ନିକଟରେ ବାତ୍ୟା ଅର୍ଣ୍ଣବ ଆସି ଚାଲିଗଲା। କିନ୍ତୁ ଅନେକ ସ୍ଥାନରେ ପିଲାଙ୍କ ଭବିଷ୍ୟତକୁ କାଦୁଅ ତଳେ ପୋତିଦେଇଗଲା। ଗଞ୍ଜାମ ଓ ଗଜପତି ଜିଲାର ଅନେକ ବିଦ୍ୟାଳୟରେ ବନ୍ୟାପାଣି ପ୍ରବେଶ କରି ପିଲାଙ୍କ ପାଠପଢ଼ା ସାମଗ୍ରୀ ସବୁକୁ କାଦୁଅ ପଙ୍କ ଭିତରେ ବୁଡାଇ ଦେଲା। ଘରେ ପିଲାଙ୍କ ବହି, ଖାତା ସହିତ ବସ୍ତାନି ପାଣି କାଦୁଅରେ ବୁଡ଼ିଯିବା ସହ ସ୍କୁଲରେ ପିଲାଙ୍କ ବସିବା ବେଞ୍ଚଡେସ୍କ ସହିତ ଅନ୍ୟାନ୍ୟ ପଠନ ସାମଗ୍ରୀ ସବୁ ପାଣି କାଦୁଅରେ ନଷ୍ଟ ହୋଇଗଲା। ଉଭୟ ଘର ଓ ବିଦ୍ୟାଳୟଗୁଡ଼ିକରେ ୩/୪ ଫୁଟର ବନ୍ୟାପାଣି ମାଡିଯାଇଥିଲା। କାଦୁଅ ଭିତରୁ ସେଗୁଡିକ ବାହାର କଲେ ମଧ୍ୟ ଆଉ ବ୍ୟବହାର ଯୋଗ୍ୟ ହୋଇ ପାରୁନାହଁି। କେବଳ ପାଣିରେ ଓଦା ହୋଇଥିଲେ ସିନା ଶୁଖାଇଦେଲେ ଚଳିଯାଇଥାନ୍ତା, କାଦୁଅ ସରସର ହେଲା ପରେ ସେଗୁଡ଼ିକର ଅସ୍ତିତ୍ୱ ନାହଁି। ଯେଉଁ ବହିପତ୍ରକୁ ନେଇ ପିଲାମାନେ ପାଠ ପଢ଼ି ନିଜର ଭବିଷ୍ୟତ ଗଠନ କରିଥାନ୍ତେ, ଆଗକୁ ଆସୁଥିବା ମାଟ୍ରିକ ପରୀକ୍ଷା ଦେଇଥାନ୍ତେ, ସେହି ବହିପତ୍ର ଆଉ ସେମାନଙ୍କ ପାଖରେ ନାହଁି। ବର୍ଷ ମଝିରେ ସେମାନଙ୍କୁ ଆଉ କିଏ ବହି ଯୋଗାଇବ? କେଉଁଠୁ ସେମାନେ ବହି ପାଇବେ ଓ ପାଠପଢ଼ି ନିଜର ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିବେ?
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅତ୍ୟଧିକ ବର୍ଷା ହେବା ଫଳରେ ଅନେକ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେଲା। କନ୍ଧମାଳ ଗଞ୍ଜାମ ସୀମା‘ଗଡିପାବାଲି ଭୁସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ପରେ ମଧ୍ୟ ଅନେକ ଜୀବନ ମାଟିତଳେ ରହିଗଲା। ତେବେ ବନ୍ୟାପ୍ରପୀଡ଼ିତ ଅଞ୍ଚଳର ପିଲାମାନେ କିପରି ନିଜର ପଠନ ସାମଗ୍ରୀ ପାଇପାରିବେ? ଯଦିଓ ବାତ୍ୟା ଅର୍ଣ୍ଣବ ଆନ୍ଧ୍ର ଉପକୂଳରେ ଅତିକ୍ରମ କଲା, ତଥାପି ତା’ର ପ୍ରକୋପ ଆମ ଓଡ଼ିଶା ଉପରେ ମଧ୍ୟ ଦେଖାଇଲା। ପ୍ରବଳ ବର୍ଷା ଫଳରେ ଓଡ଼ିଶାର ଗଞ୍ଜାମ, ଗଜପତି, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ ଇତ୍ୟାଦି ଜିଲାରେ ଅନେକ କ୍ଷୟକ୍ଷତି ଘଟାଇଲା। ବିଶେଷ ଭାବରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗକୁ ପୂରା ବିଗାଡିଦେଇଛି। ଅନେକ କୃଷିକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲାର ଅନେକ ଡାକ୍ତରଖାନାରେ ପାଣି ପଶି ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ଯନ୍ତ୍ରାଂଶ ଅଚଳ ହୋଇପଡ଼ିଛି। ଠିକ୍ ସେହିପରି ବିଦ୍ୟାଳୟଗୁଡ଼ିକରେ କାଦୁଅର ଆସ୍ତରଣ ଜମିରହିବା ଯୋଗୁ ସ୍କୁଲ ଖୋଲିବାରେ ବିଳମ୍ବ ଘଟିଲା। ତେବେ କୌଣସିମତେ ବିଦ୍ୟାଳୟ ସଫା କରାଯାଇ ପଢା ଆରମ୍ଭ କରାଯାଇଛି।
ଅନେକ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ କରାଯାଇଥିଲା। ଅନେକଗୁଡିଏ କମ୍ପ୍ୟୁଟର ରଖାଯାଇଥିଲା। ବର୍ତ୍ତମାନ ପିଲାମାନଙ୍କୁ ଆଉ କଳାପଟା ବ୍ୟବହାର କରି ଶିକ୍ଷାଦାନ କରାଯାଉନାହଁି। ଡିଜିଟାଲ ବୋର୍ଡରେ ପିଲା ପାଠ ପଢୁଛନ୍ତି। ହାଇସ୍କୁଲ ସ୍ତରରୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ତେବେ ସବୁ ଡିଜିଟାଲ ଉପକରଣ ବନ୍ୟାପାଣିରେ ନଷ୍ଟ ହୋଇଯାଇଛି। ପିଲାଙ୍କର ସବୁ ଖେଳ ଉପକରଣ ମଧ୍ୟ ବନ୍ୟା ପାଣିରେ ନଷ୍ଟ ହୋଇଛି। ଖେଳପଡିଆଗୁଡ଼ିକର ଅବସ୍ଥା ନ କହିବା ଭଲ। ପଡ଼ିଆଗୁଡ଼ିକ ବର୍ତ୍ତମାନ ଅନେକ ଦିନ ପର୍ଯ୍ୟନ୍ତ ଖେଳିବା ପାଇଁ ବ୍ୟବହାର ହୋଇପାରିବ ନାହଁି। ପାଠ ସହିତ ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉଭୟ ମାନସିକ ଓ ଶାରୀରିକ ବିକାଶ ହଁି ଶିକ୍ଷାର ଏକମାତ୍ର ଲକ୍ଷ୍ୟ। ଶ୍ରେଣୀ କୋଠରି ବାହାରକୁ ଅର୍ଥାତ୍ ଖେଳପଡ଼ିଆ ଓ ବିଦ୍ୟାଳୟ ବଗିଚା ମଧ୍ୟ ଶିକ୍ଷା ଗ୍ରହଣର ଗୋଟିଏ ଗୋଟିଏ ପ୍ରକୃଷ୍ଠ ସ୍ଥାନ। ତେବେ ସେସବୁ ସ୍ଥାନଗୁଡ଼ିକ ଏବେ ଅନେକ ଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ହୋଇପାରିବା ସମ୍ଭାବନା କମ୍। ତେବେ ବଡ଼ କଥା ହେଉଛି ପିଲାଙ୍କ ବହିପତ୍ର ,ସ୍କୁଲ ବ୍ୟାଗ ନଷ୍ଟ ହୋଇଥିଲେ ମଧ୍ୟ କିଛି ବିକଳ୍ପ ବ୍ୟବସ୍ଥାକରିବାକୁ ପଡ଼ିବ। ଆବଶ୍ୟକ ହେଲେ ସରକାରଙ୍କୁ ଆଉକିଛି ବହି ବନ୍ୟା ଅଞ୍ଚଳକୁ ଯୋଗାଇ ଦେବାକୁ ପଡ଼ିବ। ନୂଆ ଖାତା ବଜାରରୁ ମିଳିଯାଇପାରେ କିନ୍ତୁ ବହି ମିଳିବା ସମ୍ଭବ ନୁହେଁ। ଏହା କେବଳ ସରକାରୀ ଗୋଦାମରୁ ମିଳିପାରେ କିମ୍ବା ନୂଆ ଛପେଇ କରାଯାଇପାରେ।
ବନ୍ୟା ସମୟରେ ଧନଜୀବନ ରକ୍ଷା ପାଇଁ ଯେପରି ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି, ଠିକ୍ ସେହିପରି ପିଲାଙ୍କର ପାଠପଢ଼ାକୁ ପୁଣିଥରେ ସକ୍ରିୟ କରିବା ପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବା ମଧ୍ୟ ସରକାରଙ୍କର ଏକ ଦାୟିତ୍ୱ। ପିଲାଙ୍କୁ ନୂଆ ବହି, ସ୍କୁଲବ୍ୟାଗ ଓ ସ୍କୁଲ ୟୁନିଫର୍ମ ଯୋଗାଇ ଦେବା ଦରକାର।
କାରଣ ସବୁର ମୂଳରେ ଶିକ୍ଷା। ପିଲାଙ୍କ ଶିକ୍ଷାର ଉନ୍ନତିକୁ ପ୍ରାଥମିକତା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ।
ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩

