ଆଦର୍ଶ ମଦ୍ୟପ

ମଦ ପିଇ ମାତାଲ ହେଉଥିବା ମଦ୍ୟପ ବା ମଦୁଆ। ସେହି ମଦ୍ୟପ ସମାଜରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରେ। ତା’ ଘରଠାରୁ କାର୍ଯ୍ୟକ୍ଷେତ୍ର କିମ୍ବା ବିଚରଣ କରୁଥିବା ସ୍ଥାନ ଓ ପରିବେଶକୁ କଳୁଷିତ କରେ। ସମସ୍ତଙ୍କ ନିମନ୍ତେ ଅଶାନ୍ତିର କାରଣ ପାଲଟେ। ନିଜର ସାଧାରଣ ମାନସିକ ସ୍ଥିତିକୁ ବିକୃତ କରିବା ତଥା ଶାରୀରିକ ଦୁରାରୋଗ୍ୟ ଓ ଅସୁସ୍ଥତାର କାରଣ ପାଇଁ ସେ ନିଜେ ହିଁ ଦାୟୀ। ମଦ୍ୟପ ଯେ ନିଜର ମାନସିକ ଭାରସାମ୍ୟ ହରାଇ କେବେ ଅନ୍ୟକୁ ଗାଳିଗୁଲଜ ମାର୍‌ପିଟ କରେ ତ କେବେ ଅସାମାଜିକ, ହିଂସାମତ୍କ, ଅମାନବୀୟ କାର୍ଯ୍ୟ କରେ। ମଦ ଅଭ୍ୟାସ ମାନସିକ ଓ ଶାରୀରିକ ଅବସ୍ଥାର ପତନ କରାଏ। ଏହା ସହିତ ବେଳେବେଳେ ମଦ୍ୟପ ତା’ର ସାଙ୍ଗ, ବନ୍ଧୁ, ପରିବାରଙ୍କୁ ମଦ ପ୍ରତି ଆକୃଷ୍ଟ କରାଇବାକୁ ଚେଷ୍ଟା କରେ। ଏମିତି କୁକାର୍ଯ୍ୟ କରୁଥିବା ଓ ନିଶାସକ୍ତ ହୋଇ ନିଜର, ଅନ୍ୟର ଓ ସମାଜର କ୍ଷତି ସାଧନ କରୁଥିବା ମଦ୍ୟପ କେବେ କାହା ପାଇଁ କ’ଣ ଆଦର୍ଶ ହୋଇପାରେ? ଉତ୍ତର ଆସିବ ନା। ଏ ପ୍ରବନ୍ଧର ଶୀର୍ଷକ ଅପ୍ରଯୁଜ୍ୟ ମନେହେଉଥିଲେ ହେଁ ଏହାର ସପକ୍ଷରେ ଅନେକେ ଯୁକ୍ତି ବାଢ଼ନ୍ତି। ଉଦାହରଣ ସ୍ବରୂପ ଦୀନବନ୍ଧୁବାବୁଙ୍କର ସ୍ତ୍ରୀଙ୍କ ପେଟରେ ଏକ ଅପରେଶନ ହୋଇଥିଲା। ଯେଉଁ ଡାକ୍ତର ସେ ଅପରେଶନ କରି ସଫଳ ହୋଇଥିଲେ ସେ ଜଣେ ଶଲ୍ୟ ବିଶେଷଜ୍ଞ। ଜଣାଶୁଣା ବ୍ୟକ୍ତିତ୍ୱ। କିନ୍ତୁ ପ୍ରତିଟି ଅପରେଶନ କରିବାକୁ ଯିବା ପୂର୍ବରୁ ମଦ୍ୟପାନ କରନ୍ତି। ଅଳ୍ପ କରନ୍ତି କି ବେଶି ସେଥିରେ କଥା ନ ଥାଏ। କିନ୍ତୁ ରୋଗୀଙ୍କ ସମ୍ପର୍କୀୟ କୁହନ୍ତି, ସାର୍‌ ମଦ ପିଇଲେ ହିଁ ସଫଳତାର ସହ ଅପରେସନ କରନ୍ତି। ଏମିତିକି ରୋଗୀଙ୍କ ସମ୍ପର୍କୀୟ ସାର୍‌ଙ୍କୁ ମଦ ଯୋଗାନ୍ତି। ତଥାପି ସେଠାରେ ସର୍ଜରି ପାଇଁ ନାହିଁ ନଥିବା ଭିଡ଼। ସର୍ଜରିରେ ସେ କେବେ ଅସଫଳ ହୋଇଥିବା କାହାରି ନଜରକୁ ପ୍ରାୟତଃ ଆସିନାହିଁ। ତେବେ କେଉଁ ଉଦ୍ଦେଶ୍ୟ ନେଇ ମଦ୍ୟପାନ କରନ୍ତି ଓ ମଦ କେଉଁ ଭଳି ଭାବରେ ଚିକିତ୍ସାରେ ସାହାଯ୍ୟ କରେ ତାହା ସେ ହିଁ ଜାଣନ୍ତି। ମଦ ପିଇବାଟା ତାଙ୍କର ବ୍ୟକ୍ତିଗତ ଓ ନିଜସ୍ବ ବ୍ୟାପାର। ମଦ୍ୟପାନ କରି ଏପର୍ଯ୍ୟନ୍ତ ସୁକାର୍ଯ୍ୟ କରିଆସୁଥିବାରୁ ରୋଗୀଙ୍କ ପାଇଁ ସେ ଆଦର୍ଶ। ବର୍ଷ ବର୍ଷ ଧରି ମଦ୍ୟପାନ କରି ସଫଳ ଚିକିତ୍ସା ଦ୍ୱାରା ରୋଗୀଙ୍କୁ ଉପକୃତ କରାଉଛନ୍ତି, ଜୀବନ ବଞ୍ଚାଉଛନ୍ତି ବୋଲି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଆଦର୍ଶ? ତେବେ ଉକ୍ତ ଚିକିତ୍ସକଙ୍କ ସହିତ ଯେଉଁମାନେ ଜଡ଼ିତ, ସେମାନେ ତାଙ୍କ ମଦ୍ୟପାନ ଓ ଚିକିତ୍ସା ଉଭୟକୁ ପ୍ରଶଂସା କରନ୍ତି। ଏଣୁ ଯେତେବେଳେ କୌଣସି କାର୍ଯ୍ୟ ସାର୍ବଜନୀନ ଭାବରେ ଗ୍ରହଣୀୟ ହୋଇଯାଏ, ସେତେବେଳେ ମଦ୍ୟପ ବି ଆଦର୍ଶ ହୋଇଯାଏ।
ଶ୍ମଶାନରେ ଶବଦାହ କରୁଥିବା କିଛି ବ୍ୟକ୍ତି ଯାହାଙ୍କୁ ମାଲଭାଇ କୁହାଯାଏ, ସେମାନେ ହୁଅନ୍ତୁ ବା ଭୋଜିରେ ଖାଦ୍ୟ ପରଷୁଥିବା କିଛି ସ୍ବେଚ୍ଛାସେବୀ କିମ୍ବା ମଇଳା ସଫା କରୁଥିବା କିଛି କର୍ମୀ ହୁଅନ୍ତୁ ବା ଶୟନ ପୂର୍ବରୁ ମଦ୍ୟପାନ କରି ଅବସାଦକୁ ଏଡ଼ାଇ ଶାନ୍ତିରେ ଶୋଇବାକୁ ଚେଷ୍ଟା କରୁଥିବା ଆଉ କିଛି ବ୍ୟକ୍ତିମାନେ, ମଦ୍ୟପାନ କରି ଏସବୁ ମହତ୍ତ୍ୱପୂର୍ଣ୍ଣ କାମକୁ ସମ୍ପାଦନ କରନ୍ତି କିମ୍ବା କାହାର କିଛି କ୍ଷତି ନ କରି ନିଷ୍କ୍ରିୟ ହୋଇ ରୁହନ୍ତି। ଏମାନେ କେବଳ ନିର୍ଦ୍ଦିଷ୍ଟ କାର୍ଯ୍ୟ ଓ ନିର୍ଦ୍ଦିଷ୍ଟ ସମୟ ପାଇଁ ନିଜର ସଉକ ବା ଅଭ୍ୟାସକୁ ପୂରା କରନ୍ତି। କିନ୍ତୁ କାହାର କ୍ଷତି କରିବା ବଦଳରେ ସ୍ବଚ୍ଛତା, ସାମାଜିକ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଆନ୍ତି। ତେବେ ଏହି ବ୍ୟକ୍ତିମାନେ ମଦ ସହ ଯୋଡ଼ି ହୋଇଥିବାରୁ ମଦ ବିନା ଏସବୁ କାମ କରିପାରିବେନି ଲୋକେ ଆଗରୁ ସ୍ବୀକାର କରିନିଅନ୍ତି। କିଛି କାର୍ଯ୍ୟ ଅତି ଆବଶ୍ୟକୀୟ ଓ ଏହା କରିବାକୁ ଅନେକେ କୁଣ୍ଠା ପ୍ରକାଶ କରୁଥିବାରୁ ଯେଉଁ ବ୍ୟକ୍ତି ମଦ୍ୟପାନ କରି ଏହି କାମ କରନ୍ତି ତାଙ୍କର ଗୁରୁତ୍ୱ ବେଶି ଥାଏ। ତେବେ ଏସବୁ କାର୍ଯ୍ୟ ଅନେକ ବ୍ୟକ୍ତି ମଦ୍ୟପାନ ନ କରି ମଧ୍ୟ କରିଥାଆନ୍ତି। କିନ୍ତୁ ମନ ଭିତରେ ଅନେକଙ୍କ ଧାରଣାଥାଏ ଯେ ମଦ୍ୟପାନ କରୁଥିବା ବ୍ୟକ୍ତି ମଦ ପିଇ ଆରମ୍ଭ କରୁଥିବା କାର୍ଯ୍ୟକୁ ଅଧିକ ସଫଳତା ଓ ଗୁଣାତ୍ମକ ଭାବରେ କରିପାରନ୍ତି। ତେବେ କେଉଁ ପରିସ୍ଥିତିରେ କିପରି ଏହି ବ୍ୟକ୍ତିମାନେ ମଦ୍ୟପାନର ଶିକାର ହେଲେ ଓ ମଦକୁ ସହଚର କରି ରଖିଆସୁଛନ୍ତି ତାହା ସେମାନେ ଭଲଭାବରେ କହିପାରିବେ। କିନ୍ତୁ ଏହା ସର୍ବାଦୌ ସ୍ବୀକାର୍ଯ୍ୟଯେ ସେମାନଙ୍କ ଉପସ୍ଥିତିରେ ସମାଜର ଅନେକ ଗୁରୁଦାୟିତ୍ୱ ସମ୍ପାଦିତ ହେଉଛି। ଏଣୁ ମଦ୍ୟପାନ କରି କାହାର କ୍ଷତି ନ କରି ସୁକାର୍ଯ୍ୟ କରୁଥିବାରୁ ସେମାନେ ସମାଜ ନିମନ୍ତେ ଆଦର୍ଶ। ଏହାକୁ ଗ୍ରହଣ କରି ନେଇ ମଦୁଆଙ୍କ ସହଯୋଗ ଲୋଡ଼ନ୍ତି। ଏମିତିକି ନିଜର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସେମାନଙ୍କୁ ମଦ ପିଇବାକୁ ପ୍ରୋତ୍ସାହିତ କରିବାକୁ ପଛାନ୍ତି ନାହିଁ। କାରଣ କାମଟିର ଏତେ ଗୁରୁତ୍ୱ ବେଶି ଥାଏ ଯେ, ଆମେ କହୁ ସେ ମଦ ପିଉ ପଛେ ପାରିଶ୍ରମିକ ନେଇ ମୋ କାମଟି କରିଦେଉ।
ତେବେ ଏଠାରେ ପ୍ରତ୍ୟେକ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ମଦୁଆ କିମ୍ବା ମଦୁଆ ଜଣେ ଆଦର୍ଶ ନୁହେଁ ଏକଥାର ପ୍ରାସଙ୍ଗିକତା ବଦଳିଯାଏ। ମଦ୍ୟପାନ କରିବାକୁ ନେଇ ମାନବୀୟ ପ୍ରେରଣାଦାୟୀ ବ୍ୟବହାର ବିଷୟରେ ଶୁଣିବାକୁ ମିଳେ, ଯେପରିକି ମାନସିକ ଚାପରୁ ମୁକ୍ତିପାଇବା, ଆନନ୍ଦ ଲାଭକରିବା, ନିଜକୁ ସାହସୀ ଅନୁଭବ କରିବା, ଉକତ୍ଣ୍ଠାକୁ ପରିପୂରଣ କରିବା ନିମନ୍ତେ କିଛି ବ୍ୟକ୍ତି ମଦ୍ୟପାନ କରିଥାଆନ୍ତି। ତେବେ ନିଶାମୁକ୍ତ ଅଭିଯାନ ମାଧ୍ୟମରେ ଏହି ଭୟଙ୍କର ଦୁଃସାହସିକ ଉକତ୍ଣ୍ଠା, ଦୁଃସ୍ଥ ମାନସିକତାକୁ ଦୂରେଇ ଦେଇ ସୁରକ୍ଷିତ ଆନନ୍ଦଦାୟକ ଜୀବନ ପାଇଁ ଚେଷ୍ଟା କରାଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ କ୍ଷତିକାରକ ମଦ୍ୟପାନ ଯୋଗୁଁ ୩ ମିଲିୟନରୁ ଅଧିକ ବ୍ୟକ୍ତି ପ୍ରତିବର୍ଷ ମୃତ୍ୟୁମୁଖରେ ପଡ଼ନ୍ତି। ତେବେ ପ୍ରାୟ ୧୭ ପ୍ରତିଶତ ଲୋକ ଆନନ୍ଦ ଉପଭୋଗ ସମୟରେ ମଦ୍ୟପାନ କରନ୍ତି ଏବଂ ୭ ପ୍ରତିଶତ ଅତ୍ୟଧିକ ମଦ୍ୟପାନ କରନ୍ତି ବୋଲି ଜଣାଯାଏ। ସେ ଯାହାହେଉନା କାହିଁକି ଆମେରିକାର ପ୍ରସିଦ୍ଧ ଔପନ୍ୟାସିକ ଏଫ୍‌ ସ୍କଟ୍‌ ଫିଟଜରାଲ୍ଡ ଯିଏ ଅତ୍ୟଧିକ ମଦ୍ୟପାନ କରି ୪୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ସେ କହିଛନ୍ତି ପ୍ରଥମେ ତୁମେ ମଦ ପିଅ, ତା’ପରେ ପିଇବା ପାଇଁ ପିଅ, ତା’ପରେ ପିଇବା ତୁମକୁ ପିଏ। ପିଇବାର ଅଭ୍ୟାସରେ ପଡ଼ି ମଣିଷର ସତ୍ତା ଲୋପ ପାଇଯିବାର ଇଏ ଏକ ବାଣୀ, ଯାହାକୁ ସବୁ ମଦ୍ୟପାନ କରୁଥିବା ବ୍ୟକ୍ତି ମନେରଖିବା ଉଚିତ। କାରଣ ମଦ କେବେ ଆଦର୍ଶର ଅଂଶବିଶେଷ ହୋଇପାରେନା। କିଛି ସକାରାମତ୍କ କାମ ଯୋଗଁୁ ଏହି ବ୍ୟକ୍ତିମାନଙ୍କୁ ସାଧାରଣ ମଦୁଆ ଗୋଷ୍ଠୀର ଲୋକମାନଙ୍କ ସହିତ ତୁଳନା କରାଯାଏ ନାହିଁ। ଭଲ କାମର ପ୍ରତିଫଳନ ମଦ୍ୟପାନର ବଦନାମୀକୁ କିଛିମାତ୍ରାରେ କମାଇଦିଏ ବା ପ୍ରତିଷ୍ଠା ସହିତ ସାମାଜିକ ସ୍ତରରେ ସେମାନଙ୍କ ସମ୍ମାନରେ ପ୍ରାୟତଃ ଊଣା ହୋଇନଥାଏ। ଏହା ସ୍ବୀକାର୍ଯ୍ୟ ଯେ ଆଦର୍ଶ ମଦ୍ୟପ ହେଉଛି ଏକ ଅଣ-ଆନୁଷ୍ଠାନିକ ସ୍ବୀକୃତି, ଯାହାକୁ କିଛି ବ୍ୟକ୍ତି ବା ସମାଜ ପ୍ରଦାନ କରିଥାଆନ୍ତି।

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ: ୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri