ଭୁବନେଶ୍ୱର,୧।୯(ବ୍ୟୁରୋ): ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବୁଧବାର ଏହାର ପ୍ରଥମ ଦିନରେ କଂଗ୍ରେସ ସଦସ୍ୟମାନେ ଆରମ୍ଭରୁ ଗୃହରେ ହୋ ହଲ୍ଲା ଦେଖିବାକୁ ମିଳିଛି। ମରୁଡ଼ି ପ୍ରସଙ୍ଗକୁ ନେଇ ସେମାନେ ନାରାବାଜି କରିବା ସହ ଗୃହରେ ରାଜ୍ୟର ମରୁଡି ସ୍ଥିତି ନେଇ ଆଲୋଚନା କରାଯାଉ ବୋଲି ଦାବି କରିଥିଲେ। ଏହାକୁ ନେଇ ଗୃହକୁ ଅପରାହ୍ନ ୧୨ଟା ୩୪ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଅଧିବେଶନ ଆରମ୍ଭରୁ ବିଧାନସଭାରେ ଦିବଙ୍ଗତ ବିଧାୟକ ଏବଂ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ ବିରୋଧି ଦଳ ନେତା ସମର୍ଥନ କରିଥିଲେ। ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲେ। ଏପରିକି ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସମାନ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିବା ହେତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଥିଲେ। ଫଳରେ କଂଗ୍ରେସ ସଦସ୍ୟମାନେ ପୁଣିଥରେ ନାରାବାଜି କରିଥିଲେ। ଫଳରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।
କହିରଖୁଛୁ, ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସେପ୍ଟେମ୍ବର ୯ ଯାଏ ଚାଲିବ। ଏଥିରେ ୮ଟି କାର୍ଯ୍ୟଦିବସ ରହିଛି। କୋଭିଡ କଟକଣା ମଧ୍ୟରେ ଗୃହ ପରିଚାଳିତ ହେଉଛି। ଦୁଇଟି ସିଟିଂରେ(ସକାଳ ସାଢ଼େ ୧୦ଟାରୁ ମଧ୍ୟାହ୍ନ ସାଢ଼େ ୧ଟା) ଏବଂ (ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା) ଅଧିବେଶନ ଚାଲିବ ବୋଲି ଜଣାପଡ଼ିଛି।