ବାଉଁଶ, ବର୍ଜ୍ୟ ସୂତାକନା ଓ କୃଷିଜାତ ଦ୍ରବ୍ୟ ଏବଂ ରିସାଇକଲ୍ ହୋଇଥିବା ଖବରକାଗଜରୁ ହ୍ୟାଣ୍ଡମେଡ୍ ବା ହାତତିଆରି କାଗଜ ପ୍ରସ୍ତୁତ କରାଯାଉଛି। କିନ୍ତୁ ହାତୀ ଓ ଗଣ୍ଡା ମଳରୁ କାଗଜ ତିଆରି ହେବା କଥା ଭାବିପାରୁଛନ୍ତି କି? ହଁ ଏମିତିକା କାଗଜ ଏବେ ପ୍ରସ୍ତୁତ କରୁଛନ୍ତି ଆସାମର ମହେଶ ଚନ୍ଦ୍ର ବୋରା ଏବଂ ତାଙ୍କ ଝିଅ ନିଶା। ମହେଶ ମାଇନିଂ ଇଞ୍ଜିନିୟର ଭାବେ ଅବସରନେବା ପରେ ଏହି କାର୍ଯ୍ୟ ଆରମ୍ଭ କରିବା ପରେ ନିଶା କର୍ପୋରେଟ ଚାକିରି ଛାଡ଼ି ପିତାଙ୍କ ସହ ଯୋଗ ଦେଇଥିଲେ। ୨୦୧୪ରେ ସେମାନେ ‘ଏଲର୍ହିନୋ’ କମ୍ପାନୀ ପ୍ରତିଷ୍ଠା କରି ତା’ ମାଧ୍ୟମରେ ହାତୀ ଓ ଗଣ୍ଡା ମଳରୁ କାଗଜ ଏବଂ ବିଭିନ୍ନ ଷ୍ଟେଶନାରି ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟରେ ସେମାନେ ଗ୍ରମୀଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନରେ ହାତୀ ମଳରୁ କାଗଜ ତିଆରି ହେଉଥିବା ଖବର ପଢ଼ିବା ପରେ ମହେଶ ଗଣ୍ଡା ମଳରୁ କିଭଳି କାଗଜ ତିଆରି ହୋଇପାରିବ ତାହା ଉପରେ ଗବେଷଣା ଆରମ୍ଭ କରିଦେଇଥିଲେ। ଗଣ୍ଡା ଓ ହାତୀ ମଳରେ ଥିବା ଉଦ୍ଭିଦ ତନ୍ତୁରୁ କାଗଜ ତିଆରି ହୋଇପାରିବ ଜାଣିବା ପରେ ମହେଶ ପ୍ରସ୍ତୁତି ପ୍ରକ୍ରିୟାରେ ସଫଳ ହୋଇଥିଲେ।

