ଇତିହାସରେ ହଜିଯିବେ

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଏକ ଐତିହାସିକ ଘଟଣା କ୍ରମରେ ସୁପ୍ରିମକୋର୍ଟ ‘ଦେଶଦ୍ରୋହ’ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଧାରା ୧୨୪ (ଏ) ଆଧାରରେ ୧୮୬୦ରୁ ଏହି ଆଇନ ରହିଛି ଓ ଏଭଳି ଏକ ଉପନିବେଶିକ ଆଇନକୁ ଆମେ ସ୍ବାଧୀନତା ପରେ ମଧ୍ୟ ବାତିଲ କରିନାହୁଁ । ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି.ରମନା, ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ବିଚାରପତି ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାରା ୧୨୪ (ଏ) ରେ ହୋଇଥିବା ଅଭିଯୋଗ ଆଧାରିତ ସବୁ ମାମଲା, ଆବେଦନ ଏବଂ ବିଚାରକୁ ସ୍ଥଗିତ ଘୋଷଣା କରିଛନ୍ତି। ଏଥିସହିତ ଏହି ଆଇନ ବଳରେ ନୂଆ ମାମଲା ରୁଜୁ ନ କରିବାକୁ ମଧ୍ୟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି ଯେ, ଏହି ସ୍ଥଗିତାଦେଶ ପରେ ଦେଶଦ୍ରୋହ ଆଇନ ବଳରେ କେନ୍ଦ୍ର ଅଥବା ରାଜ୍ୟ ସରକାର କୌଣସି ପ୍ରକାର ଏତଲା ରୁଜୁ କରିବା, ତଦନ୍ତ ଜାରି ରଖିବା କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଏହି ଆଇନର ପୁନର୍ବିଚାର ପ୍ରକ୍ରିୟା ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ଅନ୍ତତଃ ପକ୍ଷେ ଏହି ଆଇନର ପ୍ରୟୋଗ ବନ୍ଦ ରଖାଯିବ। ଯେଉଁମାନେ ଏହି ଦେଶଦ୍ରୋହ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ସେମାନେ ଅଦାଲତଙ୍କ ଦ୍ୱାରା ଜାମିନ ପାଇବାର ଉପଯୁକ୍ତ ପ୍ରକ୍ରିୟା ପାଇଁ ସୁଯୋଗ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ସେହିଭଳି ଉକ୍ତ ଆଇନ ବଳରେ ଯଦି କୌଣସି ନୂଆ ମାମଲା ରୁଜୁ କରାଯାଉଛି ତେବେ ଜାମିନ ଆବେଦନ ଲାଗି ସୁବିଧା ଦେବା ଏବଂ ଅଦାଲତଙ୍କ ଦ୍ୱାରା ଏହାର ବିଚାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜୁଲାଇ ତୃତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ଅବଶ୍ୟ ନିମ୍ନ ଅଦାଲତଗୁଡ଼ିକରେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ କେତେଦୂର ପାଳନ ହେବ ତାହା କହିବା କଷ୍ଟକର। ନିକଟ ଅତୀତରେ ଅନେକ ପ୍ରମାଣ ଦେଖିବାକୁ ମିଳୁଛି ଯେଉଁଥିରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ନିମ୍ନ କଚେରିରେ ତାହା ପାଳନ କରାଯାଉନାହିଁ। ଇଂରେଜ ଶାସନ କାଳରେ ଲୋକମାନ୍ୟ ତିଳକ, ଗାନ୍ଧିଜୀ, ଭଗତ ସିଂ ପ୍ରମୁଖ ସ୍ବାଧୀନତା ସଂଗ୍ରମୀମାନଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଥିଲା। କିନ୍ତୁ ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ଏବେ ଏହାକୁ ଯେଭଳି ଭାରତୀୟଙ୍କ ପାଇଁ ବ୍ୟବହାର କରାଯାଉଛି ତାହା ପୁନଶ୍ଚ ଉପନିବେଶ ଶାସନକୁ ସ୍ମରଣ କରିଦେଇଛି। କୌଣସି ବ୍ୟକ୍ତି ଭାରତର ପ୍ରତିଷ୍ଠିତ ଆଇନ ଓ ବ୍ୟବସ୍ଥା ପ୍ରତି ଶବ୍ଦ, ଭାଷା ତଥା ଲିଖିତ ଭାବେ ଅସମ୍ମାନ କରିବା, ଘୃଣା ସୃଷ୍ଟି ତଥା ଅବମାନନା ଉଦ୍ୟମ କରିବା, ଅଥବା ଉତ୍ତେଜିତ କରାଇବା କିମ୍ବା ଏ ନେଇ ଉଦ୍ୟମ କରିବା କ୍ଷେତ୍ରରେ ଆଇପିସିର ଧାରା ୧୨୪ (କ) ଅନୁଯାୟୀ ମାମଲା ରୁଜୁ କରାଯାଇଥାଏ। କିନ୍ତୁ ଏବେ ଦେଖାଯାଉଛି ଯେ,ଏହି ଧାରାକୁ ବାରମ୍ବାର ବ୍ୟବହାର କରାଯାଉଛି କେବଳ ଜଣେ ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ କେହି ଯଦି ସ୍ବର ଉତ୍ତେଳନ କରେ କିମ୍ବା ଗୋଟିଏ ଚିନ୍ତାଧାରାକୁ ପ୍ରତିରୋଧ କରେ। ଏହି ଧାରାର ବ୍ୟବହାର ଦେଶର ହିତ ପାଇଁ କରାଯାଉନାହିଁ।
ଏହି ଆଇନରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତକୁ ସର୍ବନିମ୍ନ ତିନି ବର୍ଷ ଜେଲ୍‌ଦଣ୍ଡାଦେଶ, ଜରିମାନା ଏବଂ ସର୍ବାଧିକ ଆଜୀବନ କାରାଦଣ୍ଡାଦେଶ ତଥା ଏଥିସହ ଜରିମାନା ଭଳି କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ସ୍ବାଧୀନ ଭାରତରେ ଉପନିବେଶବାଦର ଏଭଳି ଆଇନର ଉଚ୍ଛେଦ ପାଇଁ ବିଭିନ୍ନ ସଂଗଠନ, ମାନବାଧିକାର ସଂସ୍ଥା ତଥା ବୁଦ୍ଧିଜୀବୀଙ୍କ ପକ୍ଷରୁ ମଧ୍ୟ ସ୍ବର ଉଠିବାରେ ଲାଗିଛି। ଏପରିକି ଶାସନରେ ଥିବା ଦଳ ଦେଶଦ୍ରୋହ ଆଇନର ଦୁରୁପଯୋଗ କରୁଥିବା ଅଭିଯୋଗ ହୋଇଆସୁଛି। ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ନିର୍ଦ୍ଦେଶକୁ ଦେଶବ୍ୟାପୀ ସ୍ବାଗତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ହେଲା ଏହି ଆଇନ ବଳରେ ସରକାର ଅନେକ ଲୋକଙ୍କୁ ବାନ୍ଧି ଜେଲରେ ପୂରାଇଛନ୍ତି। ସରକାରଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ମତ ଦେବା, ବ୍ୟଙ୍ଗଚିତ୍ର କରିବା, ଟିପ୍ପଣୀ କରିବା ଯୋଗୁ ଗିରଫ କରାଯାଉଛି। ୨୦୧୫ରୁ ୨୦୨୦ ମଧ୍ୟରେ ୩୫୬ଟି ଦେଶଦ୍ରୋହ ମାମଲା ରୁଜୁ କରାଯାଇ ୫୪୮ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ଭାରତୀୟ ଅପରାଧ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡ଼ିଛି। ଏହାକୁ ବ୍ୟବହାର କରି ଗଣତନ୍ତ୍ରର ସ୍ବରକୁ ମଧ୍ୟ ଦବାଇ ଦିଆଯାଉଛି। ବିରୋଧୀ ଓ ସାମ୍ବାଦିକଙ୍କ ସ୍ବରକୁ ଦବାଇବା ଲାଗି ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଏହି ଆଇନ ଅଭିବ୍ୟକ୍ତିର ସ୍ବାଧୀନତାକୁ କଣ୍ଠରୋଧ କରୁଛି ବୋଲି କୁହାଯାଉଛି। ୨୦୧୮ର ଭୀମା କୋରେଗାଁଓ ମାମଲାରେ ପ୍ରତିଷ୍ଠିତ କବି ବାରାବାରା ରାଓଙ୍କ ଗିରଫଦାରିଠାରୁ ଆରମ୍ଭ କରି ୨୦୨୧ରେ ବିନୋଦ ଦୁଆ, ରାଜଦୀପ ସରଦେଶାଇ, ମୃଣାଳ ପାଣ୍ଡେ ପ୍ରମୁଖ ବିଶିଷ୍ଟ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଥିଲା। ଏବେ ଏହି ଧାରା ଜାରି ରହିଛି। ନିକଟରେ ଗୁଜରାଟର କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀ ଓ ମହାରାଷ୍ଟ୍ରର ରାଣା ଦମ୍ପତିଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିବା ଦେଶଦ୍ରୋହ ଆଇନର ନକାରାତ୍ମକ ଦିଗକୁ ସୂଚିତ କରୁଛି।
ଇଂରେଜମାନେ ଗାନ୍ଧୀ ଓ ତିଳକଙ୍କ ସ୍ବର ଦବାଇବା ଲାଗି ଏହି କଠୋର ଆଇନକୁ ପ୍ରଥମେ ପ୍ରୟୋଗ କରିଥିଲେ ହେଲେ ଏବେ ଆମେ ଭାରତୀୟଙ୍କୁ ‘ଦେଶଦ୍ରୋହୀ’ କହି ଶତ୍ରୁ ଭାବେ ଦେଖୁଛୁ। ସରକାରଙ୍କ ବିରୋଧରେ ସମାବେଶ କଲେ ଆୟୋଜକଙ୍କୁ ଦେଶଦ୍ରୋହୀ କୁହାଯାଉଛି। ଶେଷରେ କେତୋଟି କଥା ମନକୁ ଆସୁଛି। ପ୍ରଥମଟି ହେଲା, ବ୍ରିଟିଶ ଚାଲିଗଲେ କିନ୍ତୁ ଛାଡ଼ିଗଲେ ଏକ ମାଟିଆ ଚମଡ଼ା ଶାସକଗୋଷ୍ଠୀ, ଯେଉଁମାନଙ୍କର ମାନସିକତାରେ ଦମନ ରହିଛି ସର୍ବୋପରେ। ଦ୍ୱିତୀୟରେ, କୁହାଯାଇପାରେ ଯେ, ଯଦି ଭାରତ ଭଳି ଏକ ପ୍ରାଚୀନ ଦେଶକୁ କୌଣସି ବ୍ୟକ୍ତି ବିଶେଷ କିମ୍ବା ଗୋଷ୍ଠୀ ଭାଙ୍ଗି ଦେଇପାରେ ତେବେ ଏଭଳି ଦୁର୍ବଳ ଦେଶର ବଞ୍ଚିବାର କୌଣସି ଅଧିକାର ନାହିଁ। ତୃତୀୟରେ, ମନେରଖିବାକୁ ହେବ ଯେ, ଭାରତ ଉପରେ ଅନେକ ଆକ୍ରମଣକାରୀ ଦୀର୍ଘ ସମୟ ଶାସନ କରିବା ସତ୍ତ୍ୱେ ସେମାନଙ୍କର ବଂଶ ଲୋପ ଘଟିଛି, କିନ୍ତୁ ଏହି ଦେଶ ଆଜି ଏକ ସବଳ ରାଷ୍ଟ୍ର ଭାବେ ମୁଣ୍ଡ ଟେକିପାରିଛି। ଭାରତର ଏହି ସଫଳତା ପାଇଁ କୌଣସି ରାଜନୈତିକ ଦଳ, ନେତା, ଧର୍ମ କିମ୍ବା ପୂଜାସ୍ଥଳୀ ବାହାବା ନେଇପାରିବ ନାହିଁ। ଏହି ଦେଶରେ ଯାହା ହୋଇଛି ତାହା ଭାରତର ଜନସାଧାରଣ ସୃଷ୍ଟି କରିଛନ୍ତି। ଏହି ସହଜ କଥାକୁ ଯଦି କେହି ଅସ୍ବୀକାର କରେ ତେବେ ବୁଝିବାକୁ ହେବ ଯେ, ସେହି ବ୍ୟକ୍ତି ତାହାର ନିଜ ପିତାଙ୍କୁ ଚିହ୍ନିପାରୁ ନାହିଁ। ସେହି ବ୍ୟକ୍ତି ହେଉଛି ବାସ୍ତବ ଦେଶଦ୍ରୋହୀ। ଭାରତର ସଂସ୍କୃତି କେବେହେଲେ ଏକ ନ ଥିଲା। ବିଭିନ୍ନ ଭାଷା, ପୋଷାକ, ବର୍ଣ୍ଣ, ଜାତି, ଧର୍ମ ଏବଂ ଭିନ୍ନ ସ୍ବପ୍ନ ଦେଖୁଥିବା ସବୁ ପ୍ରାନ୍ତର ନାଗରିକ ହେଉଛନ୍ତି ଭାରତୀୟ। ଏହି ମୌଳିକ ଚିନ୍ତାଧାରାକୁ ଯଦି କୌଣସି ରାଜନେତା, ଗୁରୁ କିମ୍ବା ସଂଗଠନ ମାନିବାକୁ ପ୍ରସ୍ତୁତ ହେବେ ନାହିଁ ତେବେ ସେମାନେ ଖୁବ୍‌ ଶୀଘ୍ର ଇତିହାସରେ ହଜିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?