ଜାତୀୟ ସୁରକ୍ଷା ଆଳ ନ ହେଉ

ଅଭୟ ଦ୍ୱିବେଦୀ

 

ଚଳିତବର୍ଷ ଫେବୃୟାରୀ ୮ରେ କେରଳ ହାଇକୋର୍ଟ, କେନ୍ଦ୍ର ସରକାରଙ୍କ ମାଲାୟାଲମ ମିଡିଆ ୱାନ୍‌ ଟିଭି ଚ୍ୟାନେଲ ନିଷେଧାଜ୍ଞା ଉପରେ ନ୍ୟାୟିକ ସ୍ବୀକୃତି ପ୍ରଦାନ କରିଥିଲୋ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଟିଭି ଚାନେଲ ଯଥା ଏନ୍‌ଡିଟିଭି, ଏସିଆନେଟ୍‌ ନ୍ୟୁଜ୍‌ ଏବଂ ମିଡିଆ ୱାନ୍‌ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ଅସ୍ଥାୟୀ ପ୍ରତିବନ୍ଧ ଲଗାଯାଇଥିଲା।କିନ୍ତୁ ବିରଳ ଦୃଷ୍ଟାନ୍ତ ସ୍ବରୂପ ମିଡିଆ ୱାନ୍‌ ଟିଭି ଚ୍ୟାନେଲର ଲାଇସେନ୍ସ ରଦ୍ଦ କରାଯାଇଛି ଏବଂ ବିରଳତମ ଦୃଷ୍ଟାନ୍ତ ଭାବେ କେନ୍ଦ୍ର ସରକାର ଓ ଅଦାଲତଙ୍କ ବ୍ୟତୀତ ଏହାର ଯଥାର୍ଥ କାରଣ କାହାରିକୁ ଜଣାନାହିଁ।ସମ୍ପୂର୍ଣ୍ଣ ମାମଲାଟି ଏହିଭଳି- ମିଡିଆ ୱାନ୍‌ ଟିଭି ଚ୍ୟାନେଲ ୨୦୧୧ ମସିହା ସେପ୍ଟେମ୍ବର ମାସରେ ଅନୁମତି ପାଇବା ପରେ ୨୦୧୩ ଫେବୃୟାରୀରୁ ପ୍ରସାରଣ ଆରମ୍ଭ କରିଥିଲା।୨୦୨୧ ମସିହା ସେପ୍ଟେମ୍ବରରେ ଲାଇସେନ୍ସ ଅବଧି ସମାପ୍ତ ହେଉଥିବାରୁ ସେହି ବର୍ଷ ମଇ ମାସରେ ଟିଭି ଚ୍ୟାନେଲ ତରଫରୁ ଲାଇସେନ୍ସ ନବୀକରଣ ନିମନ୍ତେ ଆବେଦନ କରାଯାଇଥିଲା।୨୦୨୨ ଜାନୁୟାରୀ ୫ ତାରିଖରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଟିଭି ଚ୍ୟାନେଲକୁ ଏକ କାରଣ ଦର୍ଶାଅ ନୋଟିସ ପଠାଗଲା, ଯେଉଁଥିରେ ଉଲ୍ଲେଖ ଥିଲା, ‘ଜାତୀୟ ସୁରକ୍ଷା ଓ ସାମାଜିକ ଶୃଙ୍ଖଳା ଦୃଷ୍ଟିରୁ ସରକାର ଟିଭି ଚ୍ୟାନେଲର ଲାଇସେନ୍ସ/ଅନୁମତି ରଦ୍ଦ କରିବାକୁ ଚାହୁଁଛନ୍ତି ା’ ଜାନୁୟାରୀ ୧୮ ତାରିଖ ପତ୍ରରେ ମିଡିଆ ୱାନ୍‌ ଟିଭି ଚ୍ୟାନେଲ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଜାଣିବାକୁ ଚାହିଁଥିଲେ ମଧ୍ୟ ଜାନୁୟାରୀ ୩୧ ତାରିଖରେ କେନ୍ଦ୍ର ସରକାର ଟିଭି ଚ୍ୟାନେଲର ଲାଇସେନ୍ସ ରଦ୍ଦ କରିବା ସହିତ ପ୍ରସାରଣ ଅନୁମତି ପ୍ରତ୍ୟାହାର କରିନେଲେ। ସରକାରଙ୍କ ଏହି ଆଦେଶନାମା ବିରୋଧରେ ଟିଭି ଚ୍ୟାନେଲ, କର୍ମଚାରୀ ସଂଘ ଏବଂ କେରଳ ୟୁନିୟନ ଅଫ୍‌ ଓ୍ବାର୍କିଂ ଜର୍ନାଲିଷ୍ଟ ସ୍ବତନ୍ତ୍ର ଭାବେ କେରଳ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କଲେ।ପ୍ରାଥମିକ ପର୍ଯ୍ୟାୟରେ ରହିତାଦେଶ ଦେଇଥିଲେ ମଧ୍ୟ ଅନ୍ତିମ ଶୁଣାଣିରେ ହାଇକୋର୍ଟର ଖଣ୍ଡପୀଠ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କ ତରଫରୁ ଜଉମୁଦ ଲଫାପାରେ ପାଇଥିବା ତଥ୍ୟ ଆଧାରରେ ରଦ୍ଦ ନିର୍ଦ୍ଦେଶନାମାକୁ ବଳବତ୍ତର ରଖିଥିଲେ।ଗୃହ ମନ୍ତ୍ରଣାଳୟର ସୁରକ୍ଷା ଯାଞ୍ଚ ରିପୋର୍ଟ ଆଧାରରେ ସୂଚନା ଓ ପ୍ରସାରଣ ବିଭାଗ ଟିଭି ଚ୍ୟାନେଲର ଲାଇସେନ୍ସ ନବୀକରଣ କରିଥାଆନ୍ତି।ମିଡିଆ ୱାନ୍‌ ଟିଭି ଚାନେଲ କ୍ଷେତ୍ରରେ ଗୃହ ବିଭାଗ ତରଫରୁ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରାଯାଇଥିବାରୁ ହାଇକୋର୍ଟ ୧୮ ପୃଷ୍ଠା ସମ୍ବଳିତ ରାୟରେ ସରକାରଙ୍କ ନିର୍ଦ୍ଦେଶନାମାକୁ ସମର୍ଥନ କରିଛନ୍ତି।ମିଡିଆ ୱାନ୍‌ ଟିଭି ଚ୍ୟାନେଲର ଅସଲ ମାଲିକ ହେଉଛି ଜମାତ୍‌-ଏ-ଇସ୍‌ଲାମୀ, କେରଳ ଶାଖା। ୨୦୧୯ ଫେବୃୟାରୀ ୧୪ ତାରିଖରେ ପୁଲ୍‌ୱାମା ଆକ୍ରମଣରେ ଏହି ସଂସ୍ଥାର ସମ୍ପୃକ୍ତି ଥିବାରୁ କେନ୍ଦ୍ର ସରକାର ସେହି ମାସ ୨୮ ତାରିଖରେ ଏହାକୁ ପାଞ୍ଚ ବର୍ଷ ପାଇଁ ‘ବେଆଇନ’ ଘୋଷଣା କରିବା ସହିତ ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିଲେ ଏବଂ ସଂସ୍ଥାର ଅନେକ ବ୍ୟକ୍ତିଙ୍କୁ ଆରେଷ୍ଟ କରାଯାଇଥିଲା।
ଜାତୀୟ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ।ଏହି କ୍ରମରେ ବିଶ୍ୱର ସର୍ବଶକ୍ତିଶାଳୀ ଗଣତନ୍ତ୍ର ଆମେରିକାର ଏକ ପ୍ରସଙ୍ଗ ଅନୁଶୀଳନ କରିବା। ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାର ମାତ୍ର ଗୋଟିଏ ସପ୍ତାହ ପରେ, ୨୦୧୭ ଜାନୁୟାରୀ ୨୭ ତାରିଖରେ ସାତଟି ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ୯୦ ଦିନ ପାଇଁ ଏବଂ ସିରିଆ ଶରଣାର୍ଥୀଙ୍କ ଉପରେ ୧୨୦ ଦିନ ନିମନ୍ତେ ନିଷେଧାଦେଶ ଜାରି କରିଥିଲେ।ସେପ୍ଟେମ୍ବର ୨୪ ତାରିଖରେ ଜାରି କରାଯାଇଥିବା ତୃତୀୟ ତଥା ଅନ୍ତିମ ଘୋଷଣାନାମାରେ ସାତଟି ରାଷ୍ଟ୍ର ହେଲା- ଇରାନ୍‌, ଲିବ୍ୟା, ଉତ୍ତର କୋରିଆ, ସିରିଆ, ଭେନେଜୁଆଲା, ୟେମେନ ଓ ସୋମାଲିଆ।ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହା ଅନିବାର୍ଯ୍ୟ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣରେ ଉଲ୍ଲେଖ କରାଗଲା ଏବଂ କୁହାଗଲା- ‘ଆମେରିକା ପରିପ୍ରେକ୍ଷୀରେ ବିଶ୍ୱର ୨୦୦ଟି ରାଷ୍ଟ୍ରର ତଥ୍ୟ ତିନୋଟି ମାନଦଣ୍ଡ ଆଧାରରେ ଯାଞ୍ଚ କରାଯାଇଥିଲା- କୂଟନୈତିକ ସମ୍ପର୍କ, ତଥ୍ୟ ସହଭାଗିତା ଏବଂ ଆତଙ୍କବାଦୀ କାର୍ଯ୍ୟଧାରା।ଏଥିମଧ୍ୟରୁ ୪୭ଟି ରାଷ୍ଟ୍ରର ମୂଲ୍ୟାଙ୍କନ ନିମ୍ନମାନର ଥିବାବେଳେ ତାଲିକାଭୁକ୍ତ ରାଷ୍ଟ୍ର ବିପଦ ସଙ୍କେତ ଟପି ଯାଇଥିବାରୁ ନିଷେଧାଦେଶ ଜାରି କରାଗଲା ା’
ଜାନୁୟାରୀ ମାସରେ ପ୍ରଥମ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ସାରା ଦେଶରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ‘ମୁସଲମାନ ବିରୋଧୀ’ ଆଖ୍ୟା ଦିଆଯାଇ ଆନ୍ଦୋଳନ ଆରମ୍ଭ ହୋଇଗଲା।ଜାନୁୟାରୀ ୨୮ରୁ ୩୧ ତାରିଖ ମଧ୍ୟରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ବିରୋଧରେ ବିଭିନ୍ନ ରାଜ୍ୟର ଅଦାଲତରେ ସମୁଦାୟ ୫୦ଟି ମାମଲା ଦାଏର କରାଗଲା। ଅଦାଲତ ଏ ସଂକ୍ରାନ୍ତରେ ଅସ୍ଥାୟୀ ଉପଶମ ପ୍ରଦାନ କଲେ।ମୁଖ୍ୟତଃ ଓ୍ବାଶିଂଟନ୍‌ ରାଜ୍ୟ ଅଦାଲତଙ୍କ ଫେବୃୟାରୀ ୩ ତାରିଖ ‘ଅସ୍ଥାୟୀ ଆଦେଶ’ ବଳରେ ସରକାରଙ୍କ ନିର୍ଦ୍ଦେଶନାମା ସାମୟିକ ଗୁରୁତ୍ୱ ହରାଇଲା। ତେଣୁ ରାଷ୍ଟ୍ରପତି ଟ୍ରମ୍ପ୍‌ ପ୍ରଥମ ଆଦେଶକୁ ବାତିଲ କରି ମାର୍ଚ୍ଚ ୧୬ ତାରିଖରେ ଦ୍ୱିତୀୟ ନିର୍ଦ୍ଦେଶନାମା ଜାରି କଲେ।ସେଥିରେ ମଧ୍ୟ କିଛି ରାଜ୍ୟ ଅଦାଲତ ଅଙ୍କୁଶ ଲଗାଇଲେ। ତେଣୁ ଆଇନଗତ ସମସ୍ୟାରେ ସୁଧାର ଆଣି ସେପ୍ଟେମ୍ବର ୨୪ ତାରିଖରେ ‘ରାଷ୍ଟ୍ରପତି ଘୋଷଣାନାମା’ ଜାରି ହେଲା।ତୃତୀୟ ଘୋଷଣାନାମା ଜାରି ହେବା ପୂର୍ବରୁ ଜୁନ୍‌ ମାସରେ ମାମଲା ସୁପ୍ରିମ କୋର୍ଟକୁ ଆସିଯାଇଥିଲା।ଅକ୍ଟୋବର ୧୭ ତାରିଖରେ ହାୱାଇ ରାଜ୍ୟ ଅଦାଲତ ଏହା ଉପରେ ଅଙ୍କୁଶ ଲଗାଇବା ପରେ ଚୂଡ଼ାନ୍ତ ଶୁଣାଣି ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଘୋଷଣାନାମା କାର୍ଯ୍ୟକ୍ଷମ ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୪ ଜଣ ବିଚାରପତି ଏହି ରାୟକୁ ବିରୋଧ କରି ତାଙ୍କ ମତାମତ ରଖିଥିଲେ।
ଏବେ ଆମେ ମିଡିଆ ୱାନ୍‌ ଟିଭି ଚ୍ୟାନେଲ ପ୍ରସଙ୍ଗକୁ ଆସିବା।ଜାତୀୟ ସୁରକ୍ଷାର ଗମ୍ଭୀରତା ଦୃଷ୍ଟିରୁ ଜମାତ୍‌-ଏ-ଇସଲାମୀ ଅନୁଷ୍ଠାନକୁ ବେଆଇନ ଘୋଷଣା କରିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ।କିନ୍ତୁ ଯେଉଁ ମର୍ମରେ ମିଡିଆ ୱାନ୍‌ ଟିଭି ଚ୍ୟାନେଲର ଲାଇସେନ୍ସ ରଦ୍ଦ କରାଗଲା ତାହା ସ୍ପଷ୍ଟ ନୁହେଁ।୨୦୨୦ ମସିହା ଦିଲ୍ଲୀ ଦଙ୍ଗା ସମୟରେ ଅନୁଚିତ ଓ ଅନୁପଯୁକ୍ତ ଖବର ପରିବେଷଣ ନିମନ୍ତେ ମିଡିଆ ୱାନ୍‌ ସହିତ ଅନ୍ୟ ଦୁଇଟି ଟିଭି ଚ୍ୟାନେଲର ପ୍ରସାରଣ ୪୮ ଘଣ୍ଟା ପାଇଁ ବାତିଲ କରାଯାଇଥିଲା।ସେ ସମୟରେ ସରକାରଙ୍କ ପକ୍ଷେ ତାହା ହିଁ ଥିଲା ଉପଯୁକ୍ତ ପଦକ୍ଷେପ।କୌଣସି ଟିଭି ଚ୍ୟାନେଲ ଏବଂ ଖବରକାଗଜକୁ ଦେଶ ବିରୋଧୀ କାର୍ଯ୍ୟରୁ ନିବୃତ୍ତ କରିବା ନିମନ୍ତେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ କ୍ଷମତା ରହିଛି।କିନ୍ତୁ ଲାଇସେନ୍ସ ରଦ୍ଦ କରିବା ସେହି କ୍ଷମତାର ଅଂଶବିଶେଷ ନୁହେଁ।ଆମ ସମ୍ବିଧାନ ଏବଂ ସେହି ମର୍ମରେ ଆମ ଗଣତନ୍ତ୍ର ଯେଉଁ କେତୋଟି ମୌଳିକ ଆଦର୍ଶ ଏବଂ ସିଦ୍ଧାନ୍ତ ଉପରେ ପ୍ରତିଷ୍ଠିତ, ତହିଁ ମଧ୍ୟରୁ ମତ ବ୍ୟକ୍ତ କରିବାର ସ୍ବାଧୀନତା ଅବା ଗଣମାଧ୍ୟମର ସ୍ବାଧୀନତା ଅନ୍ୟତମ।କୌଣସି ସରକାର କୌଣସି ଆଳରେ ଏହା ଛିନ୍ନ କରିପାରିବେ ନାହିଁ।ସରକାର ଓ ଅଦାଲତଙ୍କ ମଧ୍ୟରେ ଗୁପ୍ତ ବାର୍ତ୍ତାଳାପ, ଗଣତାନ୍ତ୍ରିକ ବ୍ୟବସ୍ଥାର ସୁସ୍ଥ ପରମ୍ପରା ନୁହେଁ।ଜାତୀୟ ସୁରକ୍ଷା ପ୍ରସଙ୍ଗରେ କେହି ସରକାରଙ୍କୁ ପ୍ରଶ୍ନ କରିବା ସମୀଚୀନ ନୁହେଁ।କିନ୍ତୁ ଜାତୀୟ ସୁରକ୍ଷା ଆଳରେ ସରକାର ଆମ ମତ ବ୍ୟକ୍ତ କରିବାର ମୌଳିକ ଅଧିକାର ଛଡ଼ାଇ ନେଇପାରିବେ ନାହିଁ। ମମଲା ସୁପ୍ରିମକୋର୍ଟକୁ ଆସିବାରୁ ୧୫ ମାର୍ଚ୍ଚରେ ଆଗାମୀ ଶୁଣାଣିି ପର୍ଯ୍ୟନ୍ତ ଉଚ୍ଚତମ ନ୍ୟାୟାଳୟ ଡିଭି ଚ୍ୟାନେଲର ପ୍ରସାରଣ ନିମନ୍ତେ ଅନୁମତି ଦେଇଛନ୍ତି।
ମୋ:୯୪୩୭୧୯୧୩୫୦


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri