ଦୁବାଇ,୬।୧୧: ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମିଠା ପ୍ୟାକେଟ୍ କିମ୍ବା ଛୋଟ ଉପହାର ଦେଇଥାନ୍ତି । ହେଲେ ୟୁଏଇର ଏକ କମ୍ପାନୀରେ ଏଥର ଯାହା ଘଟିଛି, ତାହା ସମସ୍ତଙ୍କ ହୃଦୟ ଜିତିଛି । କମ୍ପାନୀର ମାଲିକାଣୀ ତଥା କେରଳର ବାସିନ୍ଦା ହସିନା ନିଶାଦ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦୀପାବଳି ଉପହାର ଭାବେ ଦେଇଛନ୍ତି ଦାମୀ iPhone Duo। ଏହି ଉପହାର ପାଇବା ପରେ ମହିଳା କର୍ମଚାରୀଙ୍କ ଖୁସିର ସୀମା ରହିନଥିଲା।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ହସିନା ସମସ୍ତ ମହିଳା କର୍ମଚାରୀଙ୍କୁ କନ୍ଫରେନ୍ସ ରୁମ୍କୁ ଡାକିଥିଲେ। ସେମାନଙ୍କୁ ନିଜ ନିଜ ଚେୟାରରେ ବସିବାକୁ କହିଥିଲେ। ଏହାପରେ ମହିଳାମାନେ ଚେୟାର ଘୁଞ୍ଚାଇବା ବେଳେ ତଳେ ରଖାଯାଇଥିବା ଗିଫ୍ଟ ବକ୍ସ ଦେଖିବାକୁ ପାଇଥିଲେ। ବକ୍ସ ଖୋଲିବା ପରେ ଭିତରେ ନୂଆ iPhone Duo ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖୁସିରେ କେହି ଚିତ୍କାର କରିଥିଲେ ତ ଆଉ କେହି ପରସ୍ପରକୁ ଆଲିଙ୍ଗନ କରି ଭାବବିହ୍ୱଳ ହୋଇପଡ଼ିଥିଲେ।
ଭିଡିଓର ସବୁଠାରୁ ଭାବପ୍ରବଣ ଦୃଶ୍ୟ ଥିଲା ହାଉସ୍କିପିଂ ବିଭାଗର ଜଣେ ମହିଳା କର୍ମଚାରୀଙ୍କୁ ଉପହାର ଦେବା ସମୟର। ସେହି ମହିଳା ଜଣକ ସରବତ ନେଇ ଆସିଥିବା ବେଳେ ହସିନା ତାଙ୍କୁ ମଧ୍ୟ iPhone Duo ଉପହାର ଦେଇଥିଲେ। ଏହା ଦେଖି ମହିଳା ଜଣକ ଭାବବିହ୍ୱଳ ହୋଇ ହସିନାଙ୍କୁ ଜୋରରେ ଆଲିଙ୍ଗନ କରିଥିଲେ ଏବଂ କାନ୍ଦି ପକାଇଥିଲେ। ହସିନା ନିଶାଦ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ @haseena_nishadରେ ଏହି ଭିଡିଓ ସେୟାର କରିଛନ୍ତି। ମହିଳାମାନେ ଆଗକୁ ବଢ଼ନ୍ତୁ ଏବଂ ନିଜ ସ୍ୱପ୍ନ ପୂରଣ କରନ୍ତୁ ବୋଲି ସେ ଚାହୁଁଥିବା କ୍ୟାପ୍ସନ୍ରେ ଲେଖିଛନ୍ତି । ଏହି ଭିଡିଓକୁ ଏଯାଏ ୨୦ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛନ୍ତି ।
ଏହା ପ୍ରଥମ ଘଟଣା ନୁହେଁ । ଗତ ସେପ୍ଟେମ୍ବର ୨୪ ତାରିଖରେ ମଧ୍ୟ ଏହି କମ୍ପାନୀର ଏକ ଭିଡିଓ ସାମ୍ନାକୁ ଆସିଥିଲା। ସେଥିରେ କମ୍ପାନୀର ମାଲିକ ତଥା ହସିନାଙ୍କ ସ୍ୱାମୀ ନିଶାଦ ହୁସେନ କର୍ମଚାରୀଙ୍କୁ iPhone ଉପହାର ଦେଉଥିବା ଦେଖାଯାଇଥିଲା। ଏବେ ହସିନାଙ୍କ ଏହି ଉପହାର ଭିଡିଓ ଦେଖି ଅନେକ ଲୋକ ସୋସିଆଲ ମିଡିଆରେ ଏଭଳି ବସ୍ଙ୍କୁ ପ୍ରଶଂସା କରିବା ସହ ଏପରି କମ୍ପାନୀରେ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

