଁ। ଆଜିର ଦିନରେ ଡିଜେ ବଜାଇବା ବେନିୟମ। ପୁଣି ୬୫ଡେସିବଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀଙ୍କ ପାଇଁ ଆମ ଆଇନରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ହେଲେ ଏହାକୁ ମାନୁଛି କିଏ ? ନା ପ୍ରଶାସନ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ନା ଲୋକେ ଆଇନକୁ ସମ୍ମାନ ଜଣାଇ ଏଥିରୁ ନିବୃତ୍ତ ରହୁଛନ୍ତି । ପ୍ରଶ୍ନ ଉଠେ, ଏଭଳି ସଂକଟରୁ ମାନବସମାଜ ମୁକୁଳିବ କିପରି ?
ବୈପାରୀଗୁଡ଼ା, କୋରାପୁଟ
ମୋ – ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାର ଦୁଇ ପାଖ

ପ୍ରକାଶ ତ୍ରିପାଠୀ ରାଜଧାନୀର ଏକ ଓସାରିଆ ରାସ୍ତା। ରାସ୍ତାର ଗୋଟିଏ କଡେ ଧାଡ଼ିହୋଇ ଲମ୍ବିଛି ଭିନ୍ନ ଭିନ୍ନ ଡିଜାଇନର ଆଧୁନିକ କୋଠା। ସମ୍ଭ୍ରାନ୍ତ, ଆଭିଜାତ୍ୟ ଓ...

ସେବା,ସମ୍ପତ୍ତି ଓ ଅପରାଧ

ପ୍ରଭାତ କୁମାର ଦାସ ବର୍ତ୍ତମାନ ଦେଶର ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୬୩ କୋଟି ଟଙ୍କା। ଅର୍ଥାତ୍‌ ଦୁସ୍ଥ ଅସହାୟ ଜନତାଙ୍କ ସେବା କରିବା ପାଇଁ,...

ବନ୍ଧୁକ ସଂସ୍କୃତି

ସେପ୍ଟେମ୍ବର ୨୬ରେ ରୁଷିଆର ଇଜେଭ୍‌ସ୍କ ସହରସ୍ଥିତ ସ୍କୁଲ ନମ୍ବର-୮୮ରେ ଆର୍ତେମ୍‌ କାଜାଣ୍ଟସେଭ୍‌ ଆଖିବୁଜା ଗୁଳି ଚଳାଇଥିଲେ। ଶେଷରେ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଉକ୍ତ...

ଏଇ ଭାରତରେ

ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର ହୋଇ ଡ. ସଲିମ୍‌ ଚାନ୍ନିଓ୍ବାଲା କୃଷକମାନଙ୍କ ଉନ୍ନତି ଲାଗିି ଆଗକୁ ଆସିଛନ୍ତି। ସେ ସୁରଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ...

ବଡ଼ଲୋକଙ୍କୁ ଉତ୍ତର ନାହିଁ

ନିରଞ୍ଜନ ସାହୁ ବିଜ୍ଞଜନେ, ଏହି କଥାଟି କାଳକାଳରୁ ଚାଲିଆସିଛି ଆମ ସମାଜରେ। କଥାରେ ନଥା ଭଳି କୌଣସି ଆଲୋଚନା ବେଳେ ଏହାକୁ କହି ଆମର କଥାର...

ମୂର୍ତ୍ତି ଓ ପ୍ରତିମୂର୍ତ୍ତି

ଯଦୁମଣି ପାଣିଗ୍ରାହୀ   ଆମ ନଜରରେ ମୂର୍ତ୍ତିଟିଏ ସଦାସର୍ବଦା କାହାରି ନା କାହାରି ଏକ ପ୍ରତୀକାତ୍ମକ ରୂପ ହୋଇଥିବା ବେଳେ ପ୍ରତିମୂର୍ତ୍ତି ଏକ ଅବିକଳ ପ୍ରତିକୃତ୍ତି...

ଗ୍ୟାଙ୍ଗ ଯୁଦ୍ଧ

ଭାରତୀୟ ପରମ୍ପରା ସହିଷ୍ଣୁତାର ଶିକ୍ଷା ଦେଇଥାଏ। ଆମ ଦର୍ଶନ ଓ ସମ୍ବିଧାନରେ ସହିଷ୍ଣୁତାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଗତ କିଛି ବର୍ଷ ହେବ...

ଏଇ ଭାରତରେ

ସମନ୍ବିତ କୃଷି ସହ ଅନେକ ଶହ ଔଷଧୀୟ ବୃକ୍ଷ ସଂଗ୍ରହକରି କେରଳର ଏଜିକିଲ ପୌଲୋସ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପୌଲୋସ ପେସାରେ ଜଣେ ସିଷ୍ଟମ...

Advertisement
Archives

Model This Week