ଜାତୀୟତାବାଦ ବନାମ ଜାତୀୟତାବୋଧ

ବିଶିଷ୍ଟ ଲେଖକ ଜର୍ଜ ଅରଓ୍ବେଲ୍‌ଙ୍କ ମତରେ ନିଜକୁ ଏକ ନିର୍ଦ୍ଦିଷ୍ଟ ଜାତି ଭାବରେ ଚିହ୍ନିତ କରିବା ଓ କେବଳ ସେହି ଜାତିର ସ୍ବାର୍ଥକୁ ଉନ୍ନୀତ କରିବା ହିଁ ଏକମାତ୍ର କର୍ତ୍ତବ୍ୟ ବୋଲି ସ୍ବୀକାର କରିବା ହେଉଛି ଜାତୀୟତାବାଦ। ଦେଶପ୍ରେମ ଓ ଜାତୀୟତାବାଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ ସେ କହିଛନ୍ତି, ନିଜ ଦେଶ ପ୍ରତି ଓ ସେହି ଦେଶର ଜୀବନଶୈଳୀ ପ୍ରତି ଅନୁରକ୍ତ ହେବା ଓ ତାକୁ ଶ୍ରେଷ୍ଠ ମନେକଲେ ମଧ୍ୟ ତାକୁ ଅନ୍ୟ ଉପରେ ଲଦିଦେବା ପାଇଁ ଇଚ୍ଛା ନ କରିବା ହେଉଛି ଦେଶପ୍ରେମ। ଉଭୟ ସାମରିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଏହା ପ୍ରତିରକ୍ଷାଧର୍ମୀ। ଅପରପକ୍ଷରେ ଜାତୀୟତାବାଦ କ୍ଷମତାଲିପ୍‌ସାଠାରୁ ବିଚ୍ଛିନ୍ନ ନୁହେଁ। ପ୍ରତ୍ୟେକ ଜାତୀୟତାବାଦୀର ଲକ୍ଷ୍ୟ ହେଉଛି ନିଜ ଜାତି ପାଇଁ ଅଧିକରୁ ଅଧିକ କ୍ଷମତା ଓ ସମ୍ମାନପ୍ରାପ୍ତ କରିବା। ମାତ୍ର ଯେଉଁ ଦେଶରେ ଆମେ ଜନ୍ମ ହୋଇଛୁ ଓ ପ୍ରତିପାଳିତ ହୋଇଛୁ ସେହି ଦେଶକୁ ଭଲପାଇବା ଏକ ସ୍ବାଭାବିକ ପ୍ରବୃତ୍ତି। ଏହା ହେଉଛି ଦେଶପ୍ରେମ, ମାତ୍ର କ୍ଷମତାଲିପ୍‌ସା ଏହାର ଲକ୍ଷ୍ୟ ନୁହେଁ। ଏହି ପ୍ରସଙ୍ଗରେ ମନେପଡ଼େ ରୋମର ନାଗରିକ ସିନ୍‌ସିନାଟାସ୍‌ଙ୍କ କଥା।
ଅଢ଼େଇ ହଜାର ବର୍ଷ ତଳର କଥା। ସେତେବେଳେ ରୋମ୍‌ ଥିଲା ଏକ ସାଧାରଣତନ୍ତ୍ର। ସ୍ବାଭାବିକ ପରିସ୍ଥିତିରେ ରୋମବାସୀମାନେ କୃଷି କର୍ମରେ ମନ ନିବେଶ କରୁଥିଲେ। ମାତ୍ର ଦୈବାତ୍‌ ଯଦି କେତେବେଳେ ନିଜ ଦେଶ ଉପରେ ଆକ୍ରମଣ ହୁଏ, ସେମାନେ ବନି ଯାଉଥିଲେ ସୈନିକ। ଦେଶର ପ୍ରତିରକ୍ଷା ପାଇଁ ସେମାନେ ସୀମାନ୍ତ ଉପରେ ଦୃଷ୍ଟି ରଖୁଥିଲେ। ଦିନେ ଗୋଟିଏ ଉପତ୍ୟକା ଭିତରେ ଦେଶର ସୈନ୍ୟବାହିନୀ ବିଶ୍ରାମ ନେଉଥିଲା ବେଳେ ଏକ ଶତ୍ରୁଦେଶର ଆକ୍ରମଣକାରୀ ସୈନ୍ୟ ଦଳ ତାଙ୍କୁ ଘେରିଗଲେ। ସେତେବେଳେ ସନ୍ଧ୍ୟା। ଦୂର ବିଲରେ ହଳ ବୁଲାଉଥାନ୍ତି କୃଷକ ସିନ୍‌ସିନାଟାସ୍‌। ସେ ଥିଲେ ସାହସୀ ଓ ବୁଦ୍ଧିମାନ୍‌। ଆକ୍ରମଣର ଖବର ପାଇ ସେ ଚାଲିଆସିଲେ ନଗର ଭିତରକୁ। ସମର୍ଥ ନାଗରିକମାନଙ୍କୁ ଖଣ୍ଡିଏ ଲେଖାଏ କାଠପଟା ଧରି ଗୋଟିଏ ସ୍ଥାନରେ ଏକତ୍ର ହେବାପାଇଁ ନିର୍ଦ୍ଦେଶ ଦେଲେ। ସେମାନଙ୍କୁ ନେଇ ଶତ୍ରୁବଳୟର ଚତୁର୍ଦ୍ଦିଗରେ ଅନ୍ୟ ଏକ ବଳୟ ସୃଷ୍ଟି କଲେ। ପ୍ରତ୍ୟେକ ନାଗରିକ ନିଜ ଆଗରେ ବର୍ମ ଭଳି କାଠପଟାମାନ ପୋତି ପଛରେ ଛିଡ଼ା ହୋଇଗଲେ। ସକାଳ ହେବା ବେଳକୁ ଶତ୍ରୁବାହିନୀ ଦେଖିଲେ ରୋମର ଜନତା ସେମାନଙ୍କୁ ବେଷ୍ଟନ କରି କାବୁ କରି ନେଇଛନ୍ତି। ଆତ୍ମସମର୍ପଣ ବ୍ୟତୀତ ସେମାନଙ୍କ ଗତ୍ୟନ୍ତ ନ ଥିଲା। ସମସ୍ତେ ବନ୍ଦୀ ହେଲେ। ରୋମ୍‌ ବିଜୟୀ ହେଲା। ରୋମବାସୀ ସିନ୍‌ସିନାଟାସ୍‌ଙ୍କୁ ଅନୁରୋଧ କଲେ ଯେ, ସେ ରୋମର ସର୍ବୋଚ୍ଚ ଶାସକ ହୁଅନ୍ତୁ। ମାତ୍ର ସେ ନୀରବରେ ତାଙ୍କ ବିଲକୁ ଫେରିଯାଇ ପୁଣି ହଳ ବୁଲାଇବା ଆରମ୍ଭ କଲେ। ରୋମବାସୀଙ୍କ ଅନୁରୋଧକୁ କର୍ଣ୍ଣପାତ କଲେ ନାହିଁ। ନିଜ ଜନ୍ମଭୂମିକୁ ଶତ୍ରୁ କବଳରୁ ରକ୍ଷା କରିବା ଥିଲା ତାଙ୍କର କର୍ତ୍ତବ୍ୟ। କ୍ଷମତା ତାଙ୍କ ପଛରେ ଦୌଡ଼ିଥିଲା। ମାତ୍ର ସେ କ୍ଷମତା ପଛରେ ଦୌଡ଼ି ନ ଥିଲେ। ଏହାକୁ କୁହାଯାଏ ଦେଶପ୍ରେମ। ଅନୁରୂପ ଭାବରେ ଗାନ୍ଧିଜୀ ଭାରତର ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ମାତ୍ର ସେ ଚାହିଁଥିଲେ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଥା’ନ୍ତେ। ମାତ୍ର ତାଙ୍କର ସେଭଳି କ୍ଷମତାଲିପ୍‌ସା ନ ଥିଲା। ଏହା ଦେଶପ୍ରେମର ଆଉ ଏକ ବଳିଷ୍ଠ ଉଦାହରଣ।
ଇଂଲିଶ୍‌ରେ ଦେଶପ୍ରେମକୁ ‘ପେଟ୍ରିଓଟିଜମ୍‌’ କୁହାଯାଏ। ଏହା ପେଟ୍ରିଅଟ୍‌ ଶବ୍ଦରୁ ସୃଷ୍ଟି ହୋଇଛି। ଏହି ଶବ୍ଦଟି ଇଂଲିଶ୍‌କୁ ଆସିଛି ଫରାସୀ ଶବ୍ଦ ‘ପେଟ୍ରିଓଟ୍‌’ରୁ, ଯାହାର ଅର୍ଥ ହେଉଛି ‘ସହଦେଶବାସୀ’। ଇଂଲିଶ୍‌ରେ ଜାତୀୟତାବାଦକୁ ନ୍ୟାଶାଲିଜମ୍‌ କୁହାଯାଏ। ଏହି ଦୁଇ ଶବ୍ଦ ପେଟ୍ରଓଟିଜମ୍‌ ଓ ନ୍ୟାଶାନାଲିଜମ୍‌ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ, ପେଟ୍ରଓଟିଜମ୍‌ ଶବ୍ଦଟି ନ୍ୟାଶାଲିଜମ୍‌ ଶବ୍ଦଠାରୁ ବହୁ ପୁରୁଣା। ପେଟ୍ରିଓଟିଜମ୍‌ ଶବ୍ଦଟି ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରେ ବ୍ୟବହାର ହୋଇଥିବା ବେଳେ ନ୍ୟାଶନାଲିଜମ୍‌ ଊନବିଂଶ ଶତାବ୍ଦୀରେ ବ୍ୟବହାର ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦୁଇଟି ଶବ୍ଦ ସମାନ ଅର୍ଥରେ ଯଥା ଦେଶପ୍ରେମ ଅର୍ଥରେ ବ୍ୟବହୃତ ହେଉଥିଲା। ମାତ୍ର ପୃଥିବୀର କେତୋଟି ଘଟଣାକ୍ରମରେ ଜାତୀୟତାବାଦ ଶବ୍ଦଟି ଦେଶପ୍ରେମଠାରୁ ଅର୍ଥରେ କିଞ୍ଚତ୍ତ ଦୂରେଇ ଗଲା। ସାର୍ବଭୌମତ୍ୱ ହାସଲ କରିବା ପାଇଁ ରାଜତନ୍ତ୍ର ବିରୋଧରେ ମୁଣ୍ଡ ଟେକିଥିବା ଆମେରିକାର ସ୍ବାଧୀନତା ଆନ୍ଦୋଳନ ଓ ଫରାସୀ ବିପ୍ଳବ ଜାତୀୟତାବାଦର ମଞ୍ଜି ବୁଣିଲା। ପରବର୍ତ୍ତୀ ସମୟରେ ଫାସିଷ୍ଟ ଶାସକମାନେ ଧର୍ମ ଓ ଜାତିକୁ ଭିତ୍ତି କରି ନିଜର ଶ୍ରେଷ୍ଠତ୍ୱକୁ ଜାତୀୟତା ସହ ସାମିଲ କରିନେଲେ। ପୁନଶ୍ଚ ଗ୍ରୀକ୍‌ମାନେ ଗର୍ବ କଲେ ୟୁରୋପୀୟ ସଭ୍ୟତାର ଆଦିଭୂମି ହେଉଛି ଗ୍ରୀସ୍‌। ଇଟାଲୀୟମାନେ ଅତୀତର ରୋମ୍‌ ସାମ୍ରାଜ୍ୟର ଗୌରବ ଓ ବିଭବକୁ ନେଇ ଗର୍ବ କଲେ। ଫରାସୀ ଜାତି ନେପୋଲିଅନ ବୋନାପାର୍ଟଙ୍କ ଦିଗ୍‌ବିଜୟକୁ ନେଇ ନିଜକୁ ମହାନ୍‌ ମଣିଲେ। ରୁଷୀୟମାନେ ସେମାନଙ୍କ ସାମ୍ରାଜ୍ୟକୁ ପୃଥିବୀର ବୃହତ୍ତମ ଶକ୍ତି ବୋଲି ବିବେଚନା କଲେ। ଜର୍ମାନମାନେ ନିଜକୁ ଶ୍ରେଷ୍ଠ ଆର୍ଯ୍ୟ ଜାତି ବୋଲି ଦାବି କଲେ ଓ ଇହୁଦୀମାନଙ୍କୁ ସଂହାର କଲେ। ଇଂରେଜମାନେ ଗର୍ବରେ ଆସ୍ଫାଳନ କଲେ ଯେ ବ୍ରିଟିଶ୍‌ ସାମ୍ରାଜ୍ୟର ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ। ଏହି ଭାବନାରୁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଈର୍ଷାଭାବ ବଢ଼ିଲା ଓ ତଦ୍ଦ୍ବାରା ଜାତୀୟତାବୋଧ ଉଗ୍ରରୂପ ଧାରଣ କଲା। ଦେଶ ଦେଶ ମଧ୍ୟରେ କ୍ଷମତା ବୃଦ୍ଧି ନେଇ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେଲା ଓ ତା’ର ପରିଣତି ହେଲା ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ। ଆଜି ମଧ୍ୟ ଜାତୀୟତାବାଦ ଏକ ରାଜନୈତିକ ବିତର୍କର ବିଷୟ ହୋଇଯାଇଛି। ଗୋଟିଏ ସମାବେଶରେ ଗତ ଅକ୍ଟୋବର ୨୩ ତାରିଖ ୨୦୧୮ରେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜକୁ ଜାତୀୟତାବାଦୀ ବୋଲି ଘୋଷଣା କରି ଆହ୍ବାନ ଦେଲେ- ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’। ଅନୁରୂପ ଭାବରେ ନଭେମ୍ବର ୧୧ ତାରିଖ ୨୦୧୮ରେ ଆର୍ମିଷ୍ଟିସ୍‌ ଡେ ପାଳନ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ମେକ୍ରନ୍‌ ଜାତୀୟତାବାଦର ସଂଜ୍ଞା ଦେଲେ ‘ପୁଟିଙ୍ଗ ଆଓ୍ବାର ନେସନ୍‌ ଫାଷ୍ଟ ଆଣ୍ଡ ନଟ୍‌ କ୍ୟାରିଂ ଏବାଉଟ ଅଦର୍ସ’, ଅର୍ଥାତ୍‌ ନିଜ ଜାତିକୁ ପ୍ରଥମ ସ୍ଥାନ ଦେବା ଓ ଅନ୍ୟମାନଙ୍କ ବିଷୟରେ ଆଦୌ ଚିନ୍ତା ନ କରିବା। ଏହିଭଳି ପ୍ରତ୍ୟେକ ଜାତି ନିଜର ଭାଷା, ସାହିତ୍ୟ, ସଭ୍ୟତା, ପରମ୍ପରା ଆଦିକୁ ମହାନ୍‌ ଓ ଶ୍ରେଷ୍ଠ ରୂପେ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛନ୍ତି। ନିଜ ଜାତିକୁ ନେଇ ଗର୍ବ କରିବାରେ କୌଣସି ଅସୁବିଧା ନାହିଁ, ମାତ୍ର ଅନ୍ୟ ଜାତିମାନଙ୍କୁ ନିକୃଷ୍ଟ ମଣିବା ହେଉଛି ଅହଂକାର।
ପ୍ରାରମ୍ଭରେ ଜାତୀୟତାବୋଧ କହିଲେ ଦେଶପ୍ରେମକୁ ବୁଝାଉଥିଲା। ମାତ୍ର ଏହିଭଳି ଅହଂକାର ଜାତୀୟତାବୋଧକୁ ଜାତୀୟତାବାଦରେ ପରିଣତ କରିଦେଲା। ଯେତେବେଳେ କୌଣସି ଏକ ଆଦର୍ଶ ‘ବାଦ’ରେ ପରିଣତ ହୋଇଯାଏ, ତାହା ଏକ ଅଫିମ ହୋଇଯାଏ ଓ ଆଜି ଜାତୀୟତାବାଦ ଏକ ଅଫିମ ହୋଇଯାଇଛି। ମଣିଷ ଯେତେବେଳେ ଅଫିମ ସେବନ କରେ, ନିଜର ଦୁର୍ବଳତାକୁ ମଧ୍ୟ ସେ ଠିକ୍‌ ବୋଲି ସାବ୍ୟସ୍ତ କରେ। ଯଦି ପ୍ରତ୍ୟେକ ଜାତି ନିଜକୁ ଶ୍ରେଷ୍ଠ ମଣି ଅନ୍ୟକୁ ନିକୃଷ୍ଟ କହିବେ, ଅହଂ ସହ ଅହଂର ସଂଘର୍ଷ ହେବ ଓ ଶେଷରେ ହିଂସା ଓ ରକ୍ତପାତ ସୃଷ୍ଟି ହେବ। ମାତ୍ର ମଣିଷ ଯେତେବେଳେ ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବ, ସେତେବେଳେ ସେ ଅନ୍ୟଦେଶର ଦେଶଭକ୍ତମାନଙ୍କୁ ମଧ୍ୟ ସମ୍ମାନ ଦେବ। ଏହା ହେଉଛି ଦେଶପ୍ରେମର ମର୍ମ। ପ୍ରତ୍ୟେକ ଦେଶପ୍ରେମୀର ଜାତୀୟତାବୋଧ ରହିବା ସ୍ବାଭାବିକ। ମାତ୍ର ଜାତୀୟତାବୋଧ ଯଦି ଜାତୀୟତାବାଦରେ ରୂପାନ୍ତରୀତ ନ ହୁଏ, ତାହା ପୃଥିବୀ ପାଇଁ ମଙ୍ଗଳ।

  • ଡ. ଛାୟାକାନ୍ତ ଷଡ଼ଙ୍ଗୀ
    ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
    ମୋ: ୯୪୩୭୩୨୯୨୬୩

Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?