ଗଞ୍ଜାମ,୧୧।୫(ଅନାଥ ତରାଇ/ ବିଦ୍ୟାଧର ସାହୁ): ଭାରତର ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ସୋମନାଥ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜି ଉତ୍ସବମୁଖର। ଏହି ପବିତ୍ର ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସୋମନାଥ ଧାମର ଦିବ୍ୟ ପରିବେଶରେ ଅନୁଷ୍ଠିତ ପ୍ରଭୁଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତ ରହି ଦେଖିବା ସହ ପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ, ଉପ-ଜିଲାପାଳ ଶିବାଶିଷ ବରାଳ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନୀ, ଜିଲା ସଂସ୍କୃତି ଅଧିକାରୀ ଆଦିତି ଆଚାର୍ଯ୍ୟ, ବିଧାୟକଙ୍କ ପ୍ରତିନିଧି ମାନସ ନାହାକ ଏବଂ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଜନସାଧାରଣ ସାମିଲ ହୋଇଥିଲେ।
ଏହି ଅବସରରେ ବିଧାୟକ ନାୟକ କହିଛନ୍ତି ଯେ, ସୋମନାଥ ମନ୍ଦିର ଆମର ଅତୁଟ ବିଶ୍ୱାସ ଏବଂ ସାଂସ୍କୃତିକ ଐତିହ୍ୟର ଅନନ୍ୟ ପରିଚୟ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପାଳନ ହେଉଥିବା ‘ସୋମନାଥ ସ୍ବାାଭିମାନ ପର୍ବ’ ଭାରତର ସାଂସ୍କୃତିକ ପୁନର୍ଜାଗରଣର ଏକ ଶକ୍ତିଶାଳୀ ସଙ୍କେତ। ଭାରତର ଗୌରବମୟ ଇତିହାସ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ।

