କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ ନିର୍ମାଣାଧୀନ ଜଗନ୍ନାଥ ମନ୍ଦିର ଉପରକୁ ଚଢ଼ି ଯାଇଥିଲେ। ଯୁବତୀଙ୍କୁ ନ ଆଣିଲେ ଏବଂ ବିବାହ ପ୍ରତିଶ୍ରୁତି ନ ଦେଲେ ଓହ୍ଲାଇବେ ନାହିଁ ବୋଲି କହିଥିଲେ।
ପ୍ରକାଶ ଯେ, ଯୁବକ ଜଣଙ୍କ ତାଙ୍କ ଗ୍ରାମ ନିକଟ କାଣ୍ଡବାରିସି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ନିକଟରେ ସେମାନେ କୁଆଡ଼େ ଚାଲିଯାଇଥିଲେ। ଉଭୟ ପରିବାର ସେମାନଙ୍କୁ ବୁଝାଶୁଝା କରି ଘରକୁ ଆଣିଥିଲେ। ପରେ ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ଅଲଗା ସ୍ଥାନରେ ରଖିଥିଲେ। ଭେଟ କରିବାକୁ ଦେଇ ନ ଥିଲେ। ଏଥିରେ ଯୁବକ ଜଣକ କ୍ଷୁବ୍ଧହୋଇ ଅପରାହ୍ନ ପ୍ରାୟ ୨ଟାରେ ଉକ୍ତ ମନ୍ଦିର ଉପରକୁ ଚଢ଼ିଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚତ୍ ତାଙ୍କୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ। ପରିବାର ଲୋକ ମଧ୍ୟ ବୁଝାଶୁଝା କରିଥିଲେ ବି ସେ ଓହ୍ଲାଇ ନ ଥିଲେ। ଯୁବତୀଙ୍କୁ ଆଣିବା ଓ ତାଙ୍କୁ ବିବାହ କରାଇବାକୁ ଜିଦ୍ ଧରିଥିଲେ। ନଚେତ୍ ତଳକୁ ଡେଇଁପଡ଼ିବେ ବୋଲି ଧମକ ଦେଇଥିଲେ। ଦୀର୍ଘ ସମୟ ପରେ ପାଖାପାଖି ୪ଟା ୩୦ରେ ପୋଲିସ ଓ ଅଗ୍ନିଶମ ବାହିନୀ ଉପରକୁ ଯାଇ ତାଙ୍କୁ ବୁଝାଶୁଝା କରି ତଳକୁ ଆଣିଥିଲେ। ଏ ନେଇ ହରିଚନ୍ଦନପୁର ଥାନା ଅଧିକାରିଣୀ ମିତାଲି ବିଶ୍ୱାଳ କହିଛନ୍ତି, ମନ୍ଦିର ଉପରକୁ ଚଢ଼ିଯାଇଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
Dharitri – Odisha’s No.1 Odia Daily

