ମୁକ୍ତିମଣ୍ଡପ ଓ ପଣ୍ଡିତ ସଭା

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀମନ୍ଦିରର ଦକ୍ଷିଣ ଭାଗରେ ଥିବା ମଣ୍ଡପଟି ହେଉଛି ମୁକ୍ତିମଣ୍ଡପ। ଶ୍ରୀଜୀଉମାନଙ୍କ ଦର୍ଶନ ପରେ ମୁକ୍ତିମଣ୍ଡପରେ ମୁଣ୍ଡିଆ ମାରି ଶ୍ରୀମନ୍ଦିରରୁ ଫେରିବା ବିଧି ରହିଛି। କିନ୍ତୁ ଏହି ମୁକ୍ତିମଣ୍ଡପ ନାମକରଣ ପଛରେ କୌଣସି ଐତିହାସିକ ସ୍ବୀକୃତି ନ ଥିବାବେଳେ ଏହାର ନିର୍ମାଣ ଅବଧି ମଧ୍ୟ ଦ୍ୱନ୍ଦ୍ୱ ମୁକ୍ତ ନୁହେଁ। ଦକ୍ଷିଣ ଦିଗର ଅଧିପତି ଯମଙ୍କ ଦର୍ପ ଚୂର୍ଣ୍ଣ ପାଇଁ ଯଜ୍ଞାଦି କର୍ମରେ ଦକ୍ଷିଣ ପାର୍ଶ୍ୱରେ ବ୍ରହ୍ମାଙ୍କୁ ସ୍ଥାନ ଦେବାର ବିଧି ରହିଛି। ‘ଦକ୍ଷିଣ ତୋ ବ୍ରହ୍ମାସନଂ’। ତେଣୁ ପ୍ରଥମେ ବ୍ରହ୍ମାସନ ବା ବ୍ରହ୍ମବେଦୀ ଏବଂ ପରେ ବାରାଣସୀର ମୁକ୍ତିମଣ୍ଡପ ଅନୁକରଣରେ ଏହାର ନାମକରଣ ହୋଇଛି ବୋଲି ଐତିହାସିକମାନେ ମତବ୍ୟକ୍ତ କରିଛନ୍ତି। ଏହି ମଣ୍ଡପକୁ ଆକବରଙ୍କ ହିନ୍ଦୁ ସେନାପତି ମାନସିଂହଙ୍କ ପତ୍ନୀ ଗୌରୀ ରାଣୀ ନିର୍ମାଣ କରିଥିଲେ ବୋଲି ମାଦଳାପାଞ୍ଜିରେ ଲିଖିତ ଅଛି। କିନ୍ତୁ ଐତିହାସିକଙ୍କ ତଥ୍ୟ ଅନୁଯାୟୀ ଏହି ମଣ୍ଡପ ମାନସିଂହଙ୍କ ଓଡ଼ିଶା ଆଗମନର ବହୁ ପୂର୍ବରୁ ବିଦ୍ୟମାନ ଥିଲା। ତାଙ୍କ ପତ୍ନୀ ଗୌରୀ ରାଣୀ ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ଏହାର ସଂସ୍କାର ବା ନବୀକରଣ କରାଇଥିଲେ। ଏଥିରେ ଷୋଳଟି ସ୍ତମ୍ଭ ଥିବାରୁ ଷୋଳ ଶାସନର ବ୍ରାହ୍ମଣମାନେ ଏହା ଉପରେ ବସିବା ପାଇଁ ପ୍ରାଧିକୃତ ବୋଲି କୁହାଯାଏ। ଏହା ମଧ୍ୟ ସତ୍ୟତା ଉପରେ ପର୍ଯ୍ୟବସିତ ନୁହେଁ। କାରଣ ପ୍ରତ୍ୟେକ ଯଜ୍ଞବେଦୀ ନର୍ମାଣରେ ଯଜ୍ଞଶାଳାରେ ଚାରି ଓ ବାହ୍ୟ ଯଜ୍ଞଶାଳାରେ ବାର ଏପରି ଷୋଳଟି ସ୍ତମ୍ଭ ରହିବାର ବିଧି ରହିଛି। କେଉଁ ଷୋଳ ଶାସନର ବ୍ରାହ୍ମଣମାନେ ସେଠାରେ ବସିବାକୁ ପ୍ରାଧିକୃତ ସେ ସମ୍ପର୍କରେ କୌଣସି ତଥ୍ୟ କେଉଁଠି ମଧ୍ୟ ଉପଲବ୍ଧ ନାହିଁ। ସ୍ବତ୍ୱଲିପି ଅନୁଯାୟୀ ଚବିଶଟି ଶାସନ ଗ୍ରାମର ବ୍ରାହ୍ମଣ ମହାଜନମାନେ ସେଠାରେ ବସିବାକୁ ପ୍ରାଧିକୃତ ହୋଇଥିବା ବେଳେ ଦଣ୍ଡୀ ସନ୍ନ୍ୟାସୀ, ରାଜଗୁରୁ , ଶ୍ରୀମନ୍ଦିର ପୁରୋହିତ ମଧ୍ୟ ବସିବାର ସ୍ବତ୍ୱଲିପି ରହିଛି। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଣ୍ଡପରେ ଆସନ ପକାଇ ଅଧିଷ୍ଠିତ ହେବାର ବିଧି ରହିଛି। କିଛି ଶାସନର ଅଧିକାର ଉପରେ ମାମଲା ଏବେ ଅଦାଲତରେ ବିଚାରାଧୀନ ଅଛି।
ଶ୍ରୀମନ୍ଦିରର ପ୍ରତ୍ୟେକ ଧାର୍ମିକ ବ୍ୟବସ୍ଥା ସହ ମୁକ୍ତିମଣ୍ଡପ ଓଡ଼ିଶାର ଧାର୍ମିକ କ୍ଷେତ୍ରରେ ଅଖଣ୍ଡ ପ୍ରଭାବ ବିସ୍ତାର କରିଥିଲା। ତାହାର ନିଷ୍ପତ୍ତି ହିଁ ଚୂଡାନ୍ତ ବିବେଚିତ ହେଉଥିଲା। ସ୍ବୟଂ ଗଜପତି ମଧ୍ୟ ସେଥିରେ ହସ୍ତକ୍ଷେପ କରୁ ନ ଥିଲେ। ବ୍ରିଟିଶ ଶାସନ ସମୟରେ ପୁରୀ କଲେକ୍ଟର ଗ୍ରୋମ ସାହେବ ୧୮୦୫ ମସିହାରେ ମୁକ୍ତିମଣ୍ଡପ ଦ୍ୱାରା ପରୀକ୍ଷା କରାଯାଇ ଶ୍ରୀମନ୍ଦିର ସେବାପୂଜାରେ ସେବକ ନିଯୁକ୍ତି ପାଇଁ ସୁପାରିସ କରିଥିବାର ପ୍ରମାଣ ରହିଛି।
ସେଠାରେ ବ୍ରାହ୍ମଣମାନେ ପ୍ରତିଦିନ ବିଭିନ୍ନ ଶାସ୍ତ୍ର ଆଲୋଚନା କରୁଥିବା ଏବଂ ଏଥିପାଇଁ ଶ୍ରୀମନ୍ଦିର ତରଫରୁ ଥାଳି ଖେଚୁଡ଼ି ବ୍ୟବସ୍ଥା ଥିବା ସ୍ବତ୍ୱଲିପିରେ ଲିଖିତ ଅଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ମୁକ୍ତିମଣ୍ଡପର ଜଣେ ସଭ୍ୟ ପ୍ରତିନିଧିତ୍ୱ କରନ୍ତି। ଏବେବି ଓଡ଼ିଶାର ଜନସାଧାରଣଙ୍କ ମନରେ ଅତୁଟ ବିଶ୍ବାସ ଥିବାରୁ କୌଣସି ଧାର୍ମିକ ସଂକଟ ହେଲେ ମୁକ୍ତିମଣ୍ଡପର ନିର୍ଣ୍ଣୟ ସର୍ମାନ୍ୟ ହୋଇଥାଏ। କିନ୍ତୁ ଶ୍ରୀମନ୍ଦିରରେ ନକଲି ସେବକ, ନକଲି ବ୍ରାହ୍ମଣଙ୍କ ଉପସ୍ଥିତି ପରି ‘ମୁକ୍ତିମଣ୍ଡପ ବ୍ୟବସ୍ଥା ସଭା’ ନାମରେ ଆଉ ଗୋଟିଏ ଅନୁଷ୍ଠାନ ରହିଛି। ଶ୍ରୀମନ୍ଦିର ପରିସରରେ କୌଣସି ଭିତ୍ତି ବା ସ୍ବତ୍ୱଲିପିରେ ନଥିବା ମୁକ୍ତିମଣ୍ଡପ ବ୍ୟବସ୍ଥା ସଭା ନାମରେ ସେଇ ଅନୁଷ୍ଠାନ ବେନିୟମ ଭାବରେ ନିଜର ସ୍ଥିତି ଜାହିର କରୁଛି। ଶ୍ରୀମନ୍ଦିର ପରିସରରେ ଏଭଳି କିଛି ଅନୁଷ୍ଠାନ ନାହଁ ବୋଲି ପ୍ରଶାସନିକ ଆଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହା ସାଧାରଣ ଭକ୍ତଙ୍କୁ ମଧ୍ୟ ବିଭ୍ରାନ୍ତ କରାଉଛି। ଏହା ସହିତ ମୁକ୍ତିମଣ୍ଡପ ପଣ୍ଡିତ ସଭା ନାମରେ ଗୋଟିଏ ଅନୁଷ୍ଠାନ ମଧ୍ୟ ରହିଛି। ଉପଲବ୍ଧ ଥିବା କାଗଜାଦିରୁ ଜଣାଯାଏ ଯେ, ୧୯୦୫ ମସିହାରେ ଅନେକ ପଣ୍ଡିତ ମୁକ୍ତିମଣ୍ଡପରେ ବସୁଥିବା ବ୍ରାହ୍ମଣମାନେ ବିଶୃଙ୍ଖଳିତ ହେବା, ପବିତ୍ର ସ୍ଥାନକୁ ଅପବିତ୍ର କରି କେବଳ ଅର୍ଥ ଲାଳସା ଚରିତାର୍ଥ ପାଇଁ ଗୋପନରେ ବ୍ୟବସ୍ଥା ଦେଉଥିବାରୁ ମର୍ମାହତ ହୋଇଥିଲେ। ଲୋକଙ୍କ ଧର୍ମ ରକ୍ଷା ପାଇଁ ଶ୍ରୀମନ୍ଦିର ମ୍ୟାନେଜରଙ୍କ ପରାମର୍ଶକ୍ରମେ ତତ୍କାଳୀନ ଶଙ୍କରାଚାର୍ଯ୍ୟ ଶ୍ରୀ ଶଙ୍କର ମଧୁସୂଦନ ତୀର୍ଥ ସ୍ବାମୀଙ୍କ ଅଧ୍ୟକ୍ଷତାରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଗଠନ କରିଥିଲେ। ମହାମହୋପାଧ୍ୟାୟ ସଦାଶିବ ମିଶ୍ରଙ୍କୁ ସମ୍ପାଦକ ମନୋନୀତ କରାଯାଇଥିଲା, ଯାହାକି ୧୯୭୩ ମସିହାରେ ସମବାୟ ନିୟମରେ ଅନୁବନ୍ଧିତ ହୋଇଛି। ଏହାର ପ୍ରାଧିକୃତ ଶାସନ ସଂଖ୍ୟା ୩୧ ହୋଇଥିବା ବେଳେ ମୁକ୍ତିମଣ୍ଡପର ପାଠାଗାର ଗୃହରେ ଏହାର କାର୍ଯ୍ୟାଳୟ ରହିଛି। ଉଭୟ ଅନୁଷ୍ଠାନର ସ୍ଥାୟୀ ସଭାପତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୃଷ୍ଠପୋଷକ ଗଜପତି ମହାରାଜା ଦୁଇ ଅନୁଷ୍ଠାନକୁ ମିଶାଇ ଗୋଟିଏ ଅନୁଷ୍ଠାନ କରିବାକୁ ପ୍ରୟାସ କରିଥିଲେ।
ଶାସନ ସଂଖ୍ୟାରେ ତାରତମ୍ୟ ଯୋଗୁ ସ୍ବତ୍ୱଲିପି ଆଧାରରେ ତାହା ସମ୍ଭବ ହୋଇନାହିଁ। ମୁକ୍ତିମଣ୍ଡପରେ ବସୁଥିବା ବ୍ରାହ୍ମଣଙ୍କ ଶୃଙ୍ଖଳା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ସୁପରିଣ୍ଟେଣ୍ଡେଣ୍ଟ ତତ୍କାଳୀନ ଗଜପତି ବୀରକିଶୋର ଦେ ତା୧୦ା୮ା୧୯୫୯ରିଖରେ କିଛି ନିୟମ ସହ ସେମାନେ କୌଣସି ବ୍ୟବସ୍ଥା ଦେଇପାରିବେ ନାହିଁ ବୋଲି ଆଦେଶ ଦେଇଥିଲେ, ଯାହାକି ଶ୍ରୀମନ୍ଦିର କାର୍ଯ୍ୟାଳୟର ମହାଫିସ ଖାନାରେ ଉପଲବ୍ଧ ଅଛି। କିନ୍ତୁ ମୁକ୍ତିମଣ୍ଡପ ଏବେବି ବିବିଧ ବ୍ୟବସ୍ଥା ଦେଇ ଚାଲିଛି। ମୁକ୍ତିମଣ୍ଡପରେ ବସୁଥିବା ବ୍ୟକ୍ତିମାନେ ଯେଉଁ ଶାସନର ଅଧିବାସୀ ଭାବରେ ପରିଚୟ ଦେଉଛନ୍ତି ସେ ଶାସନରେ ତାଙ୍କର ଘର ବା ଗ୍ରାମ୍ୟ କୋଠ ବ୍ୟବସ୍ଥାରେ ହକରା ଡାକରା ନାହିଁ। ଏ ସମ୍ପର୍କରେ ଅନେକ ଲିଖିତ ଅଭିଯୋଗ ସତ୍ତ୍ୱେ ମୁକ୍ତିମଣ୍ଡପ ଉପରେ ନିୟନ୍ତ୍ରଣ ଅଧିକାର ଥାଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ନୀରବତା ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଅନୁଷ୍ଠାନ ୨୦୧୬ ମସିହାରୁ ଆତ୍ମଘୋଷିତ ସଭାପତି ଓ ସମ୍ପାଦକଙ୍କ ନିୟନ୍ତ୍ରଣରେ ଚାଲିଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ ହୋଇ ତା’ର ସଂସ୍କାର ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ପ୍ରଶାସକଙ୍କ ବଦଳି ପରେ ପ୍ରସ୍ତାବରେ ପୂର୍ଣ୍ଣଚ୍ଛେଦ ପଡୁଥିବାରୁ ସେ ମଧ୍ୟ ନୀରବ ରହିଛନ୍ତି।
ମୁକ୍ତିମଣ୍ଡପ ପଣ୍ଡିତ ସଭାର ମଧ୍ୟ ନିର୍ବାଚିତ କାର୍ଯ୍ୟ ନିର୍ବାହିକା ପରିଷଦର କାର୍ଯ୍ୟକାଳ ୨୦୨୦ ମସିହା ଏପ୍ରିଲ ମାସରୁ ଶେଷ ହୋଇଥିବାବେଳେ କୌଣସି ନିର୍ବାଚନ ହେଉନାହିଁ। ସ୍ଥାୟୀ ସଭାପତିଙ୍କ ଅନୁମୋଦନ ବିନା ପଣ୍ଡିତ ସଭାର ପ୍ରତ୍ୟେକ କାର୍ଯ୍ୟ ବା ନିର୍ଣ୍ଣୟ ଉପରେ ଅନିୟମିତତା ଅଭିଯୋଗ ମଧ୍ୟ ଉଠୁଛି। ଯେଉଁ ମହତ ଉଦ୍ଦେଶ୍ୟରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଗଠିତ ହୋଇଥିଲା, ଯେଉଁଠାରେ ମୂର୍ଦ୍ଧନ୍ୟ ପଣ୍ଡିତମାନଙ୍କର ଶାସ୍ତ୍ରାଲୋଚନା ହେଉଥିଲା ତାହା ଏବେ କିଛି ଅବସରପ୍ରାପ୍ତ ମଧ୍ୟମା ଶିକ୍ଷକ, କିରାଣି, ଓକିଲଙ୍କ ଦ୍ୱାରା ପରିଚାଳିତ ହେଉଛି। ପଣ୍ଡିତ ସଭା ଦ୍ୱାରା ସ୍ବୀକୃତ ପଞ୍ଜିକା ତ୍ରୁଟିଯୁକ୍ତ ବୋଲି ନିୟମିତ ଗଣମାଧ୍ୟମରେ ପ୍ରକାଶ ପାଉଛି। ଚଳିତ ବର୍ଷର ରଥ ଅନୁକୂଳ ଏକ ରିକ୍ତା ତିଥିରେ ଆରମ୍ଭ ହେବାରୁ ତାହା ଅନେକ ଅଘଟଣର କାରଣ ବୋଲି ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କୌଣସି ଦୃଷ୍ଟି ନଦେଇ ବୈଧତା ନଥିବା ପଣ୍ଡିତ ସଭା ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିବା ପ୍ରୟାସ କରିଚାଲିଛି। ବିଡ଼ମ୍ବନାର ବିଷୟ ହେଉଛି ଯେ, ରାଜ୍ୟରେ ଧାର୍ମିକ ଭାବନା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ପଣ୍ଡିତ ସଭା ପ୍ରତ୍ୟେକ ଗୃହସ୍ଥ ନିଜ ଘରେ ମୃତ ବ୍ୟକ୍ତିଙ୍କ ଶ୍ରାଦ୍ଧ ନିଶ୍ଚିତ କରିବେ ଏବଂ କୌଣସି ପରିସ୍ଥିତିରେ ଶ୍ରାଦ୍ଧ ବନ୍ଦ ହେବନାହିଁ ବୋଲି ନିଜ ସ୍ବୀକୃତ ପଞ୍ଜିକାରେ ଉଲ୍ଲେଖ କରୁଛନ୍ତି। କିନ୍ତୁ ପଣ୍ଡିତ ସଭାରେ ଅର୍ଥ ଜମାକରି ଶ୍ରାଦ୍ଧ ଦିବସରେ ବ୍ରାହ୍ମଣ ଭୋଜନ କରାଇବାକୁ ସେଇ ପଞ୍ଜିକାରେ ବିଜ୍ଞାପନ ଦେଉଛନ୍ତି। ଏବେବି ପଣ୍ଡିତ ସଭାରେ ପାଞ୍ଚ ହଜାରରୁ ଅଧିକ ଦୁଷ୍ପ୍ରାପ୍ୟ ଶାସ୍ତ୍ରୀୟ ପୁସ୍ତକ ରହିଥିଲେ ବି ଗତ ଦୁଇ ଦଶନ୍ଧି ଧରି ପୁସ୍ତକ ଆଲମିରା ଖୋଲାଯାଇ ନାହିଁ। ଶ୍ରୀମନ୍ଦିରରେ ଧାର୍ମିକ ବାତାବରଣ ସୃଷ୍ଟି ପାଇଁ ସଂସ୍କାର ନିଶ୍ଚିତ ଜରୁରୀ। ଶ୍ରୀମନ୍ଦିର ପରିଚାଳନା ନିୟମରେ ମୁକ୍ତିମଣ୍ଡପ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ଉପରେ ପ୍ରଶାସନିକ କର୍ତ୍ତୃତ୍ୱ ରହିଛି। ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଏହାକୁ ଗୁରୁତ୍ୱ ଦେଇ ସର୍ବୋପରି ଆମର ଧାର୍ମିକ ଭାବନାରେ ଦେଶ ବା ରାଜ୍ୟର ମଙ୍ଗଳ ପାଇଁ ଦକ୍ଷ ପଣ୍ଡିତ ସଭା ଗଠନ ସହ ଅପ୍ରାଧିକୃତ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏଂ ଉଭୟ ଅନୁଷ୍ଠାନର ଗୌରବ ରକ୍ଷା ପ୍ରଶାସନ ସହ ସରକାରଙ୍କର ନିଶ୍ଚିତ କର୍ତ୍ତବ୍ୟ।

ହରିଶଙ୍କର ମିଶ୍ର
୧୧୩- ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?