ଲୋଭରୁ ଦୁର୍ଦ୍ଦଶା

ଭାରତରୁ ପ୍ରଯୁକ୍ତି ଡିଗ୍ରୀଧାରୀଙ୍କୁ ଉଚ୍ଚ ବେତନ ଲୋଭ ଦେଖାଇ ମାନବ ଚାଲାଣକାରୀ ଗୋଷ୍ଠୀ ବିଦେଶକୁ ପଠାଉଛନ୍ତି। ଏହାର ଏକ ଭୟଙ୍କର ପରିଣାମ ଏବେ ଦକ୍ଷିଣପୂର୍ବ ଏସୀୟ ଦେଶ କାମ୍ବୋଡିଆରେ ସାଇବର ଦାସତ୍ୱର ଶିକାର ହୋଇଥିବା ଭାରତୀୟ କର୍ମଜୀବୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଖବର ମୁତାବକ କାମ୍ବୋଡିଆରେ ଏଭଳି ୫୦୦୦ ଭାରତୀୟ ଫସି ରହିଛନ୍ତି। ଏମାନଙ୍କୁ ପ୍ରଯୁକ୍ତିଭିତ୍ତିକ କାମ ଦେବା ଲୋଭ ଦେଖାଇ ଭାରତରୁ ନିଆଯିବା ପରେ ସେଠାରେ ସେମାନଙ୍କ ଇଚ୍ଛା ବିରୋଧରେ ସାଇବର ଅପରାଧ କାର୍ଯ୍ୟରେ ଲଗାଯାଉଛି। ଭାରତୀୟମାନଙ୍କୁ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରାଯିବା ସହ ଟାର୍ଗେଟ ପୂରଣ ନ କଲେ ଖାଇବାକୁ କିମ୍ବା ବିଶ୍ରାମ ନେବାକୁ ଦିଆଯାଉନାହିଁ। ନିଯୁକ୍ତି ଦେବାରେ ସହାୟତା କରିଥିବା ର଼୍ୟାକେଟ ଅନ୍‌ଲାଇନ ଠକେଇରେ ଭାରତୀୟମାନଙ୍କଠାରୁ ଟଙ୍କା ଝଡ଼ାଇବା ପାଇଁ ଏହି କର୍ମଚାରୀଙ୍କୁ ନିୟୋଜିତ କରୁଛନ୍ତି। ଫସି ଯାଇଥିବା ଭାରତୀୟ କର୍ମଚାରୀମାନେ ଅନନ୍ୟୋପାୟ ହୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଟେକ୍ସଟ ମେସେଜ ମାଧ୍ୟମରେ ନିଜ ଦେଶର ଲୋକଙ୍କୁ ଠକି ଚାଲିଛନ୍ତି। ଏହିସବୁ ର଼୍ୟାକେଟ ଭାରତରେ ଗତ ୬ ମାସରେ ୫୦୦ କୋଟି ଟଙ୍କା ଲୁଟି ନେଇଥିବା ବିଷୟ ଏବେ ପଦାକୁ ଆସିଛି।
ଭାରତ ଓ କାମ୍ବୋଡ଼ିଆ ମଧ୍ୟରେ ସମ୍ପର୍କ ବହୁ ପୁରାତନ। ଉଭୟ ଦେଶ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନର ସଦସ୍ୟ ଅଛନ୍ତି। କାମ୍ବୋଡିଆ ସହ ଭାରତ ୧୯୮୧ରେ କୂଟନୈତିକ ସମ୍ପର୍କ ସ୍ଥାପନ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତମ ବୁଝାମଣା ରହିଆସିଛି। ଏଠାରେ ବୌଦ୍ଧ ଧର୍ମାବଲମ୍ବୀ ସଂଖ୍ୟାଗରିଷ୍ଠ ଓ ହିନ୍ଦୁ ସଂଖ୍ୟାଲଘୁ। ହିନ୍ଦୁମାନଙ୍କ ପାଇଁ ଏହି ଦେଶ ସକାରାତ୍ମକ ମନେହୁଏ। କାମ୍ବୋଡିଆ ପାଇଁ ଭିଜା ପାଇବାରେ ଏହାର ଇ-ଭିଜା ସିଷ୍ଟମ ସବୁଠୁ ସୁବିଧାଜନକ। ଏହିସବୁ ବିଷୟ ଯୋଗୁ ଭାରତୀୟମାନେ ସହଜରେ କାମ୍ବୋଡିଆରେ ଚାକିରି ପାଇଁ ପ୍ରବେଶ କରିପାରୁଛନ୍ତିି । ବେରୋଜଗାର ଓ ଏଭଳି ସୁବିଧାର ସୁଯୋଗ ନେଇ ମାନବ ଚାଲାଣକାରୀମାନେ ଫାଇଦା ଉଠାଉଥିବା ଦୃଷ୍ଟାନ୍ତ ବାରମ୍ବାର ଦେଖିବାକୁ ମିଳୁଛି।
ଏଠାରେ ମନେପଡ଼େ କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇ ଗତବର୍ଷ ୬୭ ଲକ୍ଷ ଟଙ୍କା ହରାଇବା ପରେ ପୋଲିସରେ ଅଭିଯୋଗ କରିଥିଲେ। ଓଡ଼ିଶାର ରାଉରକେଲା ପୋଲିସ ସାଇବର ଅପରାଧର ପର୍ଦ୍ଦାଫାଶ କରି ବେଆଇନ ଭାବେ ଯୁବକଙ୍କୁ କାମ୍ବୋଡିଆ ପଠାଉଥିବା ୮ ଜଣଙ୍କୁ ଗିରଫ କରିବା ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିଥିଲା। ତେବେ ଅଦ୍ୟାବଧି ଭାରତ ସରକାର ୨୫୦ ଜଣଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଜାତିସଂଘର ରିପୋର୍ଟ ମୁତାବକ, ୨୦୨୩ରେ କାମ୍ବୋଡିଆରେ ଅତିକମ୍‌ରେ ୧ ଲକ୍ଷ ଓ ମ୍ୟାନ୍‌ମାରରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ବେଆଇନ ସାଇବର କାର୍ଯ୍ୟରେ ବାଧ୍ୟତାମୂଳକ ଭାବେ ନିୟୋଜିତ କରାଯାଇଥିଲା। ଏଣୁ ସ୍ଥିତିକୁ ଦେଖିଲେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟଠାରୁ କାହିଁ ଅଧିକ ଭାରତୀୟ ଏଭଳି ମାନବଚାଲାଣକାରୀଙ୍କ ଫାଶରେ ପଡ଼ିଥିବେ ବୋଲି ମନେହୁଏ। ବର୍ତ୍ତମାନର କେନ୍ଦ୍ର ସରକାର ଭାରତର ଅର୍ଥ ବ୍ୟବସ୍ଥା ସୁଦୃଢ଼ ରହିଥିବା ବାରମ୍ବାର ଦାବି କରୁଛନ୍ତି। କିନ୍ତୁ ବାସ୍ତବତା ଦେଖିଲେ ଯୁବଶକ୍ତିର ଉପଯୁକ୍ତ ଉପଯୋଗର ଅଭାବ ପରିଲକ୍ଷିତ ହେଉଛି। ସୂଚିତ କରାଯାଇପାରେ ଯେ, ଭାରତର ବେରୋଜଗାର ହାର (୬.୮) ଚାଇନା (୫.୨) ଓ ବଂଲାଦେଶ(୪.୯)ଠାରୁ ଅଧିକ ରହିଥିବା ରିପୋର୍ଟ ପ୍ରକାଶ ପାଉଛି। ଗୋଟିଏ ସମୟ ଥିଲା କମ୍‌ ସଂଖ୍ୟକ ଭାରତୀୟ ବିଦେଶରୁ ପଢ଼ା ଓ ଗବେଷଣା ସାରି ଭାରତକୁ ଫେରି ଆସୁଥିଲେ। ଏବେ ଏହି ସଂଖ୍ୟା ଅନେକ ଗୁଣ ବଢ଼ିଯାଇଛି ଓ ପଢ଼ା ଶେଷ ପରେ କିଛି ଫେରୁଥିବା ବେଳେ ଅଧିକାଂଶ ସେଠାରେ ରହିଯାଉଛନ୍ତି। ଭାରତର ବେରୋଜଗାର ଓ କମ୍‌ ବେତନକୁ ଲକ୍ଷ୍ୟ କରି ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି। ସେହିପରି ଭାରତରେ ଥିବା ଯୁବବର୍ଗଙ୍କ ଭିତରୁ କେତେକେ ଦେଶରେ କାମ ନ ପାଇ ମୋଟା ଅଙ୍କ ପାଇବା ଆଶାରେ ବିଦେଶ ଯିବାକୁ ଆଗ୍ରହୀ ହେଉଛନ୍ତି। ଏଭଳି ସୁଯୋଗକୁ ମାନବ ଚାଲାଣକାରୀ ଅନାଇ ବସିଥାଆନ୍ତି। ସଦ୍ୟ ରୁଷିଆ ସେନାରେ ଯୋଗ ଦେଇ ୟୁକ୍ରେନ ବିରୋଧରେ ଲଢ଼ିବାକୁ ଯାଇଥିବା ଯୁବକମାନେ ମଧ୍ୟ ଏହାର ଉଦାହରଣ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ନିକଟରେ ପ୍ରକାଶ ପାଇଥିଲା। ରୁଷିଆ ଓ କାମ୍ବୋଡିଆ ଘଟଣା ଏବେ ଭାରତୀୟ ବେରୋଜଗାର ସ୍ଥିତିକୁ ସୂଚାଉଥିବାରୁ ସରକାର ଏ ଦିଗରେ ସୁଚିନ୍ତିତ ପଦକ୍ଷେପ ନେବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri