ଚନ୍ଦ୍ର ଚୋରି

ଡ. ନିଖିଳାନନ୍ଦ ପାଣିଗ୍ରାହୀ

କିଛି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ଏକ ଅଜବ କାହାଣୀ। ପୁରୀ ଗଜପତିଙ୍କ ଅମଳର କଥା। ସମ୍ଭବତଃ ଗଙ୍ଗବଂଶୀୟ। କୌଣସି ଜଣେ ଗଜପତିଙ୍କ ଅଧୀନରେ ବାହିନୀପତି ନାମକ ଜଣେ ପଣ୍ଡିତ ଥିଲେ। ସେ ଏକଦା ଭୁଲବଶତଃ ପୂର୍ଣ୍ଣମୀ ବଦଳେ ଅମାବାସ୍ୟା ବୋଲି କୌଣସି ଏକ ତିଥିରେ କହିଦେଲେ। ପଣ୍ଡିତେ ପୁଣି କଥା ଓଲଟାଇ ଦେଲେ, ଏହା କେବଳ ଅପମାନଜନକ ହେବ ନାହିଁ, ତାଙ୍କ ବିଶ୍ୱସନୀୟତା ଜନମାନସରେ ନୂ୍ୟନ ହୋଇଯିବ। ଏଥିପାଇଁ ପଣ୍ଡିତେ ଖୁବ୍‌ ଚିନ୍ତାରେ ପଡ଼ିଲେ। ନିଜକୁ ସଠିକ୍‌ ବୋଲି ପ୍ରତିପାଦନ କରିବାକୁ ତାନ୍ତ୍ରିକ ଶକ୍ତି ବଳରେ କୁଆଡ଼େ ସେଇଦିନ ଚନ୍ଦ୍ରକୁ ଲୁଚାଇ ଦେଇଥିଲେ।
ଏହି ପୃଷ୍ଠଭୂମିରେ ସାହିତି୍ୟକ ଜଗନ୍ନାଥ ପ୍ରସାଦ ଦାସ (ଜେପି) ଉଲ୍ଲେଖ କରିଛନ୍ତି, ”ମୋର ଏପର୍ଯ୍ୟନ୍ତ ମନେଅଛି ‘ଚ’ ଅକ୍ଷର ତାଲିକାରେ ଗୋଟିଏ ନାମବାଚକ ଶବ୍ଦ ଥିଲା ‘ଚନ୍ଦ୍ରଚୋର ବାହିନୀପତି’। ଏହି ପଣ୍ଡିତ କୁଆଡ଼େ ଥରେ ଭୁଲ୍‌ରେ ପୂର୍ଣ୍ଣିମାକୁ ଅମାବାସ୍ୟା କହି ନିଜକୁ ସଠିକ୍‌ ପ୍ରମାଣିତ କରିବା ପାଇଁ ରାତିରେ ଚନ୍ଦ୍ରକୁ ଲୁଚାଇ ଦେଇଥିଲେ।“ (ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ଉପରେ ଟିପ୍ପଣୀ)। ଉକ୍ତ ଅତୀତ ଘଟଣାର ସତ୍ୟାସତ୍ୟ ନିର୍ଣ୍ଣୟ କରିବା ଏଠାରେ ଆମ ଉଦ୍ଦେଶ୍ୟ ନୁହେଁ। ତେବେ ଏମିତି ଏକ ଅସ୍ବାଭାବିକ ଘଟଣା ଯେ କୌତୂହଳପ୍ରଦ, ଏହା ଅସ୍ବୀକାର କରିହେବ ନାହିଁ।
ଧରାଯାଉ, କେହି ଜଣେ କିମ୍ବା କୌଣସି ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଅଥବା ମହାଜାଗତିକ କାରଣରୁ ଚନ୍ଦ୍ର ହଠାତ୍‌ ଅନ୍ତର୍ହିତ ହୋଇଗଲା; କେବଳ ଗୋଟିଏ ରାତି ପାଇଁ ନୁହେଁ, ଚିରଦିନ। ତେବେ ପୃଥିବୀ ଉପରେ ଏହାର ପ୍ରଭାବ କେଉଁ ଧରଣର ହେବ ? ବିଖ୍ୟାତ ପଦାର୍ଥବିଜ୍ଞାନୀ ସାର ଆଇଜାକ୍‌ ନିଉଟନ୍‌ (୧୬୪୩-୧୭୨୭) ମାନବ-ଜାତିକୁ ଯେଉଁ ଜ୍ଞାନାଲୋକରେ ଉଦ୍ଭାସିତ କରିଥିଲେ, ତନ୍ମଧ୍ୟରେ ‘ସାର୍ବଜନୀନ ମହାକର୍ଷଣୀୟ ନିୟମ’ (ୟୁନିଭର୍ସାଲ ଅଫ୍‌ ଗ୍ରାଭିଟେଶନ)ର ଅବଦାନ ଅତୁଳନୀୟ। ଏହି ନିୟମାନୁସାରେ ପ୍ରତ୍ୟେକ ବସ୍ତୁ (ସେଥିରୁ ଚନ୍ଦ୍ର, ପୃଥିବୀ, ସୂର୍ଯ୍ୟ ବାଦ୍‌ ପଡ଼ିବେ ନାହିଁ) ପରସ୍ପରକୁ ଆକର୍ଷଣ କରି ନିଜ ଆଡ଼କୁ ଟାଣି ନେବା ପାଇଁ ବାଧ୍ୟ। ଧରାଯାଉ, ଚନ୍ଦ୍ର ଓ ପୃଥିବୀ। ଏହି ଦୁଇଟି ଖଗୋଳୀୟ ବସ୍ତୁ ମଧ୍ୟରେ ଏହି ବଳ ମଧ୍ୟ ସକ୍ରିୟ ରହିବା ଅନିବାର୍ଯ୍ୟ। ଯାହାର ବସ୍ତୁତ୍ୱ ଅଧିକ ଏବଂ ଯିଏ ଯେତେ ନିକଟତର, ତା’ର ବଳ ସେତେ ଅଧିକ।
ପୃଥିବୀର ମୁଖ୍ୟତଃ ଦୁଇ ପ୍ରକାର ଗତି ଅଛି। ଯଥା: ଆହ୍ନିକ ଏବଂ ବାର୍ଷିକ। ଆହ୍ନିକ ଗତି ବୁଝିବାକୁ ଗୋଟିଏ ଘୂର୍ଣ୍ଣନଶୀଳ ଖେଳନା (ନଟୁ) ପ୍ରତି ଦୃଷ୍ଟି ଦିଆଯାଇପାରେ। ସେହି ପ୍ରକାରେ ପୃଥିବୀ ନିଜର ଅକ୍ଷକୁ କେନ୍ଦ୍ର କରି ଘୂରେ। ଏହି ଅକ୍ଷୀୟ ଘୂର୍ଣ୍ଣନ (ରୋଟେଶନ ମୋଶନ ଅଥବା ଡାଇୟୁନାର୍ଲ ମୋଶନ) ଦ୍ୱାରା ପୃଥିବୀରେ ଦିନରାତି ଘଟେ। ଥରେ ଘୂରିବା ପାଇଁ ଏହା ଚବିଶ ଘଣ୍ଟା ନେଇଥାଏ। ପୃଥିବୀର ଅନ୍ୟ ଗତିଟି ହେଉଛି ବାର୍ଷିକ। ସୂର୍ଯ୍ୟକୁ କେନ୍ଦ୍ର କରି ନିଜ ନିର୍ଦ୍ଦିଷ୍ଟ କକ୍ଷ (ଅର୍ବିଟ)ରେ ଥରେ ବୁଲିବା ପାଇଁ ପୃଥିବୀକୁ ଗୋଟିଏ ବର୍ଷ ଲାଗେ। ଏହି କକ୍ଷୀୟ ଗତି (ରିଭୋଲ୍ୟୁଶନ ମୋଶନ) ଫଳରେ ଋତୁ ପରିବର୍ତ୍ତନ ଘଟେ। ତେଣୁ ବସନ୍ତ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶିଶିର (ଶୀତ) ପରି ଛଅ ଋତୁ ପୃଥିବୀରେ ଅନୁଭୂତ ହୁଏ। ତେବେ ଉକ୍ତ ଆହ୍ନିକ ଓ ବାର୍ଷିକ ଗତି ପ୍ରତି ଚନ୍ଦ୍ରର ଉପସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହାର କାରଣ ନିଉଟନ୍‌ଙ୍କ ମାଧ୍ୟାକର୍ଷଣ ବଳର ନିୟମ ପ୍ରୟୋଗ କଲେ ସ୍ପଷ୍ଟ ହେବ।
ସଂପ୍ରତି ଚନ୍ଦ୍ରଙ୍କ ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ସ୍ଥିତିକୁ ବିଭିନ୍ନ ପ୍ରକାରେ ପ୍ରଭାବିତ କରୁଛି। ଯଥା: ଆମ ସମୁଦ୍ରର ଜଳରାଶି ଉପରେ ଏହି କାରଣରୁ ବିଷୁବରେଖା ନିକଟରେ ସମୁଦ୍ର ତରଙ୍ଗ ସ୍ଫୀତ ହୁଏ, ଯଦି ଚନ୍ଦ୍ର ସିଧାସଳଖ ସେଇ ଅଞ୍ଚଳ ଉପରେ ଥିବ। ଏହାର ଫଳସ୍ବରୂପ ମେରୁରୁ ଜଳ ବିଷୁବରେଖା ନିକଟସ୍ଥ ଅଞ୍ଚଳକୁ ଆସି ଜମାହୁଏ ଏବଂ ମେରୁରେ ସମୁଦ୍ରର ଜଳସ୍ତରରେ ହ୍ରାସ ଘଟେ। ଏହି ପ୍ରକ୍ରିୟାରେ ସାଗରର ଜଳରାଶି ମଧ୍ୟରେ ଚଳପ୍ରଚଳ ଘଟେ, ଯାହାକି ଘୂରୁଥିବା ପୃଥିବୀରେ ଘର୍ଷଣ ଘଟାଏ। ଅବଶ୍ୟ ଏହି ଘର୍ଷଣ (ଫ୍ରିକଶନ) ସାମାନ୍ୟ। କିନ୍ତୁ ଏହାର ପରିଣାମକୁ ଏଡ଼ାଇ ଦେଇ ହେବ ନାହିଁ। ଘର୍ଷଣ ସର୍ବଦା ଗତିକୁ ଧିମାକରେ। ତେଣୁ ପୃଥିବୀର ଆହ୍ନିକ ଗତି କିଛି ପରିମାଣରେ ମନ୍ଥର ହୁଏ। ପ୍ରକାଶଥାଉକି, ସ୍ଥୂଳ ବିଚାରରେ ସମୁଦ୍ରର ଯେଉଁ ଅଂଶ ଚନ୍ଦ୍ରର ନିକଟବର୍ତ୍ତୀ, ସେଠାରେ ତରଙ୍ଗ ଫୁଲି ସମୁଦ୍ର ଜୁଆରିଆ ହୁଏ। ବିଶେଷତଃ ଚନ୍ଦ୍ରର ନିକଟସ୍ଥ ଅଞ୍ଚଳରେ ଉଚ୍ଚ ତରଙ୍ଗ (ହାଇଟାଇଡ୍‌) ଦେଖାଯିବ। ଧରାଯାଉ, ଚନ୍ଦ୍ର ବର୍ତ୍ତମାନର ସ୍ଥିତିଠାରୁ କୋଡ଼ିଏ ଗୁଣ ତଳକୁ ଖସିଆସିବ, ତେବେ ସମୁଦ୍ର-ତରଙ୍ଗର ଉଚ୍ଚତା ଏତେ ବୃଦ୍ଧିପାଇବ ଯେ, ଉପକୂଳବର୍ତ୍ତୀ ଅଞ୍ଚଳର ନିମ୍ନରେ ଥିବା ଲଣ୍ଡନ, ନ୍ୟୁୟର୍କ, ମୁମ୍ବାଇ ପରି ସହର ମଧ୍ୟକୁ ସମୁଦ୍ର ମାଡ଼ିଆସିବ ଏବଂ ଏହି ଜନବସତି ଜଳମଗ୍ନ ହେବ। କାରଣ ସେତେବେଳେ ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଚାରିଶହ ଗୁଣ ବଢ଼ିଯିବ। ପ୍ରକାରାନ୍ତରେ ଚନ୍ଦ୍ରଠାରୁ ଦୂରରେ ଥିବା ସମୁଦ୍ରର ତରଙ୍ଗ ନୀଚା ବା ନିମ୍ନ (ଲୋଟାଇଡ୍‌) ହେବ।
ଉପରୋକ୍ତ କାରଣରୁ ପୃଥିବୀର ଅକ୍ଷୀୟ ଗତି ହ୍ରାସ ପାଏ। ଏହାର ସୁଫଳ ଭାବେ ଆମର ଦିନ (ରାତିକୁ ମିଶାଇ) ଚବିଶ ଘଣ୍ଟା ରହେ। ଯଦି ଚନ୍ଦ୍ରର ଏହି ଲଗାମ ପୃଥିବୀ ଉପରେ ନ ରହିବ, ତେବେ ଅକ୍ଷୀୟ ଗତି ତୀବ୍ର ହେବ। ତେଣୁ ଚବିଶ ଘଣ୍ଟା ବଦଳରେ ଦିନରାତି ମିଶି ୬ରୁ ୧୨ ଘଣ୍ଟା ମଧ୍ୟକୁ କମିଯିବ। ଦିନରାତିର ଅବଧିରେ ଏତାଦୃଶ ହ୍ରାସ ଯୋଗୁ ବର୍ଷକରେ ଏହି ସଂଖ୍ୟା ଯଥେଷ୍ଟ ବଢ଼ିଯିବ। ତେଣୁ ଆଉ ୩୬୫ ନ ହୋଇ ଏହା ଏକ ହଜାରରୁ ଆହୁରି ଅଧିକ ହୋଇଯିବ। ପରିଣାମ ସ୍ବରୂପ, ଆମ କ୍ୟାଲେଣ୍ଡରର ଆକାର ବଢ଼ିବ। ତଦନୁରୂପ ପାଞ୍ଜିର ପୃଷ୍ଠାସଂଖ୍ୟା, ତିଥି ଇଦ୍ୟାଦି ନିର୍ଣ୍ଣୟ କରିବାକୁ ନାନା ଅସୁବିଧା ଦେଖାଦେବ।
ଏଠାରେ ସ୍ମରଣଯୋଗ୍ୟ ଯେ, ପୃଥିବୀ ନିଜ ଅକ୍ଷରେ ଘୂରୁଛି। ତେଣୁ ଏଥିରେ କେନ୍ଦ୍ରପସାରୀ ବଳ (ସେଣ୍ଟ୍ରିଫ୍ୟୁଗାଲ ଫୋର୍ସ) ଅନ୍ତର୍ନିହିତ। ଏହା ସମୁଦ୍ର ଜଳକୁ ନିଜ ଶରୀରରେ ବାନ୍ଧି ରଖିଛି। ଚନ୍ଦ୍ର ନ ଥିଲେ ସମୁଦ୍ରରେ କୌଣସି ଜୁଆର ନ ଘଟି, ବିନା (କିମ୍ବା ସାମାନ୍ୟ) ତରଙ୍ଗରେ ସମୁଦ୍ର ସ୍ତର ଦୃଶ୍ୟମାନ ହୋଇଥାନ୍ତା। ତେଣୁ ବର୍ତ୍ତମାନ ପରି ସମୁଦ୍ର ଗର୍ଜନ ନ କରି ଶାନ୍ତ, ନୀରବ ରହିଥା’ନ୍ତା। କିନ୍ତୁ ଚନ୍ଦ୍ରର ଶକ୍ତି ଦ୍ୱାରା ଜୁଆର-ଭଟ୍ଟା ସମୁଦ୍ରରେ ସୃଷ୍ଟି ହୁଏ। ଅବଶ୍ୟ ସୂର୍ଯ୍ୟର ମାଧ୍ୟାକର୍ଷଣ ଶକ୍ତି ରହିଛି। କିନ୍ତୁ ବହୁ ଦୂରରେ ଥିବାରୁ ଏହା ନିକଟବର୍ତ୍ତୀ ଚନ୍ଦ୍ର ପରି ପ୍ରଭାବଶାଳୀ ନୁହେଁ। ଚନ୍ଦ୍ର ଯୋଗୁ ସମୁଦ୍ର ଭୀମରଡ଼ି ଦେଇ ଆମକୁ ଅସ୍ତବ୍ୟସ୍ତ କଲେ ସୁଦ୍ଧା, ଏହାର ଉପସ୍ଥିତିରୁ ବର୍ଷକରେ ଦିନ ସଂଖ୍ୟା ସହସ୍ରାଧିକ ହୁଏ ନାହିଁ। ୩୬୫କୁ ଅତିକ୍ରମ ନ କରିବା ଅବଶ୍ୟ ସ୍ବାଗତଯୋଗ୍ୟ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri