ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି କିଣା ବି ମିଳେନି। ବିକ୍ରିଯୋଗ୍ୟ ନ ଥାଏ କେବେ। ଏହା ଅନୁଭବର ଅସ୍ମିତା ସୂଚକ। ନିଜ ଭିତରୁ ଖୁସି -ସୁଖ ଅନ୍ବେଷଣ କରାଯାଇପାରେ। ବାହାରେ ଖୋଜିଲେ ଖୁସି୍-ସୁଖ ମିଳେନା। ନିଜ ମନରେ, ହୃଦୟରେ ଅନ୍ବେଷଣ କଲେ ହୁଏତ ମିଳିପାରେ ପ୍ରଚୁର ଶାନ୍ତି, ଗଭୀର ଆତ୍ମସନ୍ତୋଷ ଯାହାକି ଖୁସି୍- ସୁଖର ପ୍ରକୃତ ସନ୍ଧାନକୁ ହାତପାହାନ୍ତା କରାଇପାରେ। ହଁ, କେବେ କେମିତି କିଏ ହସୁଥିବାର ଦେଖିଲେ ଆପଣା ଓଠରୁ ଆପେ ଧାରେ ହସ ଉକୁଟି ଆସିଥାଏ। ନିଜେ ହସିବା ସହିତ ଅନ୍ୟକୁ ହସାଇବାର ଯଥେଷ୍ଟ ଆବଶ୍ୟକତା ରହିଛି ଆଜିର ଦିନରେ।
ସବୁ ଥାଇ ସୁଖୀ ନ ଥିବା ଲୋକକୁ ଏଠି ଆବିଷ୍କାର କରିବାରେ ବିଚିତ୍ରତା ନ ଥାଏ। ପୁଣି କିଛି ନ ଥାଇ ଅହରହ ହସଖୁସିରେ ଥିବା ଲୋକ ଏଠି ସୁଖୀ ଥିବା ଜଣାଯା’ନ୍ତି। ଦୁଃଖର ପାହାଡ଼ ଉପରେ ଦଣ୍ଡାୟମାନ ଥିବା ଲୋକ ଦୁଃଖକୁ ତିଳେହେଲେ ଖାତିର ନ କରି ସଦାସର୍ବଦା ହସମିଜାଜ୍ରେ ରହି ଖୁସିର ପଲଙ୍କରେ ସୁଖନିଦ୍ରା ଯାଆନ୍ତି। ଅନ୍ୟପାଖେ ସୁଖର ଗନ୍ତାଘରେ ନିତି ସହାବସ୍ଥାନ କରୁଥିବା ଲୋକ ଅସଲକୁ ହସଖୁସିରେ ଘଡ଼ିଏ ରହିନପାରି ସୁଖରେ ରହିନପାରିବାର ଆତ୍ମଗ୍ଳାନିରେ ଅହରହ ଜର୍ଜରିତ ଥାଆନ୍ତି। ସୁଖ ଅନୁଭବ ତାଙ୍କ ପାଇଁ ରହିପାରିନଥାଏ ଆକାଂକ୍ଷିତ। ସୁଖର ଅପ୍ରାପ୍ତି ଅସନ୍ତୋଷ ତାଙ୍କଠି ବସା ବାନ୍ଧି ରହିଥାଏ। ପରୋକ୍ଷରେ ସେ ଲଭିଥା’ନ୍ତି ଅଜସ୍ର ଦୁଃଖ।
ଆମେ ଜାଣିଛେ, ଜୀବନ ନଈର ଥାଏ ଦୁଇଟି କୂଳ। ଗୋଟେ ସୁଖ ହେଲେ ଅନ୍ୟଟି ଦୁଃଖ। ଜୀବନ ନଈରେ ଅନେକ ପୁଣି ଆରୋହୀ ଥା’ନ୍ତି ଦୁଃଖର ନାଆରେ। ଏଠି ସୁଖର ନାଆରେ ସାରୀ ହୋଇପାରିନଥାନ୍ତି ଅନେକାନେକ। ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ଅନେକଙ୍କ ଆଶା ଆକାଂକ୍ଷା ରହିଥାଏ ଆକାଶଛୁଆଁ। ସେସବୁର ପରିପୂରଣ ହୋଇନପାରିବାରୁ ନାହିଁ ନାହିଁ ଭିତରେ ଜୀବନରେ ଜ୍ୱଳନ ରହେ ଅନେକ। ଦୁଃଖର ପାରାବାର ଭିତରେ ଯେମିତି ସୁଖର ଥଳକୂଳ ପାଇପାରନ୍ତିନି ଜମା।
ଆଜିର ଦିନରେ ଯାହାଠି ଯେତେ ସମ୍ପତ୍ତି ଥାଏ, ସେତିକିରେ ସେ ଆଦୌ ସନ୍ତୁଷ୍ଟ ନ ଥାଏ। ସେ ଚାହେଁ ତା’ର ଭଣ୍ଡାର ଆହୁରି ଭରି ହେଉ। ଭରି ହେବା ପାଇଁ ତା’ର ଭଣ୍ଡାରରେ ଯେମିତି ଅନେକ ସ୍ଥାନ ଶୂନ୍ୟ ପଡ଼ିଛି। ତାହା ପୂରଣ ନ ହେବା ଯାଏ ଯେମିତି ଶାନ୍ତି ନାହିଁ ମନରେ କି ହୃଦୟରେ। ଉପରମୁହାଁ ଉପରକୁ କେବଳ ଚାହିଁ ରହୁଛି। ତା’ ତଳେ କେତେ ଅଭାବୀ ଜୀବନ ବିତାଉଛନ୍ତି ସେ ଆଡ଼କୁ ଯେମିତି ଜମା ନିଘା ନଜର ନାହିଁ। ସେ ତଳକୁ କାହିଁକି ଚାହିଁବେ। ଉପରକୁ ଚାହିଁ ରହିଲେ ସିନା ଉପରବାଲାଙ୍କ ସହିତ ସମକକ୍ଷ ହେବାର ନିରନ୍ତର ଚେଷ୍ଟାରେ ରହି ଯେବେହେଲେ ବି ଅଚଳାଚଳ ଧନସମ୍ପତ୍ତିର ମାଲିକ ହେବେ। ଏବେ ଲକ୍ଷପତି ହେବା ତ ସହଜ। ଯେଣୁ ଦରମା ଛୁଇଁଲାଣି ଲକ୍ଷକୁ, ଲକ୍ଷ ପାଖାପାଖିକୁ, ଏବେ କୋଟିପତି ହେବାରେ ବଳୁଚି ମନ। କୋଟିପତିଙ୍କ ତାଲିକା ବି ଲମ୍ବା ହୋଇଚାଲିଛି। ଦୁଃଖୀଙ୍କ ତାଲିକା ସେମିତି ବଢୁଛି। ମଣିଷ ଯାହା ବୁଝିନି କି ବୁଝୁନି, ସମ୍ପତ୍ତି କେବେ ବି କାହାକୁ ବାସ୍ତବ ସୁଖ ଦେଇପାରେ ନାହିଁ କି ଦେଇପାରିନି। ତଥାପି ସମ୍ପତ୍ତି ମରୀଚିକା ପଛରେ ଧାଇଁବାରୁ ନିଜକୁ ନିବୃତ୍ତ କରିପାରୁନି ମଣିଷ।
ମଣିଷଠି ଆଉ ଗୋଟେ ଅଭାବବୋଧ ଏବେ ବେଶି ପରିଲକ୍ଷିତ ହେଉଛି। ମଣିଷ ଆଉ ଅଧ୍ୟIତ୍ମବାଦୀ ହେଉ ନାହିଁ। କୌଣସି କଥା -କାମରେ ବିଭୁ ଚିନ୍ତନ ରହୁ ନାହିଁ। ହୁଏତ ଈଶ୍ବରବିଶ୍ୱାସ ବଳରେ ଅନୀତି ଅର୍ଜନରେ ରହନ୍ତା ନାହିଁ। ସମସ୍ତ କର୍ମ ବିଭୁ ସମର୍ପିତ ରହିଲେ ମାନସିକ ଶାନ୍ତି ଅନ୍ତତଃ ହାତପାହାନ୍ତା ହୁଅନ୍ତା। ଆଜିର ଦିନରେ ସୁସ୍ଥ ରହିବା ପାଇଁ ଅଧ୍ୟIତ୍ମ ସ୍ବାସ୍ଥ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି। ବସ୍ତୁବାଦୀ ଆବଶ୍ୟକତା ଯେତେ କମ୍ ରହିବ, ମାନସିକ ସ୍ବାସ୍ଥ୍ୟ ସେତେ ଅଧିକ ଭଲ ରହିବ। ତେବେ ସୁଖ ହାସଲ ପାଇଁ ଅସଲ ସାଧନ ହେଉଛି ଦୁଃଖ କମ୍ ଅନୁଭବ କରିବା, ଅଭାବବୋଧକୁ ଅଭାବ ଭାବିବା ନାହିଁ ଜମା। ଜ୍ଞାତି କୁଟୁମ୍ବଙ୍କ ଶତ୍ରୁତାରେ ବ୍ୟତିବ୍ୟସ୍ତ ହେବା ନାହିଁ। ମୋଟାମୋଟି ଭାବେ ଦୁଃଖ ଯେତେ କମ୍ ରହିବ, ସେତେ ସୁଖ ଅନୁଭବ ହେଇଆସିବ। କିଛି ଥାଉ ନ ଥାଉ ଖୁସି ରହିବା ଓଠରେ ହସ ରଖି। ହସୁରା ମୁହଁ ଦେଖି ତ କିଏ ହସି ଦେବ ଟିକେ। ହସ ମୁହଁରେ ଲାଖି ରହିଲେ ମୁହଁ ସୁନ୍ଦର ବି ଦେଖାଯିବ। ଅତଏବ ହସ ଖୁସି ହିଁ ଆଣିଦିଏ ସୁଖ। ଆସନ୍ତୁ ହସଖୁସିରେ ରହିବା। ସୁଖ ଅନୁଭବ କରିବା। ଖୁସି ରହିଲେ ସୁଖ ପାଇବା। ଏଣୁ, ଯଥାର୍ଥରେ କୁହାଯାଇପାରେ ଅନେକ ଖୁସିର ଯଥାର୍ଥ ସମାହାର ହିଁ ସୁଖ। ଗାଣିତିକ ଭାଷାରେ ଖୁସି+ଖୁସି+…= ସୁଖ।
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬
ପବିତ୍ର ବନ
ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍ ସିଟୁ’ ଏବଂ ୨ୟରେ ‘ଏକ୍ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…
ସ୍ବାଗତଯୋଗ୍ୟ ସମୀକ୍ଷା
ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…
ଏଇ ଭାରତରେ
ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍। ଏହି ଟିମ୍ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…
ସମାଜର ବିଫଳତା ନା ସମୟର ଆବଶ୍ୟକତା
ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…
ଚାଇନା ପାଇଁ ଆହ୍ବାନ
ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…
ଡିଜିଟାଲ ସାର୍ବଭୌମତ୍ୱ
ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…
ସୁନାପିଲା
ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…
ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ
ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…
Archives

