ଅଭେଦ୍ୟ ରହସ୍ୟ

ହରିଶଙ୍କର ମିଶ୍ର

ଶ୍ରୀଜଗନ୍ନାଥ ହିଁ ସମଗ୍ର ବିଶ୍ବରେ ଓଡ଼ିଶାର ଶ୍ରେଷ୍ଠ ପରିଚୟ। ତାଙ୍କର କ୍ଷେତ୍ର ଶ୍ରୀକ୍ଷେତ୍ର ଭାରତର ଚାରିଧାମରୁ ଅନ୍ୟତମ। କ୍ଷେତ୍ରର ମାହାତ୍ମ୍ୟ ଯୋଗୁ ଆଦି ଶଙ୍କରାଚାର୍ଯ୍ୟ ଅନ୍ୟତମ ମଠ ଏଇଠାରେ ପ୍ରତିଷ୍ଠା କରିଥିଲେ। ରାମାନୁଜାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, କବୀର, ଚୈତନ୍ୟ, ଜଗନ୍ନାଥ ଦାସ ଆଦି ପଞ୍ଚସଖାଙ୍କ ସହ ଅନେକ ସାଧୁ ମହାତ୍ମା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନରେ ତଲ୍ଲୀନ ହୋଇଯାଇଥିଲେ। ଏବେ ବି ପୁରୀ ବଡଦାଣ୍ଡରେ ପାଦ ଦେଲେ ଭକ୍ତଟିଏ ବିମୋହିତ ହୋଇଯାଏ। ସେଥିପାଇଁ କୁହାଯାଏ ‘ସର୍ବ ରହସ୍ୟଂ ପୁରୁଷୋତ୍ତମସ୍ୟ। ଦେବା ନଜାନାତି କୁତଃ ମନୁଷ୍ୟ’। ଐତିହ୍ୟ ରକ୍ଷା ଲାଗି କୌଣସି ରାଜା ଶ୍ରୀକ୍ଷେତ୍ରକୁ ସେମାନଙ୍କର ରାଜଧାନୀ କରି ନ ଥିଲେ। କିନ୍ତୁ କିଛିଦିନ ଧରି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀୟ ଯେଉଁ ଖବର ମାନ ପ୍ରକାଶ ପାଉଛି ତାହା ବିଶ୍ବର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରୁଥିବ। ପ୍ରଥମତଃ ମନ୍ଦିର ପରିକ୍ରମା ଆମ ଉତ୍କଳୀୟ ପରମ୍ପରାରେ ନାହିଁ। କିନ୍ତୁ ପୁରୀରେ ଚାଲିଥିବା ନିର୍ମାଣ ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହା ପ୍ରଶ୍ନବାଚୀ ନୁହେଁ ବରଂ ସନ୍ଦେହର ଘନ କୁହୁଡ଼ି ସୃଷ୍ଟି କରୁଛି। ଆମ ରାଜ୍ୟର ପ୍ରାଚୀନ ମନ୍ଦିର ନିର୍ମାଣ ଶୈଳୀ କଳିଙ୍ଗ ଶିଳ୍ପକଳା ଆଧାରିତ ଶ୍ରୀବତ୍ସ ଖଣ୍ଡଶାଳ ପଦ୍ଧତି ଅନୁଯାୟୀ ହେଉଥିଲା। ତଦନୁଯାୟୀ ପ୍ରସ୍ତାବିତ ମନ୍ଦିର ଚୂଡାର ଛାଇ, ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଉଥିବା ସ୍ଥାନ ପର୍ଯ୍ୟନ୍ତ ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଭିତ୍ତିଭୂମି ବା ମୂଳଦୁଆ ନିର୍ମିତ ହୁଏ। ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟ ସେଇ ଧାରାରେ ନିର୍ମିତ ହୋଇଥିବ। ମୂଳଦୁଆକୁ ବାଧା ମୁକ୍ତ କରିବାକୁ ଓ ମନ୍ଦିରର ସୁରକ୍ଷା ପାଇଁ ଚତୁର୍ପାର୍ଶ୍ୱରେ ମଠ ନିର୍ମାଣ ଓ ମଠମାନଙ୍କର ସ୍ଥାୟିତ୍ୱ ପାଇଁ ଶ୍ରୀମନ୍ଦିର ନୀତି ସହ ସମ୍ପର୍କ ହିଁ ଏହାର ବଳିଷ୍ଠ ପ୍ରମାଣ। ଏଥିପାଇଁ ତତ୍କାଳୀନ ରାଜାମାନେ ବହୁ ଜମି ଦାନ କରିଥିଲେ ବି ସମୟର କରାଳ ସ୍ରୋତରେ ଅନେକ ମଠ ନିଜର ସତ୍ତା ହରାଇଲେ; ଯାହାର ପୁନରୁଦ୍ଧାର କରାଗଲା ନାହିଁ। ଶହଶହ ବର୍ଷର ଏହି ମନ୍ଦିର ସମ୍ପର୍କରେ କୌଣସି ଅନୁସନ୍ଧାନ ବା ଗବେଷଣା ପରିବର୍ତ୍ତେ ଐତିହ୍ୟ କରିଡର ନାମରେ ପ୍ରାଚୀନ କୀର୍ତ୍ତିରାଜିକୁ ମାଟିରେ ମିଶାଇ ଦିଆଗଲା। ପୁରୀର ପଞ୍ଚତୀର୍ଥ ମଧ୍ୟରୁ ମହୋଦଧି ଅନ୍ୟତମ। ଏବେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ୍‌’ ମାନ୍ୟତା ଦିଆଯାଇଛି। ଏହାଦ୍ୱାରା ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ଅପେକ୍ଷା ଅଧିକ ପର୍ଯ୍ୟଟନ ସୁଯୋଗ ସୃଷ୍ଟି ପାଇଁ ପ୍ରତିବଦ୍ଧତା ସ୍ପଷ୍ଟ ହେଉଛି। ଅଦାଲତଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ବେ ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ବା ଜମିଜମା ସମ୍ପତ୍ତିର ପୂର୍ଣ୍ଣ ବିବରଣୀ ଏ ଯାବତ ଦାଖଲ ହୋଇପାରିନାହିଁ। ବିଶେଷତଃ ରତ୍ନଭଣ୍ଡାର ନ ଖୋଲିବା ପାଇଁ ଯେଉଁ ମହାନାଟକ କରାଗଲା ତାହା ଏବେ ବି ଅଭେଦ୍ୟ ରହସ୍ୟ ଘେରରେ ରହିଛି। ଜଗନ୍ନାଥଙ୍କ ସମ୍ପତ୍ତି ଭୂସଂସ୍କାର ଆଇନ ମୁକ୍ତ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ପୁରୀ ସହରର ୭୦ ଶତାଂଶ ଓ ରାଜ୍ୟର ଅନେକ ଲୋକ ନିଜ ବାସଗୃହର ମାଲିକାନା ହରାଇଲେ। ଅନୂ୍ୟନ ତିନି ପୁରୁଷଙ୍କ ଦଖଲରେ ଥିବା ନିଜ ବାସଜମି ଶ୍ରୀମନ୍ଦିର ପ୍ରଶାସନଠାରୁ ପୁନଃ କ୍ରୟ ବ୍ୟବସ୍ଥା ବି କ୍ଳୀଷ୍ଟ କରାଗଲା।
ଶ୍ରୀମନ୍ଦିର ପରିଚାଳନାରେ ପ୍ରଶାସନିକ ବିଫଳତା ପାଇଁ ଏଯାବତ ପାଞ୍ଚଟି ତଦନ୍ତ କମିଶନ ଗଠିତ ହୋଇଛି। ବହୁ ଲକ୍ଷ ଅର୍ଥ ବ୍ୟୟ ସତ୍ତ୍ବେ ରିପୋର୍ଟ ହଜିଯିବା ବା ସାର୍ବଜନୀନ ନ ହୋଇ ପାରିବା ଅନ୍ୟ କିଛି ଦିଗକୁ ଇଙ୍ଗିତ କରୁଛି। ଐତିହ୍ୟ କରିଡର ପାଇଁ ଭୂମି ଅଧିଗ୍ରହଣ ମଧ୍ୟ ଗୁମର ମୁକ୍ତ ନୁହେଁ। ସରକାର ଭୂମି ଅଧିଗ୍ରହଣ ପାଇଁ କରିଥିବା ବ୍ୟୟ ଓ ଏହାର ଉତ୍ସ ସମ୍ପର୍କରେ ସବିଶେଷ ତଥ୍ୟ ଦେଲେ ତାହା ଆଳୁ ଖୋଳାରୁ ମହାଦେବଙ୍କ ଆବିର୍ଭାବ ପରି ହେବା ଅସମ୍ଭବ ନୁହେଁ।
ପୁରାତନ କୀର୍ତ୍ତିରାଜିର ଶହେ ମିଟର ମଧ୍ୟରେ କୌଣସି ନିର୍ମାଣ କରା ନ ଯିିବାକୁ ନିୟମ ବଳବତ୍ତର ଥିବାବେଳେ କେଉଁ ବୃହତ୍‌ ଶକ୍ତିର ସ୍ବାର୍ଥ ରକ୍ଷାଲାଗି ପଞ୍ଚସ୍ତରି ମିଟର ଅଧିଗ୍ରହଣ ସହ ତା ମଧ୍ୟରେ ଭାରି ଯନ୍ତ୍ର ବ୍ୟବହାର କରାଯାଇ ଖନନ କାର୍ଯ୍ୟ ଚଲିଛି ତାହା ଆଜି ବିରାଟ ପ୍ରଶ୍ନବାଚୀ। ଅଧିକ ଲମ୍ବର ନୀଳଚକ୍ର ବାନା ଶ୍ରୀମନ୍ଦିର ପ୍ରତି ବିପଦ ବୋଲି ତାହାକୁ ସୀମିତ କରାଗଲା। ମାତ୍ର ନିୟମ ବ୍ୟତିକ୍ରମ କରାଯାଇ ହେଉଥିବା ଖନନ କରାଯାଉଛି। ତେଣୁ ସମସ୍ତ ତଥ୍ୟକୁ ଅନୁଧ୍ୟାନ କଲେ ଏହା ମଧ୍ୟ ସ୍ପଷ୍ଟ ହେଉଛି ଯେ ଐତିହ୍ୟ କରିଡର, ବେଳାଭୂମି, ଶ୍ରୀମନ୍ଦିର ସଂସ୍କାର, ରତ୍ନଭଣ୍ଡାର ପଛରେ ନିଶ୍ଚିତ କୌଣସି ଶକ୍ତି ରହିଛି ଏବଂ ସମଗ୍ର ଶାସନ ବ୍ୟବସ୍ଥାକୁ ଏଭଳି କବଳିତ କରିଛି ଯେ ତାହା ରହସ୍ୟମୟ ଜଗନ୍ନାଥଙ୍କଠାରୁ ଅଧିକ ରହସ୍ୟପୂର୍ଣ୍ଣ ମନେହେଉଛି।
୧୧୩, ଗୁଣ୍ଡିଚା ବିହାର, ପୁରୀ,
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri