ଅଲୌକିକ ମେଟାଭର୍ସ

ଡ.ନରେନ୍ଦ୍ର ସେଠୀ

 

କିଛି ଦିନ ତଳେ ଫେସ୍‌ବୁକ ଯେପରି ତା’ର ଲୋକପ୍ରିୟ ନାମକୁ ପରିବର୍ତ୍ତନ କରି ମେଟା କରିଦେଲା, ତା’ର ଅସଲ କାରଣ ଅନେକ ଲୋକ ବୁଝି ପାରି ନ ଥିଲେ। ପ୍ରକୃତରେ ଏହା ନିକଟ ଭବିଷ୍ୟତରେ ଆସୁଥିବା ଏକ ନିଶ୍ଚିତ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଗରୁ ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଇଯିବାର ପୂର୍ବ ପ୍ରସ୍ତୁତି ଥିଲା। ଏହି ବୈପ୍ଳବିକ ପରିବର୍ତ୍ତନ ଯାହା ଆମ ସମସ୍ତଙ୍କ ଜୀବନକୁ ବଦଳେଇବାକୁ ଯାଉଛି, ତାହା ହେଉଛି ମେଟାଭର୍ସ। ଅସୁମାରି ସମ୍ଭାବନା ନେଇ ଆସୁଥିବା ଏହି ଯାନ୍ତ୍ରିକ କଳ୍ପନାମୟ ଦୁନିଆରେ ଆମେ ସମସ୍ତେ ନିଜକୁ ହଜେଇ ଦେବାକୁ ଯାଉଛେ। ବିଜ୍ଞାନର ଏହି ଚମତ୍କାରିତାଠାରୁ କେହି ବର୍ତ୍ତିପାରିବେ ନାହିଁ। ବିଗତ କିଛି ଦଶନ୍ଧି ଇଣ୍ଟରନେଟ୍‌ ଦୁନିଆରେ ବୁଡ଼ି ରହିଲା ଓ ମଣିଷ ଜୀବନରେ ଏହାର ବ୍ୟାପକ ପରିବର୍ତ୍ତନ ଆଣିଥିଲା। ନିମିଷକେ ପୃଥିବୀର ଦୁଇ କୋଣରେ ଥିବା ମଣିଷ ପରସ୍ପରକୁ ଦେଖି କଥାବାର୍ତ୍ତା ହେଇପାରିଲେ। ଆମର ବ୍ୟାଙ୍କ ବଜାର ଇଣ୍ଟରନେଟ୍‌ ମାଧ୍ୟମରେ ହାତମୁଠାରେ ରହିଲା। ଏବେ ମଣିଷ ଆଉ ପାଦେ ଆଗକୁ ଯାଇ ଏକ ନୂତନ ଆଭାସୀ ଦୁନିଆରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଲାଣି I ଏହା ହେଉଛି ମେଟାଭର୍ସ। ଏହା ଏପରି ଏକ ଆଭାସୀ ଭର୍ଚୁଆଲ ଦୁନିଆ, ଯୋଉଠି ମଣିଷ ଏକ କାଳ୍ପନିକ ଦୁନିଆରେ ନିଜକୁ କ୍ଷିପ୍ର ଗତିରେ ନିୟୋଜିତ କରିବାକୁ ଯାଉଛି। ମେଟାଭର୍ସ ଦୁନିଆରେ ଆଭାସୀ ବାସ୍ତବିକତା ଦ୍ୱାରା କିଛି ନୂତନ ଧରଣର ଯନ୍ତ୍ର ପରିଧାନ କରି ଜଣେ ଲୋକ ଘର ଭିତରେ ଥାଇ ମଧ୍ୟ ଏକ ଭର୍ଚୁଆଲ ଦୁନିଆ ଭିତରେ ନିଜକୁ ପାଇବ ଓ ଅନେକ ଲୋକଙ୍କ ସହିତ ସମ୍ପର୍କ ସାଧନ କରିପାରିବ। ବାହାର ପରିବେଶର ଦୂଷିତ ବାୟୁ ଓ ଲମ୍ବା ଯାତ୍ରା କରି ଅଫିସ୍‌ ନ ଯାଇ ଜଣେ ଘରେ ବସି ତା’ର ଅଫିସ ସହ ଭର୍ଚୁଆଲ ଭାବରେ ପହଞ୍ଚତ୍ୟିବ ଓ କାମ କରି ଫେରିଆସିବ। ଜଣେ ଛାତ୍ର ନିପଟ ମଫସଲରେ ଥାଇ ମଧ୍ୟ ବିଶ୍ୱର ନାମକରା ବିଶ୍ୱବିଦ୍ୟାଳରେ ମନଇଚ୍ଛା ବିଷୟ ନେଇ ପଢ଼ିପାରିବ। କାମ ବା ପାଠପଢ଼ା ସାରିବା ପରେ ମନୋରଞ୍ଜନ ପାଇଁ ସିନେମା, ଖେଳ, ସାଙ୍ଗସାଥୀ ଇତ୍ୟାଦି ସବୁ କିଛି ଭର୍ଚୁଆଲ ଦୁନିଆରେ ମିଳିଯିବେ ଓ ଘରେ ବସି ସାରା ବିଶ୍ୱକୁ ହାତମୁଠାରେ କରି ହେବ।
ମେଟାଭର୍ସ ହେଉଛି ଏକ ୩ଡି ବା ତିନି ଆୟାମୀ କାଳ୍ପନିକ ଡିଜିଟାଲ ଦୁନିଆ। ଜଣେ ଲୋକ ଏଥିର ଏକ ନିଜସ୍ବ ଅବତାର ବ୍ୟବହାର କରି ଅନେକ କିଛି କରିପାରିବ। ମେଟାଭର୍ସରେ ଆପଣ ଖେଳ ଖେଳିପାରିବେ, ଶପିଂ କରିପାରିବେ, ଭର୍ଚୁଆଲ କଫି ଦୋକାନରେ ସାଙ୍ଗମାନଙ୍କ ସହିତ ଖଟି କରିପାରିବେ, ଭର୍ଚୁଆଲ ଅଫିସରେ ଆପଣଙ୍କ ସହକର୍ମୀଙ୍କ ସହିତ କାମ କରିପାରିବେ ଓ ଆହୁରି ସବୁ କିଛି କରିପାରିବେ, ଯାହା ଆମେ ଅସଲ ଦୁନିଆରେ କରୁଛୁ। ଅନ୍ୟ ଅର୍ଥରେ ମେଟାଭର୍ସ ଦୁନିଆରେ ସୁଯୋଗ ଅପ୍ରମିତ ଓ ଅକଳ୍ପନୀୟ। ଗୋଟିଏ ଉଦାହରଣ ଭାବରେ ଆଭାସୀ ମୁଦ୍ରା ବା ଭର୍ଚୁଆଲ କରେନ୍ସିକୁ ନିଆଯାଉ।
ବିଟ୍‌ କଏନ୍‌ ଭଳି ଷାଠିଏରୁ ଅଧିକ ଭର୍ଚୁଆଲ ମୁଦ୍ରା ବର୍ତ୍ତମାନ ପ୍ରଚଳିତ, ଯାହାର ବାସ୍ତବିକତା କିଛି ନାହିଁ। ଏହା କେବଳ ଭର୍ଚୁଆଲ ଦୁନିଆରେ ଉପଲବ୍ଧ। ଏହାର ଅର୍ଥ ହେଲା ମଣିଷ ନିଜ ଅଜାଣତରେ ମେଟାଭର୍ସ ଦୁନିଆରେ ପାଦ ରଖି ସାରିଲାଣି। ଆଉ କିଛି ଦିନ ପରେ ଭର୍ଚୁଆଲ ଦୁନିଆରେ ଆମେ ଇଚ୍ଛା ମୁତାବକ ଏକ ପ୍ଲଟ କିଣିପାରିବା, ଘର କିଣିବା ସହିତ ବାହାଘର ଓ ଜନ୍ମଦିନ ପାର୍ଟି ମଧ୍ୟ କରିପାରିବା। ଜଣେ କଳାକାର ଭର୍ଚୁଆଲ ଦୁନିଆରେ କଳା ପରିବେଷଣ କରି କ୍ରିପ୍ଟ କରେନ୍‌ସିଂରେ ତା’ର ପାରିଶ୍ରମିକ ନେଇଯିବ। ଏ ସବୁର ନେଣଦେଣ ହେବ ବ୍ଲାକ୍‌ ଚେନ ନାମକ ଏକ ଖୁବ୍‌ ସୁରକ୍ଷିତ ଭର୍ଚୁଆଲ ଦୁନିଆରେ। ସେଠାରେ କ୍ରିପ୍ଟ କରେନ୍‌ସି ବଦଳରେ ଡିସେଣ୍ଟ୍ରାଲ ଲ୍ୟାଣ୍ଡ ନାମକ ଏକ ସହରରେ ୧୬ x ୧୬ ବର୍ଗ ଫୁଟର ଜମି କିଣିପାରିବେ ଓ ଏଠାରେ କିଣିଥିବା ଲୋକର ପୁଞ୍ଜି ସୁରକ୍ଷିତ ରହିବ। ଅନ୍ୟ ଅର୍ଥରେ ଏହା ଭିଡିଓ ଗେମ୍‌ ପରି ଏକ ଅଲୌକିକ ଦୁନିଆ; ଯୋଉଠି ଘର, ସହର, ଜମି, ଶପିଂ ମଲ୍‌ ଓ ହୋଟେଲ ସବୁ ଥିବ ଏବଂ ଜଣେ ଲୋକ ନିଜର ଭର୍ଚୁଆଲ ଅବତାର ଓ କ୍ରିପ୍ଟ କରେନ୍‌ସି ବ୍ୟବହାର କରି ଅସଲ ଦୁନିଆ ପରି ଘରେ ବସି ସେସବୁର ମଜା ନେବ, କିଣିବ, ବିକିବ ଇତ୍ୟାଦି।
ଏଠାରେ କହିରଖିବା ଉଚିତ ହେବ ଯେ, ମେଟାଭର୍ସର ଏହିସବୁ ବିପୁଳ ସମ୍ଭାବନାର ଭବିଷ୍ୟତକୁ ଆଖି ଆଗରେ ରଖି ବିଶ୍ୱର ବୃହତ୍ତମ ସାମାଜିକ ଗଣମାଧ୍ୟମ ସଂସ୍ଥା ଫେସ୍‌ବୁକ ତା’ର ନାମ ପରିବର୍ତ୍ତନ କରି ମେଟା ରଖିସାରିଛି ଓ ଏ ଦିଗରେ ଦଶ ବିଲିୟନ ଡଲାରର ବିପୁଳ ପୁଞ୍ଜି ବିନିଯୋଗ କରିଛି। ୧୯୯୨ରେ ନିଲ ଷ୍ଟିଫେନ୍ସଙ୍କ ବହୁ ଚର୍ଚ୍ଚିତ କାଳ୍ପନିକ ବିଜ୍ଞାନ ଉପନ୍ୟାସ ‘ସ୍ନୋ କ୍ରାସ୍‌’ରୁ ବୈଜ୍ଞାନିକମାନଙ୍କ ମନରେ ମେଟାଭର୍ସର ଧାରଣା ଉତ୍ପନ୍ନ ହୋଇଥିଲା। ସେ ତାଙ୍କ ଉପନ୍ୟାସରେ ଏକ ଅନ୍‌ଲାଇନ ଦୁନିଆକୁ କଳ୍ପନା କରିଥିଲେ, ଯେଉଁଠାରେ କାହାଣୀର ଚରିତ୍ରମାନେ ବାସ୍ତବ ଦୁନିଆରୁ ଡିଜିଟାଲ ଅବତାର ବ୍ୟବହାର କରି ପଳାୟନ କରି ପାରୁଥିଲେ। ସତକୁ ସତ ଏହାର କିଛି ଦଶନ୍ଧି ପରେ ବିଶ୍ୱର ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ନିଜସ୍ବ ମେଟାଭର୍ସର ସଂସ୍କରଣ ନିର୍ମାଣ କରିବା ଆରମ୍ଭ କଲେ। ମେଟାଭର୍ସର ଅଭିଜ୍ଞତାକୁ ଅଧିକ ବ୍ୟବହାର ଉପଯୋଗୀ କରିବାକୁ କମ୍ପାନୀଗୁଡ଼ିକ ବ୍ଲାକ୍‌ ଚେନ୍‌, ବର୍ଦ୍ଧିତ ବାସ୍ତବତା (ଆର୍‌) ଏବଂ ଭର୍ଚୁଆଲ ରିଅଲିଟି, ତିନି ଅୟଆମୀ ପୁନଃ ନିର୍ମାଣ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଇଣ୍ଟରନେଟ୍‌ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ମେଟାଭର୍ସର ଅଲୌକିକ ଯାଦୁକରି ଦୁନିଆ ବର୍ତ୍ତମାନ ବିକାଶ ପର୍ଯ୍ୟାୟରେ ଥିବା ବେଳେ ଯେପରି ଭାବରେ ବିଶ୍ୱର ବଡ଼ ବଡ଼ କମ୍ପାନୀ ଫେସ୍‌ବୁକ, ମାଇକ୍ରୋସଫ୍ଟ, ଇନ୍‌ଭି ଇତ୍ୟାଦି ଏଥିପାଇଁ ବିପୁଳ ଅର୍ଥ ଲଗେଇଲେଣି ଏହା ଯେ ଦିନେ ଆମ ସମସ୍ତଙ୍କୁ ନିଜ କବଳରେ କରି ଆମର ଜୀବନ ବଦଳେଇଦେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri