ନିର୍ବାଚନ ପ୍ରଚାରରେ ଡିପ୍‌ଫେକ୍‌ ଭିଡିଓ

କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ଡିପ୍‌ଫେକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ୫ ତେଲଙ୍ଗାନା କଂଗ୍ରେସୀ କର୍ମୀଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ଜଣକା ୧୦,୦୦୦ ଟଙ୍କିଆ ୨ ଜାମିନଦାର ଦେଇ ଜାମିନରେ ଅଛନ୍ତି। ଏ ଘଟଣା ଘଟିଛି ମେ ମାସ ଆରମ୍ଭରେ ନିର୍ବାଚନ ଆବହାୱାରେ। ଆଗରୁ ଲୋକେ କାଗଜ ହେରଫେର କରି ମିଛକୁ ସତ ପ୍ରମାଣିତ କରାଉଥିଲେ, ବଡ଼ ବଡ଼ ଷ୍ଟୁଡିଓରେ ଫଟୋ ଯୋଡ଼ାଯୋଡ଼ି କରି ସମ୍ପୃକ୍ତ ଲୋକକୁ ବଦନାମ କରିବା ଭୟ ଦେଖାଇ ଅର୍ଥ ଆଦାୟ କରୁଥିଲେ, ସ୍ମାର୍ଟ ଫୋନ୍‌ ଆସିଗଲା ପରେ ଲୋକଙ୍କୁ ଫୁସୁଲାଇ ସେମାନଙ୍କ ବ୍ୟାଙ୍କରୁ ଅର୍ଥ କାଢ଼ି ନେଉଛନ୍ତି। ଏବେ ଏଆଇ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଉପରେ ପର୍ଯ୍ୟବସିତ ଡିପ୍‌ଫେକ୍‌ ଟେକ୍ନୋଲୋଜି ବ୍ୟବହାର କରି ଖଳଲୋକେ ଜଣାଶୁଣା ଲୋକର କୌଣସି ଭିଡିଓକୁ ବଦଳାବଦଳି (ଏଡିଟ୍‌) କରି ତାଙ୍କ ମୁହଁରେ ନିଜ କଥା କୁହାଉଛନ୍ତି, ନିର୍ବାଚନରେ ନିଜର ପ୍ରାର୍ଥୀକୁ ସମର୍ଥନ କଲା ଭଳି ଆଳାପ ଶୁଣାଉଛନ୍ତି। ଏପରି କି ଆଠ ଦଶ ଟଙ୍କାରେ ସ୍ବଳ୍ପ ମିନିଟ୍‌ର ଡିପ୍‌ଫେକ୍‌ ଭିଡିଓ ମିଳିଯାଉଛି। ନିର୍ବାଚନ ନ ଥିବା ସମୟରେ ଡିପ୍‌ଫେକ୍‌ ଭିଡିଓ ଜରିଆରେ ଦୋକାନୀ ତା’ର ନିକୃଷ୍ଟ ଜିନିଷକୁ ଭଲ ଜିନିଷ ଦେଖାଇ ବେଶି ଦାମ୍‌ରେ ବିକୁଛି, ସାଇବର-ଠକମାନେ ଲୋକଙ୍କ ବ୍ୟାଙ୍କ ଏକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇନେଉଛନ୍ତି ଏବଂ ଯୌନକେଳେଙ୍କାରୀ ଭିଡିଓ କରି ବୟସ୍କମାନଙ୍କଠାରୁ ବେଶ୍‌ ଅର୍ଥ ଆଦାୟ କରୁଛନ୍ତି। ଠକମାନେ ରାତାରାତି କୋଟିପତି ହୋଇଯାଉଛନ୍ତି। ପିଲାବେଳେ ‘ଯାହା ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ’ ପ୍ରବଚନ ଶୁଣିଥିବା ଲୋକେ ଏ ଭିଡିଓକୁ ବେନି ନୟନେ ଦେଖି ବିଶ୍ୱାସ କରିପାରନ୍ତି। ଆମ ଦେଶରେ ୨୦୨୨ରୁ ଏହାର ଆବିର୍ଭାବ ହୋଇଥିଲେ ବି ୨୦୨୪ର ନିର୍ବାଚନରେ ବେଶି ବ୍ୟବହାର ହେବାର ଆଶଙ୍କା ଅଛି। ବହୁତ ଲୋକେ ଏହାଦ୍ୱାରା ପ୍ରଭାବିତ ହେଲେ (ପ୍ରକୃତ ମିଡିଆ ଓ ମିଛ ମିଡିଆ ଭିତରେ ପାର୍ଥକ୍ୟ ନ ଜାଣିପାରିବା ଲୋକେ) ଭୁଲ୍‌ ପ୍ରାର୍ଥୀକୁ ବାଛି ପାରନ୍ତି। ଆଜିକାଲି ତ ଡିପ୍‌ଫେକ୍‌ ଭିଡିଓ ତିଆରି କରିବାର ୱେବ୍‌ସାଇଟ୍‌ ମଧ୍ୟ ମିଳିଲାଣି। ଗୋଟିଏ ଉଦାହରଣ ହେଉଛି ଦି ଇଣ୍ଡିଆନ୍‌ ଡିପ୍‌ଫେକର୍‌ । ଏନ୍‌କୋଡର୍‌ ଓ ଡିକୋଡର୍‌ ନେଟ୍‌ୱର୍କରେ, ଜେନେରେଟିଭ୍‌ ଆଡଭର୍‌ସାରିଆଲ୍‌ ନେଟୱର୍କସ୍‌ ଭିତରେ ଡିପ୍‌ଫେକ୍‌ ତିଆରି କରାଯାଏ।
ଡିପ୍‌ଫେକ୍‌ ଭଲ କାମ ବି କରେ, ଯଥା ଫିଲ୍ମ ତିଆରିରେ ଅସମ୍ଭବ ଛବିକୁ ସମ୍ଭବ ଭଳି ଦେଖାଇପାରେ, ୩ଡି ଆର୍ଟିଷ୍ଟମାନେ ଏହାର ଉଦାହରଣ ନେଇ ଭଲ କଳାକୃତି କରିପାରନ୍ତି, ଶିକ୍ଷା କ୍ଷେତ୍ରରେ ଅଧ୍ୟାପନାରେ ଶିକ୍ଷକମାନେ ଏହାର ସାହାଯ୍ୟ ନେଇଥାନ୍ତି। ଭିଡିଓ ବା ଚଳଚ୍ଚିତ୍ରର ଲେଖା ବଦଳାଯାଇପାରେ, ଭାଷା ବଦଳାଯାଇପାରେ। ଆପଣ ନିଜର ଫଟୋକୁ କୌଣସି ପ୍ରସିଦ୍ଧ ଫିଲ୍ମର ହିରୋ ସାଙ୍ଗରେ ଯୋଡ଼ି ବଡ଼ ଖୁସି ହୋଇପାରନ୍ତି।
ଡିପ୍‌ ଫେକ୍‌ ନୂଆ ନୂଆ ଖେଳଣାର ଡିଜାଇନ୍‌ ଦେଇପାରେ। ଡିପ୍‌ଫେକ୍‌ର ଆଲଗୋରିଦିମ୍‌ ଏମିତି ଯେ ତାହା ନିଜେ ନିଜେ ନିଷ୍ପତ୍ତି ନେଇପାରିବ। ମୂଳ ବା ଅସଲି ଭିଡିଓରେ ଥିବା ବ୍ୟକ୍ତି ସ୍ଥାନରେ ଆଉ ଜଣକୁ ଥୋଇପାରିବ, ତୁମ ମୁହଁରେ ଆଉ ଜଣକର କଥା ପୂରାଇପାରିବ। ଖରାପ କଥା ବି କରିପାରିବ, ଗୋଟିଏ ଅଜଣା ଯୌନକ୍ରିୟାରତ ବ୍ୟକ୍ତି ବଦଳରେ ତୁମ ଛବି ଯୋଡ଼ିଦେଇପାରିବ। ଅସଲ ଜିନିଷ ବା ଦୃଶ୍ୟର ଭିଡିଓ ଭିତରେ ବଦଳ କରି ଲୋକଙ୍କୁ ଠକିହେବ, ଡରାଇ ଲକ୍ଷ ଲକ୍ଷଟଙ୍କା ଆଦାୟ କରିହେବ। ପରିବାରର ରୋଜଗାରିଆ ଲୋକର ଛବି ଭର୍ତ୍ତି କରି ସେ ବିପଦରେ ପଡ଼ିଛନ୍ତି କହି ଅନ୍ୟ କୁଟୁମ୍ବଠାରୁ ଟଙ୍କା ଆଦାୟ କରାଯାଇପାରେ। ସାକ୍ଷ୍ୟ ପ୍ରମାଣ ତିଆରି କରାଯାଇ (କୋର୍ଟ ନ ଧରି ପାରିଲେ) ନିରପରାଧକୁ ଦୋଷୀ ସାବ୍ୟସ୍ତ କି ଅପରାଧୀକୁ ନିର୍ଦ୍ଦୋଷ ଭାବେ ଖଲାସ କରାଯାଇପାରେ।
ଆମେ ଏତେ ବେଶି ପରିମାଣରେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ମଞ୍ଚରେ ଅଛୁ ଯେ ଠକମାନେ ସେଗୁଡିକୁ ଡିପ୍‌ଫେକ୍‌ରେ ବ୍ୟବହାର କରି ଆମର ବ୍ୟକ୍ତିଗତ ସୂଚନା ଏପରି କି ଆମ ନାଁରେ ଜାଲ୍‌ ଏକାଉଣ୍ଟ ଖୋଲିପାରନ୍ତି ଓ ଆମର ଅସଲ ଏକାଉଣ୍ଟକୁ ହାତକୁ ନେଇପାରନ୍ତି – ତେବେ ଆମେ ସହଜରେ ସର୍ବସ୍ବାନ୍ତ ହେବା। ଠକମାନେ ଆମ ଫୋନ ଜରିଆରେ ଅଡିଓ(ସ୍ବର), ଭିଡିଓ (ଚଳମାନ ଚିତ୍ର) ଓ ଫଟୋ ନେଇ (ଟାପ୍‌ କରି) ଲୋକଙ୍କୁ ଠକିପାରିବେ ଯଦି ଆମେ ଆମ ଏକାଉଣ୍ଟକୁ ବାରମ୍ବାର ଯାଞ୍ଚ ନ କରୁଛୁ ଓ ପାସଓ୍ବାର୍ଡକୁ ବାରମ୍ବାର ନ ବଦଳାଉଛୁ (ଅପଡେଟ୍‌ ନ କରୁଛୁ)।
ଡିପ୍‌ଫେକ୍‌କୁ ଚିହ୍ନିପାରିଲେ ଆମେ ଠକାମିରୁ ବଞ୍ଚିପାରିବା। ସବୁଠୁ ବଡ଼ ଓ ସାଧାରଣ ଉପାୟ ହେଉଛି ଆଖିପତା ନ ପଡ଼ିବା। ଗବେଷକମାନେ କହନ୍ତି, ଏଆଇ ଜରିଆରେ ଗୁଡ଼ିଏ ଛବି ଉଠାଇଲେ ତାହା ଲୋକର ଯେଉଁ ମୁହଁ ଉଠାଏ ସେଥିରେ ଆଖିମିଟିକା ରହିପାରେ ନାହିଁ, ଗୋଟିଏ ମୁହୂର୍ତ୍ତରେ ଆଖି ଖୋଲିଥିଲେ ପର ମୁହୂର୍ତ୍ତରେ ପତା ବନ୍ଦ ହେବ, ଏ ପ୍ରାକୃତିକ କଥା, କିନ୍ତୁ ଏଆଇ ବହୁତ ଗୁଡ଼ାଏ ଫଟୋ କପି କରୁଥିବାରୁ ପ୍ରତି ଫଟୋରେ ଆଖି ଖୋଲା ଥିବାର ଫଟୋ ଉଠିଯାଏ। ଏଆଇର ଆଲଗୋରିଦିମ୍‌ରେ ନାହିଁ ମିଟିମିଟିକା ଚିତ୍ର ଉଠାଇବା। ଆଉ ଗୋଟିଏ ଦୋଷ ଯେ, ଦୁଇଟା ମୁହଁ ପାଖାପାଖି ହୋଇଗଲେ ବେଢଙ୍ଗିଆ ଦିଶେ। ଆଖି ସବୁବେଳେ ଖୋଲା ଥିବା ଦିଶିବ। ଚମ ବି ମସୃଣ ବା ସମତଳ ଦିଶିବ ନାହିଁ, ରଙ୍ଗ ମଳିଛା ମଳିଛା ଦିଶିବ, ଓଠ ଉପରେ ଓଠ ପଡୁ ନ ଥିବ। ଦାନ୍ତ ଆଉ ବାଳ ପ୍ରାକୃତିକ (ନାଚୁରାଲ୍‌) ଦିଶୁ ନ ଥିବ। ଆମାଜନ, ଫେସ୍‌ବୁକ୍‌ ଓ ମାଇକ୍ରୋସଫ୍ଟ ଡିପ୍‌ଫେକ୍‌ ଚିହ୍ନିବାର ବ୍ୟବସ୍ଥା କଲେଣି।
ଡିପ୍‌ଫେକ୍‌ ଚିହ୍ନିବା ଗୋଟିଏ କଥା, କିନ୍ତୁ ତାକୁ ରୋକିପାରିବା ଆଉ ଗୋଟିଏ ସମସ୍ୟା। ଆଧାର କାର୍ଡ ପାଇଁ ବ୍ୟବହାର ହେଉଥିବା ବାୟୋମେଟ୍ରିକ୍‌ ପ୍ରଣାଳୀରେ ଏ ପାଖ ସେ ପାଖ ଅନେଇବା, ଆଖିମିଟିକା ମାରିବା, ହସିବା, ଖତେଇହେବା, ଡରେଇବା ଆଦି ଜୀବନ୍ତ ପ୍ରାଣୀର ବିଭିନ୍ନ କାମର ଛବି ନିଆଯାଇଥାଏ, କିନ୍ତୁ ଡିପ୍‌ଫେକ୍‌ ପ୍ରଣାଳୀରେ କେବଳ ସ୍ଥିର ଛବି ନିଆଯାଏ। ଗୋଟି ଗୋଟି ସ୍ଥିର ଛବିକୁ ନେଇ ଚଳଚ୍ଚିତ୍ର (ଭିଡିଓ) କଲେ ଛବିଗୁଡ଼ିକ ଡେଉଁଥିବା ଭଳି ଲାଗିବ। ଯଦି ତୁମେ ବାରିପାରୁନାହଁ ତେବେ ଆଇଡେନ୍‌ଫାଏ (iDenfy) ନାମକ ଏକ ପାଠ (ସଫ୍ଟୱେର) ଜରିଆରେ ଏମିତି ଠକାମି ଧରିହେବ। ବ୍ୟକ୍ତିର ପ୍ରାଇଭେସି (ଗୋପନୀୟତା) ଭଙ୍ଗ କରି ତା’ର ଛବି, କଥାବାର୍ତ୍ତା ଆଦି ଗ୍ରହଣ କରିବା, ପ୍ରକାଶ କରିବା ଓ ପ୍ରସାର କରିବା, ଅଧିକନ୍ତୁ ମାସ୍‌ ମିଡିଆରେ ପ୍ରକାଶ କରିବା ଏକ ଅପରାଧ ବୋଲି ଆଇଟି ଆକ୍ଟର ୬୬ଇ ସେକ୍ସନ କହେ। ତେଣୁ ତୁମେ ଡିପ୍‌ଫେକ୍‌ ଭିଡିଓ ଦେଖିଲେ ତୁମେ ସାଇବର୍‌ ଥାନାରେ ମାମଲା ଦାଏର କରିପାରିବ।

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri