ମୋ ଘର ହିଁ ମୋ ଦେବାଳୟ

ସହଦେବ ସାହୁ

 

ବର୍ଷ ଆରମ୍ଭର ପ୍ରଥମ ଦିନ ନିଜର ଈପ୍ସିତ ଠାକୁରଙ୍କ ମୂର୍ତ୍ତିକୁ ଦର୍ଶନ କଲେ ବର୍ଷଯାକ ଭଲରେ କଟିବ ବୋଲି ବିଶ୍ୱାସ କରୁଥିବା ଲୋକଟିଏ ଉକ୍ତ ଠାକୁରଙ୍କ ମୂର୍ତ୍ତି ଥିବା ମନ୍ଦିରକୁ ଯାଆନ୍ତି, ମୂର୍ତ୍ତିର ପାଖରେ ବା ସାମନାରେ ନ ପହଞ୍ଚିଲେ ଦର୍ଶନ ଭଲ ହେଲା ନାହିଁ ବୋଲି ଭାବନ୍ତି, ତେଣୁ ଦର୍ଶନାର୍ଥୀମାନଙ୍କ ଭିତରେ ପ୍ରବଳ ଭିଡ଼ ହୁଏ, ତାହା କିପରି ମୃତ୍ୟୁ ଆଣିପାରେ ତାହା ଜାନୁୟାରୀ ପହିଲାରେ ବୈଷ୍ଣୋଦେବୀଙ୍କ ଫାଟକ ଆଗରେ ଘଟିଥିବା ଦୁର୍ଘଟଣାରୁ ଜଣାପଡ଼ିଛି। ଜମ୍ମୁ ଓ କଶ୍ମୀରର କାଟ୍ରା ଇଲାକାରେ ଥିବା ତ୍ରିକୂଟ ପାହାଡ଼ ଉପରେ ମାତା ବୈଷ୍ଣୋବୀ ଦେବୀଙ୍କ ମନ୍ଦିର। ପ୍ରବଳ ଠେଲାପେଲା ଭିତରେ କେତେଲୋକ ତଳେ ପଡ଼ିଗଲେ ତ ସେମାନଙ୍କ ଉପରେ ପଛଆଡ଼ୁ ଠେଲିପେଲି ହୋଇ ଆସୁଥିବା ଭକ୍ତମାନେ ଚଢ଼ି ଚାଲିଗଲେ। ଏ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି, ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ୧୨ ଜଣ କେବେ ଭାବି ନ ଥିବେ ଯେ ସେମାନେ ଏମିତି ମୃତ୍ୟୁମୁଖରେ ପଡ଼ିବେ। କିନ୍ତୁ ବିଭିନ୍ନ ସମୟରେ ସେମାନେ ଖବର ରଖିଥିବେ ଯେ ଭକ୍ତମାନଙ୍କର ଦଳାଚକଟାରେ କେତେ ଜଣ ଭକ୍ତ ପ୍ରାଣ ହରାନ୍ତି। ଜଗନ୍ନାଥଙ୍କ ରଥାଯାତ୍ରାରେ ରଥକୁ ଛୁଇଁବା ପାଇଁ ବା ରଥ ଦଉଡ଼ିକୁ ଟାଣିବା ଲାଗି ଯେଉଁ ପ୍ରବଳ ଠେଲାପେଲା ହୁଏ ତହିଁରେ କେହି ନା କେହି ପ୍ରାଣ ହରାଇଥାଏ, କିନ୍ତୁ ସେଭଳି ମରିଥିବା ଭକ୍ତମାନେ ଜଗନ୍ନାଥଙ୍କ ମୂର୍ତ୍ତି ଦର୍ଶନରେ ବେଶି ଦିନ ପୁଣି ଭଲରେ ବଞ୍ଚିବେ ବୋଲି ଆଶା କରି ପୁରୀକୁ ଆସିଥାନ୍ତି।
୧୯ଶ ଶତାବ୍ଦୀରେ ପ୍ରତିବର୍ଷ ଏପରି ଦୁର୍ଘଟଣା ଦେଖି ଇଂରେଜମାନେ ସେମାନଙ୍କର ଅଭିଧାନରେ ‘ଜଗ୍‌ଗର୍‌ନାତ୍‌’ ଶବ୍ଦର ମାନେ ଭକ୍ତଙ୍କ ଉପରେ ଚଢ଼ିଯାଉଥିବା ଠାକୁର ବୋଲି ଲେଖିପକାଇଲେ। ୧୯୯୦ପୂର୍ବ ସଂସ୍କରଣର ଚେମ୍ବର୍ସ ଡିକ୍ସିନାରିରେ ଯେଉଁ ପ୍ରକାର ଲେଖା ହୋଇଛି ତାହାର ଓଡ଼ିଆ ରୂପାନ୍ତର ନିମ୍ନ ପ୍ରକାରେ ହେବ: ”ଜଗ୍‌ଗର୍‌ନାତ, ଜଗନ୍ନାଥ, ବିଷ୍ଣୁଙ୍କ ଏକ ଅବତାର, ଯାହାଙ୍କ ମୂର୍ତ୍ତି ନିଆହେଉଥିବା ଗାଡ଼ି ତଳେ ୟୁରୋପୀୟମାନଙ୍କ ମତରେ ଭକ୍ତମାନେ ନିଜକୁ ବଳି ଦେଉଥିଲେ: ସୁତରାଂ ଅବିରତ ଏକ କଠୋର ଧ୍ୱଂସକାରୀ ଶକ୍ତି ଅଥବା ଭକ୍ତି ଓ ବଳି ପାଇବାର ଏକ ବସ୍ତୁ: (ପ୍ରଥମଟି କାପିଟାଲ୍‌ ଲେଟର୍‌ ନ ହୋଇଥିଲେ) ଏକ ପ୍ରକାଣ୍ଡ ଲରି।“ ଏବେ ଇଂଲିଶ ଅଭିଧାନରେ ସଂଶୋଧନ ହୋଇ ଲେଖାଯାଉଛି ଯେ ”ଜଗନ୍ନାଥ ମାନେ ପ୍ରକାଣ୍ଡକାୟ, ଶକ୍ତିମାନ୍‌ ଓ କବଳକରୁଥିବା ଶକ୍ତି। ବୃହତ୍‌କାୟ ସରକାରୀ ଖର୍ଚ୍ଚକୁ କୁହାଯାଏ ଦି ଜଗ୍‌ଗରନାତ୍‌ ଅଫ୍‌ ପବ୍ଲିକ୍‌ ଏକ୍ସପେଣ୍ଡିଚର୍‌। ବଡ଼ ଗାଡ଼ିଟିଏ ଗଲେ କହନ୍ତି ଜଗ୍‌ଗରନାତ୍‌ ଥଣ୍ଡର୍ଡ ଥୃ ଦି କଣ୍ଟ୍ରିସାଇଡ୍‌।“
ମୂର୍ତ୍ତିର ଦର୍ଶନ ଆଶାରେ ମନ୍ଦିର ଭିତରକୁ ପ୍ରବଳ ଭିଡ଼ ଭିତରେ ପଶିବା ଚେଷ୍ଟାକୁ ଆପଣ କ’ଣ କହିବେ ଏବଂ ସେମାନଙ୍କୁ ଏଦିଗରେ ପ୍ରବର୍ତ୍ତାଉଥିବା ଧର୍ମ-ପ୍ରବର୍ତ୍ତାମାନଙ୍କୁ କ’ଣ କହିବେ? ଯଦି ଠାକୁର ଦର୍ଶନ ମଙ୍ଗଳକାରକ ସେଥିପାଇଁ ଚେଷ୍ଟା କରୁଥିବା ଲୋକର ଅମଙ୍ଗଳ କାହିଁକି ହୁଏ? ଅତି ବିଶ୍ୱାସୀ କେତେକେ କହିବେ – ଠାକୁରେ ତାକୁ ନିଜ ପାଖକୁ ନେଇଗଲେ। ଏହିଭଳି କହୁଥିବା ଲୋକ ଯଦି କାହାରିକୁ ଅଚାନକ ମରିଯିବାର ଶୁଣେ ସେ କହେ ଯମ ନେଇଗଲା। ଯମ ନେବା ଆଉ ଠାକୁର ନେବା ଭିତରେ କି ପ୍ରଭେଦ? ତାହା ତ ମନ ଭିତରର! ସ୍ବର୍ଗ ଓ ନରକ ନାମକ କୌଣସି ଜାଗା ନାହିଁ, ଦୁଇଟି ଯାକର ଧାରଣା ଧର୍ମାଳୁମାନଙ୍କ ମୁଣ୍ଡରେ ପୂରେଇଦିଆଯାଇଛି। କେହି ଦେଖିଲେ ସାକ୍ଷୀ ମିଳିଯିବ, ସରକାରଙ୍କ ଆଇନ ଅନୁଯାୟୀ ବିଚାରରେ ଦଣ୍ଡିତ ହେବ, କିନ୍ତୁ କେହି ନ ଦେଖୁଥିଲେ ଅର୍ଥାତ୍‌ ଲୁଚେଇଛପେଇ ଅନୈତିକ କାମ କଲେ ଦଣ୍ଡ ମିଳିବ ନାହିଁି, – ଏପରି ଘଟିଲେ ସମାଜରେ ଶାନ୍ତିଶୃଙ୍ଖଳା ରହିବ ନାହିଁ, ଧରା ନ ପଡ଼ିଲେ ଜୋର୍‌ ଯାହାର ମୁଲକ ତାହାର ହୋଇଯିବ, ତେଣୁ ମହାପୁରୁଷମାନେ, ଯାହାଙ୍କୁ ଆମେ ଧର୍ମ-ସଂସ୍ଥାପକ କହୁଛୁ, ଧର୍ମୀୟ ବିଚାର ପ୍ରଚାର କଲେ। ଇହ କାଳରେ କିଛି ଖରାପ କଲେ ପରକାଳରେ ଦଣ୍ଡ ମିଳିବ; ଠାକୁର ସବୁ ଦେଖୁଛନ୍ତି, ମୃତ୍ୟୁ ପରେ ସେ ବିଚାର କରିବେ ତୁମେ ସ୍ବର୍ଗକୁ ଯିବ କି ନର୍କକୁ। ସରକାରଙ୍କ ଆଇନ ଭଙ୍ଗ ପାଇଁ ସାକ୍ଷୀ-ପ୍ରମାଣ ଦରକାର, ଭଗବାନଙ୍କ ଆଇନ (ଯାହାକୁ ମାନିବା ତୁମର ଧର୍ମ, ବା କର୍ତ୍ତବ୍ୟ) ନ ମାନିଲେ ଭଗବାନ ଜାଣିବେ ଓ ପରଲୋକକୁ ଗଲାବେଳେ (ମୃତ୍ୟୁ ପରେ) ଦଣ୍ଡ ଦେବେ। ସରକାରଙ୍କ ଆଇନ ଭଙ୍ଗ କଲେ କ’ଣ ଆସାମୀ ଜଜ୍‌ଙ୍କ ଦର୍ଶନକୁ ଯାଉଛି? ତେବେ ନିଜର ଧର୍ମ ପାଳୁ ନ ଥିବା ଲୋକକୁ ଠାକୁରଙ୍କ ପାଖକୁ ଯିବାକୁ କହିବା ଭୁଲ୍‌। ତଥାପି ଧର୍ମଯାଜକମାନେ ଲୋକଙ୍କୁ ଭଣ୍ଡାଉଛନ୍ତି, ଠାକୁରଙ୍କ ପାଖରେ ଅଳି କର ସେ ସମ୍ଭାବ୍ୟ ଦଣ୍ଡରୁ ରକ୍ଷା କରିବେ। ଅଳିକୁ ପ୍ରାୟଶ୍ଚିତ୍ତ ଆଖ୍ୟା ଦେଇ ବେଶ୍‌ ରୋଜଗାର କରୁଛନ୍ତି ବିଭିନ୍ନ ଧର୍ମର ଯାଜକମାନେ। ଭଗବାନ କେବଳ ସଂସ୍କୃତ ଶ୍ଲୋକ ବୁଝିବେ ବୋଲି କହି ହିନ୍ଦୁ ଧର୍ମଯାଜକମାନେ ସଂସ୍କୃତ ବୁଝିପାରୁ ନ ଥିବା ଲୋକଙ୍କୁ ଭୁଲାଉଛନ୍ତି। ଧର୍ମଯାଜକ ମାନେ ନିଜକୁ ଧର୍ମସଂସ୍ଥାପକମାନଙ୍କ ବଂଶଧର କିମ୍ବା ଧର୍ମସଂସ୍ଥାପକମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଯାଜକଙ୍କ ଦାୟାଦ ବୋଲି ଧାରଣା ଦେଇ ଠାକୁର ଓ ମଣିଷ ଭିତରେ ମଧ୍ୟସ୍ଥ ସାଜିଛନ୍ତି ଏବଂ ମୂର୍ତ୍ତିକୁ ସେମାନେ ହିଁ ଠାକୁରର ଦୃଶ୍ୟମାନ ରୂପ ବୋଲି ପ୍ରଚାର କରିଥାନ୍ତି। ତେଣୁ ମନ୍ଦିରର ଚାରି କାନ୍ଥ ଭିତରେ ବାନ୍ଧିରଖିଥିବା ମୂର୍ତ୍ତିକୁ ଠାକୁର ବୋଲି ବିଶ୍ୱାସ ଜନ୍ମାନ୍ତି। ତେଣୁ ଲୋକେ ଗଡ୍ଡଳିକା ପ୍ରବାହରେ ମନ୍ଦିରକୁ ଯାଆନ୍ତି।
ନିଜ ଘର ଯେ ମନ୍ଦିର ହୋଇପାରେ ତାହା ଲୋକେ ଭାବନ୍ତି ନାହିଁ। ନିଜେ ଯେ ନିଜର ପ୍ରାର୍ଥନାକୁ ସୁଚାରୁରୂପେ ପ୍ରକାଶ କରିପାରିବେ ଏବଂ ଧର୍ମ ଯାଜକଙ୍କଠାରୁ ବେଶି ସନିର୍ବନ୍ଧରେ ପୂଜା କରିପାରିବେ, ତାହା ଲୋକେ ଯେପରି ଭୁଲିଯାଆନ୍ତି ସେଭଳି ପ୍ରଚାରରେ ପ୍ରାୟ ପ୍ରତ୍ୟେକ ମନ୍ଦିରର ପୂଜକମାନେ ସତତ ଲାଗିଥାଆନ୍ତି। କେତେକ ନିର୍ଦ୍ଦିଷ୍ଟ ଦିନରେ ଠାକୁର ଦର୍ଶନ ଇଚ୍ଛିତ ଫଳ ଦେବେ ବୋଲି ଗ୍ରନ୍ଥ ଲେଖିଦିଆଯାଇଛି, ଠାକୁରଙ୍କ ପୂଜା କେମିତି ହେବ ସେଥିଲାଗି କର୍ମକାଣ୍ଡ ତିଆରି ହୋଇଛି। ଠାକୁର ଯେପରି ଦେଖିପାରୁନାହାନ୍ତି ଯାହା ଅର୍ପଣ କରିବ ତାହାର ନାମ ନେବାକୁ ହେବ ଯଥା ଜବା କୁସୁମ ଦଦ୍ୟାମି। ଠାକୁର ସବୁକଥା ଜାଣନ୍ତି ବୋଲି କହୁଥିବା ଧର୍ମଯାଜକ ଭକ୍ତର ଠିକଣା ବି ଉଚ୍ଚାରଣ କରେ, ଯଥା ଜମ୍ବୁଦ୍ୱୀପେ ଉତ୍କଳ ପ୍ରଦେଶେ।
ବିବେକହୀନ ପ୍ରାର୍ଥନାରେ ନିଷ୍ଠା ନ ଥାଏ, ତେଣୁ ପୂଜାପାଠ ନିରର୍ଥକ। ପୁରୋହିତ କ’ଣ କହୁଛି ତାହା ତୁମେ ବୁଝିପାରୁନାହଁ ତ ତୁମର ଠାକୁର କେମିତି ବୁଝିବେ? ଆମ ଦେଶରେ ଧର୍ମର ଆରମ୍ଭ ଯେଉଁ ବେଦମାନଙ୍କ ସମୟରୁ ହୋଇଛି ତାହା ଦେବ ଓ ଦେବୀ ମାନଙ୍କୁ ପ୍ରକୃତି ବା ପରିବେଶର ବିଭିନ୍ନ ଶକ୍ତିର ସୂଚକ କରିଥିଲା, ଠାକୁରମାନେ ସର୍ବବ୍ୟାପୀ ଥିଲେ, ମୁନିଋଷିମାନେ ମୁକ୍ତ ଆକାଶ ତଳେ ଧ୍ୟାନ ବା ପୂଜାପାଠ କରୁଥିଲେ। ଠାକୁରମାନେ ଚାରିକାନ୍ଥ ଭିତରେ ବନ୍ଧା ହୋଇ ନ ଥିଲେ। ମଣିଷ ଚାଷୀ ହୋଇଗଲା ପରେ ଗୋଟିଏ ଗୋଟିଏ ଜାଗାରେ ସ୍ଥିର ହୋଇ ରହିଗଲା ତ ସିଏ ତା’ ଠାକୁରକୁ ତା’ ବାସସ୍ଥାନରେ ସ୍ଥିର କରି ରଖିଦେଲା, ଠାକୁର ବିଶ୍ୱସ୍ତରୀୟ ନ ହୋଇ ସ୍ଥାନୀୟ ହୋଇଗଲେ, ସେମାନଙ୍କ ମୂର୍ତ୍ତି ତିଆରି କରି ପୂଜା କରାଗଲା। ମୂର୍ତ୍ତିକୁ ଖରାବର୍ଷାରୁ ରକ୍ଷା କରିବା ପାଇଁ ଘର ତିଆରିହେଲା, ନାଁ ହେଲା ମନ୍ଦିର। ଠାକୁର ମୂର୍ତ୍ତି ରୂପେ ରହିବାରୁ ତା’ର ଦର୍ଶନ ହେଲା ଦେବଦର୍ଶନ।
ଭଗବାନଙ୍କୁ ଯିଏ ବିଶ୍ୱାସ କରେ ସେ କହେ ଯେ ଭଗବାନ ମଣିଷକୁ ବିବେକ ଦେଇଛନ୍ତି, ଯାହା ଅନ୍ୟ ପ୍ରାଣୀମାନଙ୍କଠାରେ ନାହିଁ, ଗଛଲତା ଜୀବନ୍ତ କିନ୍ତୁ ଅଚଳ, ସେମାନଙ୍କ ବିବେକ ବୋଲି ଜିନିଷ ନାହିଁ। ମନେରଖିବାକୁ ପଡ଼ିବ ଯେ ପ୍ରତ୍ୟେକ ଜୀବନ୍ତ ବସ୍ତୁର ସ୍ନାୟବିକ କ୍ରିୟାକଳାପ ଅଛି, ଏହି କ୍ରିୟାକଳାପ ଅନ୍ତର୍ଦୃଷ୍ଟି ବା ଇନ୍‌ଟ୍ୟୁସନ ଯୋଗାଏ, ଉଦ୍ଭିଦ ବା ଇତର ପ୍ରାଣୀକୁ ବିନାଶ କରିବାର ବା କ୍ଷତିରେ ପକାଇବାର କୌଣସି ଉଦ୍ୟମ ତା’ ନିକଟକୁ ଆସିଲେ ସେ ପ୍ରତିକ୍ରିୟା ଦେଖାଏ, ତାହା ହିଁ ଇନ୍‌ଟ୍ୟୁସନ, ଯାହା ଅଟୋମେଟିକ୍‌, ଆପେ ଆପେ ଆସିଯାଏ। ମଣିଷର ପ୍ରତିକ୍ରିୟା କେବଳ ଇନ୍‌ଟ୍ୟୁଟିଭ୍‌ ନୁହେଁ, ବିବର୍ତ୍ତନ ଫଳରେ ମଣିଷ ବିଚାର ବିମର୍ଶ କରିବା ବା ବିବେକ ଖଟାଇବା ଶିଖିଯାଇଛି, ବିବେକହୀନ କାର୍ଯ୍ୟ କେବେ ଧାର୍ମିକ ହେବ ନାହିଁ, ତାହା ଅନ୍ଧବିଶ୍ୱାସ ହୋଇପାରେ। ବିବେକ ଲଗାଅ, ଦେଖିବ ଘର ହିଁ ତୁମର ଦେବାଳୟ, ସେଇଠି ରହି ସନିର୍ବନ୍ଧରେ ଠାକୁରଙ୍କୁ ପ୍ରାର୍ଥନା କର, ମନ ଶାନ୍ତ ରହିବ, ଦେହ ସୁସ୍ଥ ରହିବ, ଅନ୍ତତଃ ଦଳାଚକଟାର ଆଶଙ୍କା ତ ରହିବ ନାହିଁ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri