ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ସଂସାର ବଡ଼ ବିଚିତ୍ର। ମୁଦ୍ରାର ଦୁଇ ପାର୍ଶ୍ୱ ପରି ଏ ସଂସାରରେ ଉଭୟ ଭଲ ଲୋକ ଏବଂ ଖରାପ ଲୋକ ଅଛନ୍ତି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ଭଲ ଲୋକଙ୍କ ସଂଖ୍ୟା ଆସ୍ତେ ଆସ୍ତେ କମିବାକୁ ଯାଉଛି। ଦ୍ରୁତ ଜନସଂଖ୍ୟା ବୃଦ୍ଧି ହେତୁ ମନ୍ଦଲୋକଙ୍କ ପାଖରେ ଭଲ ଲୋକଙ୍କ ପ୍ରାବଲ୍ୟ କମିଯାଉଛି।
ନିକଟ ଅତୀତରେ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଆମ ମନକୁ ଆନ୍ଦୋଳିତ କଲା। ମିନତୀ ପଟ୍ଟନାୟକ କଟକ ସହରର ସୂତାହାଟ ଅଞ୍ଚଳର ସ୍ଥାୟୀ ବାସିନ୍ଦା। ସେ ଉଭୟ ସ୍ବାମୀ ଓ ଝିଅକୁ ହରାଇଛନ୍ତି। କିନ୍ତୁ ତାଙ୍କର ଦୁଃଖ ବେଳେ ବାପ ଘର ଲୋକଠାରୁ ଆରମ୍ଭ କରି ଶ୍ୱଶୁର ଘର ଲୋକ କେବେ ବି ସାହା ଭରସା ହୋଇ ନାହାନ୍ତି। କେବଳ ଏକମାତ୍ର ଗୋଟିଏ ରିକ୍ସାବାଲା ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କର ସାହା ଭରସା ହୋଇଆସିଛି। ମିନତୀ ନିଜେ ମଧ୍ୟ କହନ୍ତି ଯେ, ସେ ରିକ୍ସାବାଲା ଓ ତାଙ୍କ ପରିବାରର ସାହାଯ୍ୟ ସହଯୋଗକୁ ଭୁଲି ପାରିବେ ନାହିଁ। ମୃତ୍ୟୁ ପୂର୍ବରୁ ଓକିଲଙ୍କ ପରାମର୍ଶ କ୍ରମେ ସେ ନିଜର ଏକକୋଟି ଟଙ୍କାର କୋଠାଘର ସହିତ ଅନ୍ୟ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସେହି ରିକ୍ସାବାଲାଙ୍କ ନାମରେ ଉଇଲ୍‌ କରିଯାଇଛନ୍ତି। ତାଙ୍କର ଆଶା ଓ ବିଶ୍ୱାସ ଯେ ତାଙ୍କ ସ୍ବାମୀ / ଝିଅ ଥିବାବେଳେ ଆପଦ ବିପଦରେ ଏହି ରିକ୍ସାବାଲା ଯେପରି ସାହାଯ୍ୟ କରୁଥିଲେ; ଭବିଷ୍ୟତରେ ମଧ୍ୟ ସେପରି କରିବେ।
ଯାଜପୁର ଅଞ୍ଚଳର ନନ୍ଦମାଷ୍ଟ୍ରଙ୍କ କଥା କିଏ ନ ଜାଣେ! ତାଙ୍କୁ ୧୦୨ ବର୍ଷ ବୟସ। ବାର୍ଦ୍ଧକ୍ୟ ତାଙ୍କୁ ଅଟକାଇ ପାରିନାହିଁ। ଆଜିକାଲିର ଶିକ୍ଷକମାନଙ୍କୁ ଦେଖିଲେ ସେ ଏକ ନିଆରା ବ୍ୟକ୍ତିତ୍ୱ ବୋଲି ମନେହୁଏ। ଏହି ପରିଣତ ବୟସରେ ସେ ଛୋଟ ପିଲାମାନଙ୍କୁ ଏବଂ ନିରକ୍ଷର ଲୋକମାନଙ୍କୁ ବିନା ପାରିଶ୍ରମିକରେ ପାଠ ପଢ଼ାଉଛନ୍ତି। ନିକଟ ଅତୀତରେ ମହାମହୀମ ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କଲାବେଳେ ସେ ମଧ୍ୟ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କଲେ ଏବଂ ରାଷ୍ଟ୍ରପତି ମୁଣ୍ଡ ନୁଆଁଇ ଏହାକୁ ସ୍ବୀକାର କଲେ।
ମହାତ୍ମା ଟଲଷ୍ଟୟଙ୍କ ଗୋଟିଏ ଗପ ଆମ ମନକୁ ଖୁବ୍‌ ଛୁଇଁଛି ଏବଂ ପ୍ରଭାବ ମଧ୍ୟ ପକାଇଛି। ଗପଟିର ଶୀର୍ଷକ ହେଉଛି ”ଗୋଟିଏ ଲୋକ ପାଇଁ ଛ’ଫୁଟ ଜମି“। ଜଣେ ବ୍ୟକ୍ତିଙ୍କୁ କୁହାଗଲା ସେ ସୂର୍ଯ୍ୟଉଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାଲି ଚାଲି ଯେତିକି ବାଟ ଅତିକ୍ରମ କରିବେ; ସେତିକି ଜମି ତାଙ୍କର ହିଁ ହେବ। ଲୋଭ ବଶତଃ ଲୋକଟି ସ୍ବାସ୍ଥ୍ୟକୁ ଭ୍ରୂକ୍ଷେପ ନ କରି ଅଧିକ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ଚାଲିବା ଜାରି ରଖିଲେ। ଠିକ୍‌ ସୂର୍ଯ୍ୟାସ୍ତ ବେଳକୁ ସେ ଟଳି ପଡ଼ିଲେ। ଏତେ ଜମି ଅଧିଗ୍ରହଣ କଲେ କିନ୍ତୁ ମଲାବେଳକୁ ମାତ୍ର ଛ’ଫୁଟ ଜମିରେ ତାଙ୍କୁ କବର ଦିଆଗଲା। ଏହି ଗଳ୍ପର ସାରମର୍ମ ହେଉଛି ଯେ, ମଣିଷ ଯେତେ ସମ୍ପତ୍ତି ଅଧିଗ୍ରହଣ କଲେ ମଧ୍ୟ ମଲାବେଳକୁ ଯେପରି ଶୂନ୍ୟ ହସ୍ତରେ ଆସିଛି ସେହିପରି ଶୂନ୍ୟ ହସ୍ତରେ ଏହି ସଂସାରରୁ ବିଦାୟ ନେବ।
ସେଦିନ ଦୟାନଦୀ ସନ୍ନିକଟରେ ହୋଇଥିବା କଳିଙ୍ଗ ଯୁଦ୍ଧର ଭୟାବହତାକୁ ଅନୁଭବ କରି ସମ୍ରାଟ ଅଶୋକଙ୍କ ମନରେ ଭାବାନ୍ତର ହୋଇଥିଲା ଏବଂ ଅବଶିଷ୍ଟ ଜୀବନ ପାଇଁ ସେ ବୌଦ୍ଧଧର୍ମ ଗ୍ରହଣ କରି ଶାନ୍ତି ଓ ଅହିଂସାର ବାଣୀ ପ୍ରଚାର କରିଥିଲେ। ଆମର ଏହି କଥା କହିବାର ଉଦ୍ଦେଶ୍ୟ ହେଲା କରୋନା ମହାମାରୀ ଦ୍ୱାରା ବହୁଲୋକଙ୍କର ଜୀବନ ଓ ଜୀବିକା ଉଜୁଡ଼ି ଯାଇଛି। କେତେ ନାରୀ ବିଧବା ହୋଇଛନ୍ତି ଏବଂ କେତେ ଅବଳା ନିଜ ପିତାମାତାଙ୍କୁ ହରାଇ ଦୁଃଖରେ ଜୀବନ ଅତିବାହିତ କରିଛନ୍ତି। ଏହାର ପରିସଂଖ୍ୟାନ ଦେବାକୁ ଆମେ ଉଚିତ ମନେକରୁନୁ। ଯାହା ହେଉନା କାହିଁକି ଆମ ସମାଜରେ ଏପରି କିଛି ଲୋକ ଅଛନ୍ତି ; ସେମାନଙ୍କ ମନକୁ ଉପରଲିଖିତ ଭଲ ଲୋକଙ୍କ କଥା ବା କରୋନା ମହାମାରୀ ବିଷୟ ସତେ ଯେପରି ସ୍ପର୍ଶ କରୁନାହିଁ। ପ୍ରତ୍ୟେକ ଦିନ ଖବରକାଗଜ ଓଲଟାଇଲେ ଆମେ ଦେଖୁଛୁ କୋଟିପତି ଅଫିସର ଓ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ସେମାନେ କମ୍‌ ସମୟରେ କମ୍‌ ଦରମାରେ କିଭଳି କୋଟି କୋଟି ଟଂଙ୍କା ଓ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରିଲେ ତାହା ଦୁର୍ନୀତି ନିବାରଣ ବିଭାଗ କର୍ତ୍ତୃପକ୍ଷଙ୍କୁ ଆଚମ୍ବିତ କରିଛି।
ଏଠାରେ ଏକ ସତ୍ୟ ଘଟଣାର ଅବତାରଣା କରୁଛି, ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତିଙ୍କୁ ଜଣେ ଶିକ୍ଷକ କହିଥିଲେ, ଆଜ୍ଞା! ମୁଁ ଜଣେ ସଚ୍ଚୋଟ ଶିକ୍ଷକ। ଏହାର ଉତ୍ତରରେ ପରିହାସ ଛଳରେ ସ୍ବର୍ଗତ ମହାନ୍ତି କହିଥିଲେ ବଳଦ ପ୍ରସବ କରିବା ଯାହା; ତୁମେ ସଚ୍ଚୋଟହେବା ସେଇୟା। ତୁମ ପାଖରେ ଦୁର୍ନୀତି କରିବା ପାଇଁ ସୁଯୋଗ ନାହିଁ ବୋଲି ଏକଥା କହୁଛ। କିନ୍ତୁ ଆଜି ଯଦି ସୁରେନ୍ଦ୍ର ମହାନ୍ତି ବଞ୍ଚିଥାଆନ୍ତେ ସେ ନିଜ ଭ୍ରମସଂଶୋଧନ କରିବାକୁ ବାଧ୍ୟ ହୋଇଥାଆନ୍ତେ ବୋଲି ଆମେ କହୁଛୁ। ମଧ୍ୟାହ୍ନଭୋଜନରେ ଶିକ୍ଷକମାନଙ୍କର ଭୂମିକା ଏବଂ ସ୍ଥଳ ବିଶେଷରେ କାର୍ଯ୍ୟାଳୟ କଣ୍ଟିଜେନ୍ସିକୁ କିଛି ଶିକ୍ଷକ ହଡ଼ପ କରିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି। ଆମେ ସେ ବିଷୟରେ ଅଧିକା କିଛି କହିବାକୁ ଚାହୁଁନାହୁଁ କିନ୍ତୁ ଏତିକି ମାତ୍ର କହିପାରୁ ସରକାରଙ୍କର ଏପରି କୌଣସି ବିଭାଗ ନାହିଁ; ଯାହା ଦୁର୍ନୀତିମୁକ୍ତ।
ଆଉ ଗୋଟିଏ ଖବର ମଧ୍ୟ ଆମର ଦୃଷ୍ଟି ଆକର୍ଷଣ କରୁଛି। ପୋଲିସ ଚାକିରି ଦେବା ନାଁରେ ବହୁ କୋଟି ଟଙ୍କା ଠକେଇ ହୋଇଛି ଏବଂ ଠକେଇ କରିଥିବା ଦୁଇଜଣଙ୍କୁ ଗୃହ ବିଭାଗର ଅର୍ଥନୀତି ଅପରାଧ ଶାଖା ଗିରଫ କରିଛି। ଏହିପରି ଭାବେ ଧରା ପଡୁଥିବା ଲାଞ୍ଚୁଆ କିରାଣି, ଅଫିସରଙ୍କ ତାଲିକା ଖୁବ୍‌ ଲମ୍ବା। ସେଦିନ ଆଲୋଚନା ପ୍ରସଙ୍ଗରେ ମୋ ସହକର୍ମୀ (ବର୍ତ୍ତମାନ ଅବସରପ୍ରାପ୍ତ) ବଟବାବୁ କହିଲେ, ଦୁର୍ନୀତିଟା କୋଉ ନୂଆ କଥା ଯେ, ଆପଣ ଏତେ ବ୍ୟସ୍ତ ବିବ୍ରତ ହେଉଛନ୍ତି। ଟିକିଏ ଅତୀତକୁ ଫେରିଯାଆନ୍ତୁ। ଲର୍ଡ କ୍ଲାଇଭ୍‌ ମଧ୍ୟ ଲାଞ୍ଚ ଦେଇ ସିରାଜଉଦ୍ଦଲାଙ୍କ ଲୋକଙ୍କୁ କରଗତ କଲାପରେ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତ ଉପରେ ବିଜୟଲାଭ କରିବା ସମ୍ଭବ ହୋଇଥିଲା। ସେ କହିଲେ ଭାଇ! ଯେ ଧରା ପଡୁଛି ସେ ହିଁ ଚୋର। ଲୋକ ପକେଟ୍‌ମାରକୁ ଧରି ଛେଚୁଛନ୍ତି କିନ୍ତୁ ସ୍ପଷ୍ଟ ଦିନ ଦ୍ୱିପ୍ରହରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଲାଞ୍ଚୁଆ ରାଜନେତା ଓ ଅଫିସରଙ୍କୁ ଧରିବା କଷ୍ଟକର ହୋଇପଡୁଛି। କହିବା କଥା ଯେ, ଏମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତିକୁ ଧଳା କରିବାକୁ ଯାଇ ବିଭିନ୍ନ ଫନ୍ଦି ଫିକର କରିଥାଆନ୍ତି। ସବୁ ଜାଣୁଥିଲେ ମଧ୍ୟ କେହି ତାଙ୍କର କେଶାଗ୍ର ସ୍ପର୍ଶ କରିପାରନ୍ତି ନାହିଁ। ସେ ପୁଣି କହିଲେ, ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ବହୁ ଦାଗୀ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଅଥବା ବାଧ୍ୟତାମୂଳକ ଅବସର ଦେଇଛନ୍ତି। କିନ୍ତୁ ଘଟଣାଟି ଏତିକିରେ ଶେଷହୋଇନାହିଁ। ଆମ ଚାରିପାଖରେ କେତେ ଯେ ଏମିତି ଅପରିଣାମଦର୍ଶୀ ଓ ବିବେକଶୂନ୍ୟ ଲୋକ ଅଛନ୍ତି ତା’ର ସବିଶେଷ ବିବରଣୀ ଆମ ପ୍ରଶାସନ ଦେଇପାରିବ କି ନାହିଁ ସନ୍ଦେହ। ଲୋକେ ନିଜେ ସଚେତନ ନ ହେଲେ ସରକାର ଚାହିଁଲେ ମଧ୍ୟ ଏ ଦିଗରେ ବିଶେଷ କିଛି ସଫଳତା ହାସଲ କରିପାରିବେ ବୋଲି ଆମର ବିଶ୍ୱାସ ହେଉନାହିଁ। ଯୋଉ ଲୋକ ଧରାପଡି ଜେଲ୍‌ ଯାଉଛନ୍ତି, ସେମାନଙ୍କ ଇଜ୍ଜତ ତ ବାରଣ୍ଡା ଦି’କଡା ହେଉଛି କିନ୍ତୁ ଏହାର ପ୍ରଭାବ ଅନ୍ୟ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ପଡୁଛି କି? କହିବା ବାହୁଲ୍ୟ ସେମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅବଶ୍ୟ ଏତିକି ଆମେ କହିପାରୁ ଯେ ଭିଜିଲାନ୍ସ ପାଖରେ ଠୋସ୍‌ ପ୍ରମାଣ ନ ଥିଲେ ସେ ଏପରି ଧରପଗଡ଼ କରନ୍ତେ ନାହିଁ।
ଆମେ ଏତିକି ମାତ୍ର କହିପାରୁ ଯେ ଦସ୍ୟୁ ରତ୍ନାକର ମଧ୍ୟ ସମୟ କ୍ରମେ ବାଲ୍ମୀକି ଋଷିରେ ପରିଣତ ହୋଇଥିଲେ। ଈଶ୍ୱରଙ୍କ ନିକଟରେ ଏତିକି ମାତ୍ର ନିବେଦନ ଯେ ଆମମାନଙ୍କ ଚିନ୍ତା ଓ ଚେତନାରେ ତଥା ଆଭିମୁଖ୍ୟରେ ପରିବର୍ତ୍ତନ ଆସୁ ଏବଂ ସୁନ୍ଦର ସବୁଜ ସଂସାର ଗଠନ ଦିଗରେ ଆମର ଭୂମିକା ରହୁ।
ସେବାନିବୃତ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri