ମୋ ମାତୃଭାଷା ମୋତେ ଶ୍ରେଷ୍ଠ

ତାମିଲ, ସଂସ୍କୃତ, କନ୍ନଡ, ତେଲୁଗୁ ଓ ମାଲୟାଲମ୍‌ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା। ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ଶିଳାଲେଖ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଉଦୟଗରି ହାତୀଗୁମ୍ଫା ଶିଳାଲେଖରୁ ଆରମ୍ଭ କରି ୧୦୫୧ ଖ୍ରୀଷ୍ଟାବ୍ଦର ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଶିଳାଲେଖ ଉରଜାମ ଆମକୁ ଆମ ଲିପି ଓ ଭାଷାର କ୍ରମବିକାଶ କଥା ସୂଚାଇ ଦେଇଥାଏ। ଆମ ରାଜ୍ୟ ଓଡ଼ିଶା ସମଗ୍ର ଭାରତବର୍ଷରେ ଏକମାତ୍ର ରାଜ୍ୟ, ଯେଉଁଠି ପ୍ରାକ୍‌ ବ୍ରାହ୍ମୀ, ବ୍ରାହ୍ମୀ ଓ ପରବର୍ତ୍ତୀ ବ୍ରାହ୍ମୀ ଲିପିର ସନ୍ଧାନ ମିଳିଛି। ସମଗ୍ର ଓଡ଼ିଶାର ୫୫ଟି ଗୁମ୍ଫାରୁ ୫୭୭୫ଟି ଗୁମ୍ଫା ଚିତ୍ରରେ ମିଳେ ଆମର ଅତୀତର ସ୍ବାକ୍ଷର। ନୂଆପଡ଼ାର ଗୁଡ଼ହାଣ୍ଡି ଓ ଯୋଗୀମଠ, ବିକ୍ରମଖୋଲରେ ଆମ ଭାଷାର ଆଦ୍ୟ ପଦଚିହ୍ନ ସ୍ପଷ୍ଟ । ଆମ ବୋଇତବନ୍ଦାଣ ସହ ଲାଓମାନଙ୍କର ଥାଟ୍‌ ଲୁଆଙ୍ଗ, କାମ୍ବୋଡିଆର ବନ୍‌ ଓମ୍‌ ତୋକ୍‌ ଓ ଥାଇଲାଣ୍ଡର ଲୋଇ କ୍ରାଥୋଙ୍ଗର ବହୁ ସାମ୍ୟ ଦେଖିବାକୁ ମିଳେ, ଯାହାକି ଆମ ଗୌରବମୟ ନୌବାଣିଜ୍ୟର ସୂଚନା ଦିଏ। କହିବା ବାହୁଲ୍ୟ- ଗୁମ୍ଫାଚିତ୍ର, ମନ୍ଦିର ଗାତ୍ର, ପୋଥିପଥର, ମଠମନ୍ଦିର ସର୍ବତ୍ର ଆମ ଭାଷାର ପ୍ରାଚୀନତା, ଆମ ଭାଷାର ଗୌରବଗାଥାର ପ୍ରମାଣ ସ୍ପଷ୍ଟ। ଶିଳାଲେଖ, ତାଳପତ୍ର ପୋଥିଠୁ ଆରମ୍ଭ କରି ବୌଦ୍ଧ ପରିବ୍ରାଜକଙ୍କ ବିବରଣୀ ସବୁଠି ଆମେ ଆମ ଭାଷାର ଜୟଜୟକାର ଦେଖୁ। ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଶାରେ ବଜ୍ରଯାନ, କାଳଚକ୍ରଯାନ ଓ ସହଜଯାନ, ବୌଦ୍ଧଧର୍ମର ଏ ତିନୋଟି ଶାଖା ପଲ୍ଲବିତ ହୋଇଥିଲା। ବୁଦ୍ଧଦେବଙ୍କ ପ୍ରଥମ ଶିଷ୍ୟ ଭାବେ ପରିଚିତ ତପସୁ ଓ ଭଲ୍ଲୁକଙ୍କ କଥା ଆମେ ଅବଗତ ଅଛେ। ବୌଦ୍ଧବିଦ୍ୱାନ ପଦ୍ମସମ୍ଭବ ଓଡ଼ିଶାରୁ ତିବ୍ବତକୁ ଯାଇ ବଜ୍ରଯାନ ପ୍ରଚାର ପ୍ରସାର ସହ ଏହାର ନୂଆନାମ ଦେଇଥିଲେ ଲାମା। ଅଷ୍ଟମ, ନବମ ଶତାବ୍ଦୀର ଓଡ଼ିଆ ବୌଦ୍ଧ ବିଦ୍ୱାନ ଆଚାର୍ଯ୍ୟ ପୀତୋପାଦ ସହଜଯାନ ଓ ବଜ୍ରଯାନ ବିଷୟରେ ବୁଝାଇ ଲେଖିଥିବା ଲେଖା ମିଳେ। ସାଧନାମାଳାରେ ବୌଦ୍ଧଧର୍ମର ଚାରୋଟି ମୁଖ୍ୟକେନ୍ଦ୍ର ମଧ୍ୟରୁ ଉଡୀୟାନ (ଆଧୁନିକ ଓଡ଼ିଶା) କିଭଳି ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ପ୍ରମାଣ ମିଳେ। ସେହିଭଳି ଆମେ ଦେଖୁ, ଇନ୍ଦ୍ରଭୂତି ସମଲକ (ଆଧୁନିକ ସମ୍ବଲପୁର)ର ରାଜା ବଜ୍ରଯାନ, ସହଜଯାନରେ ସଂସ୍କାର ଆଣିବାର ପ୍ରୟାସ କରିଥିଲେ। ତାଙ୍କ ଲିଖିତ ‘ଜ୍ଞାନସିଦ୍ଧ’ରେ ଏକଥା ସ୍ପଷ୍ଟ। ତିବ୍ବତ ପର୍ଯ୍ୟନ୍ତ ସେ ବଜ୍ରଯାନର ପ୍ରସାର କରିଥିଲେ। ଏସବୁ କଥାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଓଡ଼ିଆ ଜାତି ବା ଓଡ଼ିଶା ଭୌଗୋଳିକ ଭୂଖଣ୍ଡର ଅନ୍ତଃସ୍ବରରେ ଭାଷା ଓ ଭାବର ଉତ୍ସ ଛପି ରହିଛି। ଆମେ ଆମର ଭାଷାର ଇତିହାସକୁ ଲକ୍ଷ୍ୟ କଲେ ଦେଖୁ ଯେ, ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଆମ ଭାଷାର ପ୍ରାଚୀନ ନାମ ଉଡ୍ର ବିଭାଷାର ସଙ୍କେତ ମିଳୁଛି। ଭରତମୁନିଙ୍କ ନାଟ୍ୟଶାସ୍ତ୍ରରେ ଏ ଭାଷା କଥା ଅଛି। ପ୍ରାକୃତ ଲଙ୍କେଶ୍ୱର ଗ୍ରନ୍ଥରେ ଅଠରଟି ଭାଷା ମଧ୍ୟରେ ଓଡ୍ରିୟା ଭାଷା, ଲଳିତ ବିସ୍ତରରେ ବୁଦ୍ଧଦେବ ଜାଣିଥିବା ଚଉଷଠି ଲିପି ମଧ୍ୟରୁ ଉଡ୍ରଲିପିର କଥା ଥିବା ସହ ଜୈନ ସମବାୟ ସୂତ୍ର, ପ୍ରଜ୍ଞାପନୀ ସୂତ୍ର, ନନ୍ଦୀସୂତ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମିଳିଥିବା ଶିଳାଲେଖ ଗୁଡ଼ିକରେ ଖୋଦିତ ଭାଷାରେ ଉଡ୍ରବିଭାଷା, ଅର୍ଦ୍ଧମାଗଧୀ, ବ୍ରାହ୍ମୀଲିପି, କୁଶାଣ ବ୍ରାହ୍ମୀଲିପି, ଅପଭ୍ରଂଶ ଓଡ଼ିଆ ଭାଷା କଥା କୁହାଯାଇଛି। ଏ ସବୁ ଆମର ସମ୍ପଦ। ଆମକୁ ଆମର ଭାଷାର ପ୍ରାଚୀନତା, ପ୍ରାଚୀନ ପରମ୍ପରା, ନୌବାଣିଜ୍ୟ ସମ୍ପର୍କ ସହ ବୌଦ୍ଧଗାନ ଓ ଦୋହାରୁ ଆମେ ପ୍ରାମାଣିକ ତଥ୍ୟ ପାଇଥାଉ। ଆମ ଭାଷା, ଶାସ୍ତ୍ରୀୟ ଭାଷା ଏହା ଆମକୁ ଗୌରବାନ୍ବିତ କରିଛି। ଏହାର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଆସନ୍ତୁ ଆମେ ସମସ୍ତେ ନିଜ ନିଜ ଭୂମିକା ନିର୍ବାହ କରିବା। ଅଭିଯୋଗ ହୁଏ ଯେ, ଆମେ ଆମ ମାତୃଭାଷାକୁ ଅବହେଳା ଓ ଅଣଦେଖା କରି ଆସୁଛେ। ବିଶେଷକରି ଗଣମାଧ୍ୟମକୁ ଆମେ ଏଥିପାଇଁ ଦାୟୀ ମଧ୍ୟ କରୁଛେ। ତେବେ ମନେ ରଖିବାକୁ ହେବ- ହେଉ ପଛକେ ସେ ନିକୃଷ୍ଟ, ମୋ ମାତୃଭାଷା ମୋତେ ଶ୍ରେଷ୍ଠ।
-ଡ. ଦେବାଶିଷ ମହାପାତ୍ର
ବରିଷ୍ଠ ଗବେଷକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର,
ମୋ: ୬୩୭୨୦୮୨୬୯୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?