ମଣିଷ ନା ପଶୁ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଶୀ ର୍ଷକଟି ଆମ ସାମାଜିକ ଜୀବନରେ ପରିଲକ୍ଷିତ ହେଉଥିବା ଏକ ବହୁକଥିତ ଆକ୍ଷେପୋକ୍ତି। ସୃଷ୍ଟିର ସକଳ ଜୀବମାନଙ୍କ ମଧ୍ୟରେ ଦିବ୍ୟଜ୍ଞାନର ଅଧିକାରୀ ମଣିଷ ଯେତେବେଳେ ନିମ୍ନତମ ମଣିଷତ୍ୱଠୁ ଦୂରେଇ ଯାଇ ବିବେକ ବିବର୍ଜିତ କୌଣସି ପଶୁସୁଲଭ ଆଚରଣ କରେ, ସେତେବେଳେ ତା’ର ପ୍ରତିପକ୍ଷଙ୍କଠାରୁ ଶୁଣିବାକୁ ମିଳେ ଏମିତି ଏକ ଆକ୍ଷେପୋକ୍ତି ‘ତୁ ମଣିଷ ନା ପଶୁ!’ ଆକ୍ଷେପୋକ୍ତି ତ ନୁହେଁ, ଚେତନାରେ ଚମକ ସୃଷ୍ଟି କରୁଥିବା ଏକ ଚେତାବନୀ। ବିବର୍ତ୍ତନବାଦର ବିଭିନ୍ନ ପାହାଚ ପରେ ପାହାଚ ଅତିକ୍ରମ କରି ଜୀବଜଗତର ଶୀର୍ଷତମ ସୋପାନରେ ପହଞ୍ଚତ୍ଥିବା ମଣିଷ ପୁଣି ପଛକୁ ଫେରିଯାଉନାହିଁ ତ! ନିଜ କଥା ହେଉ କି କାମ ଅବା ଚାଲିଚଳଣ, ଉଚ୍ଚାରଣ ଓ ଆଚରଣରେ ଯଦି ମଣିଷସୁଲଭ ଗୁଣ ପ୍ରତିଫଳିତ ନ ହୋଇ ପଶୁସୁଲଭ ଅବଗୁଣ ପରିଲକ୍ଷିତ ହୁଏ, ତେବେ ମଣିଷକୁ ପଶୁ ବୋଲି ଚିହ୍ନି ଚିହ୍ନାଇବାରେ ବାଧା ରହିବ କେଉଁଠି!
ମଣିଷ ସଭ୍ୟତାର ଆୟୁଷ ଯେତେ ବଢ଼ିବଢ଼ି ଚାଲିଛି, ସେତେ ଲମ୍ବିଲମ୍ବି ଯାଉଛି ତା’ର ବୌଦ୍ଧିକ ବିକାଶର ଇତିହାସ। ଆଦିମ ପ୍ରସ୍ତର ଯୁଗର ଅସଭ୍ୟ ଜୀବନଚର୍ଯ୍ୟା ମଧ୍ୟରେ ଆଜିର ସଭ୍ୟ ମଣିଷକୁ ବଞ୍ଚତ୍ବାକୁ କୁହାଗଲେ, ସେ ଚିହିଁକି ଉଠିବ। ଏକ ସମୃଦ୍ଧ ସଭ୍ୟତା, ଭବ୍ୟ ଆଧୁନିକତା ତଥା ବୌଦ୍ଧିକ ଜ୍ଞାନ ଓ ବିଶ୍ୱସ୍ତ ବିଜ୍ଞାନ ତା’ ନିଜ ଜୀବନ ସହିତ ଚାରିପାଖର ଦୁନିଆକୁ ଯେମିତି ସହଜ ଓ ସୁଖମୟ କରିଛି, ସେଠାରୁ ଫେରିଆସି ପୁଣି ଏକ ଅଭିଶପ୍ତ, ଅପ୍ରଚଳିତ ଜୀବନ ନିର୍ବାହ କରିବାକୁ ସେ ଅସ୍ବୀକାର କରିବ। ଏକଦା ଏ ପୃଥିବୀରେ ତା’ ପୂର୍ବପୁରୁଷମାନେ କେମିତି ଚଳୁଥିଲେ, ସେ କଥା ବର୍ତ୍ତମାନ ଚିନ୍ତା କଲେ ଏବେକାର ସଭ୍ୟ ମଣିଷର ଲୋମ ଟାଙ୍କୁରି ଉଠିବ। ଜଙ୍ଗଲରେ ଅର୍ଦ୍ଧଉଲଗ୍ନ ହୋଇ ବାସ କରିବା, ପଥରରେ ପଥର ଘଷି ନିଅଁା ସୃଷ୍ଟି କରିବା, ସେହି ନିଅଁାରେ ପଶୁପକ୍ଷୀଙ୍କ କଞ୍ଚାମାଂସ ପୋଡ଼ି ଖାଇବା! ବର୍ତ୍ତମାନର ଜୀବନ ଦର୍ପଣରେ ଏମିତି ଭୟଙ୍କର ଅତୀତର ପ୍ରତିଫଳନ ଦେଖି ତା’ ଆଖି ଭୟରେ ମୁଦି ହୋଇପଡ଼ିବ। ସେ କୃତଜ୍ଞ ହୋଇ ଉଠିବ ସେହି ସମୟ ପ୍ରତି, ଯେଉଁ ସମୟ ତାକୁ ସଭ୍ୟତାର ଆଲୋକ ଦେଖାଇଛି, ଏକ ପଶୁରୁ ମଣିଷକୁ ବିବର୍ତ୍ତିତ କରିଛି।
ଏକ ସମୃଦ୍ଧ ସଭ୍ୟତାର ସମସ୍ତ ସାନ୍ତ୍ୱନା ସତ୍ତ୍ୱେ ଏଯାଏ ବି କିଛି ହତଭାଗ୍ୟ ମଣିଷ ବିକାଶର ସ୍ବାଦ ଚାଖିବାକୁ ଅସ୍ବୀକାର କରି ଆସିଛନ୍ତି। କେଉଁଠି ଆଦିମାନବଙ୍କ ପରି ଅଧାଲଙ୍ଗଳା ହୋଇ ରହୁଛନ୍ତି ତ ଅନ୍ୟ କେଉଁଠି ପରିବାରର ଦୁର୍ଭାଗ୍ୟ ପାଇଁ ପଡ଼ୋଶୀ ମହିଳାଙ୍କୁ ଡାହାଣୀ ମନେକରି ତା’ ମୁଣ୍ଡ କାଟି ଦେଉଛନ୍ତି। ଏଇତ କେଇଦିନ ତଳେ ବଣ୍ଡାଘାଟି ଓ ନିୟମଗିରିର ଆଦିମ ଅଧିବାସୀମାନେ କରୋନା ପରୀକ୍ଷା କରିବାକୁ ଅରାଜି ହୋଇ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲେ। ନୃତତ୍ତ୍ୱବିତ୍‌ ଓ ସମାଜଶାସ୍ତ୍ରୀଙ୍କ ଗବେଷଣାରୁ ଯାହା ଜଣାପଡ଼େ, କେବଳ ଅଶିକ୍ଷା ହିଁ ଏମାନଙ୍କ ଅସଭ୍ୟତାର ମୂଳହେତୁ। ସ୍ବାମୀ ବିବେକାନନ୍ଦ କହିଥିଲେ, ‘ଶିକ୍ଷା ମଣିଷ ଭିତରେ ଥିବା ଶ୍ରେଷ୍ଠତାର ପରିପ୍ରକାଶ କରେ’। ପ୍ରକୃତପକ୍ଷେ ଶିକ୍ଷା ମଣିଷକୁ ତା’ର ଉତ୍ତାଳ ଉତ୍କର୍ଷ ସମ୍ପର୍କରେ ସୂଚାଇ ଦେଇଥାଏ। ତା’ ଭିତରେ ଥିବା ଦିବ୍ୟାତ୍ମାକୁ ଚିହ୍ନିବାକୁ ଏହି ଶିକ୍ଷା ହିଁ ମଣିଷକୁ ଦିବ୍ୟଚକ୍ଷୁ ଦାନ କରିଥାଏ। ସୁତରାଂ ମଣିଷ ଭାବେ ଜନ୍ମ ହୋଇ ମଧ୍ୟ ଯେଉଁମାନେ ପଶୁ ଭଳି ଅସଭ୍ୟ ଭାବେ ବଞ୍ଚତ୍ ରହିଥା’ନ୍ତି, ସେମାନଙ୍କର ଏହି ଦୁର୍ଭାଗ୍ୟ ପାଇଁ ଶିକ୍ଷାର ଅଭାବକୁ ହିଁ ଦାୟୀ କରାଯାଇପରେ। ଅଶିକ୍ଷିତ ହୋଇ ନ ଥିଲେ ସେମାନେ ହୁଏତ ଏମିତି ଅସଭ୍ୟ ହୋଇନଥା’ନ୍ତେ।
ମାତ୍ର ଆମର ଏହି ସଭ୍ୟ ସମାଜରେ ଏମିତି କିଛି ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହୁଏ, ଯେଉଁଠି ଏହି ଧାରଣା ପ୍ରଚଣ୍ଡ ବ୍ୟତିକ୍ରମର ସମ୍ମୁଖୀନ ହୁଏ। ଶିକ୍ଷା ଓ ସଭ୍ୟତା ମଧ୍ୟରେ ଥିବା ସଚରାଚର ସମ୍ପର୍କ ଭୟଙ୍କର ଭାବେ ଭ୍ରାନ୍ତ ପ୍ରମାଣିତ ହୁଏ। ଜଣଙ୍କର ପଦବୀ, ପ୍ରତିଷ୍ଠା ବା ଶିକ୍ଷାଗତ ଯୋଗ୍ୟତାକୁ ଚାହିଁ ତାଙ୍କୁ ସଭ୍ୟ ସମ୍ଭ୍ରାନ୍ତ ଶ୍ରେଣୀର ମଣିଷ ଭାବେ ବିବେଚନା କରିବାକୁ ବସ୍ତୁତଃ କିଛି ବାଧା ନ ଥିବ, ଅଥଚ ତାଙ୍କ ଆଚରଣକୁ ଟିକେ ନିରେଖି ଚାହିଁଲେ ତାଙ୍କୁ ସଭ୍ୟ ମଣିଷ କହିବାକୁ ମନ ବଳୁ ନ ଥିବ। ଏ ପ୍ରକାର ଅନୁଭବ ବିଚିତ୍ର ନିଶ୍ଚୟ, କିନ୍ତୁ ବିରଳ ନୁହେଁ। ଏଇ ସପ୍ତାହକ ପୂର୍ବରୁ ଆମ ରାଜଧାନୀର ଜଣେ ସଭ୍ୟ ଶ୍ରେଣୀଭୁକ୍ତ ସମ୍ଭ୍ରାନ୍ତ ନାଗରିକଙ୍କ ଅସଭ୍ୟ ଆଚରଣକୁ ଏହି କ୍ରମରେ ଏକ ସଦ୍ୟ ସଂଘଟିତ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇପାରେ।
ବାବୁ ଜଣକ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ତାଙ୍କ ପଦବୀର ପରିଚୟକୁ ନେଇ ଆଖି ବୁଜି କହିଦେଇ ହେବ ଯେ, ସେ ଜଣେ ସଭ୍ୟ ମଣିଷ। ଅଥଚ ସେଦିନ ଟିଭି ପରଦାରେ ପ୍ରଦର୍ଶିତ ହୋଇଥିବା ତାଙ୍କର ଅସଭ୍ୟ ଆଚରଣ ଯେଉଁମାନେ ଦେଖିଛନ୍ତି, ସେମାନେ ବିଶ୍ୱାସ କରିବାକୁ ବାଧ୍ୟ ହେବେ ଯେ ଶିକ୍ଷା ପାଇଲେ ମଣିଷ ଶିକ୍ଷିତ ହୁଏ ସିନା, ସଭ୍ୟ ହୋଇ ଯାଏନା। ବାବୁଙ୍କ ଘରର ଶାନ୍ତିଭଙ୍ଗ କରୁଥିବା ଦୁଇଟି କୁନିକୁନି ବିଲେଇ ଛୁଆଙ୍କୁ ସେ ଯେମିତି ନିର୍ଦ୍ଦୟ ଭାବେ ରାସ୍ତାର ବୁଲାକୁକୁରଙ୍କ ଆହାର ହେବାକୁ ଫିଙ୍ଗିଦେଲେ ତାହା ନିମ୍ନତମ ମଣିଷତ୍ୱର ମଧ୍ୟ ବିରୁଦ୍ଧାଚରଣ କରୁଛି। ଅବଶ୍ୟ ମଣିଷ ହୋଇ ମଧ୍ୟ ମଣିଷତ୍ୱକୁ ନିର୍ବାସନରେ ପଠାଇ ଦେଇଥିବାର ଅପରାଧ ପାଇଁ ପୋଲିସ ଏହାଙ୍କୁ ଗିରଫ କରିଥିବାର ଖବର ପ୍ରକାଶ ପାଇଛି।
ସବଳ ପଶୁଟିଏ ଦୁର୍ବଳ ପଶୁଟିକୁ ନିର୍ମମ ନିର୍ଯାତନା ଦେଉଥିବାର ଦୁଃଖଦ ଦୃଶ୍ୟ ଆମ ଆଖିରେ ବହୁବାର ପଡ଼ିଛି ଟିଭିରେ ଡିସ୍‌କଭରି ବା ଆନିମଲ ପ୍ଲାନେଟ ଚ୍ୟାନେଲ ଦେଖୁଥିଲାବେଳେ। ମାତ୍ର କେହି ସଭ୍ୟ ଶିକ୍ଷିତ ମଣିଷଟିଏ ଯଦି ନିରୀହ ପଶୁଟିକୁ ନିର୍ଯାତନା ଦେଉଥିବାର ଦୃଶ୍ୟ ଆମ ଆଖିରେ ପଡ଼େ, ତେବେ କେମିତି ହେବ ଆମର ଅନୁଭବ। ଏକ ଦୀପାବଳି ସନ୍ଧ୍ୟାରେ ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କର ଏହି ଅମାନୁଷିକ ଆଚରଣକୁ ଲକ୍ଷ୍ୟ କରାଯାଉ। ଏହି ଶିକ୍ଷିତ ଅଥଚ ଅସଭ୍ୟ ଯୁବକ ଖଣ୍ଡିଏ ରୋଟିର ଲୋଭ ଦେଖାଇ ଗୋଟିଏ ବୁଲା କୁକୁରକୁ ପାଖକୁ ଡାକି ତା’ ଲାଞ୍ଜରେ ଚକୋଲେଟ୍‌ ବମ୍‌ କୁହାଯାଉଥିବା ଏକ ବିପଜ୍ଜନକ ବିସ୍ଫୋରକ ବାନ୍ଧି ତହିଁରେ ନିଅଁା ଲଗାଇ ଦେଇଥିଲେ। ନିରୀହ ପଶୁଟି ଛାନିଆରେ ପଳାଇ ଯାଉଥିବାବେଳେ ଅଚାନକ ପ୍ରଚଣ୍ଡ ବିସ୍ଫୋରଣରେ ଆହତ ହୋଇ ତଳେ ପଡ଼ିଗଲା। ତା’ର କ୍ଷତବିକ୍ଷତ ରକ୍ତାକ୍ତ ଶରୀର ତୀବ୍ର ଯନ୍ତ୍ରଣାରେ ଥରି ଉଠୁଥିଲାବେଳେ ପରମ ଆନନ୍ଦ ଉପଭୋଗ କରୁଥିଲା ମଣିଷ ବୋଲାଉଥିବା ଉଦଣ୍ଡ ଯୁବକଟି।
ଏ ତ ଗଲା ପଶୁମାନଙ୍କ ପାଇଁ ମଣିଷର ଉନ୍ମତ୍ତ ଆଚରଣର କଥା। ମାତ୍ର ବେଳେବେଳେ କିଛି ପଶୁମାନଙ୍କର ଏମିତି କଥା ଦୃଷ୍ଟିକୁ ଆସେ, ଯେତେବେଳେ ଲାଗେ ମଣିଷମାନଙ୍କଠାରୁ ସେମାନେ ଉନ୍ନତ ଚେତନାର ଜୀବ। କେଇବର୍ଷ ତଳେ ଆମେରିକାର ଜଣେ ପ୍ରଫେସରଙ୍କ ପାଳିତ କୁକୁରଟି ତା’ ପ୍ରଭୁଙ୍କ ମୃତ୍ୟୁରେ ଏମିତି ଭାଙ୍ଗି ପଡ଼ିଥିଲା ଯେ ତିନିଦିନଯାଏ ବିନା ଖାଦ୍ୟପେୟରେ ନିଜ ଶୋକ ପ୍ରକଟ କରିଥିଲା। ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ଭାବେ ବିବେଚିତ ହେଉଥିବା ଏହି କୁକୁରଟିର ଶୋକପାଳନ କେବଳ ଏତିକିରେ ସରି ନ ଥିଲା। ଏକ ପ୍ରଭୁବିହୀନ ପୃଥିବୀ ତା’ ପାଇଁ ଏମିତି ନର୍କ ମନେହେଲା ଯେ, ବାରମହଲା ପ୍ରାସାଦର ଛାତ ଉପରୁ ତଳକୁ ଡେଇଁ ସେ ଆତ୍ମହତ୍ୟା କରିଥିଲା। ସ୍ନେହ, ଶ୍ରଦ୍ଧା, ସମ୍ବେଦନା ବା ବିଶ୍ୱାସ ଓ ବିଶ୍ୱସ୍ତତା ଆଦି ମାନବୀୟ ଗୁଣଗୁଡ଼ିକ ଯେ କେବଳ ମାନବୀୟ ପରିଭାଷା ନୁହେଁ, ତାହାର ବଳିଷ୍ଠ ପ୍ରମାଣ ହୋଇ ଉଭା ହୋଇଥିଲା ଏହି ପଶୁଟି।
କେବଳ କୁକୁର ଭଳି ଏକ ଗୃହପାଳିତ ପଶୁ ନୁହେଁ, ବାଘ ଭଳି ଏକ ଜଙ୍ଗଲୀ ହିଂସ୍ର ପ୍ରାଣୀ ଯେ ମାନବସୁଲଭ ସ୍ନେହପ୍ରେମର ଭାଷା ବୁଝିପାରନ୍ତି, ଏହାର ଏକ ଅବିଶ୍ୱସନୀୟ ଉଦାହରଣ ଦେଖିବାକୁ ମିଳିଥିଲା। ପ୍ରାୟ ବର୍ଷକ ତଳେ ଆସାମର ଶିବସାଗର ଅଞ୍ଚଳରେ ଜଣେ ସ୍ବଚ୍ଛଳ ଚାଷୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଲା ଯେ, ପ୍ରତିଦିନ ରାତିରେ ତାଙ୍କ ମୁକ୍ତ ଗୁହାଳକୁ ଜଙ୍ଗଲୀ ବାଘଟିଏ ଆସୁଛି ଓ ନୂଆ ହୋଇ ଆସିଥିବା ଏକ ଗାଈ ପାଖରେ କିଛି ସମୟ ବିତାଇ ଗୁହାଳରେ ଥିବା ଅନ୍ୟ ଗାଈଗୋରୁମାନଙ୍କର କିଛି କ୍ଷତି ନ କରି ରାତି ପାହିବା ପୂର୍ବରୁ ପୁଣି ଫେରିଯାଉଛି। ଚାଷୀ ଜଣକ ଆଶ୍ଚର୍ଯ୍ୟ ହେଲେ ଓ ପନ୍ଦରଦିନ ପୂର୍ବରୁ କିଣାହୋଇଥିବା ତାଙ୍କ ନୂଆ ଗାଈର ପୁରୁଣା ମାଲିକଙ୍କୁ ଭେଟି ଏହି ଆଶ୍ଚର୍ଯ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଲେ। ତାଙ୍କ ପାଖରୁ ସେ ଯାହା ଜାଣିଲେ, ତାହା ମଧ୍ୟରେ ପ୍ରତିଫଳିତ ହେଉଥିଲା ସଂସାରର ଅନ୍ୟ ଏକ ବୈଚିତ୍ର୍ୟ। ପ୍ରକଟିତ ହେଉଥିଲା ସଚରାଚର ପରିଦୃଷ୍ଟ ହେଉଥିବା ଖାଦ୍ୟ-ଖାଦକର ସମ୍ପର୍କକୁ ପ୍ରତିହତ କରି ମୁଣ୍ଡ ଟେକିଥିବା ଏକ ଅପୂର୍ବ ବାତ୍ସଲ୍ୟର ମୁଗ୍ଧ ଅନୁଭବ।
ପୁରୁଣା ମାଲିକଙ୍କ ଗୋଠରୁ ଘାସ ଚରିବାକୁ ନିକଟସ୍ଥ ଅରଣ୍ୟକୁ ଯାଇଥିବାବେଳେ ସଦ୍ୟ ମାତୃତ୍ୱ ଲାଭ କରିଥିବା ଗାଈଟି ଥରେ ଦେଖିଲା ଗୋଟିଏ ବୁଦାମୂଳରେ ପଡ଼ିରହିଛି ଏକ ଚିତା ବାଘୁଣୀର ମୃତଶରୀର ଓ ପାଖରେ ଶୋଇ ରହି ମା’ର ସ୍ତନ୍ୟପାନ କରିବାକୁ ବିଫଳ ଉଦ୍ୟମ କରୁଥିବା ସଦ୍ୟ ଜନ୍ମିତ ଶାବକଟିଏ। ଶିଶୁ ଶାବକକୁ ଜନ୍ମ ଦେଇ ବାଘୁଣୀଟି ମରିଯାଇଛି ବୋଲି ଗାଈଟି ବୁଝିଲା ପରେ ନିଜ କର୍ତ୍ତବ୍ୟ ସ୍ଥିର କରି ନେଇଥିଲା ଓ ଚିତାବାଘ ଶାବକଟିକୁ ନିଜ କ୍ଷୀର ପିଆଇ ସାଷ୍ଟାମ କରିଥିଲା। କେବଳ ସେଇ ଦିନଟି ନୁହେଁ, ପରବର୍ତ୍ତୀ ପ୍ରତ୍ୟେକ ଦିନ ପାଲଟି ଯାଇଥିଲା ଗାଈଠୁ କ୍ଷୀର ପିଇବାକୁ ଚିତାବାଘ ଛୁଆଟିର ଅପେକ୍ଷାର ଦିନ। ଛୁଆଟି ବଡ଼ ହେଲା ଓ କ୍ଷୀରପିଆ ବସୟରୁ ଉତ୍ତୀର୍ଣ୍ଣ ହୋଇ ନିଜେ ନିଜର ଖାଦ୍ୟ ସଂଗ୍ରହ କରି ଶିଖିଲା ସିନା, ନିତିଦିନ ଗାଈଟି ସହ ଜଙ୍ଗଲରେ ମିଶିବା ଅଭ୍ୟାସକୁ ଛାଡ଼ିପାରିଲା ନାହିଁ। ଯେଉଁଦିନ କୌଣସି କାରଣରୁ ଗାଈଟି ଜଙ୍ଗଲକୁ ଆସିପାରୁ ନ ଥିଲା, ତରୁଣ ଚିତାବାଘଟି ରାତିରେ ଯାଇ ଗାଈକୁ ତା’ ମୁକ୍ତ ଗୁହାଳରେ ଭେଟୁଥିଲା ଓ ତା’ ପାଖରେ ଜାକିଜୁକି ହୋଇ କିଛି ସମୟ ଶୋଇ ରାତି ପାହିବା ପୂର୍ବରୁ ପୁଣି ଜଙ୍ଗଲକୁ ଫେରି ଯାଉଥିଲା। ଗାଈଟି ବିକ୍ରି ହେଲା ପରେ ତା’ ଠିକଣା ବଦଳିଗଲା ସିନା, ମାତ୍ର ଆଦୌ ବଦଳିଲାନି, ବଦଳିପାରିଲାନି ଚିତାବାଘର ଅଭ୍ୟାସ। ସେ ପୁଣି ଯାଇ ପହଞ୍ଚତ୍ ଯାଇଥିଲା ଗାଈର ନୂଆ ଠିକଣାରେ। ଆଉ ତା’ର କ୍ଷୀର ପିଇବା ପାଇଁ ନୁହେଁ, ଟିକିଏ ତା’ର ସାନ୍ନିଧ୍ୟ ପାଇବାକୁ ତା’ର ବିଜାତୀୟ ମାତୃତ୍ୱ ପ୍ରତି ନିଜର କୃତଜ୍ଞତା ପ୍ରକଟ କରିବାକୁ।
ଲକ୍ଷ୍ୟ କରିବାର କଥା, ନିଜ କ୍ଷୀର ପିଆଇ ଚିତାବାଘ ଶାବକଟିର ଜୀବନ ବଞ୍ଚାଇଥିବା ସେଇ ବଉଳା ଗାଈ ଅବା ଗାଈଟିର ସାନ୍ନିଧ୍ୟ ପାଇବାକୁ ନିଜ ସ୍ବଭାବଗତ ହିଂସ୍ରତା ପରିହାର କରି ନିତିଦିନ ଜଙ୍ଗଲରୁ ଜନପଦକୁ ଆସୁଥିବା ଚିତାବାଘ ଦୁହେଁ ଥିଲେ ପଶୁ। ଅଥଚ କଅଁଳ ବିଲେଇ ଛୁଆ ଦିଓଟିକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ କୁକୁର ମୁହଁରେ ଫିଙ୍ଗି ଦେଇଥିବା ସେଇ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅବା କୁକୁର ଲାଞ୍ଜରେ ଫୋଟକା ଫୁଟାଇ ଦୀପାବଳି ପାଳନ କରୁଥିବା ସେଇ ଯୁବକ ଜଣକ ଥିଲେ ଦିବ୍ୟ ଚେତନାଧାରୀ ମଣିଷ! ବିଡ଼ମ୍ବନା ଆଉ କାହାକୁ କହନ୍ତି କି?
ପ୍ରଜ୍ଞାନିଳୟ
ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସେପ୍ଟିକ ଟାଙ୍କି ସଫା କରିବାର ଆଉ ଟେନ୍‌ସନ ରହିବ ନାହିଁ, କାରଣ ଆଇଆଇଟି ମାଡ୍ରାସର ଗବେଷକମାନେ ଏବେ ବିକାଶ କରିଛନ୍ତି ଏକ ନୂତନ ରୋବୋ ଯାହା...

ମନୁଷ୍ୟକୃତ ଆଲୋକ ପ୍ରଦୂଷଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପିଲା କାନ୍ଦିଲେ ତାକୁ ତୁନେଇବାକୁ ହେଉ ଅଥବା ସେ ନ ଶୋଇ ମା’କୁ ହଇରାଣ କରିବା ବିଷୟରେ ହେଉ, ମା’ମାନେ ଏହି...

ରହସ୍ୟଜନକ ଅଦଳବଦଳ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କୋଇଲା ସଚିବ ସୁମନ୍ତ ଚୌଧୁରୀଙ୍କ ସ୍ଥାନରେ ଏ.କେ. ଜୈନଙ୍କ ନିଯୁକ୍ତିକୁ ନେଇ କ୍ଷମତା ଅଳିନ୍ଦରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏଥିରେ...

ଏଇ ଭାରତରେ

ପଇସାପତ୍ର ଅଭାବରୁ ଏକ ବୃଦ୍ଧ ଦମ୍ପତି ପରିଣତ ବୟସରେ ବାହା ହୋଇଛନ୍ତି। ତାହା ପୁଣି ବୟସ୍କ ଝିଅପୁଅ ଏବଂ ନାତୁଣୀନାତିଙ୍କ ମେଳରେ। ସେମାନେ ଏକତ୍ର ୫୦...

ଆଇଆର୍‌ଏସ୍‌ ରାଡାର

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ହିସାବ ବହିର୍ଭୂତ ବିଦେଶୀ ଏବଂ ବେନାମୀ ସମ୍ପତ୍ତି ଉପରେ ଏବେ ତା’ ଅଭିଯାନ ଜୋରଦାର କରିଛି। ଏଥିପାଇଁ...

କଷ୍ଟ ସମୟ

ସମ୍ପାଦକୀୟ/ତଥାଗତ ସତପଥୀ ଗଣତନ୍ତ୍ର ଉପରେ ଯେତେବେଳେ ଚାପ ବୃଦ୍ଧି ପାଉଛି, ସେତେବେଳେ ଗଣମାଧ୍ୟମର ଗୁରୁତ୍ୱ ମଧ୍ୟ ବଢୁଛି। ଏହା ସତ୍ୟ ଯେ, ୧୯୪୭ ମସିହାଠାରୁ ଆଜି...

ଦୋଛକିରେ ଜୀବନ ଓ ଜୀବିକା

ରୁଦ୍ରପ୍ରସନ୍ନ ମିଶ୍ର କରୋନା ମହାମାରୀ ବିଗତ କିଛି ଦଶକ ଭିତରେ ମାନବ ସଭ୍ୟତା ଆଗରେ ଠିଆ ହୋଇଥିବା ସଙ୍କଟମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ବଡ ସଙ୍କଟ।...

ଏଇ ଭାରତରେ

ସାରା ଦେଶରେ ଦାରିଦ୍ର୍ୟର ଛବି ଗାଁଗୁଡ଼ିକରେ ଦେଖିବାକୁ ମିଳୁଥିବାବେଳେ ତା’ ଭିତରେ ବି ଏକ ଭଲ ଖବର ସାମ୍ନାକୁ ଆସିଛି। ଅହମ୍ମଦ ନଗର ଜିଲା ହିଓ୍ବାର...

Advertisement
Archives

Model This Week