ଜୋଷୀମଠର ଆହ୍ବାନ

ସୌଭାଗ୍ୟ ସୁନ୍ଦରରାୟ

ହିମାଳୟ ପର୍ବତମାଳା ସମ୍ପ୍ରତି କ୍ଷତାକ୍ତ। ଅତ୍ୟାଧୁନିକ ଯନ୍ତ୍ରପାତିରେ ସଜ୍ଜିତ ଇଞ୍ଜିନିୟରମାନେ ପାହାଡ଼ ଖୋଳି, ଗଛ କାଟି ପ୍ରକୃତି ଉପରେ ନିଜର ପରାକାଷ୍ଠା ଜାହିର କରିଚାଲିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିର ଜୟଯାତ୍ରାର ଖୁସି ମନାଉଛନ୍ତି ଆଧୁନିକ ଭିତ୍ତିଭୂମି ନିର୍ମାଣକାରୀଗଣ। ଅପରପକ୍ଷରେ ଉତ୍ତରାଖଣ୍ଡ ରାଜ୍ୟର ଚମୋଲି ଜିଲା ଅନ୍ତର୍ଗତ କ୍ଷୁଦ୍ର ସହର ଜୋଷୀମଠ ଅଞ୍ଚଳଟି ଦବିଯାଇ ଚାଷଜମି, ଭୂସ୍ତର, ଘରଦ୍ୱାର ଫାଟି ଯାଉଥିବା ଖବର ମିଳିଛି। ଏହି ମ୍ୟୁନିସିପାଲିଟି ସହରର ଭବିଷ୍ୟତ ସ୍ଥିତି ନେଇ ଆଶଙ୍କା ଉପୁଜିଲାଣି। ଜନସାଧାରଣ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କଲେଣି। ପ୍ରଶାସନ ମଧ୍ୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ପାଇଁ ଏଠାରେ ବନ୍ଦ ରଖିଛି।
ବିଭିନ୍ନ ଦୃଷ୍ଟିକୋଣରୁ ଜୋଷୀମଠ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ସନାତନ ଧର୍ମର ସୁରକ୍ଷା ଓ ଅଦ୍ୱୈତ ବେଦାନ୍ତ ପ୍ରସାର ପାଇଁ ଆଦି ଶଙ୍କରାଚାର୍ଯ୍ୟ ଦେଶ ଭ୍ରମଣ ସମୟରେ ୪ ଦିଗରେ ଯେଉଁ ୪ଟି ମଠ ପ୍ରତିଷ୍ଠା କରିଥିଲେ ସେଥିମଧ୍ୟରୁ ଜ୍ୟୋତିର୍ପୀଠ ଅନ୍ୟତମ। ଏହା ଦେଶର ଉତ୍ତର ଭାଗରେ ଅବସ୍ଥିତ। ବଦ୍ରିନାଥ ଯାତ୍ରା ପାଇଁ ମଧ୍ୟ ଏହା ଦ୍ୱାରଦେଶ। ଏହିଠାରୁ ବଦ୍ରିନାରାୟଣ ଦର୍ଶନ ଯାତ୍ରା ଆରମ୍ଭ ହୋଇଥାଏ। ସାମରିକ ଦୃଷ୍ଟିକୋଣରୁ ସ୍ଥାନଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ-ଚାଇନା ସୀମା ଏଠାରେ ରହିଛି। ଏଣୁ ସ୍ଥଳସେନା ଘରୱାଲ ରାଇଫଲର ଘରୱାଲ ସ୍କାଉଟ୍ସ ସ୍ଥାୟୀ କେନ୍ଦ୍ର ଏଠାରେ ରହିଛି। ୨୦୧୩ରେ ବାଦଲଫଟା ବର୍ଷା ଯୋଗୁ କେଦାରନାଥରେ ଘଟିଲା ଜଳପ୍ରଳୟ। ବହୁ ଧନଜୀବନ ନଷ୍ଟ ହେଲା। ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ଯେଉଁ ସ୍ଥାନକୁ ଚୟନ କରାଗଲା ତାହା ଥିଲା ଜୋଷୀମଠ। କାରଣ ଏହି ସ୍ଥାନରୁ ସମସ୍ତ କାର୍ଯ୍ୟର କାର୍ଯ୍ୟକାରିତା ସୁଗମ ହୋଇପାରିଥିଲା। ଧାର୍ମିକ, ସାମରିକ ଓ ଜୈବ ବିବିଧତା ଆଦିରେ ଏ ଅଞ୍ଚଳର ଗୁରୁତ୍ୱ ରହିଥିବାବେଳେ ଏସବୁଥିରୁ ଦୃଷ୍ଟି ହଟାଇ ଅର୍ଥନୈତିକ ବିକାଶ କୈନ୍ଦ୍ରିକ ମାନସିକତା ଯୋଗୁ ଜୋଷୀମଠ ଅଞ୍ଚଳଟି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ ଓ ବଦ୍ରିନାଥ ଆଦି ୪ ଧାମକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ୨୦୧୬ ରେ କାର୍ଯ୍ୟ ଆରମ୍ଭ କଲେ। ଏହି ପ୍ରକଳ୍ପରେ ରାସ୍ତା ଚଉଡ଼ା କରାଯିବାର ବ୍ୟବସ୍ଥା ରହିଲା। ଏହାକୁ ପରିବେଶବିତ୍‌ ବିରୋଧ କଲେ। ମାମଲା ସୁପ୍ରିମକୋର୍ଟକୁ ଗଲା। ହିମାଳୟ ପାର୍ବତ୍ୟାଞ୍ଚଳର ଜୈବ ବିବିଧତା ସମ୍ବେଦନଶୀଳ ହୋଇଥିବାରୁ ରାସ୍ତା ଓସାର ୫.୫ ମିଟରରେ ସୀମିତ ରଖିବା ପାଇଁ ପରିବେଶବିତ୍‌ ଦାବି କଲେ। କିନ୍ତୁ ସାମରିକ ଦୃଷ୍ଟିକୋଣରୁ ଏହି ରାସ୍ତା ଓସାର ୧୦ମିଟର କରିବା ପାଇଁ ସରକାର ଚାହିଁଲେ। କାରଣ ଏହାଦ୍ୱାରା ପ୍ରତିରକ୍ଷା ବିଭାଗର ବଡ଼ ଗାଡ଼ିଗୁଡ଼ିକ ସହଜରେ ଯାଇପାରିବ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଲେ। ଏହି ଦ୍ୱନ୍ଦ୍ୱ ମଧ୍ୟରେ ସୁପ୍ରିମକୋର୍ଟ ୨୬ ସଦସ୍ୟବିଶିଷ୍ଟ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କଲେ। ଏହାର ଅଧ୍ୟକ୍ଷ ରହିଲେ ପରିବେଶବିତ୍‌ ରବି ଚୋପ୍ରା। କମିଟିର ସଂଖ୍ୟାଗରିଷ୍ଠ ସଦସ୍ୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ରାସ୍ତା ଓସାର ୧୦ ମିଟର କରାଯିବାକୁ ମତ ଦେଇଥିଲେ। କିନ୍ତୁ ଚୋପ୍ରାଙ୍କ ସମେତ ଆଉ ୪ ଜଣ ସଦସ୍ୟ ଏହା ବିରୋଧରେ ମତ ଦେଇଥିଲେ। ତେବେ ସଂଖ୍ୟାଗରିଷ୍ଠ ମତକୁ ଗ୍ରହଣ କରି ଅଦାଲତ ୨୦୨୧ ଡିସେମ୍ବରରେ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ। ଫଳରେ ୯୦୦ କିଲୋମିଟର ବ୍ୟାପୀ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୨୦୦୦ କୋଟି ଟଙ୍କା ବ୍ୟୟ କରାଯାଉଛି। ଇତିମଧ୍ୟରେ ୬୦୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଜଣାଯାଇଛି। ପରବର୍ତ୍ତୀ ସମୟରେ ଚୋପ୍ରା ଉଚ୍ଚସ୍ତରୀୟ କମିଟିରୁ ଇସ୍ତଫା ଦେଇଥିଲେ।
ପରିବେଶ ଦୃଷ୍ଟିରୁ ଦେଖିବାକୁ ଗଲେ ହିମାଳୟର ଜୈବ ବିବିଧତା ଅତି ସମ୍ବେଦନଶୀଳ। ସେହିପରି ହିମାଳୟକୁ ବୟସ ମଧ୍ୟ ବେଶି ନୁହେଁ। ହିମାଳୟ ଏକ କନିଷ୍ଠ ପର୍ବତମାଳା ଭାବେ ବିବେଚିତ ହୋଇଥାଏ। ଭାରତ ଓ ୟୁରେସିଆର ଦୁଇଟି ବଡ଼ ଭୂଖଣ୍ଡର ଚଳନ ଓ ଧକ୍କା ଦ୍ୱାରା ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ହିମାଳୟ ପର୍ବତମାଳାର ସୃଷ୍ଟି ବୋଲି ଭୂତତ୍ତ୍ୱବିତ୍‌ ମତପ୍ରକାଶ କରିଥା’ନ୍ତି। କନିଷ୍ଠ ଯୋଗୁ ଏହାର ଭୂସ୍ତର ସେତେଟା ଟାଣ ହୋଇନାହିଁ। ଏହା ନମନୀୟ ଓ ଭଙ୍ଗୁର ଅବସ୍ଥାରେ ରହିଛି। ଏହି ପରିସ୍ଥିତିରେ ହିମାଳୟରେ ମନୁଷ୍ୟକୃତ କାର୍ଯ୍ୟକଳାପ ଏ ଅଞ୍ଚଳ ପାଇଁ ଅଧିକ ବିପର୍ଯ୍ୟୟ ସୃଷ୍ଟି କରିଛି। ଜୋଷୀମଠ ଅଞ୍ଚଳଟି ଯେ ଏବେ ଦବୁଛି ତାହା ନୁହେଁ। ଏ ପରିସ୍ଥିତି ଅନେକ ଦିନ ତଳୁ ଲକ୍ଷ୍ୟ କରାଗଲାଣି। ଦବିବାର କାରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ୧୯୬୪ରେ ତତ୍କାଳୀନ ଗଡୱାଲ ଜିଲାପାଳ ଏମ.ସି. ମିଶ୍ରଙ୍କୁ ସରକାର ନିଯୁକ୍ତ କରିଥିଲେ। ଜିଲାପାଳଙ୍କ ଦ୍ୱାରା ଗଠିତ ୧୮ ଜଣିଆ ସଦସ୍ୟବିଶିଷ୍ଟ କମିଟି ଯେଉଁ ରିପୋର୍ଟ ପ୍ରଦାନ କରିଥିଲା ସେଥିରେ ଉଲ୍ଲେଖ ଥିଲା ଯେ, ଜୋଷୀମଠ ସହର ଏକ ପୁରାତନ ଭୂସ୍ଖଳନ ଅଞ୍ଚଳରେ ଅବସ୍ଥିତ। ତେଣୁ ଏ ଅଞ୍ଚଳର ଆଖପାଖରେ ବ୍ୟାପକ ବିକାଶମୂଳକ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଯିବା ଆବଶ୍ୟକ। ଏହା ମଧ୍ୟରେ ଜଳବାୟୁ ପରିବର୍ତ୍ତନରେ ସମଗ୍ର ବିଶ୍ୱ ପ୍ରଭାବିତ। ହିମାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ମନୁଷ୍ୟକୃତ ହସ୍ତକ୍ଷେପ କେବଳ ଜୋଷୀମଠ ନୁହେଁ ସମଗ୍ର ହିମାଳୟକୁ ଆକ୍ରାନ୍ତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଜୋଷୀମଠ ଓ ତପୋବନ ଅଞ୍ଚଳରେ ଏକାଧିକ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ଅନୁମୋଦନ ଦିଆଗଲା। ଏହି ପ୍ରକଳ୍ପକୁ କିପରି ମଞ୍ଜୁରୀ ପ୍ରଦାନ କରାଗଲା ବୋଲି ସ୍ଥାନୀୟ ବାସିନ୍ଦା ଓ ପରିବେଶବିତ୍‌ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରାଗଲା ନାହିଁ। ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଟନେଲ ନିର୍ମାଣ ଅପରିହାର୍ଯ୍ୟ। ବିସ୍ଫୋରଣ ଦ୍ୱାରା ପାହାଡ଼ ଫଟାଯାଇ ଏହି ଟନେଲ ନିର୍ମାଣ କରାଯାଉଛି। ଟନେଲର ସଂଯୋଗୀକରଣ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଭୂସ୍ତରରେ କମ୍ପନ ସୃଷ୍ଟି ହେବା ସହ ଚାପ ବୃଦ୍ଧି ପାଉଛି। ଟନେଲ ନିର୍ମାଣ ପ୍ରକ୍ରିୟାରେ ଜଳଧାରଣ କରୁଥିବା ଭୂସ୍ତରରେ ରନ୍ଧ୍ର ସୃଷ୍ଟି ହେଉଛି। ଫଳରେ ବିଭିନ୍ନ ସମୟରେ ଚାପ ଯୋଗୁ ନିମ୍ନ ଜଳ ପଦାକୁ ଫୁଟି ବାହାରି ବନ୍ୟା ପରି ସମସା ସୃଷ୍ଟି କରିବାର ସମ୍ଭାବନା ରହିଛି।
ପରିବେଶ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାର ପ୍ୟାନେଲ (ଆଇପିସିସି) ବାରମ୍ବାର ହିମାଳୟ ଜୈବ ବିବଧତା ସମ୍ପର୍କରେ ନିଜ ରିପୋର୍ଟ ଉଲ୍ଲେଖ କରି ସତର୍କ କରାଇ ଆସୁଛି। ବିଶ୍ୱର ଏକ କନିଷ୍ଠ ପର୍ବତମାଳା ଭାବେ ହିମାଳୟ ନମନୀୟ ଓ ଅସ୍ଥିର ଅବସ୍ଥାରେ ରହିଛି। ଜଳବାୟୁରେ ସାମାନ୍ୟ ପରିବର୍ତ୍ତନ ପାର୍ବତ୍ୟାଞ୍ଚଳକୁ ବ୍ୟାପକ ଭାବେ ଆକ୍ରାନ୍ତ କରିବ ବୋଲି ଚେତାଇ ଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତରାଖଣ୍ଡରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେଉଥିବା ଲକ୍ଷ୍ୟ କରାଗଲାଣି। ୨୦୨୧ ଫେବୃୟାରୀରେ ବରଫ ସ୍ଖଳନ ଘଟି ଗଙ୍ଗାର ୨ଟି ଉପନଦୀ ଋଷିଗଙ୍ଗା ଓ ଧଉଳଗଙ୍ଗାରେ ପ୍ରବଳ ବନ୍ୟା ଆସି ବ୍ୟାପକ ଧନଜୀବନ ହାନି ଘଟିଥିଲା।
ଏଣୁ ଜୋଷୀମଠ ଅଞ୍ଚଳର ସାମ୍ପ୍ରତିକ ଅବସ୍ଥାକୁ ଦେଖିଲେ ପ୍ରଗତିର ଚକ୍ର ମଧ୍ୟରେ ଗତି କରି ଆମେ ଏକ ବିନାଶର ବିନ୍ଦୁ ନିକଟରେ ପହଞ୍ଚତ୍ ଯାଇଛେ ବୋଲି ଧରିନେବାକୁ ପଡ଼ିବ। ବିନ୍ଦୁ ସ୍ପର୍ଶ କରିବା ପୂର୍ବରୁ ବିନାଶର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବା ଜରୁରୀ।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?