ଭରସା ପାଉନି, ଜୀବନ ହାରୁଛନ୍ତି

ଭୁବନେଶ୍ୱର (ବ୍ୟୁରୋ)/ବ୍ରହ୍ମପୁର ଅଫିସ,୧୭ା୧୧:ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ପୋଲିସ ବିଭାଗରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଅନେକ ସଂସ୍କାର ଆଣୁଛନ୍ତି। ଏପରି କି ପୋଲିସ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଏବଂ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ସରକାର ଏହାକୁ ୫-ଟି ଅଧୀନକୁ ଆଣିଛନ୍ତି। ଆମ ପୋଲିସ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରାଯାଉଛି। ହେଲେ କିଛି ପୋଲିସ କର୍ମଚାରୀଙ୍କ ମାନସିକତା କିମ୍ବା ବ୍ୟବହାରରେ ପରିବର୍ତ୍ତନ ଆସୁନାହିଁ। ସେମାନେ ଠିକ୍‌ ଭାବରେ ଲୋକଙ୍କ ସମସ୍ୟା ବୁଝୁ ନାହାନ୍ତି। ଏପରି କି ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଛନ୍ତି। ଫଳରେ ନ୍ୟାୟ ଆଶାରେ ଆସିଥିବା ଲୋକ ପୋଲିସ ବ୍ୟବହାରରେ ଅତିଷ୍ଠ ହେବା ସହ ଭରସା ହରାଇ ଥାନା ପରିସର, ଏସ୍‌ପି ଅଫିସ ଏବଂ ବିଧାନସଭା ନିକଟରେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଏପରିକି କିଛି ଲୋକ କିରୋସିନ ଢ଼ାଳି ହୋଇ ଆତ୍ମାହୁତି ଦେବାକୁ ଚେଷ୍ଟା କରୁଛନ୍ତି। ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ରୁ ଊର୍ଦ୍ଧ୍ୱ ଏଭଳି ଘଟଣା ଘଟିଛି। ବିଶେଷକରି ଗଞ୍ଜାମ ଜିଲାରେ କେବଳ ୫ଜଣଙ୍କ ମୃତ୍ୟୁ ଘଟିଛି, ଯାହାକି ରାଜ୍ୟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚଳିତବର୍ଷ ଜାନୁଆରୀ ୩୧ରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ସମ୍ମୁଖରେ ରଣ୍ଢା ଗ୍ରାମର ସନ୍ତୋଷ ସାମନ୍ତରାୟ ଆତ୍ମାହୁତି ଦେଇଥିଲେ। ସନ୍ତୋଷ ଥାନାକୁ ଆସି ତାଙ୍କୁ କେହି ଜଣେ ଧମକ ଦେଉଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଥାନାଧିକାରୀଙ୍କ ଠାରୁ ନିରାଶ ହେବା ପରେ ସନ୍ତୋଷ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏପରି କି ନିଆଁ ଲାଗିଥିବା ଅବସ୍ଥାରେ ଜୀବନ ବିକଳରେ ସେ ଥାନା ଭିତରେ ଜଣେ ପୋଲିସ କର୍ମଚାରୀଙ୍କୁ ଧରି ପକାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସଠାରୁ ନ୍ୟାୟ ନ ପାଇ ସେ ଏଭଳି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ଏସ୍‌ପିଙ୍କ ନିକଟକୁ ପଠାଇଥିବା ଏକ ଚିଠି ଭାଇରାଲ ହେବା ପରେ ଜଣାପଡ଼ିିଥିଲା। ଅନ୍ୟ ଏକ ଘଟଣାରେ ମେ ୩ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆଙ୍କୁ ପୋଲିସ ଏକ ଗଣ୍ଡଗୋଳ ମାମଲାରେ ଆଣି ଥାନାରେ ଅଟକ ରଖିଥିଲା। ହେଲେ ରାତ୍ର ୮ଟାରେ ଗଣେଶ
ପିନ୍ଧିଥିବା ଏକ ବେଲ୍ଟକୁ ଝରକା ଲୁହାରେ ଲଗାଇ ଆତ୍ମହତ୍ୟା କରିଥିଲେ। ସେହିପରି ମେ ୧୪ରେ ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପି ଅଫିସ ଆଗରେ ରମ୍ଭା ଥାନା ବୋରିଗାଁର ବାଦଲ ସାହୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ୧୨ ବର୍ଷ ଧରି ପରିବାରକୁ ଗାଁ ଲୋକେ ବାସନ୍ଦ କରି ରଖିଥିବାରୁ ସେ ଏଥିପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପରେ ବାଦଲ ଏସ୍‌ପିଙ୍କୁ ଭେଟି ନ ପାରି ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ଜୁଲାଇ ୨୯ ତାରିଖ ସନ୍ଧ୍ୟାରେ ଗୋପାଳପୁର ଥାନା ପରିସରରେ କୀଟନାଶକ ପିଇ ଟିକିନା ଦାସ ନାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଥିଲେ। ଘଟଣା ଦିନ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ମହିଳା ଜଣକ ପାରିବାରିକ ବିବାଦ ଅଭିଯୋଗ ନେଇ ନିଜ ୫ବର୍ଷର ପୁଅ ସହ ଗୋପାଳପୁର ଥାନାକୁ ଆସିଥିଲେ। ହେଲେ ପୋଲିସ ତାଙ୍କ କଥା ନ ଶୁଣିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିଲେ। ସେହିପରି ଚମାଖଣ୍ଡି ଥାନାରେ ଅଟକ ଥିବା ସିଏଚ ତ୍ରିଲୋଚନ ରେଡ୍ଡୀ(୨୧) ନାମକ ଜଣେ ଯୁବକ ଗତ ସେପ୍ଟେମ୍ବର ୩୦ ବିଳମ୍ବିତ ରାତିରେ ଥାନା ପରିସରରେ ଥିବା ପାଇଖାନାରେ ଆତ୍ମହତ୍ୟା କରିଥିଲେ। ପୋଲିସର ହୁଗୁଳା ସୁରକ୍ଷା ବ୍ୟବସ୍ଥା ଯୋଗୁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି।
କଟକ ଜିଲା କିଶନନଗର ଥାନା ଅଞ୍ଚଳର ଗୁଣନିଧି ବିଶୋୟୀ ଜମିବାଡ଼ି ବିବାଦରେ ଅତିଷ୍ଠ ହୋଇ ନ୍ୟାୟ ଆଶାରେ ପୋଲିସ ପାଖକୁ ଯାଇଥିଲେ। ହେଲେ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଗତ ଜୁନ ୨୩ରେ ଥାନା ପରିସରରେ ଗୁଣନିଧି ନିଜ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଦ୍ରକ ଜିଲା ଟାଉନ ଥାନା ଅନ୍ତର୍ଗତ ଗବସାହିରେ ଗୃହଦାହ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ପ୍ରତିବାଦସ୍ବରୂପ ପରିବାର ପକ୍ଷରୁ ଥାନା ଓ ଏସ୍‌ପି ଅଫିସ ସାମ୍ନାରେ ଧାରଣା ଦିଆଯାଇଥିଲା। ଏପରି କି ୨୦୨୨ ମେ ୧୩ରେ ଏସ୍‌ପି ଅଫିସ ସମ୍ମୁଖରେ ପରିବାର ଲୋକେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଜଣେ ଅପହୃତା ନାବାଳିକା ଝିଅକୁ ଉଦ୍ଧାର ପାଇଁ ମା’ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇ ନ ଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ଶେଷରେ ମହିଳା ଜଣକ ଜୁନ ୧୭ରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ କିରୋସିନ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ମାଲ୍‌କାନଗିରିରେ ଜଣେ ମହିଳା ପାରିବାରିକ ନିର୍ଯାତନା ସହି ନ ପାରି ଥାନାରେ ଅଭିଯୋଗ କରିଥିଲେ। ବାରମ୍ବାର ଥାନାକୁ ଦୌଡ଼ିବା ପରେ ମଧ୍ୟ ପୋଲିସ କିଛି ନ ଶୁଣିବାରୁ ମେ ୧୯ତାରିଖରେ ମାଲକାନଗିରି ଥାନା ପରିସରରେ ଦେହରେ କିରୋସିନ ଡାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅନ୍ୟଏକ ଘଟଣାରେ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନ ପାରି ବାଲେଶ୍ୱର ଜିଲା ସିଂଲା ପୋଲିସଠାରୁ ନ୍ୟାୟ ନ ପାଇ ମା’ ଓ ଝିଅ ଜୁଲାଇ ୧୫ରେ ବିଧାନସଭା ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ଗତ ୧୮ ତାରିଖରେ ଅନୁଗୋଳର ଜଣେ ମହିଳା ଥାନାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବାକୁ ବିଧାନସଭା ପରିସରକୁ ପ୍ରବେଶ କଲାବେଳେ ପୋଲିସ ତାଙ୍କୁ ପୋଲିସ ଉଦ୍ଧାର କରିଥିଲା। ନ୍ୟାୟ ପାଇଁ ଗୁହାରି କରିବାକୁ ଯାଇ ବିଫଳ ହେବା ପରେ ଲୋକେ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଯାଉଥିବା ଯୋଗୁ ଏହା ସରକାର ଓ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ସମସ୍ତ ଘଟଣା ଅତ୍ୟନ୍ତ ଚିନ୍ତାଜନକ ଏବଂ ଲୋକେ ପ୍ରଶାସନିକ କାର୍ଯ୍ୟକଳାପ ଉପରେ ବିମୁଖ ହେବାର କାରଣଗୁଡ଼ିକ ସୁଧାରିବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିପି ସତ୍ୟବ୍ରତ ଭୋଇ ଥାନା ପରିସରରେ ଆତ୍ମହତ୍ୟା ପ୍ରସଙ୍ଗରେ କହିଛନ୍ତି, ପୋଲିସ ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ନ୍ୟାୟ ପ୍ରଦାନ କରି ଆସୁଛି। ମୋ ସରକାର ବ୍ୟବସ୍ଥାରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକମାନେ ଯଦି ଥାନାଧିକାରୀ କିମ୍ବା ପୋଲିସ ନିକଟରୁ ଠିକ ନ୍ୟାୟ ପାଇପାରୁ ନାହାନ୍ତି ବୋଲି ହୃଦ୍‌ବୋଧ କରୁଛନ୍ତି,ସେମାନେ ପୋଲିସ ବରିଷ୍ଠ ପଦାଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି। ଅନ୍ୟପଟେ ଥାନାକୁ ବିଭିନ୍ନ ଅଭିଯୋଗରେ ଅଣାଯାଉଥିବା ଲୋକମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଅନୁସନ୍ଧାନ କରୁଛି। ତେବେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଅଭିଯୋଗକାରୀ ହୁଅନ୍ତୁ ଅବା ପଚରାଉଚରା ପାଇଁ ଅଣାଯାଉଥିବା ଅଭିଯୁକ୍ତମାନେ ବେଳେବେଳେ ଅକାରଣରେ ନିଜର ମାନସିକ ଭାରସାମ୍ୟ ହରାଇ ଥାନା ପରିସରରେ ଆତ୍ମହତ୍ୟା କରୁଥିବା ଅନୁମାନ କରାଯାଉଛି। ଥାନାକୁ ନ୍ୟାୟ ପାଇଁ ଆସୁଥିବା ଜନସାଧାରଣ ପୋଲିସ ଉପରେ ଭରସା ରଖିବା ଉଚିତ ବୋଲି ସେ କହିଛନ୍ତି। ଥାନାକୁ ଆସୁଥିବା ଲୋକମାନଙ୍କୁ ପୋଲିସ ପକ୍ଷରୁ କାଉନ୍‌ସେଲିଂ କରାଯାଉଛି। ବେଳେବେଳେ ସେମାନଙ୍କ ମାନସିକ ସ୍ଥିତି ଜାଣିବା ପୋଲିସ ପକ୍ଷରୁ ସମ୍ଭବ ହୋଇପାରୁନି ବୋଲି ଭୋଇ କହିଛନ୍ତି।
ଖଲ୍ଲିକୋଟ କେଶପୁର ମହାବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ପ୍ରାଧ୍ୟାପିକା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ମତରେ ସମ୍ପ୍ରତି ଯୁବ ସମାଜ ସେମାନଙ୍କ ମାନସିକ ସ୍ଥିତିକୁ ସନ୍ତୁଳିତ ରଖି ପାରୁନାହାନ୍ତି। ବର୍ତ୍ତମାନ ଶିକ୍ଷା ଓ ପାରିପାର୍ଶ୍ୱିକ ସ୍ଥିତି ଅସନ୍ତୁଳିତ ହୋଇପଡ଼ିଛି। ସାମାଜିକ ଚଳଣି ଭିତରେ ମୂଲ୍ୟବୋଧ ଶିକ୍ଷା ଓ ନୈତିକ ଶିକ୍ଷାର ଘୋର ଅଭାବ ପରିଲକ୍ଷିତ ହେଉଛି। ଫଳରେ ଯୁବକମାନେ ଅନେକ ସମୟରେ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ଅନ୍ୟପଟେ ପୋଲିସ ସଂସ୍କାରଭିତ୍ତିକ ପଦକ୍ଷେପ ନେବା ଉଚିତ। ବିଭିନ୍ନ ସମୟରେ ଥାନାକୁ ଆସୁଥିବା ଲୋକମାନେ ବେଳେବେଳେ ଦୋଷ ନ କରି ଦୋଷୀ ହେଉଛନ୍ତି। ଗୋଟିଏ ଛୋଟ ସମସ୍ୟାର ବଡ଼ ସମାଧାନ/ଆକସ୍ମିକ ସମାଧାନ ଭାବି ସାମାଜିକ ଭୟ, ସମ୍ମାନ ଓ ଆତ୍ମସମ୍ମାନରେ ବାଧା ଯୋଗୁ ସେମାନେ ଆତ୍ମହତ୍ୟା କରୁଛନ୍ତି, ତାହା ବାସ୍ତବରେ ଠିକ୍‌ ନୁହେଁ। ବେଳେବେଳେ ପୋଲିସ ଚାପରେ ରହି ଜଣେ ନିରୀହକୁ ଥାନାକୁ ଆଣି ମାତ୍ରାଧିକ ଦୁର୍ବ୍ୟବହାର ଦେଉଥିବା ଯୋଗୁ ଏଭଳି ଆତ୍ମହତ୍ୟା ଭଳି ଘଟଣା ବଢ଼ିବାରେ ଲାଗିଛି ବୋଲି ପଟ୍ଟନାୟକ କହିଛନ୍ତି।
ପୂର୍ବତନ ପୋଲିସ ଡିଜି ଗୋପାଳ ଚନ୍ଦ୍ର ନନ୍ଦ କହିଛନ୍ତି, ଏହି ଘଟଣା ପାଇଁ ପୋଲିସର ଅବହେଳା ବୋଲି କହିବି ନାହିଁ। ପୋଲିସକୁ ଯେଉଁ ଦାୟିତ୍ୱ ଦିଆଯାଇଛି କ୍ରମଶଃ ତାହା ଅଧିକରୁ ଅଧିକ ହେଉଛି। ସେହି ଅନୁସାରେ ପୋଲିସ ବ୍ୟବସ୍ଥାରେ ଭିତ୍ତିଭୂମି ଏବଂ ମାନବ ସମ୍ବଳକୁ କରାଯାଇନାହିଁ। ବର୍ତ୍ତମାନ ମାମଲା ସଂଖ୍ୟା ବୃଦ୍ଧି ପାଉଛି। ଯଦି ସେହି ଅନୁସାରେ ତଦନ୍ତ ନ ହେବ, ତାହାଲେ ଏଭଳି ଘଟଣା ଘଟିବ। ତଦନ୍ତକୁ ଯେତିକି ସମୟ ଦରକାର ଅଧିକାରୀମାନେ ସେହି ଅନୁସାରେ ଦେଇପାରୁ ନାହାନ୍ତି। ମାନବସମ୍ବଳ ଅଧିକ ଥିବା ହେତୁ ସିବିଆଇ ଏବଂ ଭିଜିଲାନ୍ସର ସଫଳତା ପ୍ରତିଶତ ଅଧିକ। ଏ ବିଷୟରେ ଉଚ୍ଚସ୍ତରରେ ଆଲୋଚନା ହେବା ଦରକାର। କେଉଁ ଥାନାକୁ କେତେ ପୋଲିସ କର୍ମଚାରୀ ଦରକାର। କେତେ ମାନବ ସମ୍ବଳ ଦେଲେ ତଦନ୍ତରେ ସ୍ବଚ୍ଛତା ଆସିବ, ଏହି ସମସ୍ୟାକୁ ଅଧିକ ଧ୍ୟାନ ଦେଲେ ଏଭଳି ଘଟଣା ଘଟିବ ନାହିଁ ବୋଲି ନନ୍ଦ କହିଛନ୍ତି।
ମାନବାଧିକାରି କର୍ମୀ ପ୍ରଦୀପ ନାୟକ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୋଲିସ ରିଫର୍ମ କମିଶନ ବସିଥିଲା। ଆଇନ ଶୃଙ୍ଖଳା ଏବଂ ତଦନ୍ତକୁ ଅଲଗା କରି ୨ଟି ଉଇଙ୍ଗ କରିବାକୁ ଉକ୍ତ କମିଶନ ପରାମର୍ଶ ଦେଇଥିଲା। ହେଲେ ସରକାର ଏପର୍ଯ୍ୟନ୍ତ ଏଦିଗରେ ଦୃଷ୍ଟି ଦେଇନାହାନ୍ତି। ଫଳରେ ଅଧିକାଂଶ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ଚାପରେ ରହି ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ସବୁ ପୋଲିସ ଅଧିକାରୀ ଏଭଳି ନୁହନ୍ତି। ହେଲେ କିଛି ପୋଲିସ ଅଧିକାରୀ ତଦନ୍ତରେ ହେଳା କରି ଲୋକଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ଏଭଳି ଘଟଣା କମୁନାହିଁ। ପୋଲିସ ବିଭାଗରେ କର୍ମଚାରୀ ଅଭାବ ମଧ୍ୟ ଏହାର ଏକ ପ୍ରମୁଖ କାରଣ। ସହରାଞ୍ଚଳରେ ପୋଲିସର ତଦନ୍ତ ଏବଂ ବ୍ୟବହାର କିଛିଅଂଶରେ ଭଳି ରହୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ହେଉନାହିଁି। ଅନେକ ସ୍ଥାନରେ ରାଜନୈତିକ ହସ୍ତକ୍ଷେପ କରାଯାଉଥିବାରୁ ମଧ୍ୟ ପୋଲିସ ଅଭିଯୋଗକାରୀଙ୍କୁ ପକ୍ଷପାତିତା କରୁଛି। ପୋଲିସ ବିଜ୍ଞାଗକୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏହା କେବଳ ନାମକୁ ମାତ୍ର। ଉପରିସ୍ଥ ସରକାରୀସ୍ତରରେ ଏଥିପ୍ରତି ଦୃଷ୍ଟି ଦେଲେ ଏଭଳି ଘଟଣାର ମାତ୍ରା କମିପାରିବ ବୋଲି ପ୍ରଦୀପ କହିଛନ୍ତି। ସାଧାରଣ ନାଗରିକ ଉତ୍କଳ କେଶରୀ ସାମଲ କହିଛନ୍ତି, ଅଧିକାଂଶ ଥାନାରେ ଏବେବି ଅଭିଯୋଗକାରୀଙ୍କ କଥାକୁ ଗୁରୁତ୍ୱ ଦିଆଯାଉନାହିଁ। ଟଙ୍କା ନେଇ ପୋଲିସ କାମ କରୁଥିବା ଦେଖାଯାଉଛି। ଉପରସ୍ତରରୁ ପ୍ରତି ଥାନା ଅଧିକାରୀଙ୍କୁ ଏ ଦିଗରେ ସଚେତନ କରାଯିବା ଦରକାର ବୋଲି ସେ କହିଛନ୍ତି।

ସତ୍ୟଜିତ ରାଉତ, ସୁବାସ ଚନ୍ଦ୍ର ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?