ଗଣଦେବତା ଶ୍ରୀଗଣେଶ

ଡ. ଲକ୍ଷ୍ମଣ ସାହୁ

ଭାରତୀୟ ସଂସ୍କୃତିର ପ୍ରବହମାନ ଧାରାରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ବିଘ୍ନରାଜ ବିନାୟକ ସର୍ବ ପୂଜ୍ୟ ଗଣ ଦେବତାର ଆସନ ଅଳଙ୍କୃତ କରି ଶ୍ରୀଗଣେଶ ନାମରେ ଖ୍ୟାତ ହୋଇଛନ୍ତି। ଋଗ୍‌ବେଦ ଦ୍ୱିତୀୟ ମଣ୍ଡଳାନୁସାରେ ଗଣନାଥ ଗଣେଶ ଉପାସନାର ପ୍ରାଚୀନତମ ନିଦର୍ଶନ ସୂଚନା ମିଳେ। ଏହି ସୂକ୍ତରେ ଶ୍ରୀଗଣେଶଙ୍କୁ ସର୍ବ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ, କବିମାନଙ୍କ ମଧ୍ୟରେ ବରେଣ୍ୟ ତଥା ଜ୍ୟେଷ୍ଠ ଏବଂ ଶ୍ରେଷ୍ଠ ରୂପରେ ପ୍ରତିପାଦନ କରାଯାଇଛି। ସେଭଳି ଯଜୁର୍ବେଦରେ ମଧ୍ୟ ଋଗ୍‌ବେଦ ସୂକ୍ତର ଏକ ଭିନ୍ନ ରୂପ ପରିଲକ୍ଷିତ ହୁଏ। ତେଣୁ ଭାରତୀୟ ଧର୍ମ ଧାରାରେ ବୈଦିକ କାଳରୁ ଶ୍ରୀଗଣପତିଙ୍କ ଉପାସନାର ଉନ୍ମେଷ ଘଟିଥିବା ଜଣାଯାଏ। ବୈଦିକ ମନ୍ତ୍ରରେ ଗଣପତିଙ୍କୁ ସର୍ବ ସିଦ୍ଧଦାତା, ଋଦ୍ଧି ସିଦ୍ଧିଦାତା, ସର୍ବ ମଙ୍ଗଳ ମୟ ରୂପେ ସ୍ତୁତି କରାଯାଇଛି। ସାମ୍‌ ବେଦୀୟ ବିନାୟକ ସଂହିତା, ମୈତ୍ରାଣୀ ସଂହିତା, ଯଜୁର୍ବେଦୀୟ କାଣ ସଂହିତା ପ୍ରଭୃତିରେ ବିଘ୍ନ ବିନାଶନ ଗଣପତିଙ୍କ ମନ୍ତ୍ରର ଉଲ୍ଲେଖ ଅଛି। ଉପନିଷଦରେ ଗଣପତିଙ୍କୁ ସର୍ବ ଶକ୍ତିମାନ ରୂପରେ କରାଯାଇଛି। ଗଣପତିଙ୍କୁ ମଧ୍ୟ ପରଂବ୍ରହ୍ମଙ୍କ ପ୍ରତୀକ ରୂପେ ଚିହ୍ନିତ କରାଯାଇଛି। ଗଣପତି ଉପନିଷଦରେ ବ୍ରହ୍ମ ଉପାସନାର ତତ୍ତ୍ୱ ପରିଦୃଷ୍ଟ। ନିଗମ ଓ ଆଗମ ଉଭୟ ପରମ୍ପରାରେ ଗଣପତି ଏକ ମହତ୍ତ୍ୱପୂର୍ଣ୍ଣ ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରି ଆସୁଛନ୍ତି। ସ୍ମୃତି ଶାସ୍ତ୍ରରେ ପ୍ରଭୁ ଗଣପତିଙ୍କୁ ହର୍ବିଭୋକ୍ତା ଯଜ୍ଞ ଦେବତା ରୂପେ ଚିତ୍ରଣ କରାଯାଇ ଗାଣପତ୍ୟାଗ୍ନିର ସଂସ୍କାର ବିଧି ଓ ହୋମ କାର୍ଯ୍ୟ ସଂପାଦନ କରାଯାଉଥିବା ବିଧି ରହିଛି।
ଗଣପତି ଉପାସନାର ଉତ୍ତରଣ ଫଳରେ ଗାଣପତ୍ୟ ସମ୍ପ୍ରଦାୟର ଉନ୍ମେଷ ଘଟିଛି; ଯାହା ଫଳରେ ସେମାନଙ୍କ ଲେଖନୀ ଚାଳନାରେ ବିଭିନ୍ନ ସ୍ତବ, ସ୍ତୋତ୍ର, କବଚ, କୀଳକ, ପଟଳ ଓ ପୁରାଣାଦି ବର୍ଣ୍ଣିତ ହୋଇଛି। ସେ ଏକ ଦନ୍ତ, ଚତୁର୍ଭୁଜ, ପାଶ-ଅଙ୍କୁଶ ଅଭୟ ଓ ବରଦ ମୁଦ୍ରାଧାରୀ, ରକ୍ତ ବସ୍ତ୍ରଧାରୀ ରୂପେ ଚିତ୍ରିତ ହୋଇ ପୂଜା ପାଇଆସୁଛନ୍ତି। ସକଳ ବିଘ୍ନ ହରଣ ନିମିତ୍ତ ଭକ୍ତମାନେ ସଭକ୍ତି ପ୍ରଣାମ ପୂର୍ବକ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି। କାଳ କ୍ରମେ ଶକ୍ତି ଉପାସନା ସହିତ ଗଣପତି ପୂଜାର ମିଳନ ଘଟିଛି। ଭାରତର ବିଭିନ୍ନ ଶକ୍ତି ପୀଠଗୁଡ଼ିକରେ ମାତୃଗଣଙ୍କ ମଧ୍ୟରେ ଗଣପତି ଆରାଧିତ ହେଉଛନ୍ତି। ଓଡ଼ିଶାର ଗଞ୍ଜାମ ଜିଲା ସାନଖେମୁଣ୍ଡି ଅନ୍ତର୍ଗତ କଙ୍କୋରଡାସ୍ଥ ଶକ୍ତିପୀଠ ମା’ ନାରାୟଣୀଙ୍କ ସହ ଏକତ୍ର ଆସନରେ ପୂଜା ପାଉଛନ୍ତି। ସେ ବୈଦିକ ଦେବତା ଅଗ୍ରପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ। ସେ ଓଁକାର ରୂପୀ, ଅଖିଳ ଜଗତରେ ସେ ଜୀବ ସ୍ବରୂପ। ସେ ବକ୍ରତୁଣ୍ଡ ଓ ସର୍ବ କାର୍ଯ୍ୟ ସିଦ୍ଧିଦାତା ଗଣେଶ ଭାବରେ ଆରାଧିତ ହୋଇ ଆସୁଛନ୍ତି- ‘ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭଃ/ ନିର୍ବିଘ୍ନଂ କୁରୁମେ ଦେବ! ସର୍ବ କାର୍ଯ୍ୟେଷୁ ସର୍ବଦା।’
ପୁରାଣ ଯୁଗ ପରେ ବୌଦ୍ଧ ମତବାଦରେ ମଧ୍ୟ ଗଣପତି ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରିଛନ୍ତି। ବୌଦ୍ଧମାନେ ଗଣେଶଙ୍କୁ ପ୍ରଚ୍ଛନ୍ନ ବୁଦ୍ଧ ନାମରେ ନାମିତ କରିଛନ୍ତି। ବୌଦ୍ଧ କିମ୍ବଦନ୍ତୀ ଅନୁଯାୟୀ ଭଗବାନ ବୁଦ୍ଧଙ୍କର ଜନନୀ ମାୟାଦେବୀ ଗୌତମଙ୍କ ଜନ୍ମ ପୂର୍ବରୁ ଶତେ ହସ୍ତୀର ସପ୍ନ ଦେଖିଥିଲେ। ସେହି ଶତେ ହସ୍ତୀ ମସ୍ତକ ସହ ଆରୋଧିତ ଗଣେଶ ମୂର୍ତ୍ତି ହିଁ ପ୍ରଚ୍ଛନ୍ନ ବୁଦ୍ଧ ବୋଲି ଧରାଯାଏ। ବୌଦ୍ଧ ଭିକ୍ଷୁ ଓ ଶ୍ରମଣ ଗଣ ଦକ୍ଷିଣ ପୂର୍ବ ଏସିଆରେ ଗଣପତି ଉପାସନାର ପ୍ରସାର ଘଟାଇଥିବା କଥା ପୁରାତନ ଗ୍ରନ୍ଥ ଓ ଇତିହାସରୁ ଜଣାପଡ଼େ। ଜାପାନ ଓ ଚାଇନାରେ ଗଣେଶଙ୍କୁ ବିନାୟକ ନାମରେ ଆରାଧନା କରାଯାଏ। ବ୍ରହ୍ମଦେଶରେ ମହାପୀନେ ରୂପେ ଗଣପତି ସୁବିଖ୍ୟାତ ହୋଇଛନ୍ତି। ଶ୍ରୀଲଙ୍କାରେ ସୁବ୍ରମଣ୍ୟମ ମନ୍ଦିରରେ ସର୍ବସାଧାରଣଙ୍କ ଦ୍ୱାରା ଗଣପତିଙ୍କ ପୂଜାର୍ଚ୍ଚନା ହୋଇଥାଏ। ସେଭଳି ନେପାଳରେ ସିଂହବାହନ ହେରମ୍ବ ଗଣପତି ସର୍ବ ସିଦ୍ଧିଦାତା ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି।
ଉତ୍କଳରେ ଗଣପତିଙ୍କ ପୂଜାର ପରମ୍ପରା ବହୁ ପ୍ରାଚୀନ। ଉତ୍କଳର ଭୌମ ଓ ସୋମ ବଂଶୀ ଶାସନ କାଳରୁ ଏହି ପର୍ବ ପାଳିତ ହେଉଥିବା ଇତିହାସରୁ ଜଣାଯାଏ। ମହାକବି ଶୂଦ୍ରମୁନି ସାରଳା ଦାସ ‘ମହାଭାରତ’ର ବନ ପର୍ବ ପ୍ରଥମ ଖଣ୍ଡରେ ବ୍ୟାଧିର ମୁକ୍ତି ଦାତା ଭାବରେ ଶ୍ରୀଗଣେଶଙ୍କୁ ଚିତ୍ରିତ କରିଛନ୍ତି। ତତ୍କାଳୀନ ସମାଜରେ ଗଣପତି ଉପାସନାର ପ୍ରସାର ଘଟି ଶେଷରେ ସାର୍ବଜନୀନ ଉପାସନାରେ ପରିଣତ ହୋଇଛି। ଫଳତଃ ସମଗ୍ର ଦେଶର ପୁରପଲ୍ଲୀ ସହର ନଗ୍ରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଜନଗଣଙ୍କ ଦ୍ୱାରା ଶ୍ରୀଗଣେଶଙ୍କ ପୂଜା ମହାନନ୍ଦ ଉଲ୍ଲାସରେ ପାଳିତ ହୋଇଆସୁଛି। ପ୍ରଭୁ ଗଜାନନ ବିଘ୍ନ ନାଶକ ଓ ଅଗ୍ରପୂଜ୍ୟ ହୋଇଥିବା ହେତୁ ତାଙ୍କ ପୂଜା ପରେ ଅନ୍ୟ ଦେବଦେବୀଙ୍କ ପୂଜା ବ୍ରତ ବିଧି ମୁତାବକ ପାଳିତ ହୋଇଥାଏ। ଶ୍ରୀଗଣେଶ ବିଦ୍ୟାଦାତା ଓ ସିଦ୍ଧିଦାତା ରୂପେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପୂଜିତ ହୁଅନ୍ତି। ଛାତ୍ରୀଛାତ୍ରମାନେ ଆପଣାର ବିଘ୍ନ ବିନାଶ ତଥା ସର୍ବ ମଙ୍ଗଳ ନିମିତ୍ତ ପ୍ରଭୁ ବିଘ୍ନ ବିନାଶକାରୀ ପାର୍ବତୀ ନନ୍ଦନ ଶ୍ରୀ ଗଣେଶଙ୍କୁ ପରମ ଭକ୍ତି ସହକାରେ ପୂଜା କରନ୍ତ। ପ୍ରତ୍ୟେକ ମାଙ୍ଗଳିକ ଓ ଶୁଭ କାର୍ଯ୍ୟର ପ୍ରାରମ୍ଭରେ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ଶ୍ରୀଗଣେଶଙ୍କର ଆରାଧନା କରାଯାଏ। ଅନେକ ପୀଠ ମନ୍ଦିରରେ ଗଣେଶ ମୁଖ୍ୟ ଦେବତା ଓ ପାର୍ଶ୍ୱ ଦେବତା ରୂପେ ପୂଜା ପାଉଛନ୍ତି। କେତେକ ମନ୍ଦିରରେ ସ୍ବତନ୍ତ୍ର ଗଣପତି ପୂଜାର ବିଧି ରହିଛି। ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ଜନ୍ମ ବାସରରେ ସ୍ନାନବେଦିରେ ଗଣପତି ରୂପ ଧାରଣ କରନ୍ତି। ସିଦ୍ଧ ସାଧକଗଣ ଲେଖନୀରେ ‘ଗଣେଶ ବିଭୂତି’, ‘ଗଣେଶ ଶତନାମ’, ‘ସହସ୍ର ନାମ’ ପ୍ରଭୃତି ରଚନାର ସୃଷ୍ଟି ଘଟିଛି।
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ, ମୋ: ୯୦୪୦୧୫୧୪ ୭୫


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri