
କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏଥିସହ ତାଙ୍କର ଦୁଇ ସହଯୋଗୀ ଭି. ବେଣୁଗୋପାଳ ଓ ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ବିଚାରପତି ଭି. ନରସିଂହଙ୍କ ଖଣ୍ଡପୀଠ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମପର୍ଣ କରି ଜାମିନ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦେବ ନାରାୟଣ ପଣ୍ଡା କାର୍ଯ୍ୟ କରୁଥିଲେ। ୨୦୧୯ ମେ’ ୨୭ରେ ସେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଥାନାରେ ଏ ନେଇ ପ୍ରଥମେ ମାମଲା ରୁଜୁ ହୋଇଥିଲା। ଏହାର ୨ଦିନ ପରେ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ ନିକଟରୁ ମିଳିଥିଲା।