ବହୁତ ହରାଇଲେଣି

ଆକାର ପଟେଲ

ବହୁମତ ପାଇ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୋଦି ସରକାର ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୧୪ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ସରକାର ବେଶି ଭୋଟ୍‌ ପାଇବା ସହ ଅଧିକ ଆସନ ଜିତି କ୍ଷମତାରେ ବସୁବସୁ ତତ୍‌କ୍ଷଣାତ୍‌ ତାଙ୍କ ବିଚାରକୁ ଲାଗୁ କରିଦେଲେ। ଅଗଷ୍ଟ ୨୦୧୭ରେ ସୁପ୍ରିମ୍‌ କୋର୍ଟ ଦ୍ୱାରା ରଦ୍ଦ ଓ ଅସାମ୍ବିଧାନିକ ଘୋଷିତ ତିନି ତଲାକ୍‌କୁ ଭାଜପା ଜୁଲାଇ ୨୦୧୯ରେ ବେଆଇନ ବୋଲି ଘୋଷଣା କଲା। ୧୯୫୦ରେ ଏକକ ନାଗରିକ ସଂହିତା ଲାଗୁ କରିବା ଭାଜପା/ଜନସଂଘର କାର୍ଯ୍ୟସୂଚୀରେ ସ୍ଥାନ ପାଇଥିଲା। ତେବେ ଏହି ଦୃଷ୍ଟିରୁ ତିନି ତଲାକ୍‌କୁ ଅବୈଧ ଘୋଷଣା କରିବା ସେମାନଙ୍କ ପାଇଁ ଏକ ବିଜୟ ଥିଲା। ତା’ପର ମାସରେ କଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ଉଠାଇ ଦିଆଯାଇ ସବୁ ଅଣଭାଜପା ନେତାମାନଙ୍କୁ ଜେଲ୍‌ରେ ଠୁଙ୍କି ଦିଆଗଲା। ଏହା ଥିଲା ଭାଜପାର ଦ୍ୱିତୀୟ ପାଳିର ଦ୍ୱିତୀୟ ଅଧ୍ୟାୟ ଓ ସେହି ୧୯୫୦ର ଏଜେଣ୍ଡା ମଧ୍ୟ। ଏହାର ଦୁଇମାସ ପରେ ଅଯୋଧ୍ୟା ବିବାଦରେ ସୁପ୍ରିମ କୋର୍ଟ ମସ୍‌ଜିଦର ଜମିକୁ ହିନ୍ଦୁ ପକ୍ଷଙ୍କୁ ଦେବା ଲାଗି ରାୟ ଦେଲେ। ଉକ୍ତ ତିନୋଟି ଘଟଣା ଉପରେ ମୋଦି ଦ୍ୱିତୀୟ ପାଳିର ୬ ମାସ ମଧ୍ୟରେ ଭଲ ସ୍ଥିତି ଗଢ଼ିବାକୁ ସକ୍ଷମ ହେଲେ। ତା’ପର ମାସରେ ଭାଜପା କହିଲା, ନାଗରିକଙ୍କୁ ନେଇ ଉପସ୍ଥାପିତ କରିଥିତ୍ବା ତା’ର ଇସ୍ତାହାରକୁ କାର୍ଯ୍ୟକାରୀ କରିବ।
ଭାଜପାର ୨୦୧୯ ଇସ୍ତାହାରର ‘ଅନୁପ୍ରବେଶ ବିରୋଧୀ ଲଢ଼େଇ’ ଶୀର୍ଷକରେ ଦର୍ଶାଇଥିଲା ଯେ, ବେଆଇନ ଅନୁପ୍ରବେଶ ଯୋଗୁ ଦେଶର କେତେକ ଅଞ୍ଚଳରେ ସଂସ୍କୃତି ଓ ଭାଷାଗତ ପରିଚୟରେ ବିରାଟ ପରିବର୍ତ୍ତନ ହୋଇଛି। ଏହା ସ୍ଥାନୀୟ ଲୋକମାନଙ୍କର ଜୀବନଶୈଳୀ ଓ ରୋଜଗାରକୁ ଖୁବ୍‌ ପ୍ରଭାବିତ କରିଛି। ଏହି ସବୁ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ସରକାର ଖୁବ୍‌ ଶୀଘ୍ର ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ପ୍ରକ୍ରିୟା ଶେଷ କରିବେ। ଭବିଷ୍ୟତରେ ଅନ୍ୟ ଅଞ୍ଚଳଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହା ଲାଗୁ କରାଯିବ। ଏହି ପ୍ରକ୍ରିୟାରେ ପ୍ରଥମେ ଭାଜପା ନାଗରିକ ସଂଶୋଧନ ଆଇନ(ସିଏଏ) ପାସ୍‌ କଲା ବୋଲି ଅମିତ ଶାହା କହିବୁଲିଲେ। ପରେ ଏନ୍‌ଆର୍‌ସି ଘରକୁ ଘର ଯାଇ ଅନୁପ୍ରବେଶକାରୀଙ୍କୁ ବିଦା କରିବାର ଯୋଜନା ରଖିଥିବାବେଳେ ଏହି ଆଇନ ପଡ଼ୋଶୀ ଦେଶଗୁଡ଼ିକର ଅଣ ମୁସଲମାନମାନଙ୍କୁ ଆଶ୍ରୟ ଦେବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ଭାରତୀୟ ମୁସଲମାନମାନେ ଏହାକୁ ବିରୋଧ କରିବେ ବୋଲି ଭାଜପା ଚିନ୍ତା କରି ନ ଥିଲା। ଏପରି କି ଆଇନ ପାସ୍‌ ହୋଇଥିଲେ ମଧ୍ୟ ଦୀର୍ଘ ୨୦ ମାସ ହେବ ଏହା କାର୍ଯ୍ୟକାରୀ କରାଯାଇନାହିଁ। ଭାଜପାର ୨୦୧୯ ଇସ୍ତାହାର ସଂକଳ୍ପରେ ଥିବା ଏନ୍‌ଆର୍‌ସି ଏବେ ସ୍ଥଗିତ ରହିଛି। ଜୁନ୍‌ ୨୦୨୦ରେ କୃଷି ଅଧ୍ୟାଦେଶଗୁଡ଼ିକ ଆସିଲା। ଏଗୁଡ଼ିକ ବିରୋଧର ସମ୍ମୁଖୀନ ହେବ ବୋଲି ସରକାର ଭାବି ନ ଥିଲେ। ଏପରିକି ଏନ୍‌ଡିଏ ମେଣ୍ଟରେ ତଥା କ୍ୟାବିନେଟ୍‌ରେ ଥିବା ପଞ୍ଜାବର ଅକାଳୀ ଦଳ ଅଧ୍ୟାଦେଶଗୁଡ଼ିକ ପାସ୍‌ କରିବାରେ ସରକାରଙ୍କୁ ସମର୍ଥନ କରି ନ ଥିଲା। କୃଷି ଅଧ୍ୟାଦେଶ ଲେଖାଯିବାଠାରୁ ସେପ୍ଟେମ୍ବରରେ ପାସ୍‌ ହେବା ଯାଏ ଏହି ସମୟ ମଧ୍ୟରେ କୋଭିଡ୍‌ ମହାମାରୀ ଯୋଗୁ ଲକ୍‌ଡାଉନରେ ପ୍ରବାସୀ ଶ୍ରମିକମାନେ କର୍ମସ୍ଥଳୀ ଛାଡ଼ି ଘରମୁହଁା ହୋଇଥିଲେ। ଅର୍ଥନୀତି ମଧ୍ୟ ୪ ଦଶନ୍ଧିରେ ସବୁଠୁ ମାନ୍ଦା ରହିଥିଲା। ବିମୁଦ୍ରୀକରଣ ପରଠାରୁ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଥିଲେ ବି ସରକାର ଏହାକୁ ଗ୍ରହଣ କରି ନ ଥିଲେ କି ଏ ସମ୍ପର୍କରେ ଆଲୋଚନା କରି ନ ଥିଲେ। କିନ୍ତୁ ଅବଶିଷ୍ଟ ବିଶ୍ୱ ଏହାକୁ ନିରୀକ୍ଷଣ କରୁଥିଲା। ୨୦୧୪ରେ ଭାରତର ମୁଣ୍ଡ ପିଛା ମୋଟ ଘରୋଇ ଉପତ୍ାଦ (ଜିଡିପି) ୧.୧୭ ଲକ୍ଷ ଟଙ୍କା ଥିଲା ଓ ଏହା ବାଂଲାଦେଶ (୮୩,୦୦୦ ଟଙ୍କା) ଠାରୁ ୫୦% ଆଗରେ ରହିଥିଲା। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ଶେଷସୁଦ୍ଧା ବାଂଲାଦେଶର ମୁଣ୍ଡ ପିଛା ଜିଡିପି ୧.୬୫ ଲକ୍ଷ ଟଙ୍କାରୁ ଅଧିକ ଥିବାବେଳେ ଭାରତର ଏହା ୧.୪୫ ଲକ୍ଷ ଟଙ୍କା। କିଛି ପରିବର୍ତ୍ତନ ନ ହେବାଯାଏ ଆମେ ଏମିତି ବାଂଲାଦେଶ ପଛରେ ରହିବା। ନ୍ୟାୟପାଳିକା କୃଷି ଆଇନ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ବିଶେଷଜ୍ଞ କମିଟି ଗଠନ କରି ତାଙ୍କ ମତ ଏକ ବନ୍ଦ ଲଫାପାରେ ଜଣାଇବାକୁ କହିଥିଲା। ନ୍ୟାୟପାଳିକାର ଏଭଳି ନିର୍ଦ୍ଦେଶ ମୋଦିଙ୍କୁ ଆଇନଗୁଡ଼ିକୁ ସ୍ଥଗିତ ରଖିବାରେ ସାହାଯ୍ୟ କରିଥିଲା। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ କରି କୃଷି ଆଇନର ଉଲ୍ଲଂଘନ କଲେ। ଏବେ ସରକାର କୃଷି ଆଇନଗୁଡ଼ିକ ଉପରେ ଗୁରୁତ୍ୱ ଦେଉ ନ ଥିବାବେଳେ ଏହାର ପ୍ରତିବାଦରେ କୃଷକମାନେ ସେମିତି ରାସ୍ତାରେ ବସିରହିଛନ୍ତି।
ଅନ୍ୟ ବିଷୟଗୁଡ଼ିକରେ ଯେଭଳି ସଫଳତା ମିଳିବ ବୋଲି ଆଶା କରାଯାଉଥିଲା ତାହା ମଧ୍ୟ ହାସଲ ହୋଇପାରିନାହିଁ। କଶ୍ମୀର ସେମିତି ସମସ୍ୟାରେ ରହିଛି। ଲୋକମାନେ ଉଦାସ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ବିରୋଧୀ ଭାବ ରହିଛି। ଲଦାଖକୁ ନେଇ ଆମ ଦୃଷ୍ଟିକୋଣ ପରିବର୍ତ୍ତନ ଯୋଗୁ ଚାଇନା କ୍ରେଧିତ ହେଲା ଓ ଆମେ ତାହାର ପରିଣାମ ଦେଖିଲୁ। ତେବେ ଏକକ ନାଗରିକ ସଂହିତାର ବାସ୍ତବ ଲକ୍ଷ୍ୟ ହେଉଛି ବହୁବିବାଦ ସୃଷ୍ଟି କରିବା। ସେହିଭଳି ସରକାରଙ୍କ ତିନି ତଲାକ ବିଜୟର ମୂଲ୍ୟ ପ୍ରକୃତରେ କିଛି ନ ଥିଲା। ନ୍ୟାୟପାଳିକାର ମନ୍ଦିର ଉପରେ ରାୟ ଏବଂ ଜେଲରେ ଥିବା କଶ୍ମୀରବାସୀଙ୍କ କଥାକୁ ଅଣଦେଖା, ସିଏଏ ଓ ୩୭୦ର ବୈଧ୍ୟତା ଉପରେ ନ୍ୟାୟପାଳିକାର ଭୂମିକା ସରକାରଙ୍କ ବିଫଳତାକୁ ପଦାକୁ ଆଣିଛି। ଏପରି କି ଦିଲ୍ଲୀ ଦଙ୍ଗା ଘଟଣାରେ ଭାଜପା ନେତା କପିଲ ମିଶ୍ର ଓ ଅନୁରାଗ ଠାକୁରଙ୍କ ନାଁରେ ଏଫ୍‌ଆଇଆର୍‌ ଦାୟର କରିବାକୁ ଯେଉଁଦିନ ବିଚାରପତି କହିଥିଲେ ସେହି ରାତିରେ ତାଙ୍କୁ ବଦଳି କରାଯାଇଥିଲା। କିନ୍ତୁ ବିଚାରପତିମାନେ କେବେ ବି ନିମ୍ନଗାମୀ ଅର୍ଥବ୍ୟବସ୍ଥା, ନିଯୁକ୍ତି ଅଭାବ ଏବଂ ମୁଦ୍ରସ୍ଫୀତି ଉପରେ ତ କିଛି କରିପାରିବେ ନାହିଁ। ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଉପରେ ପହଞ୍ଚତ୍ଲାଣି। ବିଶ୍ୱ ସ୍ତରରେ ମୋଦି ସରକାର ତାଙ୍କ ବନ୍ଧୁ ଟ୍ରମ୍ପ ଓ ନେତ୍‌ନ୍ୟାହୁଙ୍କୁ ହରାଇଛି। ମୋଦିଙ୍କ ସହ ଗୋଟିଏ ହେଲେ ବାଣିଜ୍ୟ ଚୁକ୍ତି ନ କରି ଟ୍ରମ୍ପ କ୍ଷମତାରୁ ଚାଲିଗଲେଣି। ୨୦୧୯ରେ ମୋଦି ପାଇଥିବା ରାଜନୈତିକ ପୁଞ୍ଜିରୁ ବହୁତ ହରାଇଲେଣି। ଏହା ପୂରା ଶେଷ ହୋଇନିି। କିନ୍ତୁ ୨୦୨୦ ଓ ୨୦୨୧ରେ ସରକାର ସୃଷ୍ଟି କରିଥିବା ସମସ୍ୟାଗୁଡ଼ିକୁ ସମାଧାନ କରି ତାଙ୍କ ଭାବମୂର୍ତ୍ତି ଫେରାଇ ଆଣିବା ପାଇଁ କିଛି ସ୍ବତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ ଯାହା ଏହି ସମୟରେ ଦେଖାଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘାଜିଆବାଦରୁ ବାଣୀ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭଗଓ୍ବତ ୪ ଜୁଲାଇରେ ଘାଜିଆବାଦର ମଓ୍ବେର ପ୍ରତିଷ୍ଠାନରେ ଖ୍ବାଜା ଇଫ୍‌ତିକାର ଅହମ୍ମଦଙ୍କ ପୁସ୍ତକ ‘ମିଟିଂ ଅଫ୍‌...

ବିଜ୍ଞାନ ପାଇଁ ପଦଯାତ୍ରା

କମଳାକାନ୍ତ ଜେନା ପ୍ରକୃତି ଓ ପରିବେଶରୁ ବିଜ୍ଞାନର ଜନ୍ମ। ପ୍ରକୃତିରେ ଘଟୁଥିବା ଘଟଣାଗୁଡ଼ିକୁ ବୁଝିବା, ତା’ ପଛର କାରଣକୁ ଖୋଜିବା ଏବଂ ସେହି ଜ୍ଞାନକୁ ପ୍ରୟୋଗକରି...

ଓଡ଼ିଶାର ସ୍ବାର୍ଥ ସତରେ ରକ୍ଷା ହେବ କି

ଦିଲୀପ ଦାଶଶର୍ମା ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପରସ୍ପରକୁ କିଏ କେତେ କଥା କହୁଥିଲେ। ନିର୍ବାଚନ ସରିଗଲା ପରେ ଦୁଇ ଦଳ ପରସ୍ପରକୁ ଭଲ...

ରାଷ୍ଟ୍ରର ଦାୟିତ୍ୱ କ’ଣ

ଡ. ସନ୍ତୋଷ କୁମାର ମହାପାତ୍ର ଏବେ କେବଳ ଅହରହ ପ୍ରଚାର ଏବଂ ନୂଆ ନୂଆ ସ୍ଲୋଗାନ ଦେବାରେ ଅତିବାହିତ ହେଉଛି। ଏପରି କି ଧର୍ମ ଓ...

ବନଜୀବନ ଓ ଜନଜୀବନ

ରାଧାମୋହନ ମହାପାତ୍ର ବନ ସହିତ ଜନର ସମ୍ପର୍କ ଓତପ୍ରୋତ ଭାବେ ଜଡିତ। ବନ ହେଉଛି ବିଶ୍ୱର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଗନ୍ତାଘର। ବନ ମଣିଷର ଆଦିଭୂମି।...

ଏଇ ଭାରତରେ

ଉଚ୍ଚ ବେତନର ସରକାରୀ ଚାକିରି ତୁଳନାରେ କଇଁଛ ଜୀବନର ମୂଲ୍ୟ ବେଶି ଏହା ପ୍ରତିପାଦିତ କରିଛନ୍ତି ଶୈଳେନ୍ଦ୍ର ସିଂ। ପରିବାର ଇଚ୍ଛା ବିରୋଧରେ ୨୦୦୫ରେ ସୀମା...

ଏଇ ଭାରତରେ

ସେବକ ବା ପ୍ରବର୍ତ୍ତକ ଭାବେ କେହି ଜନ୍ମ ନେଇ ନ ଥାଆନ୍ତି। ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଏହା ହେବାକୁ ପଡ଼ିଥାଏ, ଯାହା ହୋଇପାରିଛନ୍ତି ଚେନ୍ନାଇର...

ବିଦ୍ୟୁତ୍‌ ବ୍ୟବହାର: ବିଚାରଣୀୟ ବିଷୟ

ମନୋଜ ପଟ୍ଟନାୟକ ବିଦ୍ୟୁତ୍‌ ସେବା ଆମ ଗ୍ରାହକମାନଙ୍କୁ ଶେଷ କିଛି ସପ୍ତାହ ହେଲା ବହୁତ ବ୍ୟତିବ୍ୟସ୍ତ କରିଛି। ଏହି ବ୍ୟାଘାତ ହେତୁ ବିଭିନ୍ନ ମହଲରେ ଅନେକ...

Advertisement
Archives

Model This Week