ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି ଆରୋହୀ ଆଉ ଦୁଇ ଜଣ ଯୁବତୀଙ୍କ ସହ ଧକ୍କା ଓ ପରବର୍ତ୍ତୀ ଅବସ୍ଥାରେ ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ଅଞ୍ଚଳର ଲୋକେ ଏକାଠି ହୋଇ ସମ୍ପୃକ୍ତ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ସୌମ୍ୟରଞ୍ଜନଙ୍କୁ ପିଟି ପିଟି ଜୀବନରେ ମାରି ଦେଇଥିଲେ। ଭିଡ଼ହତ୍ୟାର ଏହି ବର୍ବରୋଚିତ ଘଟଣାଟି ନୃଶଂସ ଓ ଅମାନୁଷିକ ଥିଲା। ଗୁରୁତ୍ୱପୂର୍ଣ୍ଣ ହେଲା, ଆକ୍ରମଣକାରୀମାନେ ସ୍ଥାନୀୟ ପୋଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କୁ ହତ୍ୟା କରିଥିଲେ। ରାଜ୍ୟ ସରକାର ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ କ୍ରମେ ଘଟଣା ବେଳେ ଉପସ୍ଥିତ କିଛି ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ ହତ୍ୟାରେ ଜଡ଼ିତ କେତେକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।
ଓଡ଼ିଶାରେ ଭିଡ଼ହିଂସା ଓ ଭିଡ଼ହତ୍ୟାର ଏହି ଘଟଣାଟି ପ୍ରଥମ ନୁହେଁ। ଯଦିଓ ରାଜ୍ୟରେ ଗତ ଏକବର୍ଷ ମଧ୍ୟରେ ଭିଡ଼ହତ୍ୟାର ପାଞ୍ଚଟି ଘଟଣା ପଞ୍ଜୀକୃତ ହୋଇଛି, କିନ୍ତୁ ପଞ୍ଜୀକରଣ ନ ହୋଇ ଅନେକ ଘଟଣା ଘଟିଛି। ଗତବର୍ଷ ଜୁନ୍‌ରେ ଗଞ୍ଜାମ ଜିଲାର ଧରାକୋଟରେ ଗାଈ ଧରି ଆସୁଥିବା ଦଳିତ ସମ୍ପ୍ରଦାୟର ଦୁଇ ଜଣ ଚାଷୀଙ୍କୁ କିଛି ଅସାମାଜିକ ଲୋକ ଭିଡ଼ ଆକ୍ରମଣ କରି ମାଡ଼ ମାରିବା ସହିତ ସେମାନଙ୍କୁ ଲଣ୍ଡା କରି ଘାସ ଖୁଆଇବା ଏବଂ ରାସ୍ତାରେ ଆଣ୍ଠେଇ ଚାଲିବାକୁ ବାଧ୍ୟ କରିବା ଦେଖାଯାଇଥିଲା। ଭିଡ଼ହିଂସାର ଏହି ଘଟଣାଟି ଜାତୀୟ ସ୍ତରରେ ଉନ୍ମୋଚିତ ହେବା ପରେ ସରକାର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ରାଜ୍ୟରେ ଭିଡ଼ ଦ୍ୱାରା ହିଂସାର ଅନେକ ଘଟଣା ଘଟିଥିବା ବେଳେ ସବୁଗୁଡ଼ିକ କିନ୍ତୁ ପଞ୍ଜୀକୃତ ହୋଇପାରି ନଥିବା ଜଣାପଡ଼ିଛି। ଅନ୍ୟାନ୍ୟ ଅପରାଧ ପରି ଅନେକ ଭିଡ଼ହିଂସାର ଘଟଣା ବିଭିନ୍ନ କାରଣରୁ ଥାନାରେ ପଞ୍ଜୀକୃତ ହୋଇପାରୁନାହିଁ। ବିଶେଷକରି ସାମ୍ପ୍ରଦାୟିକ ଉଦ୍ଦେଶ୍ୟ ନେଇ ଗୋସୁରକ୍ଷା ନଁାରେ ଦଳିତ ଓ ସଂଖ୍ୟାଲଘୁ ଲୋକଙ୍କ ଉପରେ ଘଟୁଥିବା ଅନେକ ଘଟଣା ପଞ୍ଜୀକୃତ ହୋଇପାରୁ ନାହିଁ। ଅନେକ ସମୟରେ ପୀଡ଼ିତ ବ୍ୟକ୍ତିମାନେ ବାହାର ଅଞ୍ଚଳର ହୋଇଥିବାରୁ ଭୟରେ ଏତଲା ଦିଅନ୍ତି ନାହିଁ ଅଥବା ପୋଲିସ ଚାପରେ ପଡ଼ି ଅପରାଧକୁ ପଞ୍ଜୀକୃତ କରୁନଥିବା ଜଣାପଡ଼ୁଛି।
ଭିଡ଼ହତ୍ୟା ଏକ ଜଘନ୍ୟ ଅପରାଧ। ଏଥିରେ ସାମିଲ ଲୋକମାନେ ନିଜର ବିବେକ ଓ ସମ୍ବେଦନାକୁ ମାରି ଏକ ହିଂସ୍ର ପଶୁ ଭଳି ଆଚରଣ କରିଥା’ନ୍ତି। ସେମାନଙ୍କ ମଣିଷ ଜୀବନ ପ୍ରତି ସମ୍ମାନ ନଥାଏ କି ଦେଶର ଆଇନକାନୁନ ଉପରେ ଆଦୌ ଆସ୍ଥା ନଥାଏ। ସମସ୍ତେ ମିଶି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ପାଶବିକ ଆନନ୍ଦ ଅନୁଭବ କରିବା ଦେଖାଯାଇଥାଏ। ମବ୍‌ ଲିଂଚିଙ୍ଗ୍‌ର ବିଚାରଟି ସଂଖ୍ୟାଗରିଷ୍ଠ ଆଧିପତ୍ୟ ସହିତ ଜଡ଼ିତ। ଏହାର ଶିକାର ବ୍ୟକ୍ତିଟି ସାଧାରଣତଃ ସମାଜର ସଂଖ୍ୟାଲଘୁ, ଆଦିବାସୀ ଓ ଦଳିତ ପରି ନିଷ୍ପେଷିତ ବର୍ଗର ଅଥବା ଅଞ୍ଚଳ ବା ରାଜ୍ୟ ବାହାରର ହୋଇଥାଏ। ଏହାପଛରେ ହୁଏତ କୌଣସି ତାତ୍କାଳିକ କାରଣ ଅଥବା ସାମ୍ପ୍ରଦାୟିକ ଘୃଣା ରହିଥାଏ। କୌଣସି ଦୁର୍ଘଟଣାକୁ କେନ୍ଦ୍ର କରି ଅଥବା ଚୋରି କିମ୍ବା ସେଭଳି କିଛି ଗୁଜବକୁ କେନ୍ଦ୍ର କରି ଯେଉଁ ଭିଡ଼ ହିଂସା ହୋଇଥାଏ ତାହା ଫଛରେ କୌଣସି ପୂର୍ବ ଯୋଜନା ଅଥବା ଘୃଣା ରହିନଥାଏ। ଅଥଚ ଗୋରକ୍ଷା ନଁାରେ ଅଥବା ଧର୍ମ କିମ୍ବା ଜାତି ନଁାରେ ଅଥବା ବାଂଲାଦେଶୀ ବା ନେପାଳୀ କିମ୍ବା ଉତ୍ତର ପୂର୍ବର ଲୋକଙ୍କ ନଁାରେ କରାଯାଉଥିବା ଭିଡ଼ହିଂସା ପଛରେ ଏକ ରାଜନୈତିକ ଉଦ୍ଦେଶ୍ୟ ରହିଥାଏ। ସମାଜରେ ଜାତି, ଧର୍ମ, ଆଞ୍ଚଳିକତା ଓ ଲିଙ୍ଗ ନଁାରେ ରହିଥିବା ଭେଦଭାବ ଏବଂ ଘୃଣା ଏଥିରେ ବଡ଼ ଭୂମିକା ଗ୍ରହଣ କରିଥାଏ। ଅତୀତରେ ଆମେରିକାରେ କଳାଲୋକଙ୍କ ଉପରେ ସଂଖ୍ୟାଗରିଷ୍ଠ ଗୋରାଙ୍କ ଆଧିପତ୍ୟକୁ ଜାହିର କରିବା ପାଇଁ ମବ୍‌ ଲିଂଚିଙ୍ଗ୍‌ର ଆଶ୍ରୟ ନିଆଯାଉଥିବା ବେଳେ ବର୍ତ୍ତମାନ ଆମ ଦେଶରେ ହିନ୍ଦୁରାଷ୍ଟ୍ରର କଥା କହୁଥିବା ଶକ୍ତିମାନେ ସମାଜର ସଂଖ୍ୟାଲଘୁ, ଦଳିତଙ୍କୁ ଶତ୍ରୁ ଭାବେ ଚିହ୍ନିତ କରି ସେମାନଙ୍କୁ ଆତଙ୍କିତ କରିବାକୁ ଘୃଣା, ଗୁଜବ, ହିଂସା ଏବଂ ଶେଷରେ ମବ୍‌ ଲିଂଚିଙ୍ଗ୍‌ର ଆଶ୍ରୟ ନେଉଛନ୍ତି।
ଦେଶରେ ‘ଭିଡ଼ ଦ୍ୱାରା ହତ୍ୟା’ ଅପରାଧ ବୃଦ୍ଧି ପାଇବା ଦେଖି ସୁପ୍ରିମକୋର୍ଟ ୨୦୧୮ରେ ଏହି ବିପଜ୍ଜନକ ଅପରାଧକୁ ରୋକିବାକୁ ଏକ ସ୍ବତନ୍ତ୍ର ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ କର୍ମୀ ତହସିନ୍‌ ପୁନାୱାଲାଙ୍କ ଦ୍ୱାରା ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏଭଳି ଘଟଣାକୁ ‘ଭିଡ଼ତନ୍ତ୍ର ଦ୍ୱାରା ସଙ୍ଗଠିତ ଭୟାବହ କାର୍ଯ୍ୟ’ ବୋଲି ଅଭିହିତ କରିବା ସହିତ ଏହାକୁ ଏକ ସ୍ବତନ୍ତ୍ର ଅପରାଧ ରୂପେ ବିଚାର କରି ଏଥିପାଇଁ ଏକ ସ୍ବତନ୍ତ୍ର ଆଇନ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଖି ଆଗରେ ବାରମ୍ବାର ଘଟୁଥିବା ଏଭଳି ଭିଡ଼ଦ୍ୱାରା ହତ୍ୟା ଘଟଣାରେ ସାଧାରଣ ନାଗରିକଙ୍କ ସ୍ପର୍ଶକାତରହୀନତା ଆଶ୍ଚର୍ଯ୍ୟଜନକ ବୋଲି ଅଭିହିତ କରିିବା ସହିତ ଏଭଳି ଘଟଣା ଦେଶର ବହୂଳତାବାଦୀ ସାମାଜିକ ଢାଞ୍ଚା ପ୍ରତି ବିପଦ ବୋଲି କହଛନ୍ତି। ଏହା ସହ ନାଗରିକ ଜୀବନର ସୁରକ୍ଷା ରାଷ୍ଟ୍ରର ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରି ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏ କ୍ଷେତ୍ରରେ ପ୍ରତିରୋଧମୂଳକ ବ୍ୟବସ୍ଥା ସ୍ବରୂପ ପ୍ରତ୍ୟେକ ଜିଲାରେ ଜଣେ ପୋଲିସ ଅଧିକାରୀ (ଏସ୍‌ପିଙ୍କଠାରୁ କମ୍‌ ନୁହେଁ)ଙ୍କୁ ଭିଡ଼ହିଂସା ରୋକିବା ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଥିଲା। ସେହିପରି ଭିଡ଼ହିଂସା ସଂଗଠିତ ହେବା ସମ୍ପର୍କରେ ଗୁପ୍ତଚର ସୂଚନା ସଂଗ୍ରହ ପାଇଁ ତଥା ମିଡିଆ ବିଶେଷକରି ସୋସିଆଲ ମିଡିଆରେ ଭୁଲ୍‌ ଖବର ଓ ଘୃଣାର ପ୍ରଚାର ଉପରେ ନଜର ରଖିବା ଲାଗି ବିଶେଷ ଟାସ୍କଫୋର୍ସ ଗଠନ କରିବାକୁ କୁହାଯାଇଥିଲା। ଏତଦ୍‌ ବ୍ୟତୀତ ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ ଏତଲା ପଞ୍ଜୀକରଣ ସହ ଆଇପିସିର ଧାରା ୧୫୩ (ଙ) ଅନୁସାରେ ମାମଲା ରୁଜୁ କରିବାକୁ କୁହାଯାଇଥିଲା। ଭିଡ଼ହିଂସା ମାଲଲାର ତ୍ୱରିତ ବିଚାର ପାଇଁ ମାମଲାଗୁଡ଼ିକୁ ଫାଷ୍ଟ-ଟ୍ରାକ୍‌ କୋର୍ଟରେ ଚଳାଇବା ଏବଂ ୬ ମାସ ମଧ୍ୟରେ ତଦନ୍ତ ସମାପ୍ତ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭିଡ଼ହିଂସାର ପୀଡ଼ିତ ବ୍ୟକ୍ତିଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବାକୁ ରାଜ୍ୟଗୁଡ଼ିକ ଏକ କ୍ଷତିପୂରଣ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିଲା।
ପରନ୍ତୁ ସୁପ୍ରିମକୋର୍ଟ ଭିଡ଼ହିଂସା ବିଶେଷକରି ଭିଡ଼ହତ୍ୟାକୁ ଏକ ସ୍ବତନ୍ତ୍ର ଶ୍ରେଣୀର ଅପରାଧ ବୋଲି ଚିହ୍ନଟ କରିବାକୁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଯାଏଁ କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି। ଯଦି କୌଣସି ଭିଡ଼ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରେ, କିନ୍ତୁ ସେଥିରେ ତା’ର ମୃତ୍ୟୁ ଘଟେ ନାହିଁ, ସେ କ୍ଷେତ୍ରରେ ବିଏନ୍‌ଏସ୍‌ର ଧାରା ୧୧୭(୪) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଅନ୍ୟପଟେ ଯଦି ପାଞ୍ଚରୁ ଊର୍ଦ୍ଧ୍ୱ ଲୋକଙ୍କ ଦ୍ୱାରା ସଂଗଠିତ ଭିଡ଼ ହିଂସାର ଘଟଣାଟି ପୀଡ଼ିତଙ୍କ ଜାତି, ବର୍ଗ, ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ କିମ୍ବା ଏହା ସହ ସମାନ ଅନ୍ୟ କୌଣସି ଆଧାରରେ ପ୍ରେରିତ ହୋଇଥାଏ, ତା’ହେଲେ ବିଏନ୍‌ଏସ୍‌ର ଧାରା ୧୦୩(୨) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି କୁହାଯାଇଛି।
ଭିଡ଼ ହିଂସା ଏବଂ ବିଶେଷକରି ଭିଡ଼ହତ୍ୟା କେବଳ ଏକ ଆଇନ-ଶୃଙ୍ଖଳାର ପ୍ରଶ୍ନ ନୁହେଁ। ବରଂ ଏହା ଭାରତର ବହୁଳତାବାଦୀ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଗୁରୁତର ବିପଦ। ଏହା ମାନବ ସଭ୍ୟତା ପାଇଁ ଏକ କଳଙ୍କ। ଅତଏବ ସରକାର ଏ କ୍ଷେତ୍ରରେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବିଚାରର ବ୍ୟବସ୍ଥାକୁ ନିଶ୍ଚିତ କରିବା ଜରୁରୀ।

ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ: ୯୪୩୭୧୬୬୩୯୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?