ମୋ ମାତୃଭାଷା ମୋତେ ଶ୍ରେଷ୍ଠ

ବୈକୁଣ୍ଠନାଥ ମିଶ୍ର

ଶୀର୍ଷକଟି ବ୍ୟାସକବି ଫକୀର ମୋହନଙ୍କ କବିତାର ଏକ ଉଦ୍ଧୃତାଂଶ। କବିଙ୍କ ଭାଷାରେ- ଭ୍ରମିଲି ବହୁ ଦେଶଦୂର- କାଞ୍ଚତ୍ କାମାକ୍ଷା କାନପୁର।/
ପଢ଼ିଲି ନାନା ଦେଶଭାଷା – କାହିଁ ତ ନ ପୂରିଲା ଆଶା।/ହେଉ ପଛକେ ସେ ନିକୃଷ୍ଟ – ମୋ ମାତୃଭାଷା ମୋତେ ଶ୍ରେଷ୍ଠ।
ମାତୃଭାଷା ଗୋଟିଏ ଜାତିର ଅସ୍ମିତାର ପ୍ରତୀକ। ଯେଉଁ ଜାତି ନିକଟରେ ମାତୃଭାଷା ଯେତେ ଆଦୃତି ଲାଭ କରିଛି ସେ ଜାତି ସେତେ ଉନ୍ନତ ଓ ପ୍ରଗତିଶୀଳ। ଭାରତର ୨୦୨୦ ଶିକ୍ଷାନୀତି ପ୍ରଣୟନ ସମୟରେ ଡ. କସ୍ତୁରୀ ରଙ୍ଗନ କମିଟିର ଅନେକ ଅଭିଜ୍ଞ ଶିକ୍ଷାବିତ୍‌ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗଣିତ, ବିଜ୍ଞାନ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ମାତୃଭାଷା ବଦଳରେ ଇଂଲିଶରେ ଶିକ୍ଷାଦାନ ଶ୍ରେୟସ୍କର ବୋଲି ଯେଉଁ ଅବଧାରଣା ଯୁଗ ଯୁଗ ଧରି ଆମ ମନରେ ଆସ୍ଥାନ ଜମାଇଥିଲା ସେଥିରେ ୨୦୨୦ ଶିକ୍ଷାନୀତିର ଚିଠା ପ୍ରସ୍ତାବ ଏକ ପରିବର୍ତ୍ତନର ପ୍ରୟାସ କରିଛି। ମାତୃଭାଷାରେ ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ୍‌, ରୁଷିଆ ଓ ଜାପାନ ପ୍ରଭୃତି ଦେଶ ବେଶ୍‌ ସଫଳତା ଲାଭ କରିଛନ୍ତି। କେବଳ ଇଂଲଣ୍ଡ , ଆମେରିକା ଓ ତାଙ୍କ ପଛକୁ ଭାରତ ଇଂଲିଶରେ ବୈଷୟିକ ଶିକ୍ଷାଦାନକୁ ଆଦରି ନେଇଛନ୍ତି। ଭାରତୀୟଙ୍କ ମନରେ ଏକ ଦୃଢ଼ ଆସ୍ଥା ସ୍ଥାପିତ ହୋଇଛି ଯେ, ଉଚ୍ଚଶିକ୍ଷା ବିଶେଷକରି ବିଜ୍ଞାନ, ଗଣିତ, ବୈଷୟିକ ଶିକ୍ଷା, ଆଇନ ଓ ଅର୍ଥନୀତି ପ୍ରଭୃତି ବିଷୟ ଇଂରାଜୀ ଭାଷାର ସାହାଯ୍ୟ ବିନା ତିଷ୍ଠିପାରିବେ ନାହିଁ। ଅବଶ୍ୟ ଇଂଲିଶ୍‌ ଭାଷା ଭାରତୀୟ ଛାତ୍ରଙ୍କୁ ବିଦେଶରେ ଶିକ୍ଷା ଗ୍ରହଣ ପାଇଁ ଅନେକାଂଶରେ ସହାୟ ହୋଇଥାଏ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା କଥା ଚିନ୍ତା କରାଯାଉ। ଓଡ଼ିଆ ଛାତ୍ରଟିଏ ଉଚ୍ଚଶିକ୍ଷା ପାଇଁ ଯିବା ଅର୍ଥ ଆମ ମନରେ ଏକ ବଦ୍ଧ ଧାରଣା ସୃଷ୍ଟିହୁଏ ଯେ, ଜଣେ ଇଂଲିଶରେ ସେତିକି ଦକ୍ଷ ନ ହେଲେ ଉଚ୍ଚତର ଶିକ୍ଷାକ୍ଷେତ୍ରକୁ ପ୍ରବେଶ କରିପାରିବନାହିଁ। ମାତାପିତାଙ୍କର ବିଶ୍ୱାସ ଯେ ପିଲାଟି ଇଂଲିଶରେ ଦକ୍ଷ ହେଲେ ଭବିଷ୍ୟତରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାର ପଥ ଉନ୍ମୁକ୍ତ ହେବ। ତେଣୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତି ମାତାପିତାଙ୍କର ଥାଏ ଅନାହତ ଅଗ୍ରହ। ଟିକିଏ ପଛକୁ ଫେରି ଚାହିଁଲେ ଜାଣିପାରିବା ଯେ ଆମ ଯଶସ୍ବୀ ମହାପୁରୁଷମାନେ ଏଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ହିଁ ଶିକ୍ଷା ଗ୍ରହଣ କରି ଜୀବନରେ ଶ୍ରେଷ୍ଠତ୍ୱ ଅର୍ଜନ କରିଛନ୍ତି। ସତ୍ୟବାଦୀର ପଞ୍ଚସଖା ହୁଅନ୍ତୁ ଅବା ମଧୁବାରିଷ୍ଟର କିମ୍ବା ତାଙ୍କ ପରପିଢ଼ିର ଡ. ପ୍ରାଣକୃଷ୍ଣ ପରିଜା- ସମସ୍ତେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ହିଁ ତାଙ୍କ ପ୍ରାଥମିକ ଶିକ୍ଷା ସମାପ୍ତ କରି ଉଚ୍ଚତର ଶିକ୍ଷାକ୍ଷେତ୍ରରେ ପ୍ରବେଶ କରିଛନ୍ତି ଓ ଜୀବନରେ ଅର୍ଜନ କରିଛନ୍ତି ନିର୍ବିକଳ୍ପ ପ୍ରତିଷ୍ଠା। ଆଚାର୍ଯ୍ୟ ହରିହରଙ୍କର ‘ Child’s easy first Grammar‘ହେଉ କିମ୍ବା ତାଙ୍କ ପରପିଢ଼ିର ସ୍ବର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟଙ୍କ Translation ପୁସ୍ତକ ହେଉ ଓଡ଼ିଆ ଛାତ୍ରଙ୍କର ଇଂରାଜୀରେ ମୂଳଦୁଆ ମଜଭୁତ କରିବାର ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି। କହିବା ବାହୁଲ୍ୟ ଯେ ଉପରୋକ୍ତ ଦୁଇ ପ୍ରଥିତଯଶା ବ୍ୟକ୍ତି ଓ ତାଙ୍କ ପରି ଅନେକଙ୍କର ଥିଲା ଓଡ଼ିଶାରେ ପ୍ରାଥମିକ ଶିକ୍ଷା ଅର୍ଜନର ଅନୁଭୂତି। ବହୁ ଓଡ଼ିଆ ପ୍ରଶାସନିକ ଅଧିକାରୀ ଓ ଶାସନ ଡୋରି ଧରିଥିବା ବହୁ ପ୍ରାଜ୍ଞ ଜନନାୟକଙ୍କର ପ୍ରାଥମିକ ଶିକ୍ଷାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ଏହି ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ। କିନ୍ତୁ ପରିତାପର ବିଷୟ ଯେ ଆଧୁନିକ ଶିକ୍ଷାର୍ଥୀମାନଙ୍କର ପ୍ରାଥମିକ ସ୍ତରରୁ ପରୋକ୍ଷରେ ମାତୃଭାଷା ପ୍ରତି ସେମାନଙ୍କର ଅବଜ୍ଞା ଭାବ ଓଡ଼ିଆଙ୍କୁ ଯଥେଷ୍ଟ ପଛୁଆ କରିଦେଇଛି।
ସ୍ବଭାବ କବି ଗଙ୍ଗାଧରଙ୍କ ଭାଷାରେ- ‘ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ’। ମାତୃଭାଷାରେ କଥନ, ଅଧ୍ୟୟନ ଓ ଲିଖନ ମନରେ ଜାତୀୟତା ବୋଧର ଏକ ଅଫୁରନ୍ତ ଉନ୍ମାଦନା ସୃଷ୍ଟିକରେ। କେବଳ ଇଂଲିଶ, ହିନ୍ଦୀ କାହିଁକି ସବୁଭାଷା ଶିଖିବା ଓ ଆବଶ୍ୟକ ସ୍ଥଳେ ସେଗୁଡ଼ିକ ପ୍ରୟୋଗ କରିବା ଅତ୍ୟନ୍ତ ଖୁସିର କଥା। କିନ୍ତୁ ଅନାବଶ୍ୟକ ଭାବେ ସେଗୁଡିକର ପ୍ରୟୋଗ ନିଜ ଭାଷା, ଜାତି ଓ ଜାତୀୟତା ପାଇଁ ଘୋର ଅବମାନନା। ବିଶିଷ୍ଟ ମନସ୍ତତ୍ତ୍ୱବିତ୍‌ ଭିଗୋଟ୍‌ ସ୍କି କହନ୍ତି- ”ମାତୃଭାଷା ବ୍ୟକ୍ତିର ବ୍ୟକ୍ତିତ୍ୱ, ଚିନ୍ତା, ଚେତନା ଓ ସାମଗ୍ରିକ ଜୀବନକୁ ରୂପ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଏ।“ ଆଉ ଜଣେ ବିଶ୍ୱସ୍ତରୀୟ ମନସ୍ତତ୍ତ୍ୱବିତ୍‌ ଆଲିସ୍‌ମାଡୋ କହନ୍ତି – ”ଆମ ମାତୃଭାଷାରେ ଆମେ ଚିନ୍ତା କରିଥାଉ, ସ୍ବପ୍ନ ଦେଖୁ ଓ ମନୋଭାବ ପ୍ରକାଶ କରୁ।“ ୟୁନେସ୍କୋର ଗବେଷକ ଇରିନା ବୋକୋଭା କହନ୍ତି- ”ବହୁଭାଷୀ ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷା ପାଇଁ ମାତୃଭାଷାରେ ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି।“
କିନ୍ତୁ ପରିତାପର ବିଷୟ ଯେ କେତେଜଣ କେନ୍ଦ୍ରୀୟ ନେତା ଆଞ୍ଚଳିକ ଭାଷାଗୁଡ଼ିକୁ ନୂ୍ୟନକରି ହିନ୍ଦୀକୁ ସମସ୍ତଙ୍କ ଉପରେ ଲଦିଦେବାର ଏକ ଅଭାବନୀୟ ପ୍ରୟାସ ଜାରି ରଖିଛନ୍ତି। ମାତୃଭାଷାକୁ ଦଳିତ ମଥିତ କରିବାର ଏହା ଏକ ଚକ୍ରାନ୍ତ ଭିନ୍ନ ଅନ୍ୟ କିଛି ନୁହେଁ। ନିକଟରେ ୩୭ତମ ଭାଷା କମିଟିରେ ଅଧ୍ୟକ୍ଷତାକରି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିବୃତି ପ୍ରଦାନ କରି କହିଲେ, ଇଂଲିଶ ଭାଷାର ବିକଳ୍ପ ହିନ୍ଦୀ ହିଁ ହେବା ଉଚିତ। ଆଞ୍ଚଳିକ ତଥା ମାତୃଭାଷାଗୁଡ଼ିକୁ ଉପେକ୍ଷାକରି ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଲେ ତାହା ଅତ୍ୟନ୍ତ ଶୋଚନୀୟ। ଭାରତ ବିବିଧତାର ଦେଶ। ଭିନ୍ନତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ। ଉଦ୍ୟାନରେ ନାନା ଜାତି ଫୁଲ ଫୁଟୁଥିଲେ ସିନା ଉଦ୍ୟାନର ଶୋଭା ବଢ଼ିଥାଏ। ପ୍ରାଦେଶିକ ସ୍ତରରେ ଶାହାଙ୍କର ବକ୍ତବ୍ୟକୁ ଘୋର ବିରୋଧ କରାଯାଇଛି। କେବଳ ବର୍ତ୍ତମାନର କେନ୍ଦ୍ର ସରକାର ନୁହନ୍ତି ପୂର୍ବ ସରକାରଙ୍କ ସମୟରେ ମଧ୍ୟ ଅନୁରୂପ ଭାବେ ହିନ୍ଦୀକୁ ସମସ୍ତ ମାତୃଭାଷା ଉପରେ ଲଦିଦେବାର ପ୍ରୟାସ କରାଯାଇଛି। କିନ୍ତୁ ବାସ୍ତବତା ଏଇଆ ଯେ କେନ୍ଦ୍ର ସରକାରମାନେ ଆଞ୍ଚଳିକତା ଭିତ୍ତିରେ ମାତୃଭାଷାର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଅନୁପ୍ରେରିତ କରିବା ଜରୁରୀ।
ପରିସ୍ଥିତି ଏପରି ହେଲାଣି ଯେ ଅନ୍ୟର ଭାଷା ନିକଟରେ ଆମେ ଆମ ସ୍ବାଭିମାନର ପ୍ରତୀକ ମାତୃଭାଷାକୁ ବନ୍ଧାପକାଇ ସାରିଲୁଣି। ଆଜକୁ ପ୍ରାୟ ଶହେ ବର୍ଷ ତଳେ ବ୍ୟାସକବି ଯେଉଁ ଜାତୀୟତା ଓ ମାତୃଭାଷା ପ୍ରୀତି ଆମ ସମକ୍ଷରେ ଉପସ୍ଥାପିତ କରିଛନ୍ତି ତାଙ୍କର ଉତ୍ତର ଦାୟଦଭାବେ ଏହାକୁ ସର୍ବାନ୍ତକରଣରେ ଗ୍ରହଣ କରିବା ଆମର ଧ୍ୟେୟ ହେଉ ଓ ମାତୃଭାଷାର ଜୟଗାନ ଆମର ଶ୍ରେଷ୍ଠ କର୍ତ୍ତବ୍ୟ ହେଉ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri