ପ୍ରାଣୀ ପ୍ରତି ପ୍ରେମ

ନୀଳିମା ନିବେଦିତା

ଉପନିଷଦ କୁହେ : ଅନ୍ନଂ ବ୍ରହ୍ମ। ଅର୍ଥାତ୍‌ ଅନ୍ନ ହିଁ ବ୍ରହ୍ମ। ଯଦିଚ ପ୍ରୋଟିନ ଓ ଦେହ ପାଇଁ ହିତକର କହି ଅଧିକାଂଶ ଲୋକ ଆମିଷକୁ ଉଦରସ୍ଥ କରି ଖୁସି ହେଉଛନ୍ତି, ହେଲେ ନିଜକୁ ମଣିଷ ବୋଲାଉଥିବା ସର୍ବଶ୍ରେଷ୍ଠ ପ୍ରାଣୀର ଆଖ୍ୟା ପାଇଥିବା, ବିଶେଷକରି ଜୀବେ ଦୟାରେ ବିଶ୍ୱାସ ରଖୁଥିବା କେତେକ ନିର୍ଦ୍ଦିଷ୍ଟ ଲୋକଙ୍କର ପଶୁଙ୍କ ପ୍ରତି ଅନାବିଳ ପ୍ରେମ କେମିତିକା ସେକଥା ଆଜି ଯାଏ ମୋ ମଗଜରେ ପଶିଲାନି। କାରଣ, ମାଛକୁ ଭଲ ପାଉଥିବା ଲୋକ ଘରେ ଆକ୍ୱାରିୟମ ରଖେ, କୁନି କୁନି ରଙ୍ଗବେରଙ୍ଗର ମାଛଙ୍କୁ ସେଥିରେ ଛାଡ଼ି ସ୍ନେହରେ ସେମାନଙ୍କ ନାଁ ବି ଦିଏ। ମାତ୍ର ରବିବାର, ବୁଧବାର କି ଶୁକ୍ରବାର ଦିନ, ‘ଆଜି ବାରି ଅଛି’ କହି ମାଛ ଖାଇବାରୁ ନିଜକୁ ବାରଣ କରେନା। ଆଉ ଯଦି ଜିଅନ୍ତା ମାଛ ତୁଉଣ, ତେବେ ତ ଆନନ୍ଦ ତା’ର ନ କହିଲେ ଭଲ। ନିଜକୁ ପ୍ରାଣୀପ୍ରେମୀ କହି ସେହିପରି କୁକୁର, ବିଲେଇ, ମୂଷା, ଠେକୁଆ, ଚଢ଼େଇ ନାନା ଜନ୍ତୁଙ୍କୁ ଘରେ ଆଣି ରଖେ ମଣିଷ। ହେଲେ ବାର ଅଛି କହି ପୁଣି ବ୍ୟଞ୍ଜନରେ ଭକ୍ଷଣ କରେ ନିରୀହ କୁକୁଡ଼ା, ଛେଳି କିମ୍ବା ସେହିପରି କିଛି ଜୀବନମାନଙ୍କୁ, ମସଲା ଦେଇ ରନ୍ଧା ହୋଇଥିବା ମାଉଁସକୁ।
ଡାରଉଇନଙ୍କ ମତରେ survival of the fittest। ଏହାକୁ ଆଦର୍ଶ ଭାବୁଥିବା ଲୋକ ନିଜେ ବଞ୍ଚିବା ପାଇଁ ଅନ୍ୟକୁ ମାରି ଖାଇବାରେ ତୃପ୍ତି ଲାଭ କରେ। ମାତ୍ର ମହାତ୍ମା ଗାନ୍ଧୀ କହିଛନ୍ତି, ଏକାସାଙ୍ଗରେ ଜଣେ ପ୍ରକୃତିର ସମ୍ମାନ ଏବଂ ମାଂସହାରକୁ ସମ୍ମତି ଦେଇପାରିବ ନାହିଁ। ‘ହିଂସା’ ପଶୁପଣିଆ, ଯେତେବେଳେ କି ‘ଅହିଂସା’ ମାନବିକତା। ଖାଦ୍ୟ କଦାପି ଅନ୍ୟର ଶୋଷଣ, ହତ୍ୟା, କଷଣ ଦେଇ ନ ଆସିବା ଉଚିତ। ‘ଯେମିତି ଅନ୍ନ ସେମିତି ମନ’ ବୋଲି ବ୍ରହ୍ମାକୁମାରୀ ଭଉଣୀ ଶିବାନୀଙ୍କ ଉକ୍ତି। ଆମ ଶରୀର ଖାଦ୍ୟ ଓ ପାନୀୟର ଏକ ସମ୍ମିଶ୍ରଣ କହିଲେ ଭୁଲ୍‌ ହେବନି। ଦେହରେ ସାମାନ୍ୟ ଖଣ୍ଡିଆ ହେଲେ, କୌଣସି ଅଙ୍ଗରେ କେଉଁଠି ଟିକେ କଟିଗଲେ: ଓଃ କି ଅସହ୍ୟ ଯନ୍ତ୍ରଣା ହୁଏ ମନରେ! ସେମାନେ ବି ତ ଜୀବନ! ତାଙ୍କ ଅସହାୟତାର ସୁଯୋଗ ନେଇ ଆମେ ତାଙ୍କୁ ମାରି ରାନ୍ଧି ଖାଇବା ଓ ତାକୁ ଉତ୍ତମ ଖାଦ୍ୟ କହିବା କେତେଦୂର ଯୁକ୍ତିଯୁକ୍ତ?
ଆଜିର ଯୁବପିଢ଼ିଙ୍କୁ ଉପନିଷଦ ପଢ଼ାଇବାକୁ ପଣ କରିଥିବା ଆଚାର୍ଯ୍ୟ ପ୍ରଶାନ୍ତ କୁହନ୍ତି, ‘ସତ କହିବାକୁ ଗଲେ ଜୀବନରେ କେବଳ ଦୁଇଟି କଥା ହିଁ ସତ୍ୟ : ପ୍ରେମ ଆଉ ହୋସ। ପ୍ରେମ ପୂର୍ବକ ହୋଇ ହୋସ ସମ୍ଭାଳି ଯଦି ଆମିଷ ଖାଇପାରିଲ ତେବେ କେଉଁଠି ବି କିଛି ଅସୁବିଧା ନାହିଁ। ଏଠାରେ ପ୍ରସଙ୍ଗ ପଶୁପକ୍ଷୀଙ୍କ ହତ୍ୟାର ନୁହେଁ, ଏଠାରେ ପ୍ରଶ୍ନ ଆମମାନଙ୍କର। ଆମେ ଯେଉଁ ବି କାର୍ଯ୍ୟ କରୁ ତାହା କେଉଁ ପରିସ୍ଥିତିରେ କରୁ? ଶାକାହାର କିମ୍ବା ଅହିଂସାର ସମ୍ପର୍କ ଅନ୍ୟପ୍ରତି ଦୟା ସହିତ ନାହିଁ ବରଂ ଆମ ନିଜର ଅନ୍ତଃ ସ୍ଥିତି ସହିତ ଜଡ଼ିତ ଏହା ବୁଝିବା ବିଧେୟ। ଥରେ ବୋଧ ଜାଗ୍ରତ ହେଲେ ଆମେ ଆମ ସୀମାକୁ ଭଲ ରୂପେ ଏବଂ ସ୍ପଷ୍ଟ ଭାବେ ଦେଖିପାରିବା। ସ୍ବଳ୍ପରେ ବୁଝାଇ କହିଲେ, ଯେଉଁ ଜୀବନକୁ ନ ଖାଇ ବି ଆମେ ବଞ୍ଚି ଯାଇପାରିବା, ତାକୁ କାହିଁକି ବା ଅଯଥାରେ ମାରିବା?’
ମଣିଷମାନଙ୍କୁ ପ୍ରକୃତି ପ୍ରଥମରୁ ସାଥୀଟିଏ କରି ହିଁ ଜନ୍ମ କରିଥାଏ। ଆମେ ଯେତେ ଖରାପରୁ ଖରାପ ଜୀବନ ବିତାଉନା କାହିଁକି, ପ୍ରକୃତି କେବେ ବି ଅନ୍ତରପାନ୍ତର କରେନା। କାହିଁକି ? କାରଣ ପ୍ରକୃତିରେ ପାପ ପୁଣ୍ୟ ବୋଲି କିଛି ନ ଥାଏ। ନା ସୂର୍ଯ୍ୟକିରଣ ଦେବାକୁ ମନା କରେ, ନା ଗଛ ଅମ୍ଳଜାନ, ନା ନଦୀ ପାଣି ଦେବାକୁ ବାରଣ କରେ ନା ମାଟି ଆମ ବୋଝ ବୋହିବାକୁ ! ପ୍ରକୃତି ଚାହେଁ ମଣିଷ ବଞ୍ଚି ରହୁ। ଶ୍ରେଷ୍ଠପ୍ରାଣୀ ମଣିଷମାନଙ୍କ ପାଖରେ କିନ୍ତୁ ବିବେକଟିଏ ଥାଏ, ହେତୁଟେ ଥାଏ, ନୁହେଁ କି ?
କୌଣସି ପ୍ରକାର ବାହ୍ୟ ଚାପ କିମ୍ବା କାହା ଦ୍ୱାରା ପ୍ରଭାବିତ ହୋଇ ଆମିଷ ନ ଖାଇବା, ଆପଣଙ୍କୁ ନିରାମିଷାଶୀ କରେ ନାହିଁ। ମନ ଭିତରେ ଆମିଷ ବ୍ୟଞ୍ଜନ ପ୍ରତି ଥିବା ଲୋଭ ଏବଂ ଆକର୍ଷଣ ହିଁ ଅର୍ଦ୍ଧଭୋଜନ ସଦୃଶ। ତେଣୁ ଯେପର୍ଯ୍ୟନ୍ତ ମନର ମୌଳିକ ବ୍ୟବସ୍ଥା ବଦଳିନି ସେତେବେଳ ଯାଏଁ ଆମିଷ ପରିତ୍ୟାଗ ବି ଅର୍ଥହୀନ। ପ୍ରଭାବିତ ହୋଇ କିମ୍ବା ବାଧ୍ୟବାଧକତାରେ ଆମିଷ ଖାଇବା ଛାଡ଼ି କେବଳ ଅଭ୍ୟାସଟାକୁ କେଇଟା ଦିନ ବିରତି ଦେଇପାରେ, ମାତ୍ର ମୂଳ ଆଧାର ଯାହା ଥିଲା ସେଇଆ ରହିଲା। ମୂଳ ବଦଳିଲେ ସିନା ବଦଳିବ ମନ ! ମନ ବଦଳିଲେ ଆମେ ଅନ୍ୟ କାହାର ଜୀବନ ନେଇ ନିଜ ଜିଭ ଲାଳସାକୁ ସନ୍ତୋଷ ଦେବା ଅସମ୍ଭବ ହେବ । ଜାଣତରେ ଗୋଟେ ନିରୀହ ପଶୁ କିମ୍ବା ପକ୍ଷୀ ପ୍ରତି ଅନ୍ୟାୟ ହେବାକୁ ଦେବା କସ୍ମିନ କାଳେ ସମ୍ଭବ ହେବ ନାହିଁ ।
କ୍ୟାରିକାଚରିଷ୍ଟ, କଳିଙ୍ଗ ବିହାର, ଭୁବନେଶ୍ୱର
ମୋ:୯୬୬୮୯୯୬୩୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?