ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର (ଆଇଏସ୍ଏସ୍)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ ଜମିର ବ୍ୟବହାର, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଏବଂ ଏମ୍ଏମ୍ଡିଆର ସଂଶୋଧନ ଆଇନର ସମ୍ଭାବ୍ୟ ରାଜସ୍ବ ପ୍ରଭାବ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦିଆଯିବା ପରେ ବିଧାୟକ ସିଂଦେଓ ଏହାକୁ ଗଣମାଧ୍ୟମରେ ଜଣାଇଛନ୍ତି। ଛତାମଖନା ଡ୍ୟାମ୍ର କ୍ଷତିକୁ ନେଇ ବିଧାୟକ ଗତ ୨୪ ତାରିଖରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ପ୍ରଶ୍ନରେ ଡ୍ୟାମ୍ର କ୍ଷତିର ପରିମାଣ, ଏହାର କାରଣ, ଇପିସି ଡିଜାଇନ୍ରେ ହୋଇଥିବା ପରିବର୍ତ୍ତନ, ଜଳ ନିଷ୍କାସନ କ୍ଷମତା ଏବଂ ଦାୟିତ୍ୱ ନିର୍ଦ୍ଧାରଣ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମାଗିଥିଲେ। ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରେ ଗତ ୨୯ ଜୁଲାଇ ୨୦୨୬ରେ ହୋଇଥିବା ବନ୍ୟା ସମୟରେ ସୁକତେଲ ନଦୀରେ ନିର୍ମିତ ଛତାମଖନା ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚରର ଡାଉନ୍ ଷ୍ଟ୍ରିମ୍ ପଥର ପ୍ୟାକିଂ, ଏମ୍ବାଙ୍କମେଣ୍ଟ, କଂକ୍ରିଟ୍ ବ୍ଲକ୍, ପିସିସି କର୍ଟେନ୍ ୱାଲ୍ ସମେତ ବିଭିନ୍ନ ସୁରକ୍ଷା କାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଛି।
ତେବେ ସ୍ଥାୟୀ ମୁଖ୍ୟ ଗଠନ କିମ୍ବା କଟ୍-ଅଫ୍ ୱାଲ୍ରେ କୌଣସି କ୍ଷତି ହୋଇ ନ ଥିବା ସରକାର କହିଛନ୍ତି। କ୍ଷତିର କାରଣ ଓ ଅନ୍ୟ ବୈଷୟିକ ଦିଗ ଅନୁଧ୍ୟାନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ତଦନ୍ତ କମିଟି ଗଠନ କରାଯାଇଥିବା ଜଣାଇଛନ୍ତି। ବିଧାୟକ ସିଂଦେଓ ଡ୍ୟାମ୍ର ଲମ୍ବ ୨୫୬ ମିଟରରୁ ୨୦୬ ମିଟର, ଗେଟ୍ ସଂଖ୍ୟା ୧୮ରୁ ୧୪ ଏବଂ ଇମ୍ପର୍ଭିଅସ୍ ଫ୍ଲୋର ୮୦ରୁ ୫୦ ମିଟରକୁ କମିଥିବା ବିଷୟ ଉଠାଇଥିଲେ। ୨,୭୬୦ କ୍ୟୁମେକ୍ ଡିସ୍ଚାର୍ଜ କ୍ଷମତା ନିର୍ଦ୍ଧାରଣର ବୈଷୟିକ ଆଧାର ଓ ପ୍ରୁଫ୍-ଚେକ୍ ଗଣନା ସମ୍ପର୍କରେ ମଧ୍ୟ ସେ ତଥ୍ୟ ମାଗିଥିଲେ। ସରକାରଙ୍କ ଉତ୍ତର ଅନୁଯାୟୀ, ପ୍ରକଳ୍ପ ବର୍ତ୍ତମାନ ଦ୍ୱିତୀୟ ବର୍ଷର ଓଏଣ୍ଡଏମ୍ ଅବଧିରେ ରହିଛି ଏବଂ ଡିଫେକ୍ଟ ଲିଆବିଲିଟି ପେରିଅଡ୍ ମଧ୍ୟରେ ରହିଛି। ଇପିସି ଏଜେନ୍ସି ପକ୍ଷରୁ ଚୁକ୍ତି ଅନୁଯାୟୀ ଆବଶ୍ୟକ ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଛି। କମିଟିର ରିପୋର୍ଟ ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିବା ବିଧାୟକ ଜଣାଇଛନ୍ତି। ବିଧାନସଭାରେ ଉଠାଇଥିବା ଅନ୍ୟ ପ୍ରଶ୍ନର ମଧ୍ୟ ଉତ୍ତର ଦିଆଯାଇଥିବା ବିଧାୟକ ସିଂଦେଓ ଜଣାଇଛନ୍ତି।
Dharitri – Odisha’s No.1 Odia Daily

