ପରାଜୟ ପାଇଁ ମଣିଷର ଜନ୍ମ ନୁହେଁ

ଡ. ପବିତ୍ର ସୁବୁଦ୍ଧି

ଏସଂସାରରେ ସବୁ ମଣିଷ ମରନ୍ତି, କିନ୍ତୁ ସମସ୍ତେ ବଞ୍ଚିବା ଜାଣନ୍ତି ନାହିଁ। ସେଇଥିପାଇଁ ଅସଲ ମୃତ୍ୟୁ ପୂର୍ବରୁ ଅନେକ ମଣିଷ ଅନେକ ଥର ମରିଥାନ୍ତି। ଏ ପୃଥିବୀର ଶ୍ରେଷ୍ଠ ଜୀବ ମଣିଷ ଏବେ ସାମାନ୍ୟ ସାମାନ୍ୟ କଥାରେ ବହୁ ଭୟଙ୍କର ନିଷ୍ପତ୍ତି ନେଇଯାଉଛି। ଗତ କିଛିଦିନ ତଳେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (ସନ୍ଦିଗ୍ଧ ଅପମୃତ୍ୟୁ) ସମଗ୍ର ଭାରତବର୍ଷର ସିନେପ୍ରେମୀଙ୍କ ହୃଦୟକୁ ବେଦନାବ୍ୟଥିତ କରିଦେଇଛି। ଖୁବ୍‌ କମ୍‌ ଦିନ ଭିତରେ ସ୍ବୀୟ ପ୍ରତିଭାବଳରେ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସୁଶାନ୍ତଙ୍କ ଆତ୍ମହତ୍ୟା ଆମ ସମାଜ ସମ୍ମୁଖରେ ବହୁ ପ୍ରଶ୍ନର ଉତ୍‌ଥାପନ କରିଛି। କେବଳ ସୁଶାନ୍ତ ନୁହନ୍ତି କରୋନାଜନିତ ଲକ୍‌ଡାଉନ୍‌ ସମୟରେ ଅନେକ ଯୁବ ପ୍ରତିଭାଙ୍କ ଆତ୍ମହତ୍ୟା ତମାମ୍‌ ମଣିଷ ଜାତିର ଛାତିକୁ ଦୋହଲାଇ ଦେଇଛି। ଏ ଆତ୍ମହତ୍ୟା ଘଟଣାକୁ ତର୍ଜମା କଲାବେଳେ ବିସ୍ମିତ ହେବାକୁ ପଡ଼େ ଯେ, ଏ ମଣିଷ ଏତେ ଶୀଘ୍ର ଏତେ ବଡ଼ ନିଷ୍ପତ୍ତି କେମିତି ନେଇପାରେ? ଆମେ ଜାଣୁ ଦାରିଦ୍ର୍ୟ, ବିଫଳତା, ହତାଶା ଓ ନୈରାଶ୍ୟ ମଣିଷକୁ ଅବସାଦଗ୍ରସ୍ତ କରେ, ମାତ୍ର କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ମଣିଷ ଏଭଳି ଭୟଙ୍କର ନିଷ୍ପତ୍ତି ନେବା କେତେଦୂର ସମୀଚୀନ?
ଏ ଜୀବନ କେବେ ବି ଏକ ସମତଳ ରାସ୍ତା ନୁହେଁ କି ଗୋଲାପର ଶଯ୍ୟା ନୁହେଁ। ଜୀବନ ଜିଇବାକୁ ହେଲେ ଝୁଣ୍ଟିବାକୁ ହୁଏ। ଆଗକୁ ଆଗେଇଲେ ତ ଓଗାଳିବ ବାଧାବିଘ୍ନର ବାଘ। ତଥାପି ଜୀବନ ଜିଇବାକୁ ହୁଏ। ଏ ପ୍ରସଙ୍ଗରେ ମନେପଡ଼େ ଜଣେ ମହାନାୟକଙ୍କ କଥା, ଯିଏ ଜୀବନରେ ବାର ବାର ବିଫଳ ହୋଇଥିବା ଜଣେ ସଫଳ ମଣିଷ; ଯାହାଙ୍କ ଜୀନର ସଂଘର୍ଷମୟ କାହାଣୀ ଏଯାବତ୍‌ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ୧୮୩୧ ମସିହାରେ ସେ ବ୍ୟବସାୟରେ ବିଫଳ ହୋଇ ଦେବାଳିଆ ହେଲେ। ୧୮୩୨ ମସିହାରେ ଆମେରିକାର ଲେଜିସ୍‌ଲେଚର ନିର୍ବାଚନରେ ହାରିଲେ। ୧୮୩୪ରେ ପୁନର୍ବାର ବ୍ୟବସାୟ ଆରମ୍ଭ କରି ବିଫଳ ହେଲେ। ୧୮୩୫ରୁ ୧୮୫୮ ମଧ୍ୟରେ ବାରମ୍ବାର ନିର୍ବାଚନ ଲଢ଼ି ହାରିଲେ। ଶେଷରେ ୧୮୬୦ ମସିହାରେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କଲେ। ଆପଣମାନେ ଜାଣନ୍ତି ସେ ମହାନାୟକ କିଏ। ସେ ହେଉଛନ୍ତି ଆମେରିକାର ଆବ୍ରାହମ୍‌ ଲିଙ୍କନ୍‌। ଏଭଳି ଏକ ସତ୍ୟ ବୃତ୍ତାନ୍ତ ପଢ଼ି ବା ଶୁଣି ଯେ କେହି ବ୍ୟକ୍ତି ଅନୁପ୍ରେରିତ ହେବେ, ଏଥିରେ ସନ୍ଦେହ ନାହିଁ। ମାତ୍ର ମନରେ ଏକ ପ୍ରଶ୍ନ ଉଠେ- ଅନ୍ୟମାନେ କାହିଁକି ଏଭଳି ହୋଇପାରନ୍ତି ନାହିଁ? ଜଣେ ଆବ୍ରାହମ୍‌ ଲିଙ୍କନ୍‌ କାହିଁକି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଯାଆନ୍ତି? ଆପଣ ଜାଣନ୍ତି ଆବ୍ରାହମ୍‌ ଲିଙ୍କନ୍‌ ତାଙ୍କ ପୁଅର ଶିକ୍ଷକଙ୍କ ପାଖକୁ ଚିଠି ଲେଖି କ’ଣ କହିଥିଲେ? ଲେଖିଥିଲେ-”ମହାଶୟ! ମୋ ପୁଅକୁ ନିଶ୍ଚୟ ଶିଖିବାକୁ ଦିଅନ୍ତୁ, ଦୁଃଖବେଳେ ଭାଙ୍ଗି ନ ପଡ଼ି କିପରି ହସାଯାଏ। ତାକୁ ଶିଖାଇବେ ଯେ, ଲୁହ ବାହାରିବା କିଛି ଲାଜର କଥା ନୁହେଁ। ଦୁଃଖବେଳେ ତା’ ଭିତରେ ଧୈର୍ଯ୍ୟ ନ ହରାଇବାର ସାହସ ଆସୁ। ସାହସୀ ହୋଇପାରିବାର ଧୈର୍ଯ୍ୟ ମଧ୍ୟ ଆସୁ। ତେବେ ଯାଇ ସେ ଏକା ଲଢ଼ି ପାରିବ। ବିଫଳତାର ସାମ୍ନା କରିବାର କଳା ଶିଖିପାରିବ।“
ସମଗ୍ର ପୃଥିବୀରେ ଆଜି କିନ୍ତୁ ଯାହାଙ୍କର ବିଭ୍ରାନ୍ତି ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି, ସେମାନେ ହେଉଛନ୍ତି ଆମ ଯୁବ ସମାଜ। ଦେଶର ମେରୁଦଣ୍ଡ ହେଉଛନ୍ତି ଏ ଯୁବ ସମାଜ। କିନ୍ତୁ ଏହି ଯୁବସମାଜ ସମୟ ସୁଅରେ ଆଜି ବିକ୍ଷିପ୍ତ। ନିଶାସକ୍ତ ଏ ଯୁବ ସମାଜ ଯେ କୌଣସି କୁତ୍ସିତ କାର୍ଯ୍ୟ କରିବାକୁ କୁଣ୍ଠିତ ନୁହନ୍ତି। ମନୋବୈଜ୍ଞାନିକଙ୍କ ମତରେ ଭାବନାତ୍ମକ ଦୁର୍ବଳତା, ସମ୍ବେଦନାତ୍ମକ ଆବେଗ, କଠିନ ପରିସ୍ଥିତିର ସାମ୍ନା କରିବାର ଅସାମର୍ଥ୍ୟ ଯୋଗୁ ତରୁଣ ଗୋଷ୍ଠୀ ଏଭଳି ଭୁଲ୍‌ ପଦକ୍ଷେପ ନେଉଛନ୍ତି। ୨୦୧୭ ମସିହାରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ପ୍ରତି ୨ ଜଣରୁ ଜଣେ କର୍ମକ୍ଷେତ୍ରରେ ଚାପ ଯୋଗୁ ବିଷାଦଗ୍ରସ୍ତ। ଗତ ଦଶନ୍ଧି ଭିତରେ ଶିକ୍ଷାର ପ୍ରସାର ସହ ତାଳଦେଇ ବଢ଼ୁଥିବା ବେକାରି ସମସ୍ୟା ଓ କର୍ମକ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା ଯୋଗୁ ଯୁବସମାଜ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ପାରିବାରିକ ଦ୍ୱନ୍ଦ୍ୱ ଏବଂ ସନ୍ଦେହଭରା ବାତାବରଣ ମଧ୍ୟ ବେଳେବେଳେ ଯୁବସମାଜକୁ ଠେଲିଦେଉଛି ସ୍ବାଭିମାନର ଲଢ଼େଇରେ ବଳି ପଡ଼ିବାକୁ। ଅବିନ୍ୟସ୍ତ ଜୀବନଶୈଳୀ ସାଙ୍ଗକୁ ମାନସିକ ଅବସାଦ ନିଜ ପ୍ରିୟଜନ ସାଥିରେ ବାଣ୍ଟି ନ ପାରିବାର ବ୍ୟର୍ଥତା, ସେମାନଙ୍କୁ ବାଟ କଢ଼େଇ ନେଉଛି ମୃତ୍ୟୁ ପଥରେ। ଏହାଛଡ଼ା ଆମର ଯୁବସମାଜ ନିକଟରେ ବିଫଳତାକୁ ସାମ୍ନା କରିବା ସାମର୍ଥ୍ୟର ଘୋର ଅଭାବ ଆତ୍ମହତ୍ୟାର ପ୍ରମୁଖ କାରଣ ପାଲଟିଛି।
କିଏ ଜଣେ କହିଥିଲେ- ତରୁଣ ଆଖିରେ ସ୍ବପ୍ନ ବଞ୍ଚିଥିଲା ଯାଏ ଦେଶର ଭବିଷ୍ୟତ ସୁରକ୍ଷିତ। ମାତ୍ର ଦିଗ୍‌ଭ୍ରାନ୍ତ ତରୁଣମାନଙ୍କର କରୁଣ କାର୍ଯ୍ୟକଳାପ ଦେଖିଲେ ମନରେ ପ୍ରଶ୍ନ ଉଠେ- ସତରେ କ’ଣ ଆମ ତରୁଣଙ୍କ ଆଖିରେ ଆଉ ତାରୁଣ୍ୟର ନିଶା ନାହିଁ? ମନେପଡ଼େ- ହେଲେନ୍‌ କେଲରଙ୍କ କଥା। ମଣିଷର ତିନିଟି ଶ୍ରେଷ୍ଠ ଇନ୍ଦ୍ରିୟ ହେଲା- କହିବା, ଶୁଣିବା ଓ ଦେଖିବା। ଏହି ତିନିଟିଯାକ ଇନ୍ଦ୍ରିୟରୁ ବଞ୍ଚିତ ହେଲେ ହେଲେନ କେଲର। ସେ ହୋଇଗଲେ ଅନ୍ଧ, ମୂକ ଓ ବଧିର। ତଥାପି ଭାଙ୍ଗି ନ ପଡ଼ି ଉତ୍ସର୍ଗୀକୃତ ସାଧନା ଦ୍ୱାରା ସେ ଶାରୀରିକ ଅସାମର୍ଥ୍ୟକୁ ଜୟକଲେ। ବିଶ୍ୱକୁ ତାଙ୍କର ଏହି ଉଦାହରଣ କେତେ ବେଶି ମୂଲ୍ୟବାନ! ଆଖିରେ ଦେଖି ପାରୁ ନ ଥିଲେ ବି ସେ କହିଥିଲେ- ଏ ପୃଥିବୀ କେତେ ସୁନ୍ଦର!
ବିଥୋଭେନ ପାଶ୍ଚାତ୍ୟ କ୍ଲାସିକାଲ ସଙ୍ଗୀତର ଜଣେ ପ୍ରବାଦ ପୁରୁଷ। ତାଙ୍କର ‘ସିମ୍ପୋନୀ’ ପାଇଁ ସେ ବିଶ୍ୱବିଖ୍ୟାତ। ପିଆନୋ ଓ ଭାଓଲିନ୍‌ ଉଭୟରେ ଥିଲା ତାଙ୍କର ଅନନ୍ୟ ଦକ୍ଷତା। ମାତ୍ର ୨୦ ବର୍ଷ ବୟସରେ ବିଥୋଭେନ୍‌ଙ୍କ ସଂଗୀତ ମୁଖରିତ ଜୀବନ ଆକସ୍ମିକ ବିଧ୍ୱସ୍ତ ହୋଇଗଲା- ଯେତେବେଳେ ତାଙ୍କ କାନକୁ ଆଉ ଶୁଭିଲା ନାହିଁ ଓ ସେ ବଧିର ହୋଇଗଲେ। ତଥାପି ଇନ୍ଦ୍ରିୟର କ୍ରିୟାଶୀଳତା ବାହାରେ ତାଙ୍କର ଥିଲା ଅଦ୍ଭୁତ ଶ୍ରବଣଶକ୍ତି। ଶୁଣି ନ ପାରିବାର ସମସ୍ତ କଷ୍ଟ ସତ୍ତ୍ୱେ ବିଥୋଭେନ ସଂଗୀତ ସୃଷ୍ଟିର ପ୍ରକ୍ରିୟାରୁ କେବେ ବି ବିଚ୍ଛିନ୍ନ ନ ଥିଲେ। ଏ ପରିପ୍ରେକ୍ଷୀରେ ଖୁବ୍‌ ମନେପଡ଼ନ୍ତି ବିଶ୍ୱବିଖ୍ୟାତ ଔପନ୍ୟାସିକ ଆର୍ନେଷ୍ଟ ହେମିଙ୍ଗଓ୍ବେ। ସେ ତାଙ୍କର କାଳଜୟୀ ଉପନ୍ୟାସ ‘ଦି ଓଲ୍ଡମ୍ୟାନ୍‌ ଆଣ୍ଡ୍‌ ଦ ସି’ରେ କହନ୍ତି- ”Man is not made for defeat. A man can be destroyed but not defeated.“ ବାସ୍ତବରେ ପରାଜୟ ପାଇଁ ମଣିଷର ଜନ୍ମ ନୁହେଁ। କାଉଁରିଆ କାଠି ଭାଙ୍ଗିଯିବ ପଛେ ନଇଁବ ନାହିଁ।
ପାଠକେ! ବହୁ ଜନ୍ମର ତପସ୍ୟା ପରେ ମଣିଷ ଜନ୍ମ ମିଳେ। ଏ ମଣିଷ ଜନ୍ମ ଦେବଦୁର୍ଲଭ। ଏ ମୂଲ୍ୟବାନ ଜୀବନକୁ ସ୍ବେଚ୍ଛାରେ ମୃତ୍ୟୁ ହାତରେ ଟେକିଦେବା କେବେ ବି ବିଜ୍ଞତାର କଥା ନୁହେଁ। ଜୀବନ ଅଛି ମାନେ ଦୁଃଖ ଓ ସମସ୍ୟା ଅଛି। ଏ ସଂସାରରେ କୌଣସି ଦୁଃଖ ବା ସମସ୍ୟା ଚିରନ୍ତନ ନୁହେଁ। All things shall pass away. ଏ ସମୟ ରହିବ ନାହିଁ। ଖାଲି ଆମର ଦୃଷ୍ଟିକୋଣରେ ପରିବର୍ତ୍ତନ ଲୋଡ଼ା। ଆମେ ଅଭିଯୋଗ କରିବା ନାହିଁ ଯେ, ଗୋଲାପ ପାଖରେ କାହିଁକି କଣ୍ଟା ଅଛି? ବରଂ ଏକଥା କହିବା ଯେ, କଣ୍ଟା ଭିତରେ ବି ଗୋଲାପ ଅଛି। ଜୀବନର ସମସ୍ତ ଘାତ ପ୍ରତିଘାତ ସତ୍ତ୍ୱେ ଯିଏ ଲକ୍ଷ୍ୟରେ ଅଟଳ, କର୍ମରେ ଅବିଚଳ, ସେ ହିଁ ନାୟକ। ବିଶ୍ୱ ପ୍ରସିଦ୍ଧ ଇଂରେଜ କବି ଓ୍ବାର୍ଡସଓ୍ବାର୍ଥଙ୍କ ଭାଷାରେ-
”ଅନ୍ଧାର ଭିତରେ ଆଖି ଖୋଲିଦେବାର ଆନନ୍ଦ
ଆଲୋକ ଭିତରେ ଆଖି ବୁଜିଦେବାର ଦୁଃଖ
ଯିଏ ସବୁ କଥାକୁ ସାମ୍ନା କଲା
ସେ ନାୟକ
ପଛକୁ ହଟିଲେ ପଳାତକ।“
ସତରେ ପଳାତକ ହେବା ପାଇଁ ମଣିଷର ଜନ୍ମ ନୁହେଁ, ସଂଗ୍ରାମ କରିବା ହେଉଛି ମଣିଷର ଧର୍ମ।
ନୀଳମାଧବ କଲେଜ, କଣ୍ଟିଲୋ, ନୟାଗଡ଼
ମୋ: ୯୪୩୭୫୧୭୯୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri