ଅକ୍ଷର ଜ୍ଞାନ ବନାମ ସାକ୍ଷରତା

ନଗେନ୍ଦ୍ର ନାଥ ପଟ୍ଟନାୟକ

ଜ୍ଞାନ ମନୁଷ୍ୟ ପାଇଁ ଦଶଟି ମାର୍ଗ ଉନ୍ମୁକ୍ତ କରିଥାଏ। କିନ୍ତୁ ମଣିଷ ଯେତେବେଳେ ପଢ଼ାଲେଖା ଭଳି ମୌଳିକ କଥା ଜାଣିପାରୁନି, ନିଜର ତଥା ପରିବାର ଲାଗି ସୁଦିନର ସୁନେଲି ସ୍ବପ୍ନ ଦେଖିବ କିପରି?
ସଂପ୍ରତି ଭାରତବର୍ଷର ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ପକାଇଲେ ମନରେ କ୍ଷୋଭ ଆସେ ଯେ, ସ୍ବାଧୀନତା ପ୍ରାପ୍ତିର ୭୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଦେଶର ତିନିକୋଟି ଲୋକ ନିରକ୍ଷର, ପାଖାପାଖି ୩୨ କୋଟି ଲୋକ ନାମକୁମାତ୍ର ପାଠୁଆ। କେବଳ ନାଆଁ ଲେଖିବା ଅବା ଦସ୍ତଖତ କରିବା ଛଡ଼ା କଲମ ଚଳେଇ ଜାଣନ୍ତି ନାହିଁ।
ସାକ୍ଷରତା ଏଭଳି ଏକ ଶବ୍ଦ ଯାହା ସମ୍ବନ୍ଧରେ ଜାଣିବାପାଇଁ ତା’ର ନିହିତ ଭାବାର୍ଥକୁ ବୁଝିବାକୁ ପଡ଼ିବ। ଉପରଠାଉରିଆ ଭାବେ ଦେଖିଲେ ଲାଗେ ସାକ୍ଷରତାର ଅର୍ଥ ଖାଲି ଅକ୍ଷର ଜ୍ଞାନ । ଅର୍ଥାତ ସ୍ବର ବ୍ୟଞ୍ଜନ ବର୍ଣ୍ଣ କିମ୍ବା ଅ ଆ ଇ ଠୁ ଆରମ୍ଭ କରି କ, ଖ, ଗ, କ୍ଷ ଅକ୍ଷର ସହିତ ପରିଚିତି । କିନ୍ତୁ ଅସଲ ଦୃଷ୍ଟିକୋଣରୁ ବିଚାରିଲେ ସାକ୍ଷରତା କେବଳ ଅକ୍ଷର ଜ୍ଞାନ ବା ଶବ୍ଦଜ୍ଞାନର ସୀମିତ ଅବଧାରଣା ନୁହେଁ । ପ୍ରାରମ୍ଭିକ ଯୁଗରେ ସେଭଳି ମନେ ହେଉଥିଲେ ମଧ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ସାକ୍ଷରତାକୁ ପ୍ରତ୍ୟକ୍ଷ ଭାବେ ବିଚାର ସହିତ ଯୋଡ଼ାଯାଇପାରେ। ସେଇ ବ୍ୟକ୍ତିବିଶେଷକୁ ଆଜି ଶିକ୍ଷିତ ବୋଲି କୁହାଯାଇପାରିବ, ଯିଏ କି କେବଳ ଲେଖିପାରୁଥିବ ତାହା ନୁହେଁ ବରଂ ତା’ର ଠିକ୍‌ ଅର୍ଥକୁ ବୁଝିବା ସହିତ ସାଧାରଣ ଜୀବନରେ ପ୍ରୟୋଗ କରିବାରେ ସାମର୍ଥ୍ୟ ରଖିପାରୁଥିବ।
କହିବା ଅନାବଶ୍ୟକ, ଭାରତରେ ସାକ୍ଷରତା ହାର ୨୦୧୯ରେ ଥିଲା ୭୬.୪ ପ୍ରତିଶତ, ମାତ୍ର ବର୍ତ୍ତମାନ ଏହା ବିଶ୍ୱର ହାରାହାରି ସାକ୍ଷରତା ହାର ୮୪ ପ୍ରତିଶତଠୁ ଖୁବ୍‌ କମ୍‌। ଗୁଣାତ୍ମକ ସାକ୍ଷରତା ହାର ଦ୍ୱାରା ଜନସଂଖ୍ୟା ବୃଦ୍ଧି, ଗରିବୀ ଓ ଲିଙ୍ଗଭେଦ ଭଳି ଆହ୍ବାନକୁ କଡ଼ା ମୁକାବିଲା କରାଯାଇପାରିବ। ସାକ୍ଷରତା ହାର ବଢ଼ାଇବା ଲାଗି ଦେଶର ବିକାଶ କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରାଯାଇପାରି ନାହିଁ। ଅଧିକନ୍ତୁ ୧୯୯୦ରେ ଏନେଇ କରାଯାଇଥିବା ଏକ ନିର୍ଭରଯୋଗ୍ୟ ଅଧ୍ୟୟନ ମୁତାବକ, ଭାରତରେ ଯଦି ସାକ୍ଷରତା ହାର ଏଭଳି ସ୍ଥିତି ବଜାୟ ରୁହେ ତେବେ ପୂର୍ଣ୍ଣ ସାକ୍ଷରତା ହାର ହାସଲ କରିବାରେ ୨୦୬୦ ବର୍ଷ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟର ସହିତ ପ୍ରତିରକ୍ଷା କରିବାକୁ ପଡ଼ିବ।
ସାକ୍ଷରତା ହାର ହାସଲ କରିବା ଲାଗି ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ସାକ୍ଷରତା ମିଶନ, ମଧ୍ୟାହ୍ନ ଭୋଜନ ଯୋଜନା ଅଥବା ମିଡ୍‌ ଡେ ମିଲ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ସତ, ମାତ୍ର ଏ ସବୁକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟାନ୍ବୟନ କରି ସଫଳତା ସାଉଁଟିବା ସ୍ବପ୍ନ ଛଡ଼ା ଆଉ କିଛି ନ ହୋଇପାରେ। କାଗଜକୁ ଆମେ ଯାହା କହୁ ପଛେ ତା’ର ଶତପ୍ରତିଶତ ଯଥାର୍ଥତା ରହିଛି। ସାକ୍ଷରତାର ଦ୍ୱାହି ଦେଇ ଆରମ୍ଭରୁ ସାକ୍ଷରଙ୍କୁ ବାରମ୍ବାର ସାକ୍ଷର କରିବାର କାର୍ଯ୍ୟ ଯେପର୍ଯ୍ୟନ୍ତ ଚାଲୁଥିବ ସେ ଯାଏ ଦେଶରେ ନିରକ୍ଷରତାର କଳଙ୍କ ରହିଥିବ। କେବଳ ଭାରତ ନୁହେଁ , ତୃତୀୟ ବିଶ୍ୱର ଅଧିକାଂଶ ଦେଶର ଦଶା ମଧ୍ୟ ଏହିଭଳି। ଆଫ୍ରିକା ଓ ଦକ୍ଷିଣ ଏସିଆରେ ନିରକ୍ଷରତା ତଥା ଅଶିକ୍ଷା ପଛରେ ଗରିବୀ ଏକ ବଡ଼ କାରଣ। ଏହାବ୍ୟତୀତ, ଆଉ ଏକ ପ୍ରମୁଖ ହେତୁଟି ହେଉଛି ସେଠାରେ ଛୋଟ ଛୋଟ ଦେଶ-ସୋମାଲିଆ, ସୁଡାନ କଂଗୋ ଇତ୍ୟାଦିରେ ଦୀର୍ଘସମୟ ବ୍ୟାପୀ ହଂସାକାଣ୍ଡ ଘଟିଆସୁଛି । ଆମେ ଏକ ସଭ୍ୟ ଶିକ୍ଷିତ ଦୁନିଆରେ ସହାବସ୍ଥାନ କରିବାର ଦାବିକରି ଶାନ୍ତି ଓ ସମୃଦ୍ଧି ତଥା ସୁଖର ସକଳ ସାଧନ ଥିବା ଜ୍ଞାନଯୁଗର ପ୍ରତିନିଧିତ୍ୱ କରୁଥିଲେ ହେଁ ଏକ ବଡ଼ଅଂଶ ଏଭଳି ରହିଛି, ଯାହା ପର୍ଯ୍ୟନ୍ତ ନା ସୁଖ ପହଞ୍ଚତ୍ପାରେ ନା ଜ୍ଞାନ। ତେବେ ସାକ୍ଷରତାକୁ ନେଇ ଗଭୀର ଚିନ୍ତନ କରିବାର ଆବଶ୍ୟକତା ରହିଛି। ଏବେସୁଦ୍ଧା ଆମ ଭିତରୁ ଅଧିକାଂଶ ନିରକ୍ଷରତାର ଅଭିଶାପକୁ ମୁଣ୍ଡେଇ ରହିଛନ୍ତି ।
ଏକଥାକୁ ଧ୍ୟାନରେ ରଖି ସାରା ବିଶ୍ୱରେ ସାକ୍ଷରତା ଅଭିଯାନକୁ ବ୍ୟାପକ କରାଯାଉଛି। ମିଳିତ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନିସ୍କୋ) ଦ୍ୱାରା ସାକ୍ଷରତା ଦିବସ ମଧ୍ୟ ପାଳନ ହେଉଛି।
ନକାରାତ୍ମକ ତଥା ନୈରାଶ୍ୟଜନକ ପରିସଂଖ୍ୟାନ ସତ୍ତ୍ୱେ ବି ବିଶ୍ୱର ପାଖାପାଖି ଚାରି ଅରବ ଲୋକ ସାକ୍ଷର ହୋଇପାରିଛନ୍ତି। ଯଦିଓ ଅଦ୍ୟାବଧି ସମଗ୍ର ବିଶ୍ୱର ସବୁ ସରକାରୀ ଓ ବେସରକାରୀ ସଂଗଠନଙ୍କ ନିରବଚ୍ଛିନ୍ନ ପ୍ରୟାସ ସତ୍ତ୍ୱେ ସାରା ବିଶ୍ୱରେ ଛଅ ଜଣଙ୍କ ମଧ୍ୟରୁ ଜଣେଲେଖାଁ ବୟସ୍କ ବ୍ୟକ୍ତି ନିରକ୍ଷର। ସାକ୍ଷରତା ଓ ପ୍ରଗତି ବିଷୟ ଉପରେ ବିଶେଷ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି। କାରଣ ସାକ୍ଷରତା ମାନବୀୟ, ସାଂସ୍କୃତିକ, ସାମାଜିକ, ରାଜନୈତିକ ତଥା ଆର୍ଥିକ ଅକଳରୁ ନିସ୍ତରିବାରେ ସାହାଯ୍ୟ କରିଥାଏ। ଏବେ ସାକ୍ଷରତା ବିଷୟ ପାଇଁ ପ୍ରଦାନ କରାଯାଉଥିବା ମାନବୀୟ ସହାୟତା କ୍ଷେତ୍ରରେ ଶିକ୍ଷାର ଯୋଗଦାନ ମାତ୍ର ଦୁଇ ପ୍ରତିଶତ ।
ସାରା ବିଶ୍ୱରେ ସାକ୍ଷରତାକୁ ବ୍ୟାପକ କରାଇବା ଲାଗି ରାଜନୈତିକ ପ୍ରତିଶ୍ରୁତିବଦ୍ଧତା କେତେକ ଦେଶ ପ୍ରକଟନ କରୁଥିବା ଲକ୍ଷ୍ୟ କରାଯାଉଛି। ସେଇମାନଙ୍କ ମଧ୍ୟରୁ ଭେନିଜୁଏଲା ନାମ ସର୍ବାଗ୍ରେ। ହ୍ୟୁଗୋ ସ୍ୟାଭେଜ ଯେତେବେଳେ କ୍ଷମତାସୀନ ହେଲେ ସେ ସର୍ବପ୍ରଥମେ କ୍ୟୁବାର ଦୁଇଲକ୍ଷ ଶିକ୍ଷକଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ, ଯଦ୍ଦ୍ବାରା ସେମାନେ ବହୁ ଦେଶବାସୀଙ୍କୁ ଶିକ୍ଷିତ କରିପାରିବେ। ସାଭେଜଙ୍କ ଏଭଳି ସକାରାତ୍ମକ, ବଳିଷ୍ଠ ପଦକ୍ଷେପ ଦ୍ୱାରା ଆଜି ଭେନିଜୁଏଲାରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ସେଠିକାର ଜନସାଧାରଣ ବୈଷୟିକ କୌଶଳଭିତ୍ତିକ କୃଷି କ୍ଷେତ୍ରରେ ବେଶ୍‌ ଅଗ୍ରସର କରିସାରିଲେଣି। ନୂତନ ଭାରତ ସରକାର ମଧ୍ୟ ଦେଶରେ ସରକାରୀ ବିଦ୍ୟାଳୟ ସଂଖ୍ୟାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟାଇଛନ୍ତି ଓ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରି ସ୍ଥିତିକୁ ବଦଳାଇ ପାରିଛନ୍ତି। ଯଦିଓ ଭାରତରେ ଚାଲୁଥିବା ଏକ ବୟସ୍କ ସାକ୍ଷରତା କାର୍ଯ୍ୟକ୍ରମକୁ ଅନ୍ତଃରାଷ୍ଟ୍ରୀୟ ମାନବବାଦୀ ପୁରସ୍କାର ପାଇଁ ଅନ୍ତିମ ତାଲିକାରେ ରଖାଯାଇଛି। ଏହି କାର୍ଯ୍ୟକ୍ରମ ମୁତାବକ, କେବଳ ୩୫ ଦିନ ମଧ୍ୟରେ ପାଖାପାଖି 60,000 ମହିଳାଙ୍କୁ ଲେଖାପଢ଼ା ଶିଖାଇ ଦିଆଯାଇଛି। ଏହା ବିଶ୍ୱର ଏଭଳି ଏକ ସାକ୍ଷରତା କାର୍ଯ୍ୟକ୍ରମ, ଯଦ୍ଦ୍ବାରା ଖୁବ୍‌ କମ୍‌ ସମୟରେ ହଜାର ହଜାର ଲୋକଙ୍କୁ ସାକ୍ଷର କରାଯାଇପାରିବ। ଭାରତରେ ସାକ୍ଷରତା କାର୍ଯ୍ୟକ୍ରମ ପ୍ରତି ବିଶେଷରୂପେ ମହିଳା ଛାତ୍ରୀମାନେ ଆକୃଷ୍ଟ ହେଉଛନ୍ତି। ତେବେ ଦେଶରେ ପାରିବାରିକ ଯୋଜନା ଓ ଜନସଂଖ୍ୟାର ସ୍ଥିରତା ନେଇ ମହିଳାଙ୍କ ସାକ୍ଷରତା ହାର କମ ହେବାର ନକାରାତ୍ମକ ପ୍ରଭାବ ପଡ଼ିଛି। ୯୯୯-୩, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର, ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri