ପ୍ରାୟ ସମସ୍ତ ଦେଶର ନେତୃତ୍ୱ ଏବେ ତ୍ରୁଟିପୂର୍ଣ୍ଣ ବା ସମସ୍ୟାବହୁଳ। ଯେତେବେଳେ କୌଣସି ଦେଶର ଶାସନଭାର ଏକଚ୍ଛତ୍ରବାଦୀ ନେତାଙ୍କ ହାତକୁ ଯାଏ ସେତେବେଳେ ଏହିସବୁ ସମସ୍ୟା ସ୍ପଷ୍ଟ ହୋଇଯାଏ। ଅତ୍ୟଧିକ କ୍ଷମତାର ଦୁରୁପଯୋଗ ହୁଏ ଏବଂ ତାହାକୁ ନେଇ ପ୍ରତିବାଦର ସ୍ୱର ଉଠେ, ଯାହା ଦେଖାଯାଇଛି ଆମେରିକାରେ। ସେଠାକାର ଜନସାଧାରଣ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ କାର୍ଯ୍ୟ ବିରୋଧରେ ସ୍ୱରଉତ୍ତୋଳନ କରିଛନ୍ତି।
ଆଶ୍ଚର୍ଯ୍ୟର ବିଷୟ ଯେ, ଉଭୟ ପ୍ରତିନିଧି ସଭା (ହାଉସ) ଏବଂ ସିନେଟ୍ରେ ରିପବ୍ଲିକାନ ଦଳର ପରାଜୟର ବଡ଼ କାରଣ ମୁଦ୍ରାସ୍ଫୀତି କିମ୍ୱା ଇରାନ ଯୁଦ୍ଧ ନ ଥିଲା। ଟ୍ରମ୍ପ୍ଙ୍କ ଦଳକୁ ଭୋଟରମାନେ ପରାଜିତ କରିବାର ସବୁଠାରୁ ବଡ଼ କାରଣ ଥିଲା ଦୁର୍ନୀତି ଏବଂ ଧନୀମାନଙ୍କ ସ୍ୱାର୍ଥକୈନ୍ଦ୍ରିକ ସରକାରକୁ ନେଇ ସେମାନଙ୍କ ଅସନ୍ତୋଷ। ପ୍ରାୟ ୧୦ ଜଣ ଭୋଟରଙ୍କ ମଧ୍ୟରୁ ୯ ଜଣ ଏହାକୁ ବଡ଼ କାରଣ ଦର୍ଶାଇଛନ୍ତି। ଟ୍ରମ୍ପ୍ କ୍ଷମତାରେ ଥିବା ସମୟରେ ତାଙ୍କ ପୁଅମାନେ ଅନେକ ହଜାର କୋଟି ଟଙ୍କା ରୋଜଗାର କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି। ଟ୍ରମ୍ପ୍ଙ୍କ ଜ୍ୱାଇଁ ଜଣେ ଅନୌପଚାରିକ ରାଷ୍ଟ୍ରଦୂତ ପଦବୀରେ ରହି ଉପସାଗରୀୟ ଦେଶଗୁଡ଼ିକରୁ ଅନେକ ହଜାର କୋଟି ଟଙ୍କା ଉପାର୍ଜନ କରିଛନ୍ତି। ରାଷ୍ଟ୍ରପତି ନିଜେ ବାସ୍ତବତାରୁ ଦୂରେଇ ଯାଇଛନ୍ତି। ଇନ୍ଧନ ଦର ଅଧିକ ରହିବା ଏବଂ ମୁଦ୍ରାସ୍ଫୀତି ବଢ଼ୁଥିବା ସମୟରେ ଏହିସବୁ ବିଷୟରେ ଦୈନିକ ଖବର ପ୍ରସାରଣ ଆମେରିକୀୟଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା। ଫଳରେ ସେମାନେ ନିର୍ୱାଚନରେ ଟ୍ରମ୍ପ୍ଙ୍କୁ ଟିକେ ତଳକୁ ଖସାଇ ଦେଇଛନ୍ତି। ଆଗକୁ କିଛି ଘଟିବାକୁ ଯାଉଛି। ପ୍ରଥମ କଥା ହେଉଛି, ଯୁଦ୍ଧ ଶେଷ କରିବା ଏବଂ ଇନ୍ଧନର ମୂଲ୍ୟ ଓ ଯୋଗାଣକୁ ସ୍ୱାଭାବିକ ସ୍ତରକୁ ଆଣିବା ପାଇଁ ଏବେ ଟ୍ରମ୍ପ୍ଙ୍କ ଉପରେ ଚାପ ପଡ଼ିବ। ଏଥିପାଇଁ ଜୁନ୍ ୧୭ରେ ଭର୍ସାଇଲ୍ସଠାରେ ସେ ସ୍ୱାକ୍ଷର କରିଥିବା ଆତ୍ମସମର୍ପଣ ସମ୍ପର୍କିତ ଦଲିଲ(ଯେଉଁଥିରେ ଇରାନ ଉପରୁ କଟକଣା ହଟାଇ ଦେଇ ହର୍ମୁଜକୁ ତା’ ନିୟନ୍ତ୍ରଣକୁ ଦିଆଯାଇଥିଲା)କୁ ଫେରିଯିବାକୁ ହେବ। କିନ୍ତୁ ଏହା କଷ୍ଟକର ହୋଇପାରେ। ଟ୍ରମ୍ପ୍ ଏହି ବୁଝାମଣାରେ ସହମତ ଥିଲେ, କିନ୍ତୁ ତାଙ୍କ ଚାରିପାଖରେ ଥିବା ଯୁଦ୍ଧଖୋର ଗୋଷ୍ଠୀଙ୍କ ଚାପରେ ଏମ୍ଓୟୁରୁ ସେ ପଛକୁ ହଟିଥିଲେ।
ଦ୍ୱିତୀୟ କଥା ହେଉଛି, ଇସ୍ରାଏଲ ସମ୍ପର୍କିତ ଆମେରିକାର ନୀତିରେ ମଧ୍ୟ ପରିବର୍ତ୍ତନର ସଙ୍କେତ ମିଳୁଛି। ଡେମୋକ୍ରାଟିକ ପାର୍ଟିର ବାମପନ୍ଥୀ ଗୋଷ୍ଠୀର ବିପୁଳ ବିଜୟ ଦର୍ଶାଉଛି ଯେ ଇସ୍ରାଏଲକୁ ସମର୍ଥନ କରିବା ଆମେରିକୀୟଙ୍କ ମଧ୍ୟରେ ପ୍ରସଙ୍ଗ ହୋଇ ରହିନାହିଁ। ଦୁଇ-ତୃତୀୟାଂଶ ଆମେରିକୀୟ ଇସ୍ରାଏଲ ପ୍ରତି ନକାରାତ୍ମକ ମନୋଭାବ ରଖୁଥିବା ବେଳେ ୨୯ ବର୍ଷରୁ କମ୍ ବୟସର ଯୁବପିଢ଼ିଙ୍କ ମଧ୍ୟରେ ଏହି ଅନୁପାତ ତିନି-ଚତୁର୍ଥାଂଶ। ସବୁଠାରୁ ପ୍ରଭାବଶାଳୀ ଲବି ଗୋଷ୍ଠୀ, ଆମେରିକାନ ଇସ୍ରାଏଲ ପବ୍ଲିକ ଆଫେୟାର୍ସ କମିଟି (ଏଆଇପିଏସି) ଅକ୍ଟୋବର ୨୧ରେ କହିଥିଲା ଯେ ଏହା ପ୍ରାର୍ଥୀମାନଙ୍କୁ ସମର୍ଥନ କରିବା କିମ୍ୱା ସେମାନଙ୍କୁ ସିଧାସଳଖ ଟଙ୍କା ଦେବା ବନ୍ଦ କରିଦେବ। ରିପବ୍ଲିକାନ ନେତାମାନେ ନିର୍ୱାଚନରୁ ଏହି ସଙ୍ଗଠନକୁ ଦୂରେଇ ରଖିବାକୁ ଅନୁରୋଧ କରିବା ପରେ ଏହି ସ୍ଥିତି ଉପୁଜିଛି, ଯାହାକି ଏକ ଉଲ୍ଲେଖନୀୟ ପରିବର୍ତ୍ତନ। ବିଦେଶରେ ଯୁଦ୍ଧକୁ ବିରୋଧ କରିବା ସହ ବାମପନ୍ଥୀମାନେ ‘ମେଡିକେୟାର ଫର ଅଲ’ (ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା) ନୀତି ପାଇଁ ଦୃଢ଼ ଦାବି କରିଛନ୍ତି। ଆଗାମୀ ଦିନରେ ଏହି ନୀତି ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ଦଳର ସମ୍ମତିର ବିଷୟ ହୋଇପାରେ। ଟ୍ରମ୍ପ୍ ଇମିଗ୍ରେଶନ ବିରୋଧୀ ସମର୍ଥକ ଷ୍ଟିଫେନ ମିଲରଙ୍କୁ ତାଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ ନିଯୁକ୍ତ କରିଛନ୍ତି। ହେଲେ ଇମିଗ୍ରେଶନ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥା ‘ଆଇସିଇ’ର ନିଷ୍ଠୁରତା ଯୋଗୁ ଆମେରିକୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି ଯେ ଅପରାଧୀମାନଙ୍କୁ ଛାଡ଼ିଦେଲେ ବେଆଇନ ଭାବେ ରହୁଥିବା ଅନ୍ୟ ପ୍ରବାସୀମାନଙ୍କୁ ଦେଶରେ ରହିବାକୁ ଅନୁମତି ଦେବାର ଏକ ଆଇନଗତ ପଥ ରଖିବା ଉଚିତ। ଏହି କ୍ଷେତ୍ରରେ ମଧ୍ୟ କିଛି ନୀତିଗତ ପରିବର୍ତ୍ତନ ଆଶା କରାଯାଇପାରେ। ଶେଷ କଥା ହେଉଛି, ଟ୍ରମ୍ପ୍ଙ୍କ ନିଜ ଦଳ ଉପରେ ଥିବା ଦୃଢ଼ ନିୟନ୍ତ୍ରଣ ଦୁର୍ୱଳ ହେବ। ରାଷ୍ଟ୍ରପତି ଭାବେ ତାଙ୍କ ବାକିଥିବା ମାସଗୁଡ଼ିକ ଆଡ଼କୁ ଅଗ୍ରସର ହେଉଥିବା ଟ୍ରମ୍ପ୍ଙ୍କ ଦୁର୍ୱଳ ରାଜନୈତିକ ସ୍ଥିତିକୁ ଲକ୍ଷ୍ୟ କରି ତାଙ୍କର ଉତ୍ତରାଧିକାରୀ ହେବାକୁ ଇଚ୍ଛୁକ ଏବଂ ତାଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିବା ନେତାମାନେ ସ୍ୱର ଉଠାଇବେ। ୨୦୧୬ ପରଠାରୁ ସେମାନେ ଏପରି ସାହସ କରିପାରି ନ ଥିଲେ।
ପୂର୍ୱରୁ ନିର୍ୱାଚନ ମାଧ୍ୟମରେ ଆମେରିକାର ରାଜନୈତିକ ମୋଡ଼ ବଦଳିଛି। ରିପବ୍ଲିକାନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ଙ୍କ ସ୍ଥାନରେ ଡେମୋକ୍ରାଟିକ ଦଳର ବାରାକ ଓବାମା ରାଷ୍ଟ୍ରପତି ହୋଇଥିଲେ। ଇରାକ ଓ ଆଫଗାନିସ୍ତାନ ଯୁଦ୍ଧରେ ଆମେରିକୀୟମାନେ ଅତିଷ୍ଠ ହୋଇପଡ଼ିଥିବାରୁ ଏହି ପରିବର୍ତ୍ତନ ଘଟିଥିଲା। ଡେମୋକ୍ରାଟ ଲିଣ୍ଡନ ଜନସନଙ୍କ ପରେ ରିଚାର୍ଡ ନିକ୍ସନ ମଧ୍ୟ କ୍ଷମତାକୁ ଆସିଥିଲେ। ନିକ୍ସନ ଶେଷରେ ଭିଏଟ୍ନାମ ଯୁଦ୍ଧର ଅନ୍ତ ଘଟାଇଥିଲେ।
ଚଳିତ ମାସର ନିର୍ୱାଚନରେ ରିପବ୍ଲିକାନ ଦଳର ପତନ ଦକ୍ଷିଣ ଆମେରିକାର ରିପବ୍ଲିକାନ ଗଡ଼ ଥିବା ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳିଛି। ମିସିସିପି ଏବଂ ଟେକ୍ସାସ ଭଳି ସ୍ଥାନ ବିନା ଏହି ଦଳ ୨୦୨୮ରେ ରାଷ୍ଟ୍ରପତି ପଦ ଜିତିପାରିବ ନାହିଁ, କାରଣ ୨୭୦ଟି ଇଲେକ୍ଟୋରାଲ କଲେଜ ଭୋଟ ହାସଲ କରିବା ରିପବ୍ଲିକାନ ଦଳ ପାଇଁ ପ୍ରାୟ ଅସମ୍ଭବ। ତେଣୁ ଦଳର ଅସ୍ତିତ୍ୱ ରକ୍ଷା ପାଇଁ ନେତାମାନଙ୍କୁ ରାଜନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।
ଆମେରିକା ଯେଉଁ ସଂଶୋଧନ ପ୍ରକ୍ରିୟା ଦେଇ ଗତି କରୁଛି, ସେଥିରୁ ବିଶ୍ୱ ଲାଭବାନ ହେବ। କମ୍ ବିଦେଶରେ ହିଂସାତ୍ମକ ହସ୍ତକ୍ଷେପ କମିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମାନବ ସମାଜର ଦୁଃଖ ଯନ୍ତ୍ରଣା ହ୍ରାସ ପାଇବ। ଗଣତନ୍ତ୍ର ନିର୍ୱାଚନ ମାଧ୍ୟମରେ ନିଜକୁ ସଂଶୋଧନ କରେ। କିନ୍ତୁ ତାହା ହେବା ପାଇଁ ନିର୍ୱାଚନ ନିରପେକ୍ଷ ଏବଂ ମୁକ୍ତ ହେବା ଆବଶ୍ୟକ। ଯେଉଁଠାରେ ନିର୍ୱାଚନର ବୈଧତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠେ, ସେଠାରେ ସଂଶୋଧନ ବା ଜନସାଧାରଣଙ୍କ ପରିବର୍ତ୍ତନର ଆକାଂକ୍ଷା ଅନ୍ୟ ରୂପରେ ପ୍ରକାଶ ପାଏ। ଆଜି ଆମେ ରାସ୍ତାଘାଟରେ ଯେଉଁ ଜନ ଆନ୍ଦୋଳନ ଓ ପ୍ରତିବାଦ ଦେଖୁଛୁ, ତାହା ଏହାର ଏକ ଉଦାହରଣ।

